ଶୈବତୀର୍ଥ ଶ୍ରୀସୋମନାଥ

ଶୈବତୀର୍ଥ ଶ୍ରୀସୋମନାଥ
ସଂଗ୍ରହ: ଜିତୁ
ସୌଜନ୍ୟ :-  ଆନିମେସନ ଓଡ଼ିଶା
════════════════════════════════════════════════════════


         ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ହିନ୍ଦୁ ଧାର୍ମିକ ବିଶ୍ୱାସରେ ସୃଷ୍ଟି,ସ୍ଥିତି ସଂହାରର ଦେବତା ରୂପେ ବିବେଚିତ ହୁଅନ୍ତି l ମହେଶ୍ୱର ବା ଶିବ ମଙ୍ଗଳମୟ l ସୃଷ୍ଟିର ସମସ୍ତ ଅନିଷ୍ଟ କାରୀ, ଅପ ଶକ୍ତି, ଅନ୍ୟାୟ ଏବଂ  ଅନୀତିକୁ ସଂହାର କରି ସେ ସଂସାରକୁ ସୁଖଶାନ୍ତି ପ୍ରଦାନ କରିଥାନ୍ତି l ସେ ଦେବ ଦେବ ମହାଦେବ l ସେ ସତ୍ୟ,ଶିବ,ସୁନ୍ଦର ଓ ଆଶୁବର ପ୍ରଦାନକାରୀ ଆଶୁତୋଷ l ସେ ଅକାଳ ମୃତ୍ୟୁଭୟ ହରଣକାରି,  ଅକର୍ମ କର୍ମ ଦାୟକ, ମହା ଶକ୍ତି ମୃତ୍ୟୁଞ୍ଜୟ l ସେ ହଳାହଳ କାଳକୂଟ ପାନକାରୀ ନୀଳକଣ୍ଠ l ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ତାଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ l ଶିବ ପଞ୍ଚାକ୍ଷର ମନ୍ତ୍ର " ଓଁ ନମଃ ଶିବାୟ" ଜପ କରି ମନୁଷ୍ୟ ସଦ୍ ଜ୍ଞାନ ଲାଭକରି ସାଂସାରିକ ଦୁଃଖ, ତାପରୁ ମୁକ୍ତି ପାଇଥାଏ l
         ଭଗବାନ ଶିବଙ୍କ ତେଜୋଦୀପ୍ତ ଜ୍ୟୋତିର ସ୍ୱୟଂ ପ୍ରକାଶ ହେଉଛି ଜ୍ୟୋତିର୍ଲିଙ୍ଗ l ପୁରାଣ ବର୍ଣ୍ଣନା ଅନୁଯାୟୀ ମହାଦେବ ଜ୍ୟୋତିସ୍ୱରୂପରେ ଜ୍ୟୋତି ସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ ଭାରତବର୍ଷର ବାର ଗୋଟି ପବିତ୍ର ସ୍ଥାନରେ ଆବିର୍ଭୂତ ହୋଇ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଭାବେ ପୁଜା ପାଉଛନ୍ତି l  
           ଗୁଜରାଟ ରାଜ୍ୟର ବେରାବଲ ନିକଟସ୍ଥ ଆରବ ସାଗର ତଟରେ ପ୍ରଭାସତୀର୍ଥ ଠାରେ ବିରାଜମାନ ଅଛନ୍ତି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ବାବା ସୋମନାଥ l ପୁରାଣର କିମ୍ବଦନ୍ତୀରୁ ଜଣା ଯାଏ ନକ୍ଷତ୍ର ଅଧିପତି ସୋମ ବା ଚନ୍ଦ୍ରଦେବ ତାଙ୍କ ଶ୍ୱଶୁର ଦକ୍ଷଙ୍କ ଅଭିଶାପରୁ କ୍ଷୟ ରୋଗ ବା ରାଜ ଯକ୍ଷ୍ମା ରୋଗଗ୍ରସ୍ତ ହୋଇଥିଲେ l ପ୍ରଭାସ ତୀର୍ଥରେ ଭଗବାନ ଶଙ୍କରଙ୍କ ପୂଜାକରି ଏହି ଦୁରାରୋଗ୍ୟ ବ୍ୟାଧିରୁ ଚନ୍ଦ୍ର ଆରୋଗ୍ୟ ଲାଭ କରିଥିଲେ l ଚନ୍ଦ୍ର  ଉପାସନା କରିଥିବା ଶିବଲିଙ୍ଗ ଏହି ଜ୍ୟୋତିର୍ଲିଙ୍ଗ ସୋମନାଥ l ଦକ୍ଷ ଜାମାତା ସୋମ ଅଭିଶାପରୁ ମୁକ୍ତିଲାଭ କରିବାପରେ ପ୍ରଥମେ ଶଙ୍କରଙ୍କ ପାଇଁ ସୁନାର ମନ୍ଦିର ନିର୍ମାଣ କରି ଥିଲେ l ଏହା ଥିଲା  ସତ୍ୟଯୁଗ କଥା l ତ୍ରେତୟା ଯୁଗରେ ମହାନ ଶିବ ଭକ୍ତ ଦଶାନନ ରାବଣ ଏ ମନ୍ଦିରକୁ ରୁପାରେ ଓ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ସୋମନାଥଙ୍କ ମନ୍ଦିରକୁ ଚନ୍ଦନ କାଠରେ ନିର୍ମାଣ କରାଇଥିଲେ l ସୋମନାଥର ଅର୍ଥ ସୋମ ବା ଚନ୍ଦ୍ରଙ୍କର ନାଥ ବା ରକ୍ଷାକାରୀ l  
           ଶିବପୁରାଣ ଅନୁସାରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଓ ପାଳନ କର୍ତ୍ତା ବିଷ୍ଣୁଙ୍କ ମଧ୍ୟରେ କଳହ ଉପନୀତ ହେବାରୁ ସେମାନଙ୍କୁ ପରୀକ୍ଷା କରିବା ପାଇଁ ସଂହାରକର୍ତ୍ତା ଶିବଙ୍କର ଏକ ଅଲୋକ ରଶ୍ମି ସ୍ୱର୍ଗ, ମର୍ତ୍ତ୍ୟ ଏବଂ  ପାତାଳ ଭେଦକରି ପ୍ରକଟ ହେଲା l ଏ ଆଲୋକ ଶିଖାର ପ୍ରାନ୍ତ ଭାଗ ଠାବ କରିବା ପାଇଁ ଶ୍ରୀବିଷ୍ଣୁ ମର୍ତ୍ତ୍ୟକୁ ଆସିଲେ ଓ ବ୍ରହ୍ମା ସ୍ୱର୍ଗକୁ ଗଲେ l ବ୍ରହ୍ମା ଆଲୋକ ରଶ୍ମିର ପ୍ରାନ୍ତ ଭାଗକୁ ଦେଖିଲେ ବୋଲି ମିଛରେ କହିଲେ l ଏହା ଶୁଣି ନିଜର ପରାଜୟ ସ୍ୱୀକର କଲେ ବିଷ୍ଣୁ l ଶିବ ଏ କଥା ଜାଣି ପାରି ପୁଣି ଆଉ ଏକ ଦ୍ୱିତୀୟ ଅଲୋକ ସ୍ତମ୍ଭ ଭାବରେ ଆବିର୍ଭୂତ ହେଲେ ଏବଂ ପିତାମହଙ୍କୁ ମିଥ୍ୟା କହି ଥିବାରୁ ଅଭିଶାପଦେଲେ,ସେ ମର୍ତ୍ତ୍ୟରେ କୌଣସି ସ୍ଥାନରେ ପୂଜା ପାଇବେ ନାହିଁ l ଯାବତ ଚନ୍ଦ୍ରାର୍କେ ସୃଷ୍ଟି ଥିବ ସମସ୍ତେ ବିଷ୍ଣୁଙ୍କୁ ପୂଜା କରିବେ l ଏହି ଦ୍ୱିତୀୟ ଅଲୋକ ରଶ୍ମିଟି ହେଉଛି ଜ୍ୟୋତିର୍ଲିଙ୍ଗ l ସମସ୍ତ ଜ୍ୟୋତିର୍ଲିଙ୍ଗ ପୀଠ ମାନଙ୍କରେ ଶଙ୍କରଙ୍କୁ ଏକ ଅଲୋକ ସ୍ତମ୍ଭ ରୂପରେ ପୂଜା କରା ଯାଏ l
           ଭାରତରେ ମୋଟ ୬୪ଗୋଟି ଜ୍ୟୋତିର୍ଲିଙ୍ଗ ଏହି ଭଳି ଅଛିବୋଲି ବିଶ୍ୱାସ କରାଯାଏ l ସେଥିମଧ୍ୟରୁ ବାରଟି ପୀଠ ହେଉଛି ଅତି ପବିତ୍ର ଯାହା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଭାବେ ଖ୍ୟାତ l 
           ଏବେକାର ସୋମନାଥ ମନ୍ଦିର ଏଭଳି ଶୈଳୀରେ ନିର୍ମାଣ କରାଯାଇଛି ମନ୍ଦିର ନିକଟ ସମୁଦ୍ର କୂଳରୁ ଅଣ୍ଟାର୍କଟିକା ପର୍ଯ୍ୟନ୍ତ ସରଳ ରେଖାରେ କୌଣସି ଭୂଖଣ୍ଡ ନାହିଁ l ବହୁ ରାଜା ମହାରାଜାଙ୍କ ଦାନରେ ପରିପୁଷ୍ଟ ପ୍ରାଚୀନ ଭାରତର ଏହି ଐଶ୍ବର୍ଯ୍ୟ ଶାଳୀ ସୋମନାଥମନ୍ଦିର ବିଦେଶୀ ଲୁଣ୍ଠନକାରୀ ମାନଙ୍କ ଦ୍ୱାରା ସପ୍ତଦଶ ବାର ଲୁଣ୍ଠିତ ହୋଇଥିଲା ବୋଲି ଇତିହାସରୁ ଜଣା ଯାଏ l ଭୁଲୁଣ୍ଠିତ ସୋମନାଥ ମନ୍ଦିରକୁ ସତରଶ ଶତାବ୍ଦୀରେ ଇନ୍ଦୋର ରାଣୀ ଅହଲ୍ୟାବାଈ ହୋଲକାର ପୁନଃ ନିର୍ମାଣ କରାଇ ଥିଲେ l ସୋମନାଥଙ୍କ ବର୍ତ୍ତମାନର ଭବ୍ୟ ମନ୍ଦିର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଈ ପଟେଲଙ୍କ ପ୍ରଚେଷ୍ଟାରେ 1952 ରେ ନିର୍ମାଣ କରାଯାଇଛି l
              ସୋମନାଥଙ୍କ ଦର୍ଶନ ପ୍ରତି ଭାରତୀୟଙ୍କ ଚିର କାମନା l କାରଣ ଏହା ପଛରେ ଜଡ଼ିତ, ଭାରତ ଓ ଏହାର ସଂସ୍କୃତି ଉପରେ ବିଧର୍ମୀ ଓ ବିଦେଶୀ ମାନଙ୍କର ସ୍ପର୍ଶ କାତର ରକ୍ତ ରଞ୍ଜିତ ଆକ୍ରମଣର ଜୀବନ୍ତ ଇତିହାସ l ଆମର ପୁରାଣ ମାନଙ୍କରେ  ଶ୍ରୀସୋମନାଥଙ୍କ କ୍ଷେତ୍ର ପ୍ରଭାସ କ୍ଷେତ୍ର ନାମରେ ପ୍ରସିଦ୍ଧ l ଏଠାରେ ପ୍ରବାହିତ ତିନି ଗୋଟି ପବିତ୍ର ନଦୀ ହିରନା,କପିଳା ଓ ସରସ୍ବତୀ ମିଳିତହୋଇ ଏକ ପବିତ୍ର ସଂଗମ ସୃଷ୍ଟି କରି ଅଛନ୍ତି l ବୈଦିକ ଯୁଗରେ ତପସ୍ୟା ରତ ବହୁ ମୁନି ଋଷିଙ୍କ ଆଶ୍ରମ ଏଠାରେ ରହିଥିଲା ବୋଲି କଥିତ ହୁଏ l ଦ୍ୱାଦଶ ଜ୍ୟୋତି ଲିଙ୍ଗଙ୍କ ମଧ୍ୟରେ ସୋମନାଥ ହେଉଛନ୍ତି ସର୍ବ ପ୍ରଧାନ ଯାହାର ସୀମା ନିର୍ଦ୍ଧାରଣ କରିବାକୁ ସୃଷ୍ଟି କର୍ତ୍ତା ବ୍ରହ୍ମା ଏବଂ ପାଳନ କର୍ତ୍ତା ବିଷ୍ଣୁ ସକ୍ଷମ ହୋଇ ନଥିଲେ l ଚନ୍ଦ୍ର ଏଠାରେ ଶିବଙ୍କୁ ତପସ୍ୟା କରି ତାଙ୍କର ପୂର୍ବ ପ୍ରକାଶକୁ ବା ଜ୍ୟୋତି ଫେରି ପାଇଥିବାରୁ ଏ ତୀର୍ଥର ନାମ ହୋଇଛି ପ୍ରଭାସ l ଏଠାରେ ଭଗବାନ ଶିବଙ୍କ ପ୍ରଥମ ମନ୍ଦିର ଚନ୍ଦ୍ରଙ୍କ ଦ୍ୱାରା ନିର୍ମିତ ବୋଲି ପୁରାଣ ବର୍ଣ୍ଣିତ lଏହିଠାରେ ଦ୍ୱାପର ଯୁଗରେ କାଦମ୍ବରୀ ପାନ କରି ମଦମତ୍ତ ଯାଦବ ମାନେ ପରସ୍ପର ମଧ୍ୟରେ ଦ୍ୱନ୍ଦ୍ୱ ଯୁଦ୍ଧ କରି ନିହତ

ହୋଇଥିଲେ ଓ ସମସ୍ତ ଯଦୁ ବଂଶ ଲୋପ ପାଇଥିଲା l ଭଗବାନ ଶ୍ରୀକୃଷ୍ଣ ଶିଆଳି ଲଟାରେ  ବିଶ୍ରାମ ନେଉଥିବାବେଳେ ଜରା ଶବର ଶରରେ ଆହତ ହୋଇ ଏହି ଠାରେ ପ୍ରାଣ ତ୍ୟାଗ ପୂର୍ବକ ବୈକୁଣ୍ଠ ପ୍ରତ୍ୟାଗମନ କରିଥିଲେ l ଜ୍ୟେଷ୍ଠଭ୍ରାତା ବଳରାମ ମଧ୍ୟ ଏଠାରେ ଦେହ ତ୍ୟାଗ କରି ସର୍ପ ଶେଷନାଗ ରୁପରେ ସାଗରରେ ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ l ଲୀଳାବତାର ଶ୍ରୀକୃଷ୍ଣ ବଳରାମଙ୍କ ଲୀଳାବସାନର କରୁଣ କାହାଣୀ ଚିତ୍ରିତ ହୋଇଛି ଏଠାରେ ଥିବା ଗୋଲକ ଧାମ ମନ୍ଦିରରେ l 
                ଇତିହାସ ପୃଷ୍ଠାରେ ଶହଶହ ବର୍ଷ ଧରି ଏ ତୀର୍ଥ ପଶ୍ଚିମଭାରତ ଆଫଗାନିସ୍ତାନ ଓ ସିନ୍ଧୁପ୍ରଦେଶରେ  ଖ୍ୟାତିଲାଭ କରିଥିଲା l ପ୍ରତି ବର୍ଷ ଅସଂଖ୍ୟ ତୀର୍ଥ ଯାତ୍ରୀ ଥର ମରୁଭୂମୀ ଓ ଗିରନାର ପର୍ବତଶ୍ରେଣୀ ପାରହୋଇ ଶ୍ରୀସୋମନାଥଙ୍କ ଦର୍ଶନ କରୁଥିଲେ l ଐଶ୍ୱର୍ଯ୍ୟ ଶାଳୀ ଏହି ମନ୍ଦିରର ଖ୍ୟାତି ହିଁ ଏହାର ବିପଦ ହୋଇଥିଲା l ପ୍ରଥମେ ୯୩୭ ଖ୍ରୀଷ୍ଟାବ୍ଦରେ ସିନ୍ଧୁ ପ୍ରଦେଶର ଆଲ୍ ଜଆଜ୍ ବାବାଙ୍କ ମନ୍ଦିରକୁ ଆକ୍ରମଣ କରି ଧ୍ୱଂସ କରି ଦେଇ ଥିଲେ l ପରେ ସୋମନାଥ ମନ୍ଦିର ଆହୁରି ଆକର୍ଷଣୀୟ ହୋଇ ପ୍ରତିହାରବଂଶି ରାଜା ନାଗାଦିତ୍ୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା l
                ୧୦୨୪ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିର ଉପରକୁ ଅତି  ଭୟଙ୍କର ବିପଦ ମାଡ଼ି ଆସି ଥିଲା l ଆଫଗାନ ଗଜନୀ ରାଜ୍ୟର ଶାସନ କର୍ତ୍ତା ଦୁର୍ଦ୍ଧଶ ସୁଲତାନ ମାମୁଦ ଲକ୍ଷାଧିକ ସୈନ୍ୟ ଧରି ରାଜପୁତନା ଥର ମରୂଭୂମୀ ଏବଂ ଜୁନାଗଡ଼ ଜଙ୍ଗଲ ଅତିକ୍ରମ କରି ଏ ମନ୍ଦିର ଉପରେ ଆକ୍ରମଣ କରିଥିଲେ l ସେତେ ବେଳକୁ ସେ ଚଉଦ ଥର ଭାରତ ଆକ୍ରମଣ କରି ସାରିଥିଲେ l ତାଙ୍କର ଭୟଙ୍କର ପଟୁଆର ଦେଖି ପ୍ରଭାସ ପାଟଣାର ଶାସକ ଭୀମ ସିଂହ ଭୟରେ ପଳାୟନ କଲେ l ମନ୍ଦିରମଧ୍ୟରେ ସମବେତ ଭକ୍ତ ଓ ପୂଜକ ମିଶି ମାମୁଦଙ୍କ ବାହିନୀକୁ ପ୍ରତିରୋଧ କଲେ l ତିନି ଦିନ କାଳ ଭୟଙ୍କର ଯୁଦ୍ଧ ଚାଲିଲା l ପଚାଶ ହଜାର ଭକ୍ତ ଓ ସେବକ ନିହତ ହେଲେ l ସୁଲତାନ ମାମୁଦ୍ ଦୃଢ଼ ପ୍ରହାର କରି ଶିବ ଲିଙ୍ଗକୁ ଭାଙ୍ଗି ଖଣ୍ଡଖଣ୍ଡ କରିଦେଲେ ଓ ମନ୍ଦିରର ସମସ୍ତ ଧନ ଲୁଣ୍ଠନ କରି ନିଜ ଦେଶକୁ ବୋହି ନେଲେ l
                ଅଳ୍ପଦିନ ପରେ ପୁଣି ଭବ୍ୟ ନୂତନ ମନ୍ଦିର ତିଆରି ହେଲା l ହେଲେ ଦିଲ୍ଲୀର ସୁଲତାନ ଆଲ୍ଲାଉଦ୍ଦିନ ଖିଲିଜି ଓ ଗୁଜୁରାଟର ଶାସକ ମହମ୍ମଦ ବେଗଟା,  ପର୍ତ୍ତୁଗୀଜ୍ ମାନଙ୍କ ସାଙ୍ଗରେ ମିଶି ନୂଆ ମନ୍ଦିରକୁ ଧ୍ବଂସ କରିଦେଲେ l ପୁଣି ମନ୍ଦିର ତିଆରି ହେଲା l ଶେଷରେ ମୋଗଲସମ୍ରାଟ ଆଉରଙ୍ଗଜେବ୍ ଏହି ମନ୍ଦିରକୁ ଭାଙ୍ଗି ତା' ଜାଗାରେ ନିର୍ମାଣକଲେ ଏକ  ବିଶାଳ ମସଜିଦ୍ l ଏହି ଭଳି ଭଙ୍ଗା ଗଢା ମଧ୍ୟରେ ଗଡ଼ି ଚାଲିଥିଲା ସମୟ l ମୋଗଲ ସାମ୍ରାଜ୍ୟ ଶକ୍ତି କ୍ଷୀଣହେବାପରେ ପୁଣି ଆଉଥରେ ନୂତନ ମନ୍ଦିର ତିଆରି ହେଲା l ମରହଟ୍ଟା ରାଜ ବୀର ମହୋଦଧି ସିନ୍ଧେ ଲାହୋରରୁ ମନ୍ଦିରର ରୂପା କବାଟ ଉଦ୍ଧାର କରି ଆଣିଲେ l ଖ୍ରୀଷ୍ଟାବ୍ଦ ୧୮୪୨ ରେ ଇଂରେଜ ମାନେ ଆଫଗାନିସ୍ତାନ ଆକ୍ରମଣ କରି ଗଜନୀକୁ ଧୂଳିସାତ କରି ଦେଲେ ଏବଂ ସେହିଠାରେ ଥିବା ସୋମନାଥ ମନ୍ଦିରର ଚନ୍ଦନ କବାଟକୁ ଫେରାଇ ଆଣିଲେ l ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେଲା l ଭାରତମାତାର ବରପୁତ୍ର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆମର ଗୃହମନ୍ତ୍ରୀ ହେଲେ l ଭାରତୀୟ ସଂସ୍କୃତି ଓ ଐତିହ୍ୟ ଉଦ୍ଧାର ପାଇଁ କ୍ଷୟ ପ୍ରାପ୍ତ ଭଗ୍ନ ସୋମନାଥ ମନ୍ଦିର ପୁନଃ ନିର୍ମାଣ ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ ସଗର୍ବେ ଘୋଷଣା କଲେ l ତାଙ୍କୁ ଆଶୀର୍ବାଦ କରି ମହାତ୍ମା ଗାନ୍ଧୀ କହିଲେ,“ଏହା ସରକାରୀ ଅର୍ଥରେ ନୁହେଁ, ଜନସାଧାରଣଙ୍କ ଠାରୁ ସଂଗୃହୀତ ଅର୍ଥରେ ଏହି  ମନ୍ଦିର ନିର୍ମାଣ ହେଉ !” ତଦନୁସାରେ ୧୯୫୧ ମସିହାରେ ବର୍ତ୍ତମାନର ଦୃଶ୍ୟମାନ ସୋମନାଥଙ୍କ  ଭବ୍ୟ ମନ୍ଦିର ଆରବ ସାଗର ତୀରରେ ଶୋଭା ପାଇଲା l ଏହାକୁ ଉଦଘାଟନ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼.ରାଜେନ୍ଦ୍ର ପ୍ରସାଦ l ଋଷିକଳ୍ପ ଶ୍ରୀ କେ.ଏମ.ମୁନସୀଙ୍କ ତତ୍ୱାବଧାନରେ ଏହି ନୂତନ ମନ୍ଦିର ନିର୍ମାଣ ହୋଇଥିଲା l ଏବେର  ନବନିର୍ମିତ ବିଶାଳ ମନ୍ଦିରଟି ପ୍ରାଚୀନ ମନ୍ଦିର ଭଳି ଚାଲୁକ୍ୟ କଳା ଶୈଳୀରେ ନିର୍ମିତ ହୋଇଛି l ପୂର୍ବ ପରି ପ୍ରଭୁଙ୍କ ଲିଙ୍ଗକୁ ଦୁର୍ଲ୍ଲଭ ମଣି ରତ୍ନରେ ଖଚିତ କରା ଯାଇଛି lରାତି୮ଟାରେ ଲାଇଟ୍ ଏଣ୍ଡ ସାଉଣ୍ଡ ସୋ ମାଧ୍ୟମରେ ଦର୍ଶକମାନେ ଇତିହାସର ସେହି ଘଟଣା ବହୁଳ ଛିନ୍ନ ପୃଷ୍ଠାକୁ ଅବଲୋକନ କରି ଥାନ୍ତି l କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପ୍ରସାରିତ ହୁଏ ଅମିତାବ ବଚ୍ଚନଙ୍କ ସ୍ୱରରେ,“ଆମ ସଂସ୍କୃତି ଚିରନ୍ତନ ଓ ଅମର l ଯୁଗଯୁଗର ଆକ୍ରମଣକାରୀ ଏହାକୁ ଧ୍ୱଂସ କରି ପାରିନାହାନ୍ତି କି କରି ପାରିବେ ନାହିଁ l"
                ଇତିହାସର ସେହି ରକ୍ତରଞ୍ଜିତ ଘୋର ଘନ ଘଟା ମଧ୍ୟରେ କୁଟିଳ ଗତିକରି ଆରବସାଗର କୂଳରେ ଭାରତୀୟ ସଂସ୍କୃତିର ମୂର୍ତ୍ତିମନ୍ତ ପ୍ରତୀକ ଆଜି ଶ୍ରୀ  ସୋମନାଥ ମନ୍ଦିର ସଗର୍ବେ ଦଣ୍ଡାୟମାନ l ଏହା ଘୋଷଣା କରେ ବିନଷ୍ଟକାରୀଶକ୍ତି ଯେତେ ପ୍ରବଳ  ଓ ଭୟଙ୍କର ହେଲେ ମଧ୍ୟ ଏହା ସୃଷ୍ଟିକାରୀ ଶକ୍ତି ନିକଟରେ ମଥା ନତ କରିବାକୁ ବାଧ୍ୟ l ଦେଶରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ସୋମନାଥ ପ୍ରଥମ l 

ଏହା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ନିମ୍ନ ସ୍ତୁତି ଶ୍ଳୋକରୁ ଜଣାଯାଏ  :-
                             ସୌରାଷ୍ଟ୍ରେ ସୋମନାଥଂ ଚ 
                                     ଶ୍ରୀଶୈଲେ ମଲ୍ଲିକାର୍ଜ୍ଜୁନମ୍ l
                                         ଉଜ୍ଜୟିନ୍ୟାଂ ମହାକାଳମ୍, 
                                              ଓଁକାରମ୍ ତ୍ୱମ୍ମଲେଶ୍ୱରମ୍ ll
                                                   ପରଲ୍ୟା ବୈଦ୍ୟନାଥଂ ଚ,
                                                        ଡାକିନ୍ୟାଂ ଭୀମଶଙ୍କରମ୍ l
                                                              ସେତୁବନ୍ଧେ ତୁ ରାମେଶମ୍    
                                                                      ନାଗେଶମ୍ ଦାରୁକବନେ ll
                                                                              ବାରଣସ୍ୟାଂ ତୁ ବିଶ୍ୱେଶଂ, 
                                                                                      ତ୍ର୍ୟମ୍ବକଂ ଗୈାତମୀତଟେ l
                                                                                              ହିମାଳୟେ ତୁ କେଦାରଂ,
                                                                                                      ଘୃଶ୍ନେଶଂ ଚ ଶିବାଳୟେ  ll

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.