ଗୋଟିଏ ରାତିର ସେଇ ଝିଅଟିର କାହାଣୀ : ଅଳସୀ
ଗୋଟିଏ ରାତିର ସେଇ ଝିଅଟିର କାହାଣୀ
![]() |
ଅଳସୀ |
ଗୋଟାଏ ଦୋକାନ କୁ ନେଇ ଅନେକ ଚର୍ଚ୍ଚା ସାହି ଭିତରେ। ଅଳସୀର ପରିବା ଦୋକାନ ।
ବଦନାମ ଗଳିରେ, ଝିଅଟିଏ ରୂପ ନ ବିକି ପରିବା ବିକୁଛି !!!
ଅଳସୀ କିନ୍ତୁ ପରିବା ବିକେ। ଗୋଟାଏ ଚାଉଳରେ ଗଢ଼ା ସେ ଅଳସୀ । ଯୌବନର ପ୍ରଥମ ପାହାଚରେ ପାଦ ଦେଇଛି। କିଏ କେତେବେଳେ ଆଖି ମାରି ଚାଲିଯାଏ, ନା କିଛି ବୁଝେ ନା ଫରକ ପଡେ। ମା'ର ଇଛା, ଭୁଲ ରାସ୍ତାରେ ନ ଯାଉ ଅଳସୀ। ଭଲ ଟୋକାଟିଏ ଦେଖି ବାହା ଦେଇଦେଲେ କାମ ଛୁଟି। ଝିଅଟି ସେଇ ଭୁଲ ନ କରୁ ଯେଉଁ ଭୁଲ ସେ ନିଜେ କରିଛି....
ଅଳସୀର ଭଲ ବେପାର ହୁଏ। ଅତି ସୁନ୍ଦର ବ୍ୟବହାର ଅଳସୀର । ସମସ୍ତେ ତା'ଠୁ ହିଁ ପନିପରିବା କିଣନ୍ତି। ଅନ୍ୟ ସାହିରୁ ବି ଲୋକ ଆସନ୍ତି କିଣିବା ପାଇଁ। କିଛି ଟୋକା ଆସି ପଟେଇବା ପାଇଁ ବି ଚାହାନ୍ତି।
ଭୁଲିଭାଲି ହେଲେ ବି ଵୋକି ନୁହେଁ ସେ ! କାହା ଜାଲରେ ପଡେନି। ଉଦ୍ଦେଶ୍ୟ ଭଲ ହେଉ କିମ୍ବା ଖରାପ ହେଉ, ସରଳ ନିଷ୍କପଟ ହସଟିଏ ଦେଇ ନିପଟେଇ ଦିଏ, ସେଇଠି, ସେଇ ସମୟରେ।
ପାଖ ବସ୍ତିର ଟୋକାଟିଏ, ନାଁ ତା'ର ଜଗା। ହାପି ନିଉ ଇଅର କହି ଗ୍ରୀଟିଂ କାର୍ଡ଼ଟିଏ ବଢ଼େଇ ଦେଲା ଅଳସୀକୁ। ପ୍ରଥମ ଥର ପାଇଁ ତା ମନଟା ଆନ୍ଦୋଳିତ ହେଲା। ହୃଦୟରେ ଶିହରଣ !!! ହାପି ନିଉ ଇଅର କହି ସୂକ୍ଷ୍ମ ହସଟିଏ ଗିଫ୍ଟ ଦେଲା ଜଗାକୁ।
ଖାଲି ସମ୍ପର୍କଟିଏ ଗଢି ଦେଲେ ହୁଏନି, ସମ୍ପର୍କର ରକ୍ଷଣାବେକ୍ଷଣ ବି ଗୋଟାଏ ବିଶେଷ ଦାୟୀତ୍ୱ। କଥାଟିକୁ ଭଲଭାବେ ବୁଝିଥିଲା ଜଗା। ଭାରି ସ୍ୱାଭିମାନି ସେ, ସବୁଦିନ ଆସେନି, ମଝିରେ ମଝିରେ ଆସି ଦେଖା କରି ଯାଏ। ଅଳସୀ ବି ହୃଦୟ ଦେଇ ସାରିଥିଲା ଜଗାକୁ।
ବାଇଶି ବର୍ଷର ଭେଣ୍ଡିଆ ଟୋକା ଜଗା। ଇଟା ଭାଟିରେ କାମ କରେ। ସମୟ ହୁଏନି, ସବୁଦିନ ଆସି ଅଧା ଘଣ୍ଟା ଗପିବ ! ଅଳସୀର ଜନ୍ମଦିନରେ ଜଗା ଡବା ଫୋନଟିଏ ଉପହାର ଦେଲା।
-ଫୋନ ଟା ରଖିଥା, ଗପିବା।
--ସବୁଦିନ ପରି ଆଜି ବି ଶାନ୍ତ ସରଳ ହସଟିଏ ହିଁ ଥିଲା ରିଟର୍ଣ୍ଣ ଗିଫ୍ଟ ଜଗା ପାଇଁ।
-ଏଆଡ଼େ ଅଳସୀର ବାପା ମାଆ ଉପରେ କୋଠି ମାଲିକାଣୀ ର ନାଲି ଆଖି।
---ଅଳସୀର ବହୁତ ଡିମାଣ୍ଡ। ତାକୁ କହ, ପରିବାପତ୍ର ବିକ୍ରି ଛାଡୁ।
ସଞ୍ଜରେ ମଲ୍ଲିଫୁଲ ମୁଣ୍ଡରେ ଗେଂଜି ମୋ କାଉଣ୍ଟର ରେ ବସିବାକୁ ହେବ। ନଚେତ ଘର ଛାଡ଼। ବୁଝାଅ ତାକୁ !!!
ବାପା, ମାଆଙ୍କ ମନ ତ ହୀରା ପଥରରେ ଗଢା, ଛୁଆଙ୍କୁ ଖରାପ ରାସ୍ତାରେ ଯିବାକୁ ଦେବେନି, ଜିଦରେ ଅଟଳ ରହିବେ, ଅତି ଶକ୍ତ ଭାବରେ।
-"ନା ସମ୍ଭବ ନୁହେଁ", ରୁକ ଠୁକ ମନା ହିଁ କରିଦେଲେ।
--ତେଣିକି ଯାହା ହବ ଦେଖାଯିବ !!
-ଅଳସୀ ସୁନା ଅଣ୍ଡା ଦିଆ କୁକୁଡ଼ାଟିଏ, କୋଠି ମାଲିକାଣୀ ନରମ ପଡିଲେ। ବାପା, ମାଆ ଓ ଝିଅକୁ ବୁଝା ଶୁଝା କଲେ ରାତି ସାରା। ପରିବା ବିକିଲେ କେତେ ପଇସା ମିଳିବ ? ତା'ର ତ ପୁଣି ଜୀବନ ଅଛି। ଘର ଦ୍ୱାର କରିବ, ମଉଜ ମଜଲିସ କରିବ। କେତେ ବଡ଼ ବଡ଼ ଲୋକ ସହିତ ସମୟ ବିତାଇବ ସେ। କେତେ ଅଫିସର, କେତେ ନେତା....
---ତୋ ଝିଅକୁ ତୁ ବୁଝା, ତୋତେ ପୁଣି ଗାଁରୁ କିଣି ଆଣି ଥିଲି ବୋଲି ତୁ ଆଜି ମୁଣ୍ଡ ଟେକିଛୁ ସହରରେ। କୋଡିଏ ତିରିଶ ବର୍ଷ ଖୁବ କମେଇଲୁ। ବୁଝା ତୁ ତ ଝିଅକୁ।
ମଥା ହଲେଇ ସମତି ପ୍ରଦାନ କଲେ ବାପା ମାଆ... ଅଳସୀ ମାଆକୁ କୁଣ୍ଢେଇ କାନ୍ଦିଲା।
-ଠିକ କହୁଛନ୍ତି ବାବୁଆଣୀ, ଆଜି ତୁ ଯେଉଁ ଜୀବନ ଜିଉଁଛୁ କାହା ପାଇଁ, ମୋରି ପାଇଁ ନା ! ମୁଁ କମେଇଲି ରାତି ରାତି ପରିଶ୍ରମ କରି, ଫଳ ତୁ ଖାଉଛୁ।
--କୋଠି ମାଲିକାଣୀ ଲୋକ ପଠେଇ ଅଳସୀର ଦୋକାନ ଭାଙ୍ଗିଦେଲେ।
-ମାଆ ଦୁଇ ହାତ ଲମ୍ବା ମଲ୍ଲୀ ଫୁଲ ମାଳା ଆଣି ସଜେଇଦେଲା ଅଳସୀକୁ। ଲିପଷ୍ଟିକ ଲଗେଇଦେଲା ଓଠରେ, କହିଲା ଲାଜ କରିବୁନି।
---ମୁଁ ତୋ ଠାରୁ ଆହୁରି ଛୋଟ ଥିଲି.....କିଛି କହିବା ପୂର୍ବରୁ ଅଳସୀ ହାତ ପାପୁଲି ଥୋଇଦେଲା ମାଆ ମୁହଁ ଉପରେ।
କେତେ ବଦନାମ ଏ ଗଳି ! ସଞ୍ଜ ହେଲେ ମଲ୍ଲୀ ଫୁଲର ମହକ । ରାତି ଚଳ ଚଞ୍ଚଳ ହୋଇ ଉଠେ ମୁହଁ ଅନ୍ଧାର ପରଠୁ...ଜୀବନରେ ପ୍ରଥମ ଥର ପାଇଁ ବୁଝିଲା ....ସଞ୍ଜ ହେଲେ କାହିଁକି ଭିଡ ଲାଗେ, କେତେ ଵୋକି ଅଳସୀ !!
ଫୋନ କଲା ଜଗାକୁ, ମୋତେ ଉଦ୍ଧାର କରି ବାହା ହୋଇ ଯା, ମୁଁ କଣ ଏ କାମ କରି ପାରିବି !!
ଇଟାଭାଟି ମେନେଜର ସଙ୍ଗେ ଝଗଡା କରି ଦୁଇହଜାର ଏଡଭାନ୍ସ ନେଇ ଆସିଲା ଜଗା।
କେହି ଆସି ଅଳସୀର ସତୀତ୍ଵ ସଂଘାର କରିବା ଆଗରୁ ଦୁଇହଜାର ରଖିଦେଲା କୋଠି ମାଲିକାଣୀର ଟେବୁଲ ଉପରେ। ହାତ ଦେଖେଇଲା ଅଳସୀ ଆଡେ। କୋଠି ମାଲିକାଣୀ ଦୁଇହଜାର ନୋଟ ଟିକୁ ଫିଙ୍ଗି ଦେଲା ଜଗା ଉପରକୁ।
କିଛି ଉପାୟ ନ ପାଇ, ଅଳସୀ ପାଇଁ ଆଣିଥିବା ସୁନା ନାକଫୁଲଟିକୁ ପକେଟରୁ ବାହାର କରି ଥୋଇଦେଲା ଟେବୁଲ ଉପରେ।
କୋଠରୀ ନମ୍ବର ୧୦୧ ଆଡେ ଆଙ୍ଗୁଠିରେ ଇଙ୍ଗିତ କଲେ କୋଠି ମାଲିକାଣୀ। ଅଳସୀକୁ ନେଇ ଜଗା ପଶିଗଲା କୋଠରୀ ଭିତରକୁ। ଭିତରୁ କବାଟ ବନ୍ଦ ହେବାର ରୁକ୍ଷ ଶବ୍ଦରେ କୋଠି ଆନ୍ଦୋଳିତ ହେଲା। ଦକା ପଶିଲା ଅଳସୀ ମାଆର ଛାତି ଭିତରେ..ମାଆର କୋମଳ ହୃଦୟରେ ଭୂକମ୍ପ ଆସିଲା...
ଦୁଇହଜାର ନୋଟକୁ ଡ୍ରୟର ଭିତରେ ରଖିଦେଇ ସୁନା ନାକଫୁଲକୁ ବଢ଼େଇ ଦେଲା ମାଆ ହାତକୁ..
-ନେ ତୋ ଝିଅର ପ୍ରଥମ କମାଇ। କେତେମାସ ପରିବା ବିକିଲେ ନାକ ଫୁଲଟିଏ ହୋଇଥାଆନ୍ତା କହିଲୁ। !!
--କଲିଜା ଉପରେ ପଥର ଥାମି ଦେଇ ଚୁପଚାପ ମାଆ ଫେରିଗଲା ନିଜ ଘରକୁ। ଶକ୍ତି କାହିଁ ଯେ ଉତ୍ତର ଦେବ !-ଘୃତାଗ୍ନି ଭିତରେ ଝିଅ ଜଳି ଜଳି ପାଉଁଶ ହେଉଥିବ ! ମାଆର ଅସ୍ତିତ୍ବ ବି ଭସ୍ମୀଭୂତ ହେଉଥିଲା ପ୍ରତି ମୁହୂର୍ତ୍ତରେ...ଚିନ୍ତାର ନିଆଁରେ...କାହାକୁ କହିବ , କଣ ବା କହିବ। ନିଜ ହାତରେ ଝିଅର ସଉଦା, ଆଖି ଆଗରେ ପାପର ହିମବାହ। ଦୁଇଟୋପା ଲୁହ ନିଗାଡି ଭୁଇଁରେ ପଡି ରହିଲା। ନା ଶୋଇ ପାରୁଛି ନା ମରି ପାରୁଛି।
ରାତିର ତୃତୀୟ ପ୍ରହର । ଅଳସୀ ଜଗାର ହାତ ଧରି ଛିଡା ହେଲା ମାଆ ଆଗରେ। ପାଦ ଛୁଇଁ ଭାଗି ଯିବା ପୂର୍ବରୁ ମାଆ, ସୁନା ନାକଫୁଲଟିକୁ ପିନ୍ଧାଇଦେଲା ଅଳସୀ ନାକରେ।
-ଯା ଶୀଘ୍ର ପଳେଇ ଯା, ସହରଠୁ ବହୁତ ଦୂରକୁ...
-ରାତି ଶୋଇନି ଆଜି। ଫୁରସତ କେଉଁଠି, ରାତି ହାଇ ମାରି ଅଳସ ଭାଙ୍ଗିବ !! ହଠାତ ରାତି ପାହିଗଲା, ନିସ୍ତବ୍ଧ ସବୁ କିଛି। ଯେମିତି କିଛି ଘଟିନି କାଲି ରାତିରେ।
-ସବୁଆଡେ ଗୋଟାଏ ଚର୍ଚ୍ଚା, ଅଳସୀ କଷ୍ଟମର ସାଥିରେ ପଳେଇ ଯାଇଛି।
-କୋଠି ମାଲିକାଣୀ ଆଗରେ ଗୋଡ ଭାଙ୍ଗି ଛିଡା ହୋଇ କାନ୍ଦୁଥିଲା ମାଆ,
-ଆଶ୍ୱାସନା ମିଳିଲା, ଝିଅକୁ ଖୋଜି ଆଣିବେ।
-କିଏ ବୁଝିବ, ମାଆ ଆଖିରୁ ଯେଉଁ ଲୁହ ବୋହୁଥିଲା ତାହା ର ମୂଲ୍ୟ କେତେ...ଆନନ୍ଦାଶ୍ରୁ ର ମୂଲ୍ୟାଙ୍କନ କଣ ସମ୍ଭବ ??
🌼🌻 ସମାପ୍ତ 🌻🌼
Leave a Comment