ମାନବ ସେବା ହିଁ ଗୋବିନ୍ଦ ସେବା

ମାନବ ସେବା ହିଁ  ଗୋବିନ୍ଦ ସେବା

ସଂଗ୍ରହ: ꧁༒❤️ଶ୍ରୀନାଥ ❤️༒꧂





ମର୍ଣିଂ ୱାକ୍ ରୁ ଫେରି ବାଲକୋନୀ ରେ ବସି ଖରା ଖାଉଥିଲି। ହାତରେ ଖବରକାଗଜ ଟିଏ। ଚା' ତ କେବଳ ବାହାନା! ଆଖିରେ ପଡିଲା ଛୋଟ ପିମ୍ପୁଡ଼ି ଟିଏ। ପବନ ରେ ଝଡ଼ିପଡ଼ିଥିବା ପତ୍ର ଟିଏ କୁ ଟାଣି ଟାଣି ଆଗେଇ ଚାଲିଛି। ତା ଓଜନ ଠାରୁ ଅନେକ ଅଧିକ ଓଜନ ସେ ପତ୍ର ର। ଆକାର ରେ ବି ପତ୍ର ଟି ଥିଲା ତାର ଦୁଇଗୁଣ। ଯେତେ କଷ୍ଟ ହେଲେ ବି ପତ୍ର ଟିକୁ ଛାଡ଼ି ଯାଉ ନ ଥାଏ ସେ। ମଝିରେ ମଝିରେ ନିଃଶ୍ୱାସ ବଳେଇ ପଡୁଥାଏ। ଅଣଚାଶ ବହିବା ଅବସ୍ଥା। ତଥାପି ତାର ଜିଦ୍ ଦେଖି ମୁଁ ତାଜୁବ! ଖବକାଗଜ ରୁ ଧ୍ୟାନ ହଟାଇ ପିମ୍ପୁଡ଼ି ଟିକୁ ଭଲ ଭାବରେ ଦେଖିବା ପାଇଁ କେତେବେଳ ଠାରୁ ଲାଗି ଗଲିଣି ସେକଥା ମୁଁ ନିଜେ ମଧ୍ୟ ଜାଣେନା। ଯାଉ ଯାଉ ରାସ୍ତାରେ  ଫାଟ ଟିଏ ପଡିଲା। ପିମ୍ପୁଡ଼ି ଟି ଫାଟ ଟିକୁ ଦେଖି ହତାଶ ହୋଇ ପଡ଼ିଲା। ମୁଁ ଭାବିଲି ଏଇଠି ଶେଷ ହେଲା ତାର ଖେଳ। କିନ୍ତୁ ନା ! ଫାଟ ଟିକୁ ନିକଟରୁ ଭଲ ଭାବରେ ଅନୁଧ୍ୟାନ କଲା। ଟିକିଏ ଅଟକି ଗଲା। କଣ ଯେମିତି ଗଭୀର ଭାବରେ ଚିନ୍ତା କରୁଛି ସେ। ଆକାର ରେ ଏତେ ଛୋଟ। କିନ୍ତୁ ତାର ଧି-ଶକ୍ତି ର ଯେତେ ପ୍ରଶଂସା କଲେ ବି କମ୍ ହେବ। ସାମ୍ନାରେ ବିରାଟ ସମସ୍ୟା ଦେଖି ଛତ୍ରଭଙ୍ଗ ଦେବା ବଦଳରେ ସେ ତା ଉପରେ ସୁନ୍ଦର ଭାବରେ ଅନୁଶୀଳନ କରୁଛି। ଚିନ୍ତା କରୁଛି କଣ ସବୁ ରାସ୍ତା ଅଛି ତା ପାଖରେ। ସମାଧାନ ର ସବୁଯାକ ବିକଳ୍ପ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଏବଂ ପରିଶେଷ ରେ ଗୋଟିଏ ବିକଳ୍ପ ଉପରେ ସ୍ଥିର ନିଶ୍ଚିତ ହୋଇ ତାର ସମସ୍ତ ଶକ୍ତି ସେଥିରେ ଲଗାଇ ଦେଉଛି।

ଦେଖିଲି, ଶେଷରେ ସେ ପତ୍ର ଟିକୁ ଠେଲି ଠେଲି ଫାଟ ଟି ଉପରେ ଥୋଇଦେଲା। ଏମୁଣ୍ଡ ରୁ ସେମୁଣ୍ଡ କୁ ପୋଲ ଟିଏ ତିଆରି ହୋଇ ଗଲା ନିମିଷକ ଭିତରେ! ଏଥର ହର୍ଷ ଉଲ୍ଲାସ ରେ ଯେତେ ନୁହେଁ ତାଠାରୁ ଅଧିକ  ବିଜୟ ଉଲ୍ଲାସ ରେ ପତ୍ର ଟି ଉପର ଦେଇ ଫାଟ ର ଏପଟ ରୁ ସେପଟ କୁ ଚାଲିଗଲା। ଥରେ ଫାଟ ଟିକୁ ଅତିକ୍ରମ କରି ଗଲା ପରେ ଆଉ ବିଶେଷ ଅସୁବିଧା ହେଲା ନାହିଁ।  ଟାଣି ଟାଣି ପତ୍ର ଟିକୁ ନେଇ  ଆଗେଇ ଚାଲିଲା। କିଛି ବାଟ ଯିବା ପରେ ଗୋଟିଏ ଛୋଟ ଗାତ ପାଖରେ ଅଟକି ଗଲା। ଏଇଟା ବୋଧ ହୁଏ ତାର ଘର ଭିତରକୁ ଯିବା ପାଇଁ ରାସ୍ତା। ଗାତ ଟି ତ ଏତେ ଛୋଟ। ପତ୍ର ଟିକୁ ତା ଭିତରକୁ କେମିତି ନେବ ଦେଖିବା ପାଇଁ ମୋର ଆଗ୍ରହ ବଢ଼ି ଯାଇଥିଲା ସେତେ ବେଳକୁ। ଚା କପ୍ ବି ଖାଲି ହୋଇ ଯାଇଥିଲା।  ଖବରକାଗଜ ରୁ ଦୃଷ୍ଟି ହଟାଇ ପୂରାଟା ଧ୍ୟାନ ତା ଉପରେ ନିକ୍ଷେପ କଲି। ସେ କିନ୍ତୁ ଏଥର ବିଫଳ ହେଲା। ଝାଳ ନାଳ ହୋଇ ଏତେ ଦୂରରୁ ଟାଣି ଟାଣି ଆଣିଥିବା ପତ୍ର ଟିକୁ ଗାତ ବାହାରେ ଛାଡ଼ି ଖାଲି ହାତରେ ଯିବାକୁ ପଡିଲା ବିଚରାକୁ। 

ମୋର ମନେ ହେଲା ଆମ ଜୀବନ ର କାହାଣୀଟା ଠିକ୍ ଯେମିତି ଏହି ପିମ୍ପୁଡ଼ି ଟିର ସଂଘର୍ଷ ର କାହାଣୀ ସହିତ ଏକ ସମାନ୍ତରାଳ ରେଖା ରେ ଗଡି ଚାଲିଛି। ସାରା ଟା ଜୀଵନ ଆମେ ବାଜି ଲଗେଇ ଦେଉ ଜ୍ଞାନ ଅର୍ଜନ କରିବା ରେ, ସମ୍ପର୍କ ଯୋଡ଼ିବା ରେ, ଉତ୍ତରୋତ୍ତର ଉନ୍ନତି ଲାଭ କରିବା ଦିଗରେ ଏବଂ ସେ ସମସ୍ତ ର ବିନିମୟରେ ଧନ ସମ୍ପତ୍ତି ଏକତ୍ରିତ କରିବାରେ। ଆଉ ଜୀବନର ଯେତେ ସବୁ ସମସ୍ୟା ସେସବୁ ର ସମାଧାନ ଦିଗରେ ତିଳ ତିଳ କରି ନଷ୍ଟ କରି ଦେଉ ଏ ମହାର୍ଘ ଜୀବନ ଟିକୁ। ହାତରେ ପଇସା ନ ଥିବା ସମୟ ରେ ଢେର୍ ବଳକା ସମୟ। ଆଉ ଯେତେବେଳେ ହାତକୁ ପଇସା ଆସିଲା ତ ସମୟ ନାହିଁ ତାକୁ ଉପଭୋଗ କରିବା ପାଇଁ। ସାରା ଟା ଜୀବନ ପରିବାର ପାଇଁ, ଚାକିରି ବା ବ୍ୟବସାୟ ପାଇଁ, ନୂଆ ଘର, ଗାଡ଼ି, ଦାମୀ ମୋବାଇଲ୍ ଫୋନ୍ ପାଇଁ ଏମିତି କି ଦୁନିଆଁ କଣ କହିବ ସେଥି ପାଇଁ ବ୍ୟସ୍ତ ହୋଇ ଜୀବନ ଟିକୁ ଠିକ୍ ଭାବରେ ଜିଇଁବା ଆଗରୁ ଆମର ଜୀବନ ର ଯବନିକା ପଡ଼ି ଯାଏ ଏବଂ ଆମେ ଖାଲି ହାତ ରେ ଯେମିତି ଆସିଥିଲୁ ଠିକ୍ ସେମିତି ଖାଲି ହାତରେ ଚାଲି ଯାଉ। ଆସିଲା ବେଳକୁ ଯେଉଁ ନାଆଁ ଗୋଟିଏ ଏ ଦୁନିଆଁ ଆମକୁ ଦେଇ ଥାଏ, ତାହା ମଧ୍ୟ ଆମ ପାଖରୁ ଛଡେଇ ନିଆ ଯାଏ।

ମୃତ୍ୟୁର ନିମିଷକ ଭିତରେ ଆମେ ହୋଇ ଯାଉ କେବଳ ମାତ୍ର ଗୋଟିଏ ଦେହ ଯାହାକୁ ଛୁଇଁବା ପାଇଁ ନିଜର ଅତି ଆପଣା ର ଲୋକ ମଧ୍ଯ ଭୟ କରେ। ତେବେ ଯେଉଁ ଜୀବନ ଟିକୁ ପାଇବା ପାଇଁ ଆମେ କିଛି କରି ନ ଥିଲୁ ତାକୁ ହରାଇବା ପାଇଁ ଏତେ ଦୁଃଖ କାହିଁକି? ଏତେ ଲୋଭ କଣ ପାଇଁ ? ଚାଲନ୍ତୁ ଚିନ୍ତା କରିବା ଯେଉଁ ନାଆଁ ଟି ଆମର ମୃତ୍ୟୁ ସହିତ ଆମ ପାଖରୁ ଚାଲି ଯିବ ତାକୁ ଅମର କରିବା ପାଇଁ ଆମେ କଣ କିଛି କରି ପାରିବା କି ନାହିଁ! ନିଜ ଲୋକଙ୍କ ପାଇଁ ତ ସାରା ଟା ଜୀବନ ଅତିବାହିତ କରି ଦେଲେ। ଚାଲନ୍ତୁ ନା ଦୁଃଖୀ, ଦରିଦ୍ର ନରନାରାୟଣ ଙ୍କ ସେବା ପାଇଁ ଜୀବନ ର କିଛି ସମୟ ବିନିଯୋଗ କରି ଜୀବନ କୁ ଯଥାର୍ଥ କରି ଯିବା!


ମାନବ ସେବା ହିଁ  ଗୋବିନ୍ଦ ସେବା

......................ସମାପ୍ତ......................


        (ପୁଣି ଆସନ୍ତା କାଲି ଅନ୍ୟ ଏକ ଗଳ୍ପ ନେଇ ଆସିବି .....ଅପେକ୍ଷା କରିଥାଆନ୍ତୁ ସମସ୍ତେ!)

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.