“ହିସାବ“
“ହିସାବ“
ରଚନା : ସୀତାରାମ ଦାସ
ସଂଗ୍ରହ : ❣️ଆକାଶ
ସୌଜନ୍ୟ : ଆନିମେସନ ଓଡ଼ିଶା
:::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::
ଚିନ୍ମୟୀ ଦେବୀ ! ସମସ୍ତେ ତାଙ୍କୁ ଚିନୁ ଅପା, ଚିନୁ ଅପା ବୋଲି ଡାକନ୍ତି ।
ଚମ୍ପା ଫୁଲ ପରି ଦେହର ରଙ୍ଗ ଏବଂ ଚମ୍ପା ଗଛର ଡାଳ ପରି ପତଳା, ତାଙ୍କ ଶରୀର। ବୟସ ଷାଠିଏ ନ ହେଲେ ବି ଷାଠିଏ ପାଖା ପାଖି ହେବ। ଚିନ୍ମୟୀ ଦେବୀଙ୍କ ହସ ହସ ମୁହଁ ଏବଂ ସୁନ୍ଦର ବ୍ୟବହାର ପାଇଁ, ସେ ସମସ୍ତଙ୍କର ଅତି ପ୍ରିୟ। ପାଖ ପଡିଶା, ସମସ୍ତେ ତାଙ୍କୁ ଭଲ ମନ୍ଦରେ ଖୋଜି ବସନ୍ତି।
ଆଜିକାଲି ତାଙ୍କର ଅସୁସ୍ଥତା ଲାଗି ରହୁଛି। ସକାଳୁ ସକାଳୁ ସେ ଦାଣ୍ଡ ପଟୁ ଛୋଟେଇ ଛୋଟେଇ ଆସି ଘର ପିଣ୍ଡାରେ ନଥ କରି ବସି ପଡିଲେ। ଲୁଗାଟିକୁ ଆଣ୍ଠୁ ଉପରୁ କାଢ଼ିଦେଇ, ଆଣ୍ଠୁକୁ ଜୋରରେ ମୁଠାଇ ଧରିଲେ। ପାଟିରୁ ବାହାରି ଆସିଲା ଓଃ... କି ଯନ୍ତ୍ରଣା?
କିଛିମାସ ହେବ ତାଙ୍କର ଆଣ୍ଠୁ ଗଣ୍ଠି ରୋଗ ବାହାରିଛି। ଭାରି ଯନ୍ତ୍ରଣାଦାୟକ ଏ ରୋଗ! ବସିଲେ ଛିଡା ହୋଇ ହେବନି, ଛିଡା ହୋଇଥିଲେ ବସି ହେବନି । ଏବେ ପ୍ରାୟ ବୟସ୍କ ବ୍ୟକ୍ତି ମାନଙ୍କର ଏ ରୋଗ ବାହାରୁଛି। ମେଡ଼ିସିନ ଖାଇଲେ ଭଲ, ମେଡ଼ିସିନ ବନ୍ଦ ହେଲେ ଯେଉଁ କଥାକୁ ସେଇ କଥା। ଡାକ୍ତର କହିଛନ୍ତି, "ହାଡ଼ ଭିତରେ ଥିବା ଏକ ପ୍ରକାର ରସ ଶୁଖି ଯାଇଛି। ଲଗାତାର ମେଡ଼ିସିନ ଖାଇବାକୁ ପଡିବ। ତା ସହିତ ପୃଷ୍ଟିକର ଖାଦ୍ୟ ବି"। ଦିନ ଥିଲା ଚିନ୍ମୟୀ ଦେବୀ ଭୋର ଚାରିଟାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଖଟୁଥିଲେ। ଚାଷବନ୍ଧି ଘର। ଘରେ ଗୋରୁଗାଈ, ଛେଳି ମେଣ୍ଢା ଅନେକ। ତା ସାଙ୍ଗକୁ ରୋଷେଇ, ବାରି ଘର, ଓଷା ବ୍ରତ, ବନ୍ଧୁବାନ୍ଧବ ଚର୍ଚ୍ଚା ଓ ଘରର ଯାବତୀୟ କାମ, ସେ ଏକା କରୁଥିଲେ। ଏପରିକି ଚାଷବାସ ସମୟରେ ଧାନ, ମୁଗ ବିରି ପାଛୁରା ପାଛୁରି କରି ବର୍ଷକ ପାଇଁ ସାଇତି ରଖିବାକୁ ପଡୁଥିଲା। ନିଜ ଖାଇବା ପିଇବା, ଦେହ ମୁଣ୍ଡ କଥା ଦିନେ ଭାବିବାକୁ ସେ ସମୟ ପାଇଁ ନାହାନ୍ତି। ମନରେ ଗୋଟିଏ ଅଭିଳାଷ ପୁଅ ଅଙ୍କିତ ବଡ଼ ହୋଇଗଲେ ମୋ ଦୁଃଖ ସରିଯିବ। ଦଣ୍ଡେ ବସୁ ନ ଥିବା ମଣିଷଟି ଏବେ ସମୟ ନିକଟରେ ହାର ମାନିଛି। ବୟସ ତାଙ୍କୁ ପୋକଖିଆ ବାଉଁଶ ପରି ଦୁର୍ବଳ କରିଦେଇଛି। ବୋଉର ପାଟି ଶୁଣି ଘର ଭିତରୁ ଅଙ୍କିତ ଆସି ବୋଉ ଉପରେ ବହୁତ ବିରକ୍ତ ହେଲା। ରାଗରେ କହିଲା, "କଣ ଦରକାର ଆଡେ ସାଡେ ଯିବା। ଗୋଡ଼ ତ ଭଲ ନାହିଁ। ତତେ କିଏ କହୁଛି କାମ କରିବାକୁ? ବୁଲିବା ତୋର ଗୋଟେ ଅଭ୍ୟାସ। ଘେରାଏ ନ ବୁଲିଲେ ସତେ ଯେମିତି, ତୋ ଭାତ ହଜମ ହେବନି। ଜାଣିଛୁ ଏ ଗୋଡ଼ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଲାଣି। ଛ ମାସରେ ଚାଳିଶ ହଜାର ମୁଁ ଖର୍ଚ୍ଚ କରି ସାରିଲାଣି। ପଇସା କେଉଁଠୁ ଆସୁଛି ତତେ କଣ ଜଣା ପଡୁଛି। ଜଣା ପଡୁଥିଲେ ତୁ କଣ ବାରଆଡେ ବୁଲନ୍ତୁ। ଛ ମାସ ହେଲାଣି, କେତେ କ୍ଷୀର ତୋ ପାଇଁ ଆସୁଛି, କେବେ ତାର ହିସାବ କରିଛୁ? "
ବୋଉ ଶାନ୍ତ ଚିତ୍ତରେ, ଧୀର ସ୍ୱରରେ କହିଲେ, "ମୁଁ ହିସାବ କରିବା କଣ ଦରକାର। ତୁ' ତ କରୁଛୁ..."। ଏ କଥା ଶୁଣି ବୋହୂ ମୁହଁ ମୋଡି ଚାଲିଗଲା ଆର ଘରକୁ। ବିରକ୍ତ ସ୍ୱରରେ କହିଲା, "ହଁ, ପଇସା କଣ ଆମ ପାଖରେ ଅଭାଵ ଯେ, ସେ ତାଙ୍କ ନବାଵପଣିଆ ଛାଡିବେ"।
ଏ କଥା ଶୁଣି ଚିନ୍ମୟୀ ଦେବୀଙ୍କ ଆଖି ଛଳଛଳ ହୋଇ ଗଲା। ଛାତି ଭିତର ମଧ୍ୟ ଏକ ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ହୋଇ ଉଠୁଥିଲା। କିନ୍ତୁ ସେ ଛାତିର କୋହକୁ ଆଖିର ଲୁହରେ ପରିଣତ କଲେ ନାହିଁ। ତାଙ୍କ ମୁହଁରେ ଥିଲା ଆକାଶର ଉଦାସତା। ତାଙ୍କ ମନ ଭିତରେ ଅତୀତର ଅନେକ ସ୍ମୁତି ଊଙ୍କି ମାରୁଥିଲା। ସେ ମନେ ମନେ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲେ, ସ୍ୱାମୀ ଆର ପାରିକୁ ଚାଲି ଗଲା ପରେ, ଯେଉଁ ପାଦ ପୁରା ସଂସାରକୁ ସମ୍ଭାଳି ରଖିଥିଲା ଆଜି ସେ ପାଦ, ନିଜ ଶରୀରର ଭାରକୁ ସମ୍ଭାଳିବାକୁ ବି ସକ୍ଷମ ନୁହେଁ। ସ୍ନେହର ପଣତ ଏତେ ଶୀଘ୍ର ଅଲୋଡ଼ା ପଣତରେ ପରିଣତ ହୋଇ ଗଲା ସେ କିପରି ଜାଣି ପାରିଲେନି। ଏ ଘରକୁ ସଜାଡ଼ିବା ପାଇଁ ସେ କେତେ କଷ୍ଟ କରିଥିଲେ। ପିଲାମାନଙ୍କ ମୁହଁରେ ଟିକେ ହସ ଦେଖିବାକୁ କେତେ କେତେ ସ୍ବପ୍ନକୁ ଛାତି ତଳେ ଚାପି ରଖିଥିଲେ। ତାଙ୍କର ସ୍ବର୍ଗତ ସ୍ୱାମୀଙ୍କ କଥା ଆଜି ବହୁତ ମନେ ପଡୁଥିଲା। କିନ୍ତୁ ତାଙ୍କ ମୁହଁରେ ହତାଶ ଓ ଦୁଃଖ ବଦଳରେ ରହସ୍ୟମୟ ସ୍ମିତ ହାସ୍ୟରେଖା ଅଙ୍କିତ ହୋଇଗଲା।
ଅଙ୍କିତ, ବୋଉ ଏମିତି ହସିବାର ଦେଖି ବିସ୍ମିତ ହେଲା। । ଅଙ୍କିତ ପାଇଁ ସେ ହସ ଥିଲା ମୋନାଲିସାର ହସ ଠୁ ବି ଆହୁରି ରହସ୍ୟମୟ। ସେ କିଛି ବି ବୁଝି ପାରିଲାନି।
ଚିନ୍ମୟୀ ଦେବୀ' ପିଣ୍ଡାରେ ବସି ଦୂର ଦିଗବଳୟରେ ଚକ୍ଷୁ ସ୍ଥିର ରଖି ଭାବୁଥିଲେ, "ତୁ ଦେଇଥିବା ଖୀରର ହିସାବ ଅଛି, କିନ୍ତୁ ମୁଁ ତତେ କେତେ ଯେ କ୍ଷୀର ଦେଇଛି ତାର ହିସାବ କେହି ବି କରି ପାରିବେ ନାହିଁ।"
----- ସମାପ୍ତ -----
(ପୁଣି ଆସନ୍ତା କାଲି ଅନ୍ୟ ଏକ ଗଳ୍ପ ନେଇ ଆସିବି .....ଅପେକ୍ଷା କରିଥାଆନ୍ତୁ ସମସ୍ତେ!)
Leave a Comment