ବୋଉର ସ୍ଵପ୍ନ

ବୋଉର ସ୍ଵପ୍ନ

  ସଂଗ୍ରହ: ଜିତୁ 

﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌﹌  ବୋଉର ଭାରି ଇଛା ଥିଲା ମୁଁ ବଡ଼ କୋଠା ଘର କରିବି ,ଚାରିପଟେ ପାଚେରୀ ଥିବ, ଭିତରେ ବଗିଚା,ଘର ସାମ୍ନାରେ ନାନା ଜାତି ଫୁଲ ଆଉ ଘାସ ଗଛ ଆଦି ଥିବା ଆଉ ବାରିପଟେ ଫଳ, ପରିବା ଲଗେଇ ହେଉଥିବ।ମୁଁ ବଡ଼ ହାକିମ ହେଇଯିବି ଆଉ ବଡ଼ ଘର କରିବି। ମାଳି, ଚାକର ବାକର ଆଦି ମୋର ଗୋଡ଼ ତଳେ ଥିବେ।ଘର ଆଗରେ ,ବଗିଚାରେ ବସିବାକୁ ସୁନ୍ଦର୍ ଚେୟାର ଟେବୁଲ୍ ସେଟ୍ ଥିବ ଆଉ ବୋଉ ସେଠି ବସି ଚାହା ପିଇବ।କେତେ ସ୍ବପ୍ନ ତାର ଥିଲା।କହି ରଖେ ଆମେ ଖୁବ୍ ଅଧିକ ଗରିବ ଥିଲୁ ଜେଜେବାପାଙ୍କ ଅମଳରେ ।କିନ୍ତୁ ବାପା ବଡ଼ ହେଲା ପରେ କାମ କରିବା ଆରମ୍ଭ କରିବା ପରେ ଆମେ ଦୁଇ ଓଳି ଦୁଇ ମୁଠା ଭଲ ଖାଇଲୁ।ଧୀରେ ଧୀରେ ବାପାଙ୍କୁ ପିଅନ ଚାକିରି ମିଳିବା ପରେ ଆମ ଅବସ୍ଥା ସୁଧୁରି ଗଲା।ମୁଁ ତାଙ୍କର ଏକମାତ୍ର ପୁତ୍ର ଥିଲି ଯାହାକୁ ବାପା ବୋଉ ସବୁବେଳେ ପାଠ ପଢିବାକୁ କହୁଥିଲେ।ବାପାଙ୍କ ଚାକିରି ଆଉ ଦୋକାନ ପାଇଁ ଆମର ଅବସ୍ଥା ଟିକିଏ ସୁଧୁରି ଥିଲା। ବଡ଼ ପରିଶ୍ରମରେ ବାପା ଚାରୋଟି ବଖରା ଥିବା ଘରଟିଏ ତୋଳିଥିଲେ। ଦୁଇଟି ଶୋଇବା ଘର ଗୋଟିଏ ଦାଣ୍ଡ ଘର ଆଉ ରୋଷେଇ ଘର ସହିତ ଗାଧୁଆ ଘର। ସେ ଘର ଆମ ପାଇଁ ଖୁବ୍ ବଡ ଥିଲା।ସେଇ ପିଣ୍ଡା ଉପରେ ବସି ବୋଉ ସଜନା ଶାଗ ବାଛେ,କିଏ କୁଆଡୁ ଆସିଲେ ଦୁଇ ପଦ ଗପେ,ବୁଲା ବିକାଳୀ ଆଦିଙ୍କ ଠାରୁ ଜିନିଷ ରଖେ ଆଉ ଜମେଇ ଦିଏ ନାହିଁ ନଥିବା କେତେ କଥା।ମୁଁ ଭଲ ପାଠ ପଢ଼େ ,କେତେ ପରିଶ୍ରମ କରେ ଇତ୍ୟାଦି ଇତ୍ୟାଦି ।ନେତି ବୁଢ଼ୀର ଚୁଡ଼ି ଠାରୁ ନେଇ ନାଥ ଅଜା ଶାଗ ଯାଏଁ ସମସ୍ତେ ଆମ ଘରକୁ ନିଶ୍ଚିତ ଆସନ୍ତି ନିଜର ଅଧିକାର ସାବ୍ୟସ୍ତ କରି। ବୋଉ ସମସ୍ତଙ୍କୁ କହେ ,ମୋ ପୁଅ ବଡ ହେଲେ କଲେକ୍ଟର ହେବ,ତା ଆଗ ପଛରେ ନାଲି ବତି ଗାଡ଼ି ଥିବେ ଆଉ ତାକୁ ସଲାମ ଠୁକିବେ।ସେ ଗୋଟେ ବଡ଼ କୋଠା ଘର କରିବ,ତା ଚାରିପଟେ ମଖମଲ ବଡ଼ ପାଚେରୀ ଥିବ ଇତ୍ୟାଦି ଇତ୍ୟାଦି।ମୁଁ ବି ଅନେକ ଥର ଶୁଣିଛି।

ଶେଷରେ ବୋଉ ବାପା ଓ ସମସ୍ତଙ୍କ ଆଶୀର୍ବାଦରୁ  ମୋ ପରିଶ୍ରମ ସଫଳ ହେଲା ଓ ମୁଁ କଲେକ୍ଟର ଭାବରେ ନିଯୁକ୍ତି ପାଇଲି ଆଇ ଏ ଏସ କ୍ଲୀୟର କରି। ନିଯୁକ୍ତି ପରେ ମତେ ଗୋଟିଏ ବଡ଼ ବଙ୍ଗଳା, ଗାଡି, ଚାକର ପୂଜାରୀ ମାଳି ସବୁ ମିଳିଲେ। ସେଇ ବଙ୍ଗଳା ଠିକ୍ ମୋ ବୋଉର ସ୍ବପ୍ନ ଭଳି ଥିଲା।ମୁଁ ବ୍ୟତିବ୍ୟସ୍ତ ହୋଇ ପଡିଲି ବୋଉକୁ ଆଣିବାକୁ ମୋ ପାଖକୁ ।ସେ କେତେ ଖୁସି ହେବ ସତରେ କିନ୍ତୁ ସଙ୍ଗେ ସଙ୍ଗେ ଯିବା ସମ୍ଭବ ନଥିଲା କାରଣ ମୋର ପୋଷ୍ଟିଁ ଦୂର ଥିଲା ମୋ ଘରଠାରୁ।ଶେଷରେ ଦୁଇ ତିନିମାସ ଡିଉଟି ପରେ ତିନିଦିନ ଛୁଟି ନେଇ ମୋର ନାଲିବତୀ ଗାଡ଼ିରେ ଚାଲିଲି ବାପା ବୋଉଙ୍କୁ ଆଣିବାକୁ।ମୋ ଗାଡି ଘରେ ପହଞ୍ଚିବା ବେଳକୁ ବାପା ବୋଉଙ୍କ ଛାତି କୁଣ୍ଢେ ମୋଟ ହୋଇଯାଇଥିଲା।ପୁଅ ଖୁସିରେ ସେମାନେ ଖୁସିଥିଲେ ଓ ତୁରନ୍ତ ମୋ ସାଙ୍ଗରେ ବାହାରି ଆସିଲେ। ଯେତେବେଳେ ମୋ ଘରେ ଆସି ବୋଉ ପାଦ ଦେଲା ତା ଖୁସି କହିଲେ ନ ସରେ। ସେ ସ୍ବପ୍ନ ଦେଖିଥିବା ଘରଟି ତା ସାମ୍ନାରେ ଥିଲା। ସେ ମତେ କୁଣ୍ଢେଇ ପକେଇ ତା ଖୁସି ଜାହିର କରୁଥିଲା।

କିଛି ଦିନ ଚାଲିଗଲା,ବୋଉ ବଗିଚାରେ ବସି ବାପାଙ୍କ ସହିତ ଚାହା ପିଏ।ମାଳି,ଚାକର ପୂଜାରୀ ସବୁ କାମ କରିବାରେ ଥାଆନ୍ତି ସେ ଖୁସିରେ ଥାଏ କିନ୍ତୁ ସେଦିନ ସନ୍ଧ୍ୟାରେ ମୁଁ ଅଫିସରୁ ଫେରିଲା ପରେ ବୋଉ କହିଲା ବାବାରେ ଆମେ ଘରକୁ ଚାଲିଯିବୁ। ମୁଁ ଚକିତ ହୋଇ କହିଲି କାହିଁକି?? ଏଇଟା କଣ ତୋ ଘର ନୁହଁ କି?? ତା ଛଡା ତୁ ଏମିତି ଘରେ ରହିବୁ ବୋଲି କେତେ ସ୍ଵପ୍ନ ଦେଖୁଥିଲୁ ଆଜି କଣ ତତେ ଭଲ ଲାଗୁନି??

ସେ ହସି କହିଲା,ହଁ ସ୍ଵପ୍ନ ଦେଖୁଥିଲି ତୋ ପାଇଁ,ତୋ ମନରେ ଏହି କଥାଟି ପୁରେଇବା ପାଇଁ ଯେ ତୋ ବୋଉ ଏମିତି ଘରେ ରହିବାକୁ ଭାରି ଆଶାୟୀ।ନହେଲେ କଣ ତୁ ଏତେ ପରିଶ୍ରମ କରି ଚାକିରୀ କରିଥାଆନ୍ତୁ ନା କଲେକ୍ଟର ହେଇ ଥାଆନ୍ତୁ।ଏହି ବଡ କୋଠା ଘର ପାଚେରୀ ମତେ ଆଦୌ ଭଲ ଲାଗେନା କାହିଁକି ଜାଣିଚୁ, ସେଠି ନେତି ନାନୀ କି ନାଥ ମଉସାଙ୍କ ଡାକ ପହଞ୍ଚି ପାରେନି।ଆମେ ସେଥିରେ ଅଭ୍ୟସ୍ତ ତେଣୁ ଆମକୁ ସେହି ପରିବେଶ ଭଲ ଲାଗେ କିନ୍ତୁ ତୁ ଜଣେ ବଡ଼ ହାକିମ,ଯୁଗ ସହିତ ତାଳ ଦେବାକୁ ଆଉ କିଛି ସମାଜ ସେବା କରିବାକୁ ତତେ ମୁଁ ଏହି ଚାକିରୀ ପାଇଁ କହିଥିଲି ତୋ ପାଇଁ ଏହି ଘର ଆଉ ତର ଥାଟ୍ଟ ଖୁବ୍ ଜରୁରୀ।ମୁଁ ଆଉ ବାପା ଯିବା ଆସିବା କରୁଥିବୁ ସବୁବେଳେ କିନ୍ତୁ କାଲି ଟିକେ ନେଇ ଛାଡ଼ି ଦେଇ ଆସେ।ମୁଁ ସ୍ତବ୍ଧ ହୋଇ ଯାଇଥିଲି,ମୋ ବୋଉ ମୋ ପାଇଁ ଏହି ସବୁ ସ୍ଵପ୍ନ ଦେଖି ଆସିଥିଲା କେତେ ବର୍ଷ ତଳୁ।ସତରେ ମାଆ ମନ ପଢିବା ଅସମ୍ଭବ।ବୋଉ ପ୍ରତି ମୋର ପ୍ରେମ ଆହୁରି ବଢି ଯାଉଥିଲା ଆଉ ମୁଁ ତାକୁ କୁଣ୍ଢେଇ ଧରି ଅନୁଭବ କରୁଥିଲି ସେହି ନିବିଡ଼ ମମତା।


 ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.