🌻 ଏଇ ବୋଧେ ପ୍ରେମ🌻

କ୍ଷୁଦ୍ର ଗଳ୍ପ :

 ଯା'ର ରଙ୍ଗ ଇନ୍ଦ୍ରଧନୁର ସପ୍ତରଙ୍ଗ ଠାରୁ ବି ରଙ୍ଗନ୍। ଯା'ର ସୁର ସଂଗୀତର ସପ୍ତସୁର ଠାରୁ ବି ଆହୁରି ମନଛୁଆଁ । ଯା'ର ଆକାର ସପ୍ତ ସାଗରର ସୁବିସ୍ତୃତ ବିଶାଳ ଛାତି ଠାରୁ ବି ଚଉଡା । ଯା'ର ରାଗିଣୀ ମତୁଆଲୀ ସାଧବ ବୋହୁର ସୁରିଲା ସୁରିଲା ନାଲିଆ ଅଧର ଠାରୁ ବି ଛନ୍ଦାୟିତ । ଯା'ର ନୀଳିମା ସ୍ବପ୍ନ ସୁନ୍ଦରୀ ନୀଳାମ୍ବୁ ଚିଲିକାର ନୀଳ ବିଚି ଠାରୁ ବି ଗାଢ଼ତା । ଯା'ର ଯନ୍ତ୍ରଣା ଅଗ୍ନିର ଲେଲିହାନ୍ ଶିଖା ଠାରୁ ବି ତେଜିଆନ୍ ଆଉ ଯା'ର ଯଶ ପୃଥିବୀର ସପ୍ତାଶ୍ଚର୍ଯ୍ୟ ତାଜମହଲ୍ ଠାରୁ ବି ଅମର, ଅପରାଜେୟ, ଅଦ୍ବିତୀୟ ଓ ବିଶ୍ୱବିଦିତ । ସେ ଆଉ କିଛି ନୁହେଁ?... ଏକ ଅଜଣା ଆକର୍ଷଣ... ଏକ ଅଜଣା ଅନୁଭୂତି... ଆଉ ଏକ ଅଜଣା ଶିହରଣର ଭାବାନ୍ତର ମାତ୍ର । ଯାହାର ଅନ୍ୟ ନାମ ପ୍ରେମ...ଆଇମନ୍ ଲଭ୍... ।

 

       ସମୟର ଚକା ଭଉଁରୀ ଖେଳ ଖେଳୁ ଖେଳୁ ଅଚାନକ ଏକ ନିରୀହ ଦିଗହରା କପୋତଟିର ଭେଟ ହୁଏ ଏକ ଦୁର୍ବଳ ମୁହୂର୍ତ୍ତରେ ଏକ ଅଜଣା ଅଚିହ୍ନ। କପୋତୀଟି ସହ । ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କ ଠାରେ ଏକ ଅଜଣା ସମ୍ପର୍କର ଅଡୁଆ ସୁତାରେ ଏମିତି ଛନ୍ଦି ହୋଇଯାଆନ୍ତି ଯେ ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଭଲ ପାଇବାରେ ରୂପାନ୍ତରିତ ହୋଇଯାଇଥିଲା । ସେଇ ଦିନଠାରୁ ସେମାନେ ଏକାଠି ବଞ୍ଚିବାର ବଜ୍ର ଶପଥ ନେଇଥାନ୍ତି । ଶୈଶବର ପ୍ରତିଟି ମୁହୂର୍ତ୍ତ ହସଖୁସିରେ ସେମାନେ କଟାଇଦିଅନ୍ତି ଏକ ନିର୍ଜନ ନିଛାଟିଆ ବଣ ମୁଲକରେ ଥିବା ସୁଶୀତଳ ଛାୟାଯୁକ୍ତ ସବୁଜିମା ଘେରା ଶାଳତରୁର ଗହନ ଇଲାକାରେ । ସେଠି ସ୍ୱର୍ଗ ଭାବି ସେମାନେ ଦୁହେଁ ଦୁହିଁକୁ ନେଇ ନାନା ସ୍ଵପ୍ନ ଦେଖନ୍ତି । କେତେବେଳେ ସେମାନେ ମନ ପବନ ଘୋଡାରେ ବସି ମେଘ ଝୁଲାରେ ଦୋଳି ଖେଳିଥାନ୍ତି ତ କେତେବେଳେ ଝରଣାର କୁଳୁକୁଳୁ ଜଳଧାରେ କାଗଜଡଙ୍ଗା ନେଇ ଜଳକ୍ରୀଡା କରିବାର ଅଜବ ଖିଆଲ ମନକୁ ଆଣନ୍ତି । ଆଉ କେତେବେଳେ ନୀରୀମାଖି କପୋତୀଟି ଜ୍ୟୋସ୍ନା ବିଧୌତ ପରୀରାଇଜର ପରୀଟେ ସାଜି ପାରିଜାତ ଫୁଲ ପାଖୁଡ଼ାରେ ଜହ୍ନରେ କପୋତଟିର ନାଁ ଲେଖିବାକୁ ଜିଦ୍ ଧରେ । ବାଃ.. ସତରେ କି ଚମତ୍କାର ଭାବନା । ଇତି ମଧ୍ୟରେ କପୋତଟିର ଦେହରେ ଆଉ କୈଶୋରର ସେ ନିରୀହ ସବୁଜିମା ନାହିଁ । ତା ଦେହର ପ୍ରତି ଶାଖା ଉପଶାଖା ବୟସ ଫୁଲର ବର୍ଣ୍ଣ ବିଭବରେ ଉବୁଟୂବୁ । ଯାହାକୁ ଦେଖିଲେ ସ୍ୱୟଂ ଦେବଦୂତ ବି ଇର୍ଷାନ୍ୱିତ ହୋଇଯିବେ । ଏମିତି ଭାବେ ସେମାନଙ୍କ ସମ୍ପର୍କଟା ବଢି ଚାଲିଲା ଶଶୀକଳା ଭଳି । କିନ୍ତୁ ସେମାନଙ୍କ ସୁଖର ଦିନ ବେଶି ଦିନ ରହିଲା ନାହିଁ । ହଠାତ୍ ସେମାନଙ୍କ ସୁଖର ଭାଗ୍ୟ ଆକାଶରେ ଦୁଃଖର କଳାବଉଦ ଘୋଟି ଆସିଲା । ବିଧିର ବିଧାନ ବଡ଼ ବିଚିତ୍ର । ଅଚାନକ ଦିନେ ପାରିଧି ସମୟରେ ରାଜକୁମାରଙ୍କ ଆଖି ଖୋସି ହୋଇଗଲା ଏଇ ସୁନ୍ଦରୀ ସୁଢ଼ଳନୟନୀ କପୋତୀଟି ଉପରେ । ରାଜକୁମାରଙ୍କ ସୌଖିନି ମନୋବୃତ୍ତି ବୋଧହୁଏ କପୋତୀଟି ପାଇଁ କାଳ ହେଲା । ରାଜକୁମାରଙ୍କ ନିର୍ଦ୍ଦେଶ ପାଇ ସୈନମାନେ ବିଚରା କପୋତଟି ଠାରୁ ତାର ପ୍ରାଣପ୍ରିୟା ସପନରାଣୀକୁ ଜୋର୍ ଜବରଦସ୍ତ ଛଡାଇ ନେଇଗଲେ ରାଜ ନଅରକୁ । ସେଠି ସେ ଅଣନିଶ୍ୱାସୀ ହୋଇଗଲା ନିଜର ପ୍ରିୟ ପୁରୁଷଟିକୁ ଝୁରି ଝୁରି । ରାଜକୁମାରଙ୍କ ସୁନାପଞ୍ଜୁରୀ, ରୁପାଥାଳି ଆଉ ନାନାଦି ପ୍ରକାରର ଖାଦ୍ୟପଦାର୍ଥ ତା' ପାଖେ ନିଷ୍ପ୍ରଭ ହୋଇଗଲା । ତା ମନ କେଉଁଥିରେ ବି ବୁଝିଲାନି । ନିଇତି ନିଜ ମନର ମଣିଷକୁ ଝୁରିଝୁରି ସେ କଣ୍ଟା ହୋଇଗଲା । ନ ଖାଇ ନ ପିଇ ସେ ରୁଗ୍ଣତାକୁ ଆଦରି ନେଲା । ଏପଟେ କପୋତ ବି ତାର ପ୍ରିୟ ବାନ୍ଧବୀର ଫେରନ୍ତା ବାଟକୁ ଚାହିଁ ଚାହିଁ ତା ଆଖିରୁ ପାଣି ମରିଗଲା । ଭାବପ୍ରବଣ ହୋଇ ସେ ଖିଆପିଆ ଛାଡି ଦେଲା । ଫଳରେ ତା ସୁନ୍ଦର ସ୍ୱାସ୍ଥ୍ୟ ଭଗ୍ନ ହୋଇଗଲା । ହେଲେ ବି ତା'ର ଟିକିଏ ସୁଦ୍ଧା ଦୁଃଖ ନ ଥିଲା । କାରଣ ସେ ଏବେ ବି ଅପେକ୍ଷାରତ ବାଟୋଇ !...ତା'ର ସେଇ ଦିଲ୍ ଯାନିୟା କପୋତୀଟି ପାଇଁ... !!

          ଦୀର୍ଘ ଦିନର ସ୍ୱପ୍ନ ଓ ଆଶା ଆଜି ସାକାର ହେଲା କାରଣ ରାଜକୁମାରଙ୍କ ଆଖିରେ ଏବେ ରୁଗ୍ଣ କପୋତୀଟି ଅଲୋଡ଼ା ହୋଇଯାଇଥିଲା । ଫଳ ସ୍ୱରୂପ ସେ ତାକୁ ଆଜି ସବୁଦିନ ପାଇଁ ମୁକ୍ତିର ପଥ ଦେଖାଇଲେ । ମହା ଆନନ୍ଦରେ କପୋତୀଟି ମୁକ୍ତ ଆକାଶରେ ଉଡିବାକୁ ଚେଷ୍ଟାକଲା । କିନ୍ତୁ ବିଚାରି ନିଜ ଭଗ୍ନସ୍ୱାସ୍ଥ୍ୟ ହେତୁ ଉଡିପାରିଲାନି । ତଥାପି ନିଜର ପ୍ରିୟ ପୁରୁଷଟିକୁ ଅତି ପାଖରୁ ଦେଖିବା ପାଇଁ ତା'ର ମନ ଛଟପଟ ହେଲା ଆଉ ତା' ଓଠରେ ବହୁ ଦିନରୁ ସାଇତା ପ୍ରୀତି ଚୁମ୍ବନ ଟାଣି ଦେବାର ଆଶା ତାକୁ ସତେ ଯେମିତି ବେଶ ଶକ୍ତି ପ୍ରଦାନକଲା । ପରିଶେଷରେ ସେ ବହୁ କଷ୍ଟରେ ସେଇ ଅତି ପରିଚିତ ଶାଳତରୁ ପାଖରେ ପହଂଚି ଗଲା ଯେଉଁଠି ତା ମନର ମଣିଷ ରହେ । ଅପେକ୍ଷାରତ କପୋତଟି ଫେରନ୍ତା କପୋତୀଟିର ଆଗମନରେ ନିଜକୁ କୃତାର୍ଥ ମନେକଲା । ଆନନ୍ଦାଶ୍ରୁରେ ତା ଗଣ୍ଡ ଦେଶ ପ୍ଲାବିତ ହୋଇଗଲା । ବାଃ.. କି ଆନନ୍ଦ !..କି ଶାନ୍ତି !!..କି ପରମ ତୃପ୍ତି !!! ସେମାନେ ବୋଧେ ଏଇ ମହାମିଳନକୁକେବେଠୁ ଅପେକ୍ଷା କରିଥିଲେ । ଏଇମିତି ଏକ ବିରଳ ଖୁସି ମୁହୂର୍ତ୍ତରେ ସେମାନେ ଭାବପ୍ରବଣ ହୋଇ ପରସ୍ପର ମଧ୍ୟରେ ଚଞ୍ଚୁକୁଚଞ୍ଚୁରେ ଘଷୁଘଷୁ ଭାରସାମ୍ୟ ହରାଇ ତଳେ ପଡିଗଲେ ଭଗ୍ନ କଳେବର ଯୋଗୁଁ । ଫଳରେ ନିମିଷକ ମଧ୍ୟରେ ସେମାନଙ୍କ ପ୍ରାଣବାୟୁ ଉଡ଼ିଗଲା । ଚାରିଆଡେ ଶୂନ୍ୟତା... ନିରବତା...ଆଉ ହା ହତାଶର ବାତାବରଣ ଖେଳିଗଲା । ବୋଧେ ସଭିଏଁ ଏଇ ପ୍ରେମୀ ଯୁଗଳଙ୍କ ମର ଶରୀର ଦୁଇଟା ପାଇଁ ଶୋକ ସଭାରେ ନିମଗ୍ନ । କେବଳ ଦୂର ଦିଗବଳୟର ନୁଆଁଣିଆ ସିଡ଼ିତଳେ ଅଳସ ରବିର ଲୁଚକାଳି ଖେଳଟା ଦୃଶ୍ୟମାନ ହେଉଥିଲା । ତା' ସାଙ୍ଗକୁ ଏଠାକାର ଶିମିରଣ ଏଇ ଅମର ପ୍ରେମର ବାର୍ତ୍ତାକୁ ଭସା ମେଘର ଡୋଲାରେ ବାଣ୍ଟି ଚାଲିଥିଲା ବୋଧେ ଆଗାମୀ ଦିନର ଆଗନ୍ତୁକ ମାନଙ୍କ ପାଇଁ । 


ବାସ୍ତବରେ କି ତ୍ୟାଗ, କି ଭଲ ପାଇବା ଆଉ କି ଆକର୍ଷଣ ଥିଲା ଏମାନଙ୍କ ପ୍ରେମରେ...। ଭାବିଲା ବେଳକୁ ବଡ଼ ତାଜୁବ ଲାଗେ ଓ ମନରୁ ସ୍ୱତଃ ବାହାରି ଆସେ "ଏଇ ବୋଧେ ପ୍ରେମ"...ହଁ.. ହଁ.. ଏଇ.. ବୋଧେ.. ପ୍ରେମ... ।   

 


No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.