" ବିଶ୍ଵାସ ଓ ନିଷ୍ଠା
🌻" ବିଶ୍ଵାସ ଓ ନିଷ୍ଠା "🌻
==========================================================
ଶ୍ୟାମଲାଲ୍ ଙ୍କ ଦୋକାନରେ ଜଣେ ଭଲ କର୍ମଚାରୀ ଥାଏ । ନିଜ ଦେହ ଖରାପ ବୋଲି ସେ କାମ ଛାଡିଦେଲା । ତେଣୁ ଶ୍ୟାମଲାଲ୍ ଆଉ ଜଣେ କର୍ମଚାରୀ ଖୋଜୁଥାନ୍ତି । ଏକଥା ଯାଇ ସୁଧୀର କାନରେ ପଡିଲା । ସୁଧୀର ଆସି ଶ୍ୟାମଲାଲଙ୍କୁ କହିଲା, “ଆଜ୍ଞା, ଆପଣ ମୋତେ ଚାକିରୀରେ ରଖନ୍ତୁ । ମୋ ନାମ ସୁଧୀର୍ ।”
ଶ୍ୟାମଲାଲ୍ ପଚାରିଲେ “ତମେ କ’ଣ କରୁଛ? କେତେ ଦରମା ପାଉଛ?” ବର୍ତ୍ତମାନ କାହା ପାଖରେ ଅଛ ।
“ବାବୁ, ମୁଁ କରୁଣାକର ପାତ୍ରଙ୍କ ଦୋକାନରେ କାମ କରେ । ଦରମା ମୋର ଦେଢଶହ ଟଙ୍କା । ଆପଣ ଯଦି ଆଉ ଅଧିକା ଦଶ ପନ୍ଦର ଟଙ୍କା ଦେବେ, ତେବେ ମୁଁ ସେ କାମ ଛାଡି ଆପଣଙ୍କଠିଁ ରହିବି ।”
ଶ୍ୟାମଲାଲ୍ ପଚାରିଲେ “ଯୁବକ! ତମେ ତ ବେକାର ନୁହଁ, କାମରେ ରହିଛ । ସେ କାମ ଛାଡିବାକୁ କାହିଁକି ଚାହୁଁଛ ସତରେ କହିଲ ଭଲା!”
ସୁଧୀର ଟିକିଏ ଦୋଦୋପାଂଚ କଲା; ଥରେ ଅଧେ କାଶିଲା । ତା’ପରେ ସେ କହିଲା, “ଆଜ୍ଞା, କରୁଣାକାର ବାବୁ ବଡ କଡା ଲୋକ । ବହୁତ ଖଟାନ୍ତି । ସକାଳୁ ରାତିଯାଏଁ ମୁଁ ଅବିଶ୍ରାନ୍ତ କାମ କରି ଲାଗିଥାଏ, ତଥାପି ବି ସେ ଖାଲି ଟିକିଏ ଟିକିଏ କଥାରେ ମୋ ତୃଟି ଧରନ୍ତି ଓ ମୋତେ ଗାଳି ବି ଦିଅନ୍ତି । ପ୍ରକୃତରେ କହିବାକୁ ଗଲେ ତାଙ୍କ ପାଖରେ କାମ କରିବା ଯାହା, କ୍ଷୁର ଧାରରେ ଚାଲିବା ମଧ୍ୟ ସେଇଆ ।”
“ଓଃ, ଏମିତି କଥା! ଆଚ୍ଛା, ତମେ ଏବେ ଯାଅ । ଦୁଇଦିନ ପରେ ଆସିବ । ମୋ ସିଦ୍ଧାନ୍ତ ମୁଁ ଜଣାଇବି ।”
ଏହାପରେ ସେ ସୁଧୀର ନମସ୍କାର କରି ସେଠାରୁ ବିଦାୟ ନେଲା ।
ସେହିଦିନ ସଂନ୍ଧ୍ୟାରେ ଶ୍ୟାମଲାଲ୍ ଯାଇ କରୁଣାକର ପାତ୍ରଙ୍କ ଦୋକାନରେ ପହଁଚିଲେ ।
ଶ୍ୟାମଲାଲ୍ ଚପା କଣ୍ଠରେ କହିଲେ “ଆରେ ଭାଇ କରୁଣାକର! ତମ କର୍ମଚାରୀ ସୁଧୀର କିପରି ପିଲା ଟିକେ କହିବଟି! କାହିଁକିନା ମୋର ଜଣେ ଚିହ୍ନା ଲୋକ ତାକୁ ତା’ ଝିଅ ଦେବାକୁ ଚାହେଁ ସେ ମୋତେ ତା’ ବିଷୟରେ ପଚାରୁଛି ।”
“ସୁଧୀର କଥା ପଚାରୁଛ? ସେ ଅତି ଭଲ ପିଲା । ଯେପରି ବିଶ୍ୱାସୀ, ଠିକ୍ ସେହିପରି ସେ କର୍ତ୍ତବ୍ୟନିଷ୍ଠ ମଧ୍ୟ । ତମେ କନ୍ୟାପିତାକୁ କହିଦେଇପାର, ସୁଧୀର ବିଷୟରେ ତାଙ୍କର କୌଣସି ଦ୍ୱିଧା ରଖିବା ଦରକାର ନାହିଁ ।”
କରୁଣାକରଙ୍କ କଥା ଶୁଣି ଶ୍ୟାମଲାଲ୍ ହସିଲେ ଓ କହିଲେ, “ମୁଁ ଦେଖୁଛି ସୁଧୀର ସମ୍ପର୍କରେ ତମର ଧାରଣା ବହୁତ ଉଚ୍ଚ!” କରୁଣାକର ଅଳ୍ପ ବିରକ୍ତ ହୋଇ କହିଲେ “ଉଚ୍ଚ ନ ହେବାର କାରଣ କ’ଣ? ସେ ତ ଅତ୍ୟନ୍ତ ଭଲ ପିଲା । ଭଲ କଥା କହିବି ନାହିଁ?”
“ସୁଧୀର ହେଲେ ତମ ସମ୍ପର୍କରେ ସେମିତି ଉଚ୍ଚ ଧାରଣା ପୋଷଣ କରନ୍ତା!”
କରୁଣାକର ରୋକ୍ଠୋକ୍ ପ୍ରଶ୍ନ କଲେ “ତମେ କ’ଣ କହିବାକୁ ଚାହୁଛ?”
“ଭାଇ, ମୋଟେ ବିରକ୍ତ ହୁଅ ନାହିଁ । ତା’ ବାହାଘର ବିଷୟରେ ମୁଁ ଯାହା କହିଲି, ତାହା ତୁଚ୍ଛା ମିଛ । ସେ ମୋତେ ଆଜି ଭେଟି କହିଲା କି ତମେ ବଡ କଡା *ଖାଉନ୍ଦ! ତାକୁ ମୁଁ ଯଦି ଦଶ ପନ୍ଦର ଟଙ୍କା ଆଉ ଅଧିକା ଦରମା ଦେବି ତେବେ ସେ ତମ ଚାକିରୀ ଛାଡି ମୋ ପାଖରେ ଚାକିରୀ ନେବ । ଦେଖିବା ବେଳକୁ ତମେ ତା’ ଗୁଣରେ ମୁଗ୍ଧ!”
ଶ୍ୟାମଲାଲ୍ ପରାମର୍ଶ ଦେଲେ “ସେ ମୋ ସମ୍ପର୍କରେ କ’ଣ ଧାରଣା ପୋଷଣ କରେ, ତାକୁ ନେଇ କ’ଣ ମୁଁ ତା’ ବିଷୟରେ ମୋ ଧାରଣା ବଦଳାଇଦେବି? ସେ ଯୋଗ୍ୟ କର୍ମଚାରୀ । ତମେ ତାକୁ ଦଶ ପନ୍ଦର କାହିଁକି କୋଡିଏ ପଚିଶ ଅଧିକ ଦେଇ ଚାକିରୀରେ ରଖିଲେ ବି ପସ୍ତେଇବ ନାହିଁ । ମୁଁ ତା’ ଦରମା ଆଗାମୀ ମାସରୁ ବଢାଇବାକୁ ଯାଉଥିଲି । କିନ୍ତୁ ସେ ଯେତେବେଳେ ପରିବର୍ତ୍ତନ ଚାହୁଁଛି, ମୁଁ ତାକୁ ରହିବାକୁ କହିବି ନାହିଁ । ତମେ ତାକୁ ରଖି ନିଅ ।”
“ହଉ, ଦେଖିବା ।” ଏତିକି କହି ଶ୍ୟାମଲାଲ୍ ସେଠାରୁ ଚାଲିଗଲେ ।
ପରେ ପରେ ସୁଧୀର ପଛପଟ ଗୋଦାମ ଭିତରୁ ବାହାରି ଆସି କରୁଣାକରଙ୍କ ପାଦ ପାଖରେ ଲୋଟିଗଲା । ସେ ଦୈବାତ୍ ଶ୍ୟାମଲାଲ୍ ଓ କରୁଣାକରଙ୍କ କଥାବାର୍ତ୍ତା ସବୁ ଶୁଣିପାରିଥିଲା ।
ସୁଧୀର କାନ୍ଦି କାନ୍ଦି କହିଲା “ମୋତେ କ୍ଷମା କରନ୍ତୁ । ସାମାନ୍ୟ ଦଶ ପନ୍ଦର ଟଙ୍କା ଅଧିକା ପାଇବା ଲୋଭରେ ମୁଁ ଆପଣଙ୍କ ସମ୍ପର୍କରେ ଶ୍ୟାମଲାଲ୍ ଙ୍କ ପାଖରେ ମିଛ କହିଛି । ଏଣୁ ମୋ ଅପରାଧ ଅତି ଗୁରୁତର ।”
କରୁଣାକର ସୁଧୀରକୁ ଉଠାଇଲେ ଓ କହିଲେ, ଓଃ !! “ଏତେ ବ୍ୟସ୍ତ ହେବା ଦରକାର ନାହିଁ । ଏମିତି ତ କେତେ କଥା ପାଟିରୁ ବାହାରିଯାଏ । ତୁ ଯାଇ ଶ୍ୟାମଲାଲ୍ ପାଖରେ କାମ କର । ସେ ଖୁବ୍ ଭଲ ଲୋକ ।” ସୁଧୀର ନିଜ କୋହ ଚାପି କହିଲା “ଆଜ୍ଞା, ଆପଣଙ୍କ ଭଳି ସତ୍ ଓ ମହତ୍ ଖାଉନ୍ଦ ମୁଁ ଆଉ କାହୁଁ ପାଇବି? ମୁଁ ଆଉ ସେଭଳି ବାଳୁତ ପଣିଆ ମୂର୍ଖତା କରିବି ନାହିଁ । ମୋତେ ତଡି ଦିଅନ୍ତୁ ନାହିଁ ।”
ସୁଧୀର କରୁଣାକରଙ୍କ ପାଖରେ ହିଁ ରହିଲା । କେଇ ବର୍ଷ ଭିତରେ କରୁଣାକର ତା’ ନିଷ୍ଠାପରତାରେ ଏତେ ଖୁସି ହେଲେ ଯେ ତାଙ୍କ ବ୍ୟବସାୟରେ ସେ ତାକୁ ଅଂଶୀଦାର କରିଦେଲେ । ଏହିପରି ଭାବେ ସୁଧୀର ବହୁତ ଉନ୍ନତି କଲା ।
*ଖାଉନ୍ଦ - ମାଲିକ
=============================
☘️🌸🌼🙏 ସମାପ୍ତ 🙏🌼🌸☘️
=============================
· · • • • • • • ✤ • • • • • • · ·
Leave a Comment