ଲାବଣ୍ୟବତୀ

ଲାବଣ୍ୟବତୀ

ସୌଜନ୍ୟ :-  ଆନିମେସନ ଓଡ଼ିଶା

ବହୁ ପୁରାକାଳର କଥା । କାନ୍ୟକୁବ୍ଜ ନାମକ ଗୋଟିଏ ଦେଶ ଥିଲା । କାନ୍ୟକୁବ୍ଜର ରାଜା ‘ତୁଙ୍ଗବଳ’ ନାମକ ଏକ ଯୁବକଙ୍କୁ ଗୋଟିଏ ରାଜ୍ୟର ରାଜ୍ୟପାଳ ବା ଶାସକ ଭାବରେ ନିଯୁକ୍ତ କଲେ । ‘ତୁଙ୍ଗବଳ’ ଦେଖିବାକୁ ଯେପରି ସୁନ୍ଦର, ସେହିପରି ମଧ୍ୟ ଧନବାନ୍ । ରାଜ୍ୟର ଶାସକ ଭାବରେ ନିଜର କାର୍ଯ୍ୟ ମଧ୍ୟ ସୂଚାରୁ ରୂପେ ସଂପାଦନ କରୁଥାଆନ୍ତି । ଦିନେ ତୁଙ୍ଗବଳ ରାସ୍ତାରେ ଚାଲି ଚାଲି ବୁଲୁଥାନ୍ତି । ରାସ୍ତାର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟ ତାଙ୍କୁ ମୁଗ୍ଧ କରୁଥାଏ । ଏହି ସମୟରେ ସେ ହଠାତ୍ ଏକ ଅପରୂପ ସୌନ୍ଦର୍ଯ୍ୟବତୀ ତରୁଣୀକୁ ରାସ୍ତା ପାର ହେଉଥିବାର ଦେଖିଲେ । ସେହି ତରୁଣୀଟିର ନାମ ହେଉଛି ‘ଲାବଣ୍ୟବତୀ’ । ସେ ସେହି ରାଜ୍ୟର ଧନୀ ବଣିକଙ୍କର ପତ୍ନୀ ଥିଲେ ।

         ତୁଙ୍ଗବଳ ଲାବଣ୍ୟବତୀଙ୍କୁ ଦେଖିବା ମାତ୍ରକେ ତାଙ୍କର ଅପରୂପ ସୌନ୍ଦର୍ଯ୍ୟ ତାଙ୍କୁ ମୁଗ୍ଧ କଲା । ଚତୁଃର୍ଦ୍ଦିଗରେ ତାଙ୍କୁ ଖାଲି ଲାବଣ୍ୟବତୀର ରୂପ ହିଁ ଦେଖାଗଲା । ଅନ୍ୟ ଭାଷାରେ କହିଲେ ପ୍ରଥମ ଦେଖାରେ ସେ ଲାବଣ୍ୟବତୀଙ୍କୁ ନିଜର ପତ୍ନୀ ରୂପେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କଲେ । ସେ ସଂଗେ ସଂଗେ ତାଙ୍କର ମନ କଥା ଦୂତ ନିକଟରେ ପ୍ରକାଶ କଲେ ଓ ଦୂତକୁ ଲାବଣ୍ୟବତୀଙ୍କ ନିକଟକୁ ପଠାଇଲେ । ଦୂତଟି ଲାବଣ୍ୟବତୀଙ୍କ ନିକଟରେ ପହଁଚି ତୁଙ୍ଗବଳ କହିଥିବା କଥା ସବୁ ବର୍ଣ୍ଣନା କରିବାକୁ ଲାଗିଲା । ଦୂତର କଥା ଶୁଣି ଲାବଣ୍ୟବତୀ କହିଲେ, “ମୁଁ ବର୍ତ୍ତମାନ ଜଣେ ବିବାହିତା ମହିଳା । ମୋର ସ୍ୱାମୀ ଏହି ସହରର ଧନୀ ବଣିକମାନଙ୍କ ମଧ୍ୟରୁ ଜଣେ । ମୁଁ ମୋର ସ୍ୱାମୀଙ୍କ ପ୍ରତି ଏକାନ୍ତ ଅନୁଗତ । ସେ ମୋର ସବୁ କିଛି । ମୁଁ ତାଙ୍କୁ ବାଦ୍ ଦେଇ ଅନ୍ୟଜଣେ ପୁରୁଷକୁ ସାକ୍ଷାତ କଲେ ମୋର ସ୍ୱାମୀଙ୍କ ନିକଟରେ ବିଶ୍ୱାସ ହରାଇବି । ମୁଁ ମୋର ସ୍ୱାମୀଦେବଙ୍କୁ ପ୍ରାଣ ଭରି ଭଲପାଏ । ମୁଁ ତାଙ୍କଠାରେ ପୂର୍ଣ୍ଣମାତ୍ରାରେ ସମର୍ପିତା । ସେ ମୋତେ ଯାହା କହନ୍ତି ମୁଁ ତାକୁ ସାଦରେ ଗ୍ରହଣ କରେ ।” ତେଣୁ ତୁମେ ତୁମର ଶାସକ ତୁଙ୍ଗବଳଙ୍କୁ ଏହି ସମସ୍ତ ଘଟଣା କଥା ଯାଇ ତୁରନ୍ତ କୁହ ।
         ଲାବଣ୍ୟବତୀଙ୍କ କଥା ଶୁଣିସାରି ଦୂତଟି ଫେରିଆସିଲା ଓ ସମସ୍ତ ଘଟଣା ତୁଙ୍ଗବଳଙ୍କ ନିକଟରେ ପ୍ରକାଶ କଲା । ଦୂତର କଥା ଶୁଣି ତୁଙ୍ଗବଳ ଆଶ୍ଚର୍ଯ୍ୟ ହୋଇଗଲେ । ଲାବଣ୍ୟବତୀ ଯେ ଜଣେ ବିବାହିତା ମହିଳା, ଏହା ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ଯଦିବା ସେ ଜଣେ ବିବାହିତା ମହିଳା, ତାଙ୍କର ସ୍ୱାମୀ କ’ଣ ତାଙ୍କୁ ମୋ ହାତରେ ସମର୍ପି ଦେଇପାରିବେ, ଏହି କଥା ତୁଙ୍ଗବଳ ଚିନ୍ତା କରୁଥାଆନ୍ତି । ଏହି ସମୟରେ ହଠାତ୍ ଜଣେ ଚତୁର ବ୍ୟକ୍ତି ତୁଙ୍ଗବଳଙ୍କୁ କହିଲା, “ମୁଁ ଆପଣଙ୍କୁ ଗୋଟିଏ ଛୋଟ କଥା କହୁଛି, ଶୁଣନ୍ତୁ । କଥାରେ ଅଛି ଯେଉଁ କାର୍ଯ୍ୟ ସାହସ ଓ ବୀରତ୍ୱ ମାଧ୍ୟମରେ ହାସଲ୍ କରାଯାଇପାରେ ନାହିଁ ବିଭିନ୍ନ ଉପାୟ ବା କୌଶଳ ଅବଲମ୍ବନ କରି ସେହି କାର୍ଯ୍ୟରେ ବିଜୟ ହାସଲ କରାଯାଇପାରେ ।” ବ୍ୟକ୍ତିଟିର ଉପଦେଶ ତୁଙ୍ଗବଳଙ୍କ ମନକୁ ବେଶ୍ ପାଇଲା । ତାରି କଥା ଅନୁସାରେ ତୁଙ୍ଗବଳ ‘ଚତୁରଦତ’ ନାମକ ଏକ ଯୁବ ବଣିକକୁ ଏହି କାର୍ଯ୍ୟପାଇଁ ନିୟୋଜିତ କଲେ । ଚତୁରଦତ ତୁଙ୍ଗବଳଙ୍କୁ ଲାବଣ୍ୟବତୀଙ୍କୁ କିପରି ପାଇପାରିବେ ସେ ସମ୍ପର୍କରେ ନିର୍ଭର ପ୍ରତିଶୃତି ଦେଲେ ।

         ଦିନେ ତୁଙ୍ଗବଳ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ସ୍ନାନ ସାରି ସେବକମାନଙ୍କୁ କହିଲେ, “ମୁଁ ଆଜିଠାରୁ ମାତା ଗୌରୀଙ୍କର ଉପାସନା କରିବାକୁ ଯାଉଛି । ଏହି ଗୌରୀ ବ୍ରତ ମୁଁ ଏକ ମାସ ପର୍ଯ୍ୟନ୍ତ ପାଳନ କରିବି । ପ୍ରତିଦିନ ତୁମ୍ଭେମାନେ ଏକ ଏକ ଯୁବତୀ ନାରୀ ଯେଉଁମାନେ କି ସମ୍ଭ୍ରାନ୍ତ ପରିବାରର ହୋଇଥିବେ, ସେମାନଙ୍କୁ ଏଠାକୁ ଆଣିବ ।” ତୁଙ୍ଗବଳଙ୍କ କଥା ଶୁଣି ଚତୁରଦତ ସଂଗେ ସଂଗେ ନିଜ କାମରେ ଲାଗିପଡିଲେ । ପ୍ରତିଦିନ ସେ ଯୁବତୀ ନାରୀ ମାନଙ୍କୁ ତୁଙ୍ଗବଳଙ୍କ ନିକଟକୁ ଆଣନ୍ତି । ତୁଙ୍ଗବଳ ସେହି ଯୁବତୀ ନାରୀମାନଙ୍କୁ ସ୍ପର୍ଶ ନକରି ସେମାନଙ୍କୁ ମୂଲ୍ୟବାନ ଅଳଂକାର ଦାମୀ ଶାଢୀ ଏବଂ ନାନାଦି ବିଳାସପୂର୍ଣ୍ଣ ସାମଗ୍ରୀ ଦାନ କରନ୍ତି । ଏହାପରେ ଯୁବତୀ ନାରୀମାନେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି । ତୁଙ୍ଗବଳଙ୍କର ଏତାଦୃଶ କାର୍ଯ୍ୟକଳାପ ସହର ସାରା ବ୍ୟାପିବାକୁ ଲାଗିଲା । ଲାବଣ୍ୟବତୀର ସ୍ୱାମୀ ମଧ୍ୟ ଏହି କଥା ଜାଣିବାକୁ ପାଇଲା । ସେ ତାର ସ୍ତ୍ରୀକୁ ଧରି ଯେଉଁଦିନ ତୁଙ୍ଗବଳଙ୍କର ପୂଜା ଶେଷ ହେବ, ସେହିଦିନ ନେଇ ଆସିଲା । ଲାବଣ୍ୟବତୀର ସ୍ୱାମୀ ଥିଲା ପରମ ଲୋଭୀ । ସେ ଯେତେବେଳେ ଦେଖିଲା ତୁଙ୍ଗବଳ ଏତେ ଧନରତ୍ନ ନାରୀମାନଙ୍କୁ ପ୍ରଦାନ କରୁଛନ୍ତି, ତାର ଲୋଭ ହେଲା । ସେ ମନେ ମନେ ଠିକ୍ କଲା ତୁଙ୍ଗବଳଙ୍କୁ ଲାବଣ୍ୟବତୀଙ୍କୁ ଦାନ କରିବାପାଇଁ । ଏହି କଥା ମନେ ମନେ ଠିକ୍ କରି ଧନୀ ବଣିକ ଲାବଣ୍ୟବତୀକୁ ତୁଙ୍ଗବଳଙ୍କ ହାତରେ ଟେକି ଦେଲା । ଯେଉଁ ତୁଙ୍ଗବଳ ଲାବଣ୍ୟବତୀଙ୍କପାଇଁ ଏତେ ସବୁ ଦାନ ଦେଲେ ଶେଷରେ ସେହି ନାରୀକୁ ପାଖରେ ପାଇ ମନେ ମନେ ଆନନ୍ଦିତ ହେଲେ । ଖୁସି ମନରେ ଲାବଣ୍ୟବତୀ ଓ ତୁଙ୍ଗବଳ ପ୍ରାସାଦ ମଧ୍ୟକୁ ଗଲେ । ଏସବୁ ଦେଖି ଧନୀ ବଣିକ ମନେ ମନେ ଦୁଃଖ ପ୍ରକାଶ କଲେ । ମାତ୍ର ସେତେବେଳକୁ ସବୁ ଶେଷ ହୋଇଯାଇଥାଏ । ସାମାନ୍ୟ ଧନ ଲୋଭରେ ନିଜର ପ୍ରାଣପ୍ରିୟା ପତ୍ନୀକୁ ଧନୀ ବଣିକ ଅନ୍ୟ ଜଣକ ହାତରେ ଟେକିଦେଲା ।

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.