ଠିକଣା

 🌻" ଠିକଣା "🌻

────────────────⊹⊱✫⊰⊹────────────────

କରୁଣା ତିନି ଚାରିବର୍ଷ ବୟସରେ ନିଜ ମା’କୁ ହରାଇଥିଲା । ତା’ ବାପା ନିଜ ଗାଁ ମଙ୍ଗଳପୁର ଓ ସହର ମଝିରେ ଥିବା ଗୋଟିଏ କାଚ କାରଖାନାରେ କାମ କରୁଥାନ୍ତି । କରୁଣା ଟିକି ଝିଅଟିଏ ହେଲେ ମଧ୍ୟ କ’ଣ ହେଲା, ସେ ତା’ ବାପାର ଏପରି ତତ୍ତ୍ୱ ନେଉଥାଏ, ସତେ ଅବା ସେ ଗୋଟିଏ ଟିକି ମା!

କରୁଣା ତା’ ଘର ପାଖରେ ଥିବା ଗୋଟିଏ ଚାହାଳିରେ ପାଠ ପଢେ । ସେ ଯେତିକି ଯେତିକି ବଡ ହେଉଥାଏ, ଘର କାମକୁ ବି ସେତିକି ସେତିକି ସେ ନିଜେ ସମ୍ଭାଳୁଥାଏ । ପାଖ ପଡୋଶୀରେ ଜଣେ ଦୁଇଜଣ ସ୍ତ୍ରୀଲୋକ ତାକୁ ବହୁତ ସ୍ନେହ କରୁଥାନ୍ତି । ସେମାନେ ନିଜ ନିଜ ସୁବିଧା ଅନୁସାରେ ତା’ ଘରକୁ ଆସି କାମଦାମ କରିଦେଇ ଯାଉଥାନ୍ତି । କିନ୍ତୁ କରୁଣାକୁ ଯେତେବେଳେ ନଅବର୍ଷ ବୟସ, ସେତେବେଳକୁ ସେ ଓଲଟି ସେମାନଙ୍କ ଦେଖାଶୁଣା କରିବାକୁ ଲାଗିଲା । ପାଠପଢା ସାଙ୍ଗକୁ ଘର କାମ କରି ସେ ପୁଣି ଗାଁର ଆତୁର ଲୋକଙ୍କ ତତ୍ତ୍ୱ ବି ନେଉଥାଏ । ବାପା କାରଖାନାରୁ ଫେରିବା ବେଳକୁ ସେ ତାଙ୍କ ପାଇଁ ମୁଠାଏ ଗରମ ଭାତ ରାନ୍ଧି ରଖିଥାଏ । ବାପା ଖାଲି ତା’ ଆଡେ ଅନାଇ ରହନ୍ତି । ତାଙ୍କ ଆଖି ସଜଳ ହୋଇ ଉଠେ । ସେ ମନକୁ ମନ କହନ୍ତି, “ଏ ଦେବୀ ପ୍ରତିମାକୁ ନେଇ ମୁଁ କ’ଣ କରିବି? ବଡ ହେଲେ ଇଏ ଯିବ କାହା ଘରକୁ? କିଏ ତ ହେଲେ ମୋର ଏ ଝିଅର ମୂଲ୍ୟ ବୁଝିବ? ମୋ ଭଳି ଗରୀବ ଘରେ ବା କାହିଁକି ଇଏ ଜନ୍ମ ହେଲା?”

ଦିନେ କରୁଣା ଚାହାଳିରୁ ଘରକୁ ଲେଉଟି ଆସିବା ବେଳକୁ ଭୀଷଣ ବର୍ଷା ଆରମ୍ଭ ହୋଇଗଲା । ସେ ଝରକା କବାଟ ବନ୍ଦ କରିବାକୁ ଯାଉଛି, ଦେଖିଲା, ବାରନ୍ଦାରେ ଜଣେ ଭଦ୍ରଲୋକ ସତେ ଅବା କଚାଡି ପଡିଛନ୍ତି । ସେ ପାଖକୁ ଯାଇ କହିଲା, “ଆଜ୍ଞା! କଥା କ’ଣ?” କିନ୍ତୁ ଭଦ୍ରଲୋକ କିଛି ଉତ୍ତର ଦେଲେ ନାହିଁ । ସେ ତାଙ୍କୁ ଛୁଇଁ ଦେଖିଲା, ତାଙ୍କ ଦେହରେ ବହୁତ ଉତ୍ତାପ । ସେ ପାଖରେ ବସି ପଡି ତାଙ୍କୁ ଧୀରେ ଧୀରେ ଡାକିଲା । ଭଦ୍ରଲୋକ ଆଖି ଖୋଲି ତା’ ଆଡେ ଅନାଇଲେ । କରୁଣା କହିଲା, “ଆପଣଙ୍କୁ ଜ୍ୱର ହୋଇଛି । ଭିତରକୁ ଆସନ୍ତୁ ।”

ଭଦ୍ରଲୋକ କଷ୍ଟ କରି ଉଠିଲେ । କରୁଣା ତାଙ୍କୁ ଧରି ଧରି ଘର ଭିତରକୁ ନେଇଯାଇ ତା’ ବାପା ଖଟ ଉପରେ ତାଙ୍କୁ ଶୁଆଇ ଦେଲା । ତାଙ୍କ ମୁଣ୍ଡରେ କିଛି ସମୟ ପାଇଁ ସେ ଓଦାକନା ଦେଲା । ତା’ପରେ ତାଙ୍କୁ ସେ ଗରମ ଦୁଧ ପିଇବାକୁ ଦେଲା ।

ଭଦ୍ରଲୋକ ପଚାରିଲେ “ମା, ତୁ କିଏ?”

“କରୁଣା ।”

ଭଦ୍ରଲୋକଙ୍କ ମୁହଁରେ ହସ ଫୁଟି ଉଠିଲା । ସେ କହିଲେ, “ସେ କଥା ତ ମୁଁ ବୁଝୁଛି । କରୁଣା ଛଡା ଆଉ କିଏ ଏପରି ହୋଇପାରେ?” ତା’ପରେ ସେ କରୁଣାର ହାଲ୍ ଚାଲ୍ ପଚାରି ବୁଝିଲେ । ସେ ସପ୍ତାହରେ କରୁଣାର ବାପା କାରଖାନାରେ ରାତିଯାକ କାମ କରିବା କଥା । କରୁଣା ଅତିଥିଙ୍କୁ ଘରେ ଅଟକାଇ ରଖିଲା । ଗରମ ଭାତ ରାନ୍ଧି ତାଙ୍କୁ ସେ ଖାଇବାକୁ ଦେଲା । ସକାଳକୁ ସେ ଭଦ୍ରଲୋକ ଜଣକ ପୁରାପୁରି ସୁସ୍ଥ ହୋଇ ଯାଇଥାନ୍ତି । ସେ କରୁଣାଠୁଁ ବିଦାୟ ନେଲାବେଳେ ଖଣ୍ଡିଏ କାଗଜରେ ତାଙ୍କ ନାମ ଲେଖିଦେଲେ । କରୁଣା ପଚାରିଲା, “ଠିକଣା?” ଭଦ୍ରଲୋକ କହିଲେ, “ମା, ବର୍ତ୍ତମାନ ମୁଁ ମୋ ଠିକଣା ଦେଇପାରୁ ନାହିଁ । ଯଦି କେବେ ଦେଇପାରିବି, ତେବେ ପୁଣି ନିଜେ ଆସି ଦେଇଯିବି ।”

ଏହାପରେ ସେ ଭଦ୍ରଲୋକ ଜଣକ ବିଦାୟ ନେବାକୁ ପ୍ରସ୍ତୁତ ହୋଇ ପୁଣି ଠିଆ ହୋଇ ରହିଲେ ଓ କରୁଣା ଆଡେ ଚାହିଁ ରହିଲେ ।

କରୁଣା ପଚାରିଲା, “ଆପଣ ଠିକ୍ ଠିକ୍ ବାଟ ଚାଲିପାରିବେ ତ? ଆଉ ଓଳିଏ ରହିଯାଇ ବିଶ୍ରାମ ନେଲେ କିପରି ହୁଅନ୍ତା?”

ଭଦ୍ରଲୋକ ଅନେକ ସମୟ ଯାଏଁ ଆଉ କିଛି କଥା କହିପାରିଲେ ନାହିଁ । ତା’ପରେ ସେ କହିଲେ, “ମା! ବାସ୍ତବିକ ଚାଲିବା ଭଳି ବଳ ମୋର ନଥିଲା । କିନ୍ତୁ ତୋ ବ୍ୟବହାରରେ, ତୋ ପରିଚର୍ଯ୍ୟାରେ ମୁଁ ମୋ ବଳ ଫେରି ପାଇଛି । ମୋର ଧାରଣା ହୋଇଥିଲା, ଏ ପୃଥିବୀରେ ଦୟା ମାୟା ମମତା ଏସବୁ କିଛି ନାହିଁ । କିନ୍ତୁ ତୁ ମୋର ସେଭଳି ଧାରଣା ବଦଳାଇ ଦେଇଛୁ ମା! ମୁଁ ଏଥର ଚାଲି ପାରିବି ।” ଭଦ୍ରଲୋକ ଆଉ କ’ଣ କହିବେ କହିବେ ବୋଲି କହିପାରିଲେ ନାହିଁ । କରୁଣା ପଚାରିଲା, “କି କଥା?”

“ମା, ମୋର ଭାରି ମନ ତୋତେ କିଛି ଦେଇଥାନ୍ତି । ମୋ ସ୍ନେହର ନିଦର୍ଶନ । କିନ୍ତୁ ଏବେ ମୋ ପାଖରେ କିଛି ହେଲେ ବି ନାହିଁ ।”

ଭଦ୍ରଲୋକ ଚାଲିଯିବା ପରେ କରୁଣା ଦେଖିଲା, ସେ ତାଙ୍କ ରୂପା ପାନଡବାଟି ଛାଡି ଯାଇଛନ୍ତି । ବାପା ଫେରି ଆସିବାରୁ ସେ ତାଙ୍କୁ ସବୁକଥା କହିଲା । କିନ୍ତୁ ଭଦ୍ରଲୋକ ତ ନିଜ ଠିକଣା ରଖିଯାଇ ନାହାଁନ୍ତି, ପାନଡବା ତାଙ୍କ ପାଖକୁ କିପରି ବା ପଠାଇ ହେବ?

 ଦିନ ଗଡି ଚାଲିଥାଏ । ଚାହୁଁ ଚାହୁଁ ଦଶବର୍ଷ ବିତିଗଲା । କରୁଣାର ବାପା ତାଙ୍କ ଝିଅ ପାଇଁ ଏଣେ ତେଣେ ବର ଖୋଜୁଥାନ୍ତି । କିନ୍ତୁ କରୁଣା କହୁଥାଏ, “ବାପା, ମୁଁ ବାହା ହୋଇଗଲେ କିଏ ତୁମର ଦେଖାଶୁଣା କରିବ? ଏଣୁ ମୁଁ ତୁମକୁ ମୋଟେ ଛାଡିକି ଯିବି ନାହିଁ ।”

ବାପା କହନ୍ତି, “ଝିଅ, ମୁଁ ବି ମନେ ମନେ ଏଇ ଗାଁରେ କୌଣସି ଉପଯୁକ୍ତ ପାତ୍ର ଥିଲେ ତୋତେ ତାକୁ ସମର୍ପି ଦେବି ବୋଲି ଭାବୁଥିଲି । କିନ୍ତୁ ମୋର ଦୁର୍ଭାଗ୍ୟକୁ ଏ ଗାଁରେ ସେମିତି କେହି ପାତ୍ର ନାହାଁନ୍ତି ।”

କରୁଣା କହେ “ବାପା, ମୁଁ ମୋଟେ ବାହା ହେବି ନାହିଁ ।”

ବାପା ସେଥିରେ ହସନ୍ତି । ତାଙ୍କର ସେ ହସରେ ଦୁଃଖ ବି ରହିଥାଏ ।

ବାପା ଯେଉଁ କାରଖାନାରେ କାମ କରୁଥାନ୍ତି, ସେ କାରଖାନାକୁ କେହିଜଣେ ଧନପତି କିଣି ନେଇଥାନ୍ତି । ତାଙ୍କ ଲୋକେ ଆସି କାରଖାନାରେ ଅନେକ ଅଦଳ ବଦଳ କରୁଥାନ୍ତି । ଧନପତିଙ୍କ ପୁଅ ଅନେକ ନୂତନ ବ୍ୟବସ୍ଥା କରି କାରଖାନାର ଚେହେରା ବଦଳାଇ ଦେଉଥାନ୍ତି । ସେ ଯୁବକଙ୍କ ବୁଦ୍ଧି ଓ ବ୍ୟବହାରରେ କାରଖାନାର ସମସ୍ତ କର୍ମଚାରୀ ମୁଗ୍ଧ ହେଉଥାନ୍ତି । କାରଖାନା ପୂର୍ବେ କ୍ଷତିରେ ଚାଲୁଥିଲା ବୋଲି ପୂର୍ବ ମାଲିକ ତାକୁ ବିକ୍ରି କରି ଦେଇଥିଲେ । ନୂଆ ମାଲିକ ଅଦମ୍ୟ ଉତ୍ସାହରେ କାରଖାନାକୁ ଗୋଟିଏ ଉନ୍ନତ ପ୍ରତିଷ୍ଠାନରେ ପରିଣତ କରିବାକୁ ଉଦ୍ୟମ କରୁଥାନ୍ତି । ତାଙ୍କର ସେ ଉଦ୍ୟମରେ ସବୁ କର୍ମଚାରୀ ସହଯୋଗ କରୁଥାନ୍ତି । ବାପା ସେଠାରେ ବ୍ୟସ୍ତ ଥାନ୍ତି । ଏଣେ କରୁଣା ଏକୁଟିଆ ଘ

ରେ ଥାଏ । ଦୁଇପହର ବେଳେ କେହି ଜଣେ କବାଟରେ କିଛି ଶବ୍ଦ ଦେଲା । କରୁଣା କବାଟ ଖୋଲି ଦେଲା । ଜଣେ ବୃଦ୍ଧ ତା’ ଆଡେ ନିର୍ନିମେଷ ନୟନରେ ଅନାଇ ରହିଥାନ୍ତି । ଟିକିଏ ପରେ ସେ ହସି ପଚାରିଲେ, “ମା, ମୁନ୍ଦିଏ ପାଣି ପିଇବାକୁ ଦେବ?”

କରୁଣା ତାଙ୍କୁ ସ୍ୱାଗତ କରି କହିଲା “ଆପଣ ଭିତରକୁ ଆସନ୍ତୁ ।”

କ୍ଳାନ୍ତ ବୃଦ୍ଧ ଭିତରକୁ ଆସି ଖଟିଆ ଉପରେ ବସି ପଡିଲେ । କରୁଣା ତାଙ୍କୁ ସରବତ୍ ଆଣି ଦେଲା । ବୃଦ୍ଧ ପଚାରିଲେ, “ମା, ତୁମେ କରୁଣାଟି?”

କରୁଣା କହିଲା “ହଁ । ଆପଣ ମୋ ନାମ କିପରି ଜାଣିଲେ? ମୋତେ ବି ଆପଣଙ୍କୁ ଆଗରୁ କୋଉଠି ଦେଖିଲା ଭଳି ଲାଗୁଥିଲା ।”

ବୃଦ୍ଧ ପଚାରିଲେ “ମୋତେ ଆଗରୁ ଦେଖିଛ । ସେକଥା କହିବି । ଆଚ୍ଛା, ମା, ତୁମେ ଏଯାଏଁ ବାହାହୋଇ ନାହଁ?”

କରୁଣା କହିଲା “ନା । ମୁଁ ମୋ ବାପାଙ୍କୁ ଛାଡି ଦୂରକୁ ଚାଲିଯିବାକୁ ଚାହେଁନା ।”

ବୃଦ୍ଧ ହସି ହସି ପଚାରିଲେ “ସତେ? ଆଚ୍ଛା, ଯଦି ଏହି ଗାଁରେ ଯୋଗ୍ୟ ବର ପାତ୍ର ମିଳେ?” କରୁଣା ହଠାତ୍ ଖଣ୍ଡିଏ କାଗଜ ବାହାର କରି ଆଣି ପଚାରିଲା, “ଆଚ୍ଛା, ଆପଣ ସେଦିନର ଏଇ ଭଦ୍ରଲୋକଟି?”

ବୃଦ୍ଧ କାଗଜଟି ନେଲେ ଓ କହିଲେ, “ହଁ ମା । ସେଦିନ ମୁଁ ମୋ ଠିକଣା ଲେଖି ନଥିଲି । ହେଲେ ଆଜି ଲେଖି ଦେଉଛି ।” ବୃଦ୍ଧ କାଗଜରେ ନିଜ ନାମ ତଳେ ଲେଖିଦେଲେ, “ସ୍ୱତ୍ୱାଧିକାରୀ, ଶ୍ରୀହନୁମାନ କାଚ କାରଖାନା, ମଙ୍ଗଳପୁର ।”

ଶ୍ରୀହନୁମାନ କାଚ କାରଖାନାରେହିଁ କରୁଣାର ବାପା କାମ କରୁଥିଲେ । ସେ କାରଖାନାକୁ ସହରର ଜଣେ ଧନୀଲୋକ କିଣି ନେଇଛନ୍ତି ବୋଲି କରୁଣା ତ ଜାଣିଥିଲା । କିନ୍ତୁ ସେ ଲୋକ ଯେ ଏହି ଜଣକ, ସେକଥା ସେ ଏତେ ସହଜରେ ବିଶ୍ୱାସ କରିପାରୁ ନଥିଲା । ସେ ରୂପା ପାନ ଡବାଟି ଆଣି ତାଙ୍କ ହାତରେ ଧରାଇ ଦେବା ବେଳକୁ ବୃଦ୍ଧ ପ୍ରାୟ କାନ୍ଦି ପକାଇଲେ ।

କରୁଣା କହିଲା “ଆପଣ ଏ ଗୋଟିକ ଛାଡି ଯାଇଥିଲେ ।”

ବୃଦ୍ଧ କହିଲେ, “ମା! ମୋ ଘର ଆଉ ଗୋଟିଏ ଗାଁରେ ଥିଲା । ମୋର କିଛି ଜମିବାଡିବି ଥିଲା । ବେପାର ବି ଥିଲା । କିନ୍ତୁ ଯେଉଁମାନଙ୍କୁ ବିଶ୍ୱାସ କରୁଥିଲି, ସେମାନେ ମୋତେ ଠକିଦେଲେ । ମୁଁ ସର୍ବସ୍ୱାନ୍ତ ହୋଇ ଗାଁ ଛାଡି ସହରକୁ ଯିବା ବାଟରେ ତୋତେ ଭେଟିଥିଲି । ତୋ ବ୍ୟବହାରରେ ମଣିଷଙ୍କ ପ୍ରତି ମୋର ଧାରଣା ପୁରାପୁରି ବଦଳିଗଲା । ମୁଁ ପୁଣି ମଣିଷଙ୍କ ଉପରେ ବିଶ୍ୱାସ ସ୍ଥାପନ କଲି । ସହରରେ ଯାଇ ନୂଆ ବେପାର କଲି । ଏଥର ମୋ ବିଶ୍ୱାସ ଠିକ୍ କାମ ଦେଲା । ବହୁତ ଆୟ କଲି । ଏଠାକାର କାରଖାନା କିଣିଛି । ଏଇଠି ଘରଟିଏ ତୋଳିବି ମା! ତୋ ଆଶ୍ରାରେ ମୁଁ ମୋ ବାକି ଜୀବନ ବିତାଇବି ।”

ବୃଦ୍ଧ ଏତିକି କହିସାରିବା ବେଳକୁ ସେଠାରେ ତାଙ୍କ ପୁଅ ଓ ଗୁମାସ୍ତା ଆସି ପହଁଚିଗଲେ । ସଙ୍ଗେ ସଙ୍ଗେ କରୁଣାର ବାପା ବି ସେଠାରେ ଆସି ପହଁଚିଗଲେ । ବାବୁ କୁଆଡେ ଗଲେ ବୋଲି ସେମାନେ ଖୋଜୁଥିଲେ । ସେ କରୁଣା ସହ କଥା ହେଉଥିବାର ଦେଖି ସେମାନଙ୍କ ବିସ୍ମୟର ଆଉ କୌଣସି ସୀମା ରହିଲା ନାହିଁ ।

ବୃଦ୍ଧ ତାଙ୍କ ପୁଅକୁ କହିଲେ, “ସୁଧୀର! ଏଇ ମୋ ମା କରୁଣା ।”

ସୁଧୀର କହିଲା “ଆଚ୍ଛା । ଆପଣ ଏହାଙ୍କ କଥା ମୋତେ ଅନ୍ତତଃ ଶହେଥର କହିଥିବେ ।”

କିଛିଦିନ ଭିତରେ କରୁଣାର ବାପା ବୁଝିଲେ, ସୁଧୀର ଅତ୍ୟନ୍ତ ଗୋଟିଏ ସତ୍ ସ୍ୱଭାବର ଯୁବକ । ବୃଦ୍ଧଙ୍କ ପ୍ରସ୍ତାବ ଅନୁସାରେ ସୁଧୀର ସହ କରୁଣାର ବିବାହ ଖୁବ୍ ଭଲଭାବେ ହୋଇଗଲା । ସୁଧୀରର ବାପା ସେହି ଗାଁରେ ନୂଆ ଘର ତୋଳିଥାନ୍ତି । କରୁଣାକୁ ତା’ ବାପାକୁ ଛାଡି ଆଉ କୁଆଡେ ବି ଯିବାକୁ ପଡିଲା ନାହିଁ ।



┌─── ・ 。゚☆: . . :☆゚. ───┐

🌸🌼   ସମାପ୍ତ   🌼🌸

└─── ・ 。゚☆: . . :☆゚. ───┘



· · • • • • • • ✤ • • • • • • · ·


No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.