ଠକ ନଗରୀ
ଠକ ନଗରୀ
✶⊶⊷⊶⊷❍ ❀ ❍⊶⊷⊶⊷✶
ସଂଗ୍ରହ : ଶମ୍ଭୁ ଦାସ
ସୌଜନ୍ୟ : ଆନିମେସନ ଓଡ଼ିଶା
ପୂର୍ବ ସିଂହଳ ଦେଶରେ ଜଣେ ବଣିକ ରହୁଥିଲେ । ସମୁଦ୍ରରେ ବାଣିଜ୍ୟ କରି ସେ ଅଜସ୍ର ଅର୍ଥ ଉପାର୍ଜନ କରିଥିଲେ । ମୃତ୍ୟୁ ପୂର୍ବରୁ ସେ ତାଙ୍କ ପୁତ୍ର ହସ୍ତରେ ବ୍ୟବସାୟ ଅର୍ପଣ କରିବା ସମୟରେ ତାଙ୍କୁ ଉପଦେଶ ଦେଇଥିଲେ, “ପୁତ୍ର, ତୁମେ ମୋ ପରି ସାମୁଦ୍ରିକ ବାଣିଜ୍ୟରେ ସଫଳ ହେବ, କିନ୍ତୁ ଭୁଲ୍ରେ ମଧ୍ୟ କେବେବି ସେ ଠକ ନଗରୀରେ ପାଦ ରଖିବ ନାହିଁ ।”
ପିତାଙ୍କ ମୃତ୍ୟୁ ପରେ ଜୟପାଳ ସାମୁଦ୍ରିକ ବାଣିଜ୍ୟର ଶୁଭାରମ୍ଭ କଲେ । ତାଙ୍କ ପାଖରେ ତ ଚାରୋଟି ନୌକା ଥିଲା । ପିତା ତାଙ୍କୁ ଠକ ନଗରୀ ଯିବା ପାଇଁ ବାରଣ କରିବା ଦିନ ଠାରୁ ତାଙ୍କ ମନରେ କୌତୁହଳ ଜାତ ହୋଇଥାଏ ଯେ କାହିଁକି ସେଠାକୁ ଯିବା ପାଇଁ ପିତା ବାରଣ କରୁଛନ୍ତି । ତେଣୁ ସେ ସ୍ଥିର କଲେ ଠକ ନଗରୀ ଯିବେ ଓ ସେହିଠାରୁ ବ୍ୟବସାୟ ଆରମ୍ଭ କରିବେ । ତାଙ୍କର ନିଜର ଚତୁରତା ଓ ବୁଦ୍ଧିମତା ଉପରେ ଖୁବ୍ ଆସ୍ଥା ଥାଏ । ତେଣୁ ସେ ଭାବିଲେ, ମୋତେ କେହି ଠକିବା ପାଇଁ ଚାହିଁଲେ, ମୁଁ ତାକୁ ମୋ ବୁଦ୍ଧିର କୌଶଳରେ ପରାଜିତ କରିପାରିବି । ସୂର୍ଯ୍ୟୋଦୟ ସମୟରେ ଚାରୋଟି ନୌକା ସହିତ ସେ ଯାଇ ସେହି ନଗରୀର ତଟ ଦେଶରେ ପହଁଚିଲେ । ହାତରେ ଧନୁଶର ଧରି ଶିକାର ଉଦ୍ଧେଶ୍ୟରେ ସେ ତଟ ନିକଟରେ ବୁଲୁଥିବା ସମୟରେ ଏକ ବଗ ବସିଥିବାର ସେ ଦେଖିଲେ । ବଗ ସମୁଦ୍ରରୁ ମାଛ ଧରିବା ପାଇଁ ଧ୍ୟାନସ୍ଥ ହୋଇ ବସିଥିବା ବେଳେ ସେ ଲକ୍ଷ୍ୟ କରି ତୀର ଚଳାଇଲେ । ତା’ପରେ ସେ ବଗଟି ମରି ପାଣିରେ ପଡିଗଲା ।
ନିକଟରେ ମାଛ ମାରିବା କାମରେ ଲାଗିଥିବା ଜଣେ ଧୀବର ଏହା ଦେଖି ଦୌଡି ଦୌଡି ଆସି ସେଠାରେ ପହଁଚିଲା । ସେ ଜୟପାଳଙ୍କୁ ଦେଖୁ ଦେଖୁ ଚିତ୍କାର କରି କହିଲା, “କିଏ ତମେ? ତୁମେ ଏ କଣ କଲ? ମୋର ପିତାଙ୍କୁ ତୁମେ ମାରି ପକାଇଲ? ମୁଁ ତୁମ ବିରୁଦ୍ଧରେ ରାଜାଙ୍କ ନିକଟରେ ଅଭିଯୋଗ କରିବି ।”
ଜୟପାଳ ବିସ୍ମିତ ହୋଇ ପ୍ରଶ୍ନ କଲେ, “କ’ଣ ଏଇ ବଗ ତୁମର ପିତା?”
ଧୀବର କହିଲା “ହଁ, ପୂର୍ବଜନ୍ମରେ ସେ ମୋର ପିତା ଥିଲେ । ଏବେ ଜଳପକ୍ଷୀ ରୂପରେ ମାଛ ମାରିବା କାମରେ ସେ ମୋତେ ସହାୟତା କରୁଛନ୍ତି ।”
ଜୟପାଳ ତା’ର ଏଭଳି କଥାକୁ ଆଦୌ ବିଶ୍ୱାସ କଲେ ନାହିଁ, ଓଲଟି ଧମକ ଦେଇ ସେ କହିଲେ, “ଯା, ଯା, ଯେଉଁଠାରେ ଇଚ୍ଛା ତୁ ମୋ ବିରୁଦ୍ଧରେ ଅଭିଯୋଗ କରିବା କଥା କର ।” ଧୀବର ଆଉ ଅଧିକ କିଛିବି ନ କହି ଚୁପ୍ଚାପ୍ ସେଠାରୁ ଚାଲିଗଲା ।
ଏହା ପରେ ଜୟପାଳ ନଗର ମଧ୍ୟରେ ପ୍ରବେଶ କଲେ ।
ଜଣେ ଲୋକ ଆସି ତାଙ୍କ ସମ୍ମୁଖରେ ଠିଆ ହୋଇ କହିଲା, “ବହୁଦିନ ପରେ ତୁମର ଦେଖା ମିଳିଲା । ଅନେକ ଦିନ ତଳେ ମୁଁ ମୋର ଡାହାଣ କାନ ତୁମ ପିତାଙ୍କ ନିକଟରେ ବଂନ୍ଧାରଖି ଦଶଟଙ୍କା କରଜ ନେଇଥିଲି । ଏବେ ମୁଁ ସେ ଟଙ୍କା ତୁମକୁ ଫେରାଇ ଦେଉଛି । ମୋର କାନ ମୋତେ ଦେଇଦିଅ ।”
ତା’ କଥା ଶୁଣି ଜୟପାଳ ସ୍ତମ୍ଭିତ ହୋଇଗଲେ । ସେ ଲୋକଟିକୁ ନୀରିକ୍ଷଣ କରିବାରେ ଲାଗିଲେ । ପ୍ରକୃତରେ ତା’ର କେବଳ ବାମ କାନ ଥିଲା । ସେ ଲୋକଟିକୁ କହିଲେ, “ମୋର ପିତା ତ କାହିଁ ତୁମର କାନ ସମ୍ବନ୍ଧରେ ମୋତେ କିଛି କହିନାହାଁନ୍ତି ।”
“ତୁମ ପିତା ଏ ବିଷୟରେ କିଛି ନ ଜଣେଇଥିଲେ, ମୋର ସେଥିରେ ଯାଏ ଆସେ କେତେ? ତାଙ୍କର ପୁତ୍ର ହିସାବରେ ତୁମର କର୍ତ୍ତବ୍ୟ, ବଚନ ପାଳନ କରିବା ଉଚିତ୍ । ମୋତେ ମୋର କାନ ଫେରାଇଦିଅ ନଚେତ୍ ମୁଁ ତୁମ ବିରୁଦ୍ଧରେ ରାଜାଙ୍କ ନିକଟରେ ଅଭିଯୋଗ କରିବି ।” ଏପରି କହି ଲୋକଟି ସେଠାରୁ ଚାଲିଗଲା ।
ଆଉ ଟିକିଏ ଆଗକୁ ଯିବା ପରେ ଜଣେ ସ୍ତ୍ରୀଲୋକ ତାଙ୍କ ନିକଟକୁ ଆସି କହିଲା, “ପୁତ୍ର, ଷୋହଳ ବର୍ଷ ପୂର୍ବେ ତୁମର ପିତା ମୋତେ ବିବାହ କରିଥିଲେ ଓ ତାପରେ ସେ ମୋତେ ନ ଜଣାଇ ଏ ସ୍ଥାନ ଛାଡି ଚାଲିଗଲେ । ସେ ମୋତେ କଥା ଦେଇଥିଲେ ଯେ, ଭରଣପୋଷଣ ପାଇଁ ଦଶହଜାର ଟଙ୍କା ଦେବେ । ଏବେ ମୁଁ ଜାଣେ ନାହିଁ, ତୁମର ପିତା ଜୀବିତ ବା ମୃତ । ସେ ମୋ ସହିତ ଅନ୍ୟାୟ କରିଛନ୍ତି । ଏବେ ମୋର କେହି ସାହାଭରସା ନାହାଁନ୍ତି । ମୁଁ ତୁମ୍ଭର ମା’ ସମାନ । ଏଣୁ ତୁମେ ମୋର ସହାୟତା କର । କିନ୍ତୁ ମନେରଖ, ତୁମେ ମୋତେ ସାହାଯ୍ୟ ନ କଲେ ମୁଁ ତୁମ ବିରୁଦ୍ଧରେ ରାଜାଙ୍କ ନିକଟରେ ଅଭିଯୋଗ ଆଗତ କରିବି ।”
ଜୟପାଳ ତା’ର କଥାରେ ଏକଦମ୍ ବିଗିଡିଯାଇ ତାକୁ କହିଲେ, “ଯା’ କାହାକୁ କହିବାର ଅଛି କୁହ, ହେଲେ ମୁଁ ତୁମକୁ ପଇସାଟିଏ ବି ଦେବିନାହିଁ ।” ଏପରି କହି ସେ ନିଜର ନୌକା ନିକଟକୁ ଫେରି ଆସିବାକୁ ବାହାରିଲେ ।
ବାଟରେ ତାଙ୍କର ଏକ ବାରିକ ସହ ଦେଖାହେଲା । ସେ ତାଙ୍କୁ ପଚାରିଲା, “ବାବୁ, ମୁଁ ତୁମର ବାଳ କାଟିଦେବି?”
ଜୟପାଳ ପ୍ରଶ୍ନ କଲେ, “ସେଥିଲାଗି ମୋତେ କେତେ ପଇସା ଦେବାକୁ ପଡିବ?”
ତହୁଁ ସେ ବାରିକ କହିଲା “ମୋତେ ଖୁସିକଲା ପରି ଯାହା କିଛି ଦେବେ ।”
ଜୟପାଳ ବାଳ କାଟିବା ପରେ ତାକୁ ଏକଟଙ୍କା ଦେବାରୁ ସେ ତାହା ନେବାକୁ ଆଦୌ ରାଜି ହେଲା ନାହିଁ । ପାଂଚଟଙ୍କା ଦେବାରୁ ସେ ତାହା ମଧ୍ୟ ଗ୍ରହଣ କଲା ନାହିଁ । ଜୟପାଳ ତାକୁ ଖୁସି କରାଇବା ପାଇଁ ଅଧିକ ଅର୍ଥ ଦେବାରୁ ତାହା ନେବାକୁ ସେ ସମ୍ପୂର୍ଣ୍ଣ ରୂପେ ମନା କରିଦେଲା ।
ଶେଷରେ ଜୟପାଳ ବିରକ୍ତ ହୋଇ କହିଲେ, “ମୁଁ ତୁମକୁ କିଛି ବି ଦେବି ନାହିଁ । ଯାଅ ତୁମେ ଏବେ ଯେଉଁଠାରେ ଯାଇ ମୋ ବିରୁଦ୍ଧରେ ଅଭିଯୋଗ କରିବା କଥା କରିପାର ।”
ଧୀବର, ଏକକାନ ବାଲା ଲୋକ, ସ୍ତ୍ରୀଲୋକ ଓ ବାରିକ ଏହି ଚାରିଜଣ ଜୟପାଳଙ୍କ ବିରୁଦ୍ଧରେ ରାଜାଙ୍କ ନିକଟରେ ଫେରାଦ୍ ଦେଲେ । ତା’ପରେ ଜୟପାଳଙ୍କୁ ରାଜସଭାକୁ ଡକାଇ ନିଆଗଲା । ରାଜା ଶୁଣାଣି ଆରମ୍ଭ କଲେ । ପ୍ରଥମେ ଧୀବର ରାଜାଙ୍କୁ କହିଲା, “ମହାରାଜ, ମୋର ମୃତ ପିତା ଏହି ଜନ୍ମରେ ବଗ ରୂପରେ ଜନ୍ମ ଗ୍ରହଣ କରିଛନ୍ତି । ବହୁଦିନ ହେଲା ମାଛ ଧରିବାରେ ସେ ମୋତେ ସାହାଯ୍ୟ କରି ଆସୁଥିଲେ । ଏହି ଲୋକ ଆଜି ସକାଳେ ସେହି ବଗକୁ ମାରି ଦେଇଛି । ଏହି ଦୁନିଆରେ ମୋତେ ସାହାଯ୍ୟ କରିବା ପାଇଁ ଆଉ କେହି ହେଲେ ମଧ୍ୟ ନାହାଁନ୍ତି । ମହାରାଜ, ତା’ଠାରୁ ଗୋଟିଏ ନୌକା ଆଣି ମୋତେ ଦିଅନ୍ତୁ, ଯାହା ଦ୍ୱାରା ମୁଁ ମୋ ଜୀବିକା ଚଳେଇପାରିବି ।”
ରାଜା ଜୟପାଳଙ୍କୁ କହିଲେ, “ଏହି ଧୀବରକୁ କ୍ଷତିପୂରଣ ସ୍ୱରୂପ ଏକ ନୌକା ପ୍ରଦାନ କର ।”
ଏକକାନ ବାଲା ଲୋକ ରାଜାଙ୍କୁ ଅଭିଯୋଗ କରି କହିଲା, “ମହାରାଜ ଏହି ଲୋକର ପିତା ମୋର ଡାହାଣକାନ ବନ୍ଧାରଖି ଦଶଟଙ୍କା ମୋତେ ଦେଇଥିଲେ । ମୁଁ ଏବେ ସେହି ଟଙ୍କା ଫେରେଇ ଦେବାକୁ ପ୍ରସ୍ତୁତ । କିନ୍ତୁ ସେ ମୋତେ କାନ ଫେରାଇବା ବଦଳରେ ଧମକ ଦେଉଛି ।”
ରାଜା ତାଙ୍କର ନିର୍ଣ୍ଣୟ ଶୁଣାଇଲେ ଯେ, ଜୟପାଳ କ୍ଷତିପୂରଣ ସ୍ୱରୂପ ତାଙ୍କର ଅନ୍ୟ ଏକ ନୌକା ସେହି ଲୋକକୁ ଦେବେ ।
ଏହାପରେ ସ୍ତ୍ରୀଲୋକଟି ତା’ର ଅଭିଯୋଗ ବାଢିଲା । ଏଥର ମଧ୍ୟ ସେ ରାଜା ତାଙ୍କ ନିଷ୍ପତି ଶୁଣାଇ ଜୟପାଳଙ୍କର ଏକ ନୌକା ସ୍ତ୍ରୀ ଲୋକଟି ପାଇବ ବୋଲି ଘୋଷଣା କଲେ ।
ଶେଷରେ ବାରିକ ତା’ର ଅଭିଯୋଗ ଉପସ୍ଥାପନ କରି କହିଲା, “ମହାପ୍ରଭୁ, ଏହି ଲୋକ ମୋ ନିକଟରେ ବାଳ କାଟିଲେ, ପ୍ରତିବଦଳରେ ମୋତେ ଖୁସୀ କରିବା ଭଳି କିଛି ଦେବେ ବୋଲି ସେ ମଧ୍ୟ ରାଜି ହେଲେ । ଏବେ ସେ ତାଙ୍କର ଏକ ନୌକା ମୋତେ ପ୍ରଦାନ କଲେ ମୁଁ ବହୁତ ଖୁସି ହେବି ।”
ରାଜା ତାଙ୍କର ରାୟ ଶୁଣାଇବାକୁ ଯାଇ କହିଲେ “ତେଣୁ ଜୟପାଳ ତାଙ୍କୁ ନିଶ୍ଚୟ ଏକ ନୌକା ଦାନ କରିବେ ।”
ଏବେ ସେ ଜୟପାଳ ଠିକ୍ ବୁଝିପାରିଲେ ଯେ, ଏହି ନଗରୀ ଠକ ଲୋକମାନଙ୍କର ଏକ ଅମରାବତୀ । ତେଣୁ ଏହାର ନାମ ଏପରି ହୋଇଛି । କେବଳ ସେଇଥିପାଇଁ ବୋଧେ ତାଙ୍କର ପିତା ତାଙ୍କୁ ଏଠାକୁ ଆସିବାକୁ ବାରଣ କରିଥିଲେ । କିନ୍ତୁ ସେ ଚତୁରତାର ସହ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ବଦ୍ଧ ପରିକର ହେଲେ । ଏବେ ତାଙ୍କ ନିକଟରେ କେବଳ ଏକ ରତ୍ନହାର ବାକି ଥିଲା ।
ସେ ରାଜସଭାରେ ଉପସ୍ଥିତ ଥିବା ରାଜାଙ୍କର ଦଶବର୍ଷର ପୁତ୍ରର ଗଳାରେ ରତ୍ନହାରଟି ପିନ୍ଧାଇଦେଲେ ।
ସଭାରେ ଉପସ୍ଥିତ ବ୍ୟକ୍ତିଗଣ ତାଳି ମାରି ଜୟପାଳଙ୍କର ଏହି କାର୍ଯ୍ୟକୁ ସହର୍ଷରେ ସମର୍ଥନ କଲେ ।
ରାଜା ପୁତ୍ରକୁ ନିଜ ପାଖକୁ ଡକାଇ ସେହି ରତ୍ନହାର ଦେଖିଲେ ଓ ଖୁବ୍ ଆନନ୍ଦିତ ହେଲେ ।
ଜୟପାଳ ସମସ୍ତଙ୍କୁ ପ୍ରଶ୍ନ କଲେ, “ମୁଁ ରାଜକୁମାରଙ୍କୁ ରତ୍ନହାର ଉପହାର ପ୍ରଦାନ କରିବା ନେଇ, ଏହି ସଭାରେ କେହି ମୋ ଉପରେ ଅସନ୍ତୁଷ୍ଟ କି?”
ସମସ୍ତେ ବଡ଼ପାଟିରେ କହିଲେ, “ନା’ ନା’ ଆମେ ସମସ୍ତେ ଆନନ୍ଦିତ ।”
ଜୟପାଳ ସେହି ବାରିକ ପାଖକୁ ଯାଇ କହିଲେ, “କୁହ, ତୁମେ ଏହି କାମରେ ଖୁସୀ କି ନୁହେଁ?”
ବାରିକ, ତା’ର ଖୁସୀ ହେବା କଥା ସ୍ୱୀକାର କଲା ।
ଏହାପରେ ସେ ଜୟପାଳ ରାଜାଙ୍କୁ କହିଲେ, “ମହାରାଜ, ଆପଣଙ୍କ ସମ୍ମୁଖରେ ମୁଁ ଏ ବାରିକକୁ ଖୁସୀ କରାଇପାରିଲି । ତେଣୁ ତା’କୁ ମୋର ଏକ ନୌକା ଦେବାର ଆଉ କୌଣସି ଆବଶ୍ୟକତା ନାହିଁ ।”
ରାଜା ତାଙ୍କ କଥାକୁ ସମର୍ଥନ କଲେ ।
ଜୟପାଳ ସେହି ସ୍ତ୍ରୀଲୋକଟି ପାଖକୁ ଯାଇ କହିଲେ, “ଦେବୀ, ମୁଁ ତୁମକୁ କ୍ଷତିପୂରଣ ଦେବା ପାଇଁ ପ୍ରସ୍ତୁତ । କିନ୍ତୁ ଏଥିରେ ଏକ ସମସ୍ୟା ରହିଛି । ଆମ ଦେଶର ରୀତି ଅନୁସାରେ ପତି ମୃତ୍ୟୁ ବରଣ କଲେ, ସେହି ସମୟରେ ପତ୍ନୀ ଜୀବିତ ଥିଲେ ତାଙ୍କୁ ପତିଙ୍କ ଚିତାରେ ଆତ୍ମହୃତି ଦେବାକୁ ପଡିବ । ଦୁର୍ଭାଗ୍ୟର କଥା ମୋର ପିତାଙ୍କର ଦେହାନ୍ତ ଆଜକୁ ଏକ ବର୍ଷ ତଳେ ହୋଇ ସାରିଛି । ତେଣୁ ତୁମେ ଚିତା ଜଳାଇ ପ୍ରାଣତ୍ୟାଗ କଲେ, ମୁଁ ତୁମର ଉତ୍ତରାଧିକାରୀଙ୍କୁ କ୍ଷତିପୂରଣ ପାଇଁ ଦଶହଜାର ଟଙ୍କା ଦେଇଦେବି ।”
ସ୍ତ୍ରୀ ଲୋକଟି ଦୃଢ ପ୍ରତିବାଦ କରି କହିଲା, “ନା, ନା, ମୁଁ ଏବେ ମରିବା ପାଇଁ ପ୍ରସ୍ତୁତ ନୁହେଁ ।”
ଜୟପାଳ ରାଜାଙ୍କୁ କହିଲେ, “ମହାରାଜ, ତେବେ ଏହି ସ୍ତ୍ରୀ ଲୋକଙ୍କୁ କ୍ଷତି ପୂରଣ ଦେବାରେ ଆଉ କ’ଣ ଆବଶ୍ୟକତା ଅଛି କି?”
ରାଜା ‘ନା’ କହି ଜୟପାଳଙ୍କୁ ସମର୍ଥନ କଲେ ।
ତା’ପରେ ଏକକାନ ବାଲା ଲୋକକୁ ସେ କହିଲେ, “ଭାଇ, ତୁମ କାନ ଫେରେଇବା ପାଇଁ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ଅସୁବିଧା ହେଉଛି ଯେ, ମୋର ପିତା ଜୀବିତ ଥିବା ସମୟରେ ହଜାରେ ଲୋକଙ୍କଠାରୁ ସେ କାନ ବନ୍ଧା ରଖିଥିଲେ । ସେହି କାନ ମାନଙ୍କ ଭିତରୁ ତୁମ କାନ ଚିହ୍ନିବା ମୋ ପକ୍ଷରେ ଆଦୌ ସମ୍ଭବ ନୁହେଁ । ତେଣୁ ତୁମେ ଏବେ ତୁମର ବାମକାନ କାଟି ତାହା ମୋତେ ଦେଇଦିଅ । ତା’ ସହିତ ମେଳ କରି ମୁଁ ଡାହାଣ କାନ ଖୋଜି ବାହାର କରିବି ଓ ଦୁଇଟି ଯାକ କାନ ଏକସଙ୍ଗେ ପଠାଇଦେବି ।”
ଲୋକଟି ବ୍ୟସ୍ତ ହୋଇପଡି ନିଜର ବାମକାନ କାଟିବା ପାଇଁ ମୋଟେ ରାଜି ହେଲା ନାହିଁ । ଏହା ଦେଖି ରାଜା କହିଲେ, “ତେବେ ତୁମେ କ୍ଷତିପୂରଣ ପାଇବ ନାହିଁ ।”
ଏହାପରେ ଜୟପାଳ ରାଜାଙ୍କୁ କହିଲେ, “ମହାରାଜ, ମୋର ପିତା ତାଙ୍କ ମୃତ୍ୟୁ ପରେ ମାଛ ରୂପେ ଜନ୍ମ ନେଇଛନ୍ତି । ସେ ମୋତେ ନୌକା ଚଳାଇବାବେଳେ ଖୁବ୍ ସାହାଯ୍ୟ କରନ୍ତି । ଏହି ଧୀବରର ପିତା ବଗ ରୂପରେ ମୋର ପିତା ରୂପକ ମାଛକୁ ଖାଇଦେଇଛି । ଖାଲି ସେହି କାରଣରୁ ମୁଁ ଏହାଙ୍କ ବଗ ଉପରକୁ ତୀର ଚଳାଇଥିଲି । ମୋର ପିତା ରୂପକ ମାଛର ମୃତ୍ୟୁ ଘଟି ନଥିଲେ ମୁଁ ଏହି ଦ୍ୱୀପରେ କେବେବି ମଧ୍ୟ ପ୍ରବେଶ କରି ନ ଥାନ୍ତି ।”
ରାଜା ତାଙ୍କର କଥା ଦ୍ୱାରା ପ୍ରଭାବିତ ହେଲେ ଓ ଶେଷରେ ସେ ଏହି ନିଷ୍ପତି ଶୁଣାଇ କହିଲେ, “ଜୟପାଳ ନିର୍ଦୋଷ ଅଟନ୍ତି । ଧୀବରକୁ କ୍ଷତିପୂରଣ ଦେବାର କିଛିବି ଆବଶ୍ୟକତା ନାହିଁ ।”
ଜୟପାଳ ରାଜାଙ୍କ ଠାରୁ ଅନେକ ମୂଲ୍ୟବାନ ଉପହାର ପାଇ ନୌକାରେ ସ୍ୱଦେଶକୁ ବାହୁଡି ଆସିଲେ ।
🌼🌻 ସମାପ୍ତ 🌻🌼
Leave a Comment