ଉତ୍ତର ଖୋଜୁଛି ନିଦ

ଉତ୍ତର ଖୋଜୁଛି ନିଦ

ସଂଗ୍ରହ - ଜିତୁ

 ରାତିରେ ଭଲ ନିଦ ହେଉ ନ ଥିଲା।

           ପରିଣତ ବୟସରେ ପହଞ୍ଚିଥିଲି। ହେଲେ ସେଇ କାରଣରୁ ନୁହେଁ।ଅନେକ କଥାରୁ ଅଥୟ ହେଉଥିଲା ମୋ ମନ। ଶାନ୍ତିରେ ଶୋଇ ପାରୁ ନ ଥିଲି। ଭାରି ବିବ୍ରତ ଓ ବିଚଳିତ ମନେ ହେଉଥିଲା |

           ଅବସର ନେବାକୁ ଦଶ ବର୍ଷ ବିତିଲାଣି। ଲାଞ୍ଚ ଦେଇ ପାରି ନ ଥିବା କାରଣରୁ ଏଯାଏଁ ପେନସନ ପାଇନାହାନ୍ତି ଯଦୁ ସାର୍।ଆମ ଗାଆଁର ମଣିଷ ସେ।ତାଙ୍କ ଦୁଃଖ, ଦୟନୀୟ ମୁହଁଟି ମୋ ଆଖି ଆଗରେ ନାଚି ଯାଉଥିଲା।କେମିତି ନିଦ ହେବ ମୋତେ ?

          ଆଗ ଭଳି ଗଛବୃକ୍ଷ ଆଉ ଦେଖୁ ନ ଥିଲି ମୁଁ।ରାସ୍ତା କଡରେ ଧାଡି ଧାଡି ଗଛ ଥିଲା।କି ସୁନ୍ଦର ଦିଶୁଥିଲା ! କୁଆଡ଼େ ସେସବୁ ଗଲା କେଜାଣି ! ଏବେ ବସା ବାନ୍ଧିବାକୁ ଚଢେଇଟା ଡାଳ ଖୋଜୁଛି ଯେ କୁଆଡୁ ପାଇବ ! ତା'ର ବ୍ୟସ୍ତ ପଣ,ବାସହୀନ ଜୀବନ ମୋ ଆଖିରେ ପଡୁଥିଲା।ଶୋଇବାକୁ ଗଲାବେଳକୁ ମୁଁ ତାହାରି କଥା ହିଁ ଭାବୁଥିଲି।ତେଣୁ ଶୋଇ ପାରୁ ନ ଥିଲି।

          ଆମ ଗାଆଁର ବାବୁଲା କଥା ବି ଦିନେ ଦିନେ ମୋର ମନେପଡି ଯାଉଥିଲା।ସବୁଜ ସୁନାର ବିନ୍ଧାଣି ସେ।ହେଲେ ଏବେ ତା'ର କ'ଣ ହୋଇଥିଲା କେଜାଣି ! ଜମି ସବୁ ପଡିଆ ପଡି ରହିଥିଲା।ମୁହଁ ଶୁଖାଇ ବୁଲୁଥିଲା ସେ।ଆତ୍ମହତ୍ୟା ମନସ୍କ ଥିବା ପରି ଜଣା ପଡୁଥିଲା।ମତେ ଲାଗୁଥିଲା ହୁଏ ତ କୌଣସି ଦିନ ସେ ତା' ଚାଷ ଜମିରେ ବିଷ ପିଇ ଆତ୍ମହତ୍ୟା କରିଦେବ।ତା' କଥା ଭାବିଲା ବେଳକୁ ମୋର ମୁଣ୍ଡ ବୁଲେଇ ଦେଉଥିଲା।ନିଦ ହେବ କେମିତି !

          ପ୍ରେମରେ ହାରିଯାଇ ପାପକୁ ସାଇତି ଗାଆଁରେ ବୁଲୁଥିବା ନାଣ୍ଡୀକୁ ଦେଖୁଥିଲି।କୁଞ୍ଚୁକୁଞ୍ଚୁଆ ଚୁଟି।ଗୋଲାପୀ ରଙ୍ଗର ଓଠ।କଥାକୁହା ଆଖି।କେଡ଼େ ସୁନ୍ଦର ଝିଅଟା ! କାହିଁକି ପ୍ରେମ କରୁଥିଲା କେଜାଣି ! କାହିଁକି ଦେହ ଦେଖାଉଥିଲା ! ସେ ମନେପଡିଲେ ଏଇ ସବୁ କଥା ମୋ ମନକୁ ଆନ୍ଦୋଳିତ କରୁଥିଲା।ତା' ପାପ ଗର୍ଭ,ନୀରସ ମୁହଁ ମୋ ଆଖି ଆଗରେ ନାଚୁଥିଲା।ନିଦ କୁଆଡ଼େ ହଜି ଯାଉଥିଲା।

          ମନ ଭିତରକୁ ବେଳେବେଳେ ଧସେଇ ପଶି ଆସୁଥିଲେ ଧଣ୍ଡ ବାବା।ମୁର୍ଖଟା କୋଉଠିକାର।ଗେରୁଆ ପିନ୍ଧି, ତିଳକ ଟାଣି ରାତାରାତି ବାବା ବନିଗଲା।ତା' ପରେ ଆରମ୍ଭ କରିଦେଲା ପ୍ରବଚନ।ଝିଅ, ବୋହୂ କେଉଁଠୁ କେଉଁଠୁ ଆସି ତା' ଚାରିପଟେ ଭିଡ ଜମେଇ ଦେଲେ।ଦେଖିଲାବେଳକୁ ଦିନେ ସେ ଈଶ୍ୱର।ଯେଉଁ ପାଲା ,ଲୀଳା ଚାଲିଲା ନ କହିବା ଭଲ।ଲୋକମାନେ ଭକ୍ତ ପାଲଟିଗଲେ।ହାୟରେ ସମୟ ! ତା' କଥା, କାହାଣୀ ମୋ ମୁଣ୍ଡ ଘୂରାଇ ଦେଉଥିଲା।ଶୋଇବି କେମିତି !

          ଦିନ ପରେ ଦିନ ଗଡୁଥିଲା।ହେଲେ ମୋ ଆଖିରେ ଏମାନେ ଯେମିତି ସେମିତି ଥିଲେ।ମୋତେ ସବୁ କେମିତି କେମିତି ଲାଗୁଥିଲା।

          କେବେଠୁ ନିଷ୍ଠୁର ହୋଇ ସାରିଥିଲା ଖରା।କାହିଁକି ହେଲା ବୁଝି ପାରୁ ନ ଥିଲି।କେବେଠୁ ଅବୁଝା ହୋଇ ସାରିଥିଲା ବର୍ଷା।କାହିଁକି ଅବୁଝା ହେଲା ପଚାରି ପାରୁ ନ ଥିଲି।ଏବେ ଏମିତି ଗୋଟିଏ ସମୟ ଆସିଥିଲା।ମୋ ଭିତର ଉତ୍ସାହ ଓ ବିଶ୍ୱାସକୁ ମାରି ଦେଇଥିଲା।ମନ ମରି ଯାଇଥିଲା।ନିଶ୍ଚିନ୍ତ ନ ଥିଲି ମୁଁ।ଆଖିକୁ ନିଦ ଆସିପାରିବ କେମିତି ! 

          ବୁଢ଼ୀ ମା' ପାଖରୁ ଗପଟିଏ ଶୁଣିଲେ ଶିଶୁଟିଏ ଶାନ୍ତିରେ ଶୋଇ ପଡୁଥିଲା।ହେଲେ ବୁଢ଼ୀ ମା'ର ଗପ ଆଉ ସେପରି କିମିଆଁ କରି ପାରୁ ନ ଥିବା ଦେଖୁଥିଲି।ଶିଶୁଟିର ଆଖି ଢାଙ୍କି ହୋଇ ଯାଉ ନ ଥିଲା ଆଉ ତାଙ୍କ ଗପ ଶୁଣି।ମୋତେ ସୁଖ ଲାଗୁ ନ ଥିଲା ଏସବୁ।ଅସୁଖି ଥିଲି ମୁଁ।ଶୋଇ ପାରୁ ନ ଥିଲି।

           ରାଇଜର ହାକିମଙ୍କ କଥା ବି ମନେ ପଡୁଥିଲା ବେଳେବେଳେ।ରାଇଜଯାକର ଠିକଣା ତାଙ୍କ ମୁହଁରେ, ହେଲେ ନିଜ ଗାଆଁ, ନିଜ ଜେଜେବାପାଙ୍କ ନାଆଁ ତାଙ୍କର ମନେପଡୁ ନ ଥିଲା।ଅଫିସର ହେବା ମାନେ କ'ଣ ଅତୀତକୁ ଭୁଲିଯିବା ! ମୁଁ ବିସ୍ମିତ ହେଉଥିଲି।ଏମିତି ଅବସ୍ଥାରେ କେହି ଜଣେ କ'ଣ ଶାନ୍ତିରେ ଶୋଇପାରେ ! 

           ଦେଖୁଥିଲି : ଶଦ୍ଦଚୋରଙ୍କୁ ଡରୁଥିଲା କବିତା, ବାଟୋଇକୁ ଗଛ ଡରୁଥିଲା।ବଗିଚା ଡରୁଥିଲା ବାଡକୁ।ସ୍ବପ୍ନ ଡରୁଥିଲା ନିଦକୁ।ପ୍ରେମ ଡରୁଥିଲା ହୃଦୟକୁ।ମୂର୍ତ୍ତି ମଣିଷକୁ ଡରୁଥିଲା।ବିଶ୍ବବାସୀଙ୍କୁ ଡରୁଥିଲା ବିଶ୍ୱାସ।କି ସମୟ ଇଏ ! ସମସ୍ତଙ୍କ ଡର ମୋ ଭିତରେ ପଶି ଯାଇଥିଲା।ମୁଁ ଡରି ମରୁଥିଲି।ରାତି ହେଲେ ଏଇ ସବୁ କଥା ଭାବି ଭାବି ମୋ ଆଖିରେ ପଲକ ପଡୁ ନ ଥିଲା।

          ଓଃ ! କି ସମୟ ସତେ ଇଏ ! ହେଲେ କାହିଁକି ଏମିତି ସମୟ ଆସିଲା ? ମୁଁ କ'ଣ ଟିକେ ଶୋଇ ପାରିବିନି ଶାନ୍ତିରେ ? 

         ଏବେ ଏଇ ପ୍ରଶ୍ନ ଦୁଇଟିର ଉତ୍ତର ପାଇବାକୁ ମୋ ନିଦ ଦୁଇଜଣଙ୍କୁ ଖୋଜୁଛି - ଜଣେ ଈଶ୍ବରଙ୍କୁ ଆଉ ଜଣେ କବିଙ୍କୁ। ଯଦି କୌଣସି ସହୃଦୟ ବନ୍ଧୁ ଏମାନଙ୍କ ମଧ୍ୟରୁ କୌଣସି ଜଣକର ଠିକଣା ପାଆନ୍ତି ମୋତେ ଟିକେ ଜଣାଇବେ ତ ପ୍ଲିଜ୍।

ଉତ୍ତର ଖୋଜୁଛି ନିଦ।

🌼🌻ସମାପ୍ତ 🌻🌼

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.