ସୁବର୍ଣ୍ଣ ମୟୂରୀ

ସୁବର୍ଣ୍ଣ ମୟୂରୀ
     ସଂଗ୍ରହ: ଜିତୁ
     ସୌଜନ୍ୟ :-  ଆନିମେସନ ଓଡ଼ିଶା
┄┅═══════❉❂  ❂❉═══════┅┄


         କନକପୁରୀର ଲୋକେ କହୁଥା'ନ୍ତି ଯେ ନିକଟସ୍ଥ ବିନ୍ଧ୍ୟାଚଳର ବନରେ ସୁନାରଙ୍ଗର ଏକ ମୟୂରୀ ଘୂରି ବୁଲୁଛି। ରାଜା ବିଚିତ୍ରସେନଙ୍କର ତ ସମସ୍ତ ଅଦ୍ଭୁତ ଜିନିଷ ରଖିବାର ଅଭ୍ୟାସ ଥିଲା। ସେ ଏକଥା ଶୁଣିବା ମାତ୍ରେ ନିଜର ସୈନ୍ୟସାମନ୍ତ ନେଇ ଅରଣ୍ୟକୁ ଗଲେ।

ବିନ୍ଧ୍ୟ ପର୍ବତମାଳାର ପାଦଦେଶରେ ଥିବା ସେ ସ୍ଥାନରେ ଏକ ଶବରପଲ୍ଲୀ ଥିଲା। ସେହି ପଲ୍ଲୀର ମୁଖିଆଙ୍କ ସହିତ ରାଜାଙ୍କର ଦେଖା ହେଲା। ସେ ରାଜାଙ୍କୁ ସ୍ୱାଗତ କରି ତାଙ୍କର ଖୁବ ଆଦର ସତ୍କାର କଲେ ଓ ବନକୁ ଆସିବାର କାରଣ ପଚାରିଲେ। ରାଜା କହିଲେ ଯେ ସେ ସୁବର୍ଣ୍ଣ ମୟୂରୀର ସନ୍ଧାନରେ ଆସିଛନ୍ତି।

ସୁବର୍ଣ୍ଣ ମୟୂରୀର କଥା ଶୁଣି ମୁଖିଆ ବଡ଼ ଦୁଃଖିତ ହୋଇ କହିଲେ, "ମହାରାଜ, ଆପଣ ଯାହା ଶୁଣିଛନ୍ତି ସତ୍ୟ। କିନ୍ତୁ ଏହି ଅପୂର୍ବ ପକ୍ଷୀ କିଛିଦିନ ହେବ ଏଠାରେ ଆଉ ଦେଖା ଯାଉନାହିଁ। ମାସେ ଆଗରୁ ମୋର ଝିଅ ତାକୁ ଧରି ଆପଣଙ୍କୁ ଭେଟି ଦେବାକୁ ଚାହୁଁଥିଲା। ସେଇଥିପାଇଁ ସେ ସେହି ମୟୂରୀଟିର ପଛରେ ଧାଇଁ ଧାଇଁ ଘୋର ବନ ମଧ୍ୟକୁ ଗଲା ଯେ ଆଉ ଲେଉଟି ଆସିଲା ନାହିଁ। ତାକୁ ଖୋଜି ଖୋଜି ଆମେ ମଧ୍ୟ ସାରା ଜଙ୍ଗଲ ବୁଲିଲୁ; ହେଲେ ତା'ର କୌଣସି ପତ୍ତା ପାଇଲୁ ନାହିଁ। କେବଳ ଗୋଟିଏ ସ୍ଥାନରେ ସୁବର୍ଣ୍ଣ ମୟୂରୀର ପୁଚ୍ଛଟିଏ ମାତ୍ର ପଡ଼ିଥିଲା।" ଏତିକି କହି ପଲ୍ଲୀର ମୁଖିଆ ପାଖରେ ଠିଆ ହୋଇଥିବା ଏକ ଯୁବକଙ୍କୁ କ'ଣ ଗୋଟେ ଇସାରା କଲେ। ଯୁବକଟି ତତ୍.କ୍ଷଣାତ୍ ଘର ଭିତରୁ ସୁବର୍ଣ୍ଣ ମୟୂରୀର ଚନ୍ଦ୍ରିକାଟିଏ ଆଣି ରାଜାଙ୍କୁ ଦେଲା।

ବିଚିତ୍ରସେନ ଆଚମ୍ଵିତ ହୋଇ କହିଲେ, "ଆଶ୍ଚର୍ଯ୍ୟ, ଏପ୍ରକାର ଚନ୍ଦ୍ରିକା ଥିବା ମୟୂରୀ ନିଶ୍ଚୟ ଦେବଲୋକରୁ ଓହ୍ଲାଇ ଆସିଛି। ସେ ଯାହା ବି ହେଉ ମୁଁ କିନ୍ତୁ ମୋ ସୈନ୍ୟସାମନ୍ତ ନେଇ ସେହି ମୟୁରୀଟିକୁ ଖୋଜିବି ଓ ତୁମ ଝିଅକୁ ମଧ୍ୟ ଖୋଜିବି।" ଏତିକି କହି ରାଜା ଜଙ୍ଗଲକୁ ଚାଲିଗଲେ।
ରାଜା ଓ ତାଙ୍କ ସୈନ୍ୟମାନେ ସେହି ମୟୂରୀକୁ ବହୁ ସମୟ ଧରି ଖୋଜି ଖୋଜି ଶେଷରେ କେଉଁଠି ହେଲେ ବି ତାକୁ ପାଇଲେ ନାହିଁ। ଏହି ସମୟରେ ଜଣେ ସୈନିକ ଦୌଡ଼ି ଆସି କହିଲା, "ମହାରାଜ, ଏହି ଜଙ୍ଗଲର ପଛପଟେ ମୟୂରୀ ଗୋଟିଏ ସାପ ସହିତ ଯୁଦ୍ଧ କରୁଛି।"

ଏକଥା ଶୁଣି ରାଜା ସେହି ଦିଗକୁ ନିଜ ଘୋଡ଼ା ଛୁଟାଇଲେ, କିନ୍ତୁ ମୟୂରୀଟି ଏକଥା ଦେଖି ପାରି ଚଟକରି ବୁଦା ପଛପଟେ ଯାଇ ଲୁଚିଗଲା। ରାଜା କିନ୍ତୁ ସେମିତି ମୟୂରୀ ପଛରେ ଘୋଡ଼ା ଛୁଟାଇଥା'ନ୍ତି। ସୈନ୍ୟମାନେ ପଛରେ ଯାଉଛନ୍ତି। ସେ ଉଡ଼ିଯାଇ ଏକ ସରୋବର କୂଳରେ ଥିବା କୁଟୀର ମଧ୍ୟରେ ପଶିଗଲା। ରାଜା ମଧ୍ୟ ତା' ପଛେ ପଛେ ଗଲେ। 

ଭିତରେ ଯାଇ ଦେଖିଲେ ବୁଢ଼ୀଟିଏ ସେହି ମୟୂରୀଟିକୁ ଆଉଁସି ଦେଉ ଦେଉ କହୁଛି, "ପୁଣି କ'ଣ ବିପଦ ପଡିଲା?" ସେତେବେଳକୁ ତ ସଂଧ୍ୟା ହୋଇ ଗଲାଣି, କିନ୍ତୁ ମୟୂରୀର ସୁନ୍ଦର ପକ୍ଷଗୁଡିକ ଆଲୋକ ବିଚ୍ଛୁରଣ କରୁଥା'ନ୍ତି। ଫଳରେ ସେ କୁଟୀର ଆଲୋକିତ ହୋଇଥାଏ।

ବୁଢ଼ୀକୁ ଚାହିଁ ରାଜା କହିଲେ, "ମାଉସୀ, ଏହି ସୁବର୍ଣ୍ଣ ମୟୂରୀପାଇଁ ମୁଁ ଏଠାକୁ ଆସିଛି। ଏଇଟି ମୋତେ ଦେଇ ଦିଅ ଓ ପୁରସ୍କାର ସ୍ୱରୂପ ଏହି ହୀରାର ହାରଟି ନିଅ।" ଏତିକି କହି ରାଜା ତାଙ୍କ ବେକରୁ ହାରଟି କାଢ଼ିଲେ।

ବୁଢ଼ୀ ରାଜାଙ୍କୁ ଗମ୍ଭୀର ହୋଇ ଚାହିଁ କହିଲା, "ତୁମେ ଏପରି କ'ଣ କହୁଛ? ଏଇଟି ଯେ ମୋର ପୋଷା ମୟୂରୀ। ଯଦି ନିହାତି ଜିଦ କରି କହୁଛ ତେବେ ମୁଁ ତା'ର ପକ୍ଷୀଟିଏ ତୁମକୁ ଦେବି। ସେତିକି ନେଇ ସନ୍ତୁଷ୍ଟ ହୋଇ ଏଠାରୁ ଫେରିଯାଅ।"

ରାଜା ଅଳ୍ପହସି କହିଲେ, "ମାଉସୀ, ମୁଁ ଏ ଦେଶର ଶାସକ, ଏହି ଅରଣ୍ୟର ପ୍ରତିଟି ଗଛଲତା, ପଶୁପକ୍ଷୀ ସବୁକିଛି ଉପରେ ମୋର ହିଁ ଅଧିକାର ଅଛି। ଏହା କହି ସୁବର୍ଣ୍ଣ ମୟୂରୀଟି ନେବାକୁ ରାଜା ଚେଷ୍ଟା କଲେ। କିନ୍ତୁ ସେ ନିଜେ ହଠାତ ପଡ଼ିଗଲେ। ସେ ଉଠିବା ପରେ ବୁଢ଼ୀ କହିଲା, "ଇଏ କୌଣସି ସାଧାରଣ ମୟୂରୀ ନୁହେଁ। ଦେବାଂଶରେ ଏହାର ଜନ୍ମ। ମୋର ଅନୁମତି ବିନା ଏହାକୁ ଏଠାରୁ କେହି ମଧ୍ୟ ନେଇ ଯାଇ ପାରିବ ନାହିଁ। ତେବେ ମୋର ତୁମ ଉପରେ ଦୟା ଆସୁଛି। ଏଇ ବୀଣାଟିକୁ ବଜାଇ ମେଘମହ୍ଲାର ରାଗରେ ଏକ ମଧୁର ଗୀତ ଗାଅ, ତେବେ ଯାଇ ତୁମେ ମୟୂରୀର ଏକ ଅଣ୍ଡା ପାଇ ପାରିବ।" ଏତିକି କହି ସେ ରାଜାଙ୍କୁ ବୀଣାଟିଏ ଦେଲା।

ରାଜା ବୁଢ଼ୀର କଥା ମାନି ସେହି ବୀଣାଟିକୁ ଧରି ସେହିଠାରେ ବସିଯାଇ ମଧୁର ସ୍ୱରରେ ମେଘମହ୍ଲାର ରାଗରେ ଗୀତଟିଏ ଗାଇଲେ। ମୟୂରୀଟି ଖୁବ ନାଚିଲା ଓ ନାଚ ଶେଷରେ ସେ ଅଣ୍ଡାଟିଏ ଦେଲା। ଅଣ୍ଡାଟି ନେଇ ବୁଢ଼ୀ ରାଜାଙ୍କୁ ଦେଇ କହିଲା, "ପୁଅ, ସପ୍ତାହକ ପରେ ଅଣ୍ଡାଟି ଫୁଟିବ। ସେଥିରୁ ସୁନାର ମୟୂରଟିଏ ବାହାରିବ। କିନ୍ତୁ ମନେରଖ ସେପର୍ଯ୍ୟନ୍ତ ସୂର୍ଯ୍ୟକିରଣ ଯେପରି ତା'ଉପରେ ନପଡ଼େ। ଏହି ଅଣ୍ଡା ବିଷୟରେ କାହାକୁ କିଛି ହେଲେ ମଧ୍ୟ କହିବ ନାହିଁ, ଲୋକେ ଜାଣିଲେ ଏହାର ମହିମା ଲୁପ୍ତ ହୋଇଯିବ।"

ରାଜା ଅତି ଆନନ୍ଦରେ ସେହି ଅଣ୍ଡାଟିକୁ ବଡ଼ ଯତ୍ନର ସହିତ ନିଜ ଲୁଗା ମଧ୍ୟରେ ରଖି ନଅରକୁ ଫେରି ଆସିଲେ। ତାଙ୍କ କକ୍ଷ ନିକଟରେ ଅନ୍ୟ ଏକ କକ୍ଷରେ ଚନ୍ଦନକାଠର ଏକ ସିନ୍ଦୁକ ମଧ୍ୟରେ ଅଣ୍ଡାଟିକୁ ରଖିଲେ। ଛଅ ଦିନ ପରେ ସପ୍ତମ ଦିନ ରାଜାଙ୍କର ବାରବର୍ଷର ଝିଅ ଦୀପ୍ତିରେଖା ସଖୀମାନଙ୍କ ସହିତ ଲୁଚକାଳି ଖେଳୁ ଖେଳୁ ସେଠାକୁ ଗଲେ। ସିନ୍ଦୁକଟି ଖୋଲି ଦେଖିବାକୁ ହଠାତ ତାଙ୍କର ଭାରି ଇଚ୍ଛା ହେଲା।

ସୁନାରଙ୍ଗର ଝଲମଲ କରୁଥିବା ଅଣ୍ଡାଟିକୁ ଦେଖି ରାଜକୁମାରୀ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଖୁସିରେ ସେଇଟିକୁ ଉଠାଇ ଆଣି ଖେଳସାଥୀମାନଙ୍କୁ ଦେଖାଇବାକୁ ଉଦ୍ୟାନକୁ ନେଇଗଲେ। ସେଠାରେ ଏହା ଉପରେ ସୂର୍ଯ୍ୟଙ୍କର କିରଣ ପଡ଼ିବାମାତ୍ରେ ଖୁବ୍ ଶବ୍ଦ କରି ସେଇଟି ଫାଟିଗଲା ଓ ସେଥିରୁ ସୁନା ରଙ୍ଗର ଛୋଟ ସାପଟିଏ ବାହାରି ଆସିଲା। ସାପଟି ବାହାରିବା ସଙ୍ଗେ ସଙ୍ଗେ ରାଜକୁମାରୀଙ୍କ ପାଦକୁ ଦଂଶନ କଲା। ପରମୁହୂର୍ତ୍ତରେ ରାଜକୁମାରୀ ନିଜେ ସୁବର୍ଣ୍ଣ ମୟୂରୀରେ ପରିଣତ ହୋଇଗଲେ ଓ ଆକାଶରେ ଉଡ଼ି ଉଡ଼ି ସେ ସିଧା ଜଙ୍ଗଲକୁ ଚାଲିଗଲେ।

ଏପରି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖି ଦୀପ୍ତିରେଖାଙ୍କର ସାଥୀମାନେ ଚିତ୍କାର କରି ଯାଇ ରାଜାଙ୍କ ପାଖରେ ପହଞ୍ଚି ତାଙ୍କୁ ସବୁକଥା କହିଲେ। ରାଜା ତତ୍.କ୍ଷଣାତ୍ ଘୋଡ଼ାରେ ବସି ସେହି ମୟୂରୀର ପିଛା କଲେ। ଶେଷରେ ସେ ଦେଖିଲେ ମୟୂରୀଟି ବୁଢ଼ୀର କୁଟୀର ଭିତରକୁ ପଶିଗଲା। ରାଜା ମଧ୍ୟ ସେହି କୁଟୀର ଭିତରକୁ ଗଲେ। ସେଠାରେ ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ତିନୋଟି ସୁବର୍ଣ୍ଣ ମୟୂରୀ ଏକାଠି ବସିଛନ୍ତି। ସେମାନେ ସବୁ ଦେଖିବାକୁ ପୂରା ଏକାପରି।

ରାଜାଙ୍କୁ ଦେଖି କିଛି ନଜାଣିଲାପରି ବୁଢ଼ୀ କହିଲା, "କ'ଣ ହେଲା ପୁଅ? ପୁଣି କାହିଁକି ଆସିଲ? ମୟୂରୀର ଅଣ୍ଡା ଫୁଟିଲା ନାହିଁକି? ଆହୁରି ଅଣ୍ଡାଟିଏ ଦରକାର କି?"

ରାଜା ରାଗିଯାଇ କହିଲେ, "ହେ ବୁଢ଼ୀ, ଜାଣିଶୁଣି ସେମିତି ନାଟକ କଲେ ତତେ ହାଣି ମୁଁ ଟିକି ଟିକି କରିଦେବି। ମୋର ଗୋଟିଏ ବୋଲି ଝିଅ ମୟୂରୀ ହୋଇ ଏଠାକୁ ଚାଲି ଆସିଛି। ମୋତେ ମୋ ଝିଅକୁ ଦେଇ ଦେ।" ରାଜା ତାଙ୍କ ତରବାରୀ ଉଠାଇ ଏହା କହିଲେ।

ବୁଢ଼ୀ ତା'ର ପାକୁଆପାଟି ଖୋଲି ଏକ ବିକଟ ହାସ୍ୟ କରି କହିଲା, "ମୁଁ ଜାଣେ ତୁମେ ବଡ଼ ବୀର। ପ୍ରଥମେ ତରବାରୀ ତଳକୁ କର। ଏହି ତିନୋଟି ମୟୂରୀ ମଧ୍ୟରୁ ତୁମର ଝିଅ କିଏ ଯଦି ତାହା ଚିହ୍ନି ପାରିବ, ତେବେ ସେ ସଙ୍ଗେସଙ୍ଗେ ନିଜର ରୂପ ନେଇ ଠିଆ ହେବ। ଆଉ ଯଦି ଚିହ୍ନି ନପାରିବ, ତେବେ ତୁମେ ମଧ୍ୟ ଏଠାରେ ଏକ ମୟୂର ହୋଇ ରହିଯିବ।"

ରାଜା ତାଙ୍କ ତରବାରୀକୁ ଖୋଳରେ ପୂରାଇଲେ। ସେହି ମୟୂରୀମାନଙ୍କ ମଧ୍ୟରୁ ଗୋଟିଏ ବେକ ଉଠାଇ ରାଜାଙ୍କ ଆଡ଼େ ଚାହିଁଲା। ରାଜା ଦେଖିଲେ ତା'ର ଚକ୍ଷୁରେ ଅଶ୍ରୁ। ଅନ୍ୟଟି ମୁଣ୍ଡତଳକୁ କରି ବସିଛି। ତା'ର ଚକ୍ଷୁରେ ମଧ୍ୟ ଅଶ୍ରୁ।

କିଛି ସମୟ ଭାବିବା ପରେ ରାଜା କହିଲେ, "ଯିଏ ମୁଣ୍ଡ ଉଠାଇ ଚାହୁଁଛି ସେ ହିଁ ମୋର ଝିଅ ଦୀପ୍ତିରେଖା। ମୁଣ୍ଡ ତଳକୁ କରି ଯିଏ ବସିଛି, ସେ ଜଙ୍ଗଲ ମୁଖିଆଙ୍କ ଝିଅ।"

ରାଜାଙ୍କ କଥା ଶୁଣି ବୁଢ଼ୀ କହିଲା, "ପୁତ୍ର ତୁମର ଅନୁମାନ ସତ୍ୟ। ମୁଁ ଏବେ ହିଁ ତୁମ ଝିଅକୁ ତା'ର ନିଜରୂପ ଦେଇଦେବି।" ମନ୍ତ୍ର ଉଚ୍ଚାରଣ କରି ବୁଢ଼ୀ ସେହି ମୟୂରୀ ପାଖକୁ ଗଲା।

ରାଜା ସଙ୍ଗେସଙ୍ଗେ ଚିତ୍କାର କରି କହିଲେ, "ମାଉସୀ, ଟିକିଏ ରହିଯାଅ। କେବଳ ମୋ ଝିଅକୁ ନୁହେଁ, ବଣର ମୁଖିଆଙ୍କ ଝିଅକୁ ମଧ୍ୟ ନିଜରୂପ ଦେଇ ଦିଅ।"

ବୁଢ଼ୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା, "ବଣର ମୁଖିଆଙ୍କ ଝିଅପାଇଁ ତୁମେ କାହିଁକି ଅଯଥା ଚିନ୍ତିତ ହେଉଛ?"

ରାଜା କହିଲେ, "ଏହି ବଣର ମୁଖିଆ ମୋ ରାଜ୍ୟର ନାଗରିକ। ମୋ ନିଜ ଝିଅ ଅପେକ୍ଷା ଅଧିକ ଯତ୍ନର ସହିତ ତାଙ୍କ ଝିଅକୁ ରକ୍ଷା କରିବା ମୋର ରାଜଧର୍ମ। ଯଦି ସେପରି କରିବାରେ ତୁମର କିଛି ଆପତ୍ତି ଅଛି, ତେବେ ମୋତେ ମଧ୍ୟ ସୁବର୍ଣ୍ଣ ମୟୂର କରିଦିଅ।"

ବୁଢ଼ୀ ରାଜାଙ୍କ କାନ୍ଧରେ ହାତରଖି ତାଙ୍କୁ କହିଲା, "ରାଜନ୍, ତୁମର ଧର୍ମବୁଦ୍ଧି, ନ୍ୟାୟବୁଦ୍ଧି ଓ ଦୟାଗୁଣ ଦେଖି ମୁଁ ତୁମ ଉପରେ ବହୁତ ଖୁସି ହୋଇଛି। ଏହା ମନେରଖ ଯେ ତୁମର ନାଗରିକମାନଙ୍କ ମଧ୍ୟରୁ ମୁଁ ବି ଜଣେ। ମୋର ଏକ ଅନୁରୋଧ ରଖ। ଏହି ପ୍ରାଣୀ କାହାର କିଛି କ୍ଷତି କରୁନାହିଁ। ସେ ତା'ର ସ୍ୱାଧୀନ ଭାବରେ ବଣରେ ଘୂରିବୁଲିବ। ନିୟମ କରିଦେବ ଯେ, କୌଣସି ଲୋକ ନିମନ୍ତେ କ୍ରୂରଭାବରେ ପଶୁପକ୍ଷୀଙ୍କୁ ବାନ୍ଧି ପକାଇବା, ମାରିଦେବା ଇତ୍ୟାଦି ଯେପରି ନିଷେଧ ହେବ। କାରଣ ଏହା ସେମାନଙ୍କ ପ୍ରତି ଏକ ଅତ୍ୟାଚାର। ରାଜ୍ୟବାସୀ ପ୍ରଜାମାନଙ୍କ ଭଳି ରାଜ୍ୟର ସମସ୍ତ ପଶୁପକ୍ଷୀଙ୍କର ନିରାପଦ ଜୀବନ ମଧ୍ୟ ତୁମର ଦାୟିତ୍ଵ ନା?"

ରାଜା କହିଲେ, "ତୁମର ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ।" ବୁଢ଼ୀ ମନ୍ତ୍ର ପଢ଼ି ସେମାନଙ୍କୁ ନିଜରୂପ ଦେଲା। ରାଜା ବୁଢ଼ୀକୁ ଧନ୍ୟବାଦ ଦେଇ, ତାକୁ କିଛି ପାରିତୋଷିକ ଦେଲେ ଓ ସେଠାରୁ ଫେରିଲେ। ମୁଖିଆକୁ ତା'ଝିଅକୁ ଦେଲେ ଓ ଦୀପ୍ତିରେଖାକୁ ନେଇ ନଅରକୁ ଆସିଲେ। ପରବର୍ତ୍ତୀ ଦିନଠାରୁ ଗୃହପାଳିତ ଅଥବା ବନ୍ୟ ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ରାଜା ବିଧିବଦ୍ଧ ଭାବରେ କଡ଼ା ନୀତିନିୟମ ପ୍ରଚଳନ କଲେ।
 

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.