ପ୍ରେମ ନିଷିଦ୍ଧ

ପ୍ରେମ ନିଷିଦ୍ଧ


ସକାଳ ଚଲାବୁଲା ସରିଗଲା, ବାହାରୁ ଫେରିଆସି ଡ୍ରଇଂ ରୁମର ସୋଫା ଉପରେ ବସିପଡିଲେ ସାର୍ଥକ ଦାସମହାପାତ୍ର । ତାଙ୍କୁ ଏଥର ଆଉ ତରତରରେ ଗାଧୁଆପାଧୁଆ କି ଜୀବନ ବିକଳରେ ଜଳଖିଆ ଖାଇବାକୁ ପଡିବ ନାହିଁ । କଥାହେଲା ତାଙ୍କୁ ଆଉ ଅଫିସ୍ ଯିବାକୁ ପଡିବ ନାହିଁ । ଗଲା କାଲି ସିଏ ଚାକିରିରୁ ଅବସର ନେଇଛନ୍ତି । ଏଣୁ ଆଜି ସବୁକାମ ଧିରସ୍ଥିର ଭାବରେ କରୁଛନ୍ତି ସାର୍ଥକ ଦାସମହାପାତ୍ର ।

କେତେ ଶୀଘ୍ର ପାଠପଢା, ପରେ ପରେ ଚାକିରି, ଆଉ ଦେଖୁଦେଖୁ ଚାକିରିକାଳ ଶେଷ । ଗଲାକାଲି ପରି ଲାଗୁଛି।....

ସାଦାସିଧା ସାର୍ଥକ ସେଦିନ ବାଛି ବାଛି ପ୍ୟାଣ୍ଟ୍ ଆଉ ସାର୍ଟ ପିନ୍ଧି, ସଫାସୁତୁରା ହେଇ ଥୁଆ ହେଇଥିବା ଜୋତା ପିନ୍ଧି କଲେଜ ବାହାରି ପଡ଼ିଲା । ତା' ଜାଣିବାରେ ସେଦିନ ତା'ପାଇଁ କଲେଜରେ ଶେଷଦିନ ଥିଲା । କାରଣ କାଲିଠାରୁ କଲେଜ ଆସିବା ବନ୍ଦ ହେଇଯିବ । ଲାଷ୍ଟ ଇଅର ମାନେ ଗ୍ରାଜୁଏସନର ଶେଷ ବର୍ଷରେ ପଢୁଥିବା ପିଲାମାନେ ଆଉ କଲେଜ ଆସିବେ ନାହିଁ । ଘରେରହି ପ୍ରିପାରେସନ୍ କରିବେ । କେବଳ ପରୀକ୍ଷା ଦେବାକୁ ଆସିବେ ।

ସେଦିନ ପ୍ରାୟ କ୍ଲାସ୍ ନଥିଲା । କେବଳ ସାଙ୍ଗ ମାନଙ୍କ ସହିତ ଭେଟଘାଟ, ଭାବବିହ୍ୱଳ ଆଲୋଚନା, ଠିକଣା ଦିଆନିଆ ଏବଂ ବିଦାୟ ଦେବା ନେବାର ପର୍ବ । ଭାରି ଅନ୍ୟମନସ୍କ ରହୁଥାଏ ସାର୍ଥକ ଓରଫ ସାଙ୍ଗ ମାନଙ୍କର ପ୍ରିୟ ସାରୁ । ସାରୂ ପରିବାଟିଏ ଯେମିତି ତରକାରୀରେ ସବୁ ପରିବା ସହିତ ମିଶି ଯାଇପାରେ, ସେମିତି ସାର୍ଥକ ସମସ୍ତଙ୍କ ସହିତ ମିଶିଯାଇ ପାରେ ଏବଂ ସମ୍ପର୍କ ତିଆରି କରିଦେଇ ପାରେ । ତା'ର ଏଇ ଗୁଣ ଯୋଗୁଁ ସାଙ୍ଗମାନେ ତାକୁ ଶ୍ରଦ୍ଧାରେ ସାରୁ ଡାକନ୍ତି । 

ସାରୁ ସିନା ସମସ୍ତଙ୍କ ସହିତ ଦୋସ୍ତି ଜମେଇ ପାରିଥିଲା, ହେଲେ ଜଣଙ୍କ ସହିତ ବନ୍ଧୁତା ସ୍ଥାପନ କରିପାରି ନଥିଲା, ସିଏ ହେଉଛି ନିଶିଗନ୍ଧା । ତା' ତଳ ବ୍ୟାଚରେ ପଢୁଥିବା ନିଶିଗନ୍ଧା ଚୌଧୁରୀ । କାରଣଟା ସ୍ପଷ୍ଟ । ସିଏ ନିଶିଗନ୍ଧାକୁ ଭଲ ପାଉଥିଲା । ଏକଥା ନିଶି ଜାଣିଛି କି ନଜାଣିଛି, ସେକଥା ଜାଣିବା ତା'ର ଆବଶ୍ୟକ ନଥିଲା । ସିଏ କେବଳ ଏତିକି ଜାଣିଥିଲା, ଯଦି ସତରେ ସିଏ ନିଶିକୁ ଭଲ ପାଉଥିବ, ତେବେ ନିଶି ମନରେ ଆଉ ହୃଦୟରେ ତା'ପାଇଁ ଜାଗାଟିଏ ନିଶ୍ଚୟ ସୃଷ୍ଟି ହେବ ।

ପ୍ରତ୍ୟେକ ଦିନ ସାର୍ଥକ କଲେଜ ଆସେ । କ୍ଲାସ୍ କରେ । ଆଉ ଥରୁଟିଏ ଯେମିତି ହେଲେ ନିଶିଗନ୍ଧାକୁ ଦେଖିବାକୁ ଚାହେଁ । ସିଧାସଳଖ ବା ମୁହାଁମୁହିଁ ନହେଉ ପଛକେ, କଲେଜର କୋଉ କୋଣରୂ ହେଲେ ମଧ୍ୟ ସିଏ ନିଶିକୁ ଦେଖିବାକୁ ଚେଷ୍ଟାକରେ ।

ନିଶି ସତେକି ଜାଣିପାରେ, ତାକୁ ସାର୍ଥକ ଅପେକ୍ଷା କରିଛି । ପ୍ରାୟତଃ ସାର୍ଥକର ଲିଜର୍ ପିରିୟଡ ବେଳେ, ତା' ସାମ୍ନାଦେଇ ଚାଲିଯାଏ ନିଶି । ସେଦିନର କାର୍ଯ୍ୟକ୍ରମ ଶେଷ । ପୁଣି ଆର ଦିନକୁ ଅପେକ୍ଷା । ସାର୍ଥକକୁ ସାଙ୍ଗମାନେ ଅନେକ ଥର କହିଛନ୍ତି ନିଶି ସହିତ ମୁହାଁମୁହିଁ କଥାହେଇ ମନର କଥା କହି ଦେବାକୁ । ମାତ୍ର ସାର୍ଥକ ପାରିନାହିଁ ।

ସେଦିନ କଲେଜରେ ଶେଷଦିନ । ମନସ୍ଥିର କରିଛି ସାର୍ଥକ । ଯେମିତି ହେଲେ ଆଜି ସିଏ ନିଶିକୁ ଭେଟିବ ଏବଂ ମନକଥା ଖୋଲିକି କହିବ ।

ଅନଉ ଅନଉ ସମୟ ଗଡି ଚାଲିଲା । ସାଙ୍ଗମାନେ ସାର୍ଥକର ପାଖେ ପାଖେ ରହି, ତା'କୁ ଉତ୍ସାହିତ କରୁଥାନ୍ତି । ଅପରାହ୍ନ ହେଇଗଲା । ପ୍ରାୟ ଅଧିକାଂଶ ପିଲା ଘରକୁ ଫେରି ଗଲେଣି । କିଛି ହାତ ଗଣତି ପିଲା ମାନେ, ଯେଉଁମାନେ ହଷ୍ଟେଲରେ ରହୁଛନ୍ତି କି ଯେଉଁ ମାନଙ୍କର ଘର ପାଖରେ, ସେଇମାନେ କେବଳ ରହିଛନ୍ତି । ସାର୍ଥକ ଓ ତା'ର କିଛି ଅନ୍ତରଙ୍ଗ ବନ୍ଧୁମାନେ ମଧ୍ୟ ରହିଛନ୍ତି ।

କ୍ଲାସ୍ ଶେଷ ହେବାପରେ ନିଶି ଘରକୁ ବାହାରିଲା । କଲେଜ ଖେଳ ପଡିଆ ମଝିରେ ପଶି ବସଷ୍ଟପକୁ ଯାଏ ନିଶି । ଏଇବାଟେ ଗଲେ କିଛିବାଟ ଚାଲିବାକୁ କମିଯାଏ । ଏଇଟା ଶେଷ ସୁଯୋଗ । ହୁଏତ ଆଉ ଦେଖା ନହେଇ ପାରେ । ପଡିଆ ମଝିଟାରେ ଅପେକ୍ଷା କରିଥାଏ ସାର୍ଥକ । ସେତେବେଳେ ତା'ହୃଦୟରେ କେତଯେ ଡାଲାଆ ଜିନିଆ ଫୁଟି ନିମିଷକରେ ମିଳେଇ ଯାଉ ଥାଆନ୍ତି, ତାର ସିଏ ହିସାବ ରଖୁ ନଥିଲା । ହିସାବ କେବଳ ରଖୁଥିଲା ସମୟର । ବାରମ୍ବାର ହାତପିନ୍ଧା ଘଣ୍ଟାକୁ ଅନଉ ଥାଏ ସାର୍ଥକ ।

ଖରାଦିନ ।  ସମୟ ଅପରାହ୍ନ ପାଞ୍ଚଟା ବାଜିବାରୁ ଯାଉଥାଏ । ସେଇବାଟ ଦେଇ ଆସିଲା ନିଶିଗନ୍ଧା । ତା'ଆଗକୁ ଚାଲିଗଲା ସାର୍ଥକ । 

କହିଲା, " ମୋର ତୁମକୁ ଗୋଟାଏ କଥା କହିବାର ଅଛି ।"

ନିଶି କହିଲା, "କୁହନ୍ତୁ ସାର୍ଥକ ଭାଇ ।"

ସାର୍ଥକ ହସ ହସ ମୁହଁରେ କହିଲା, " ମୋତେ ତା'ହେଲେ ତୁମେ ଜାଣିଛ , ଏଇଟା ମୋର ସୌଭାଗ୍ୟ ।"

ନିଶି କହିଲା, "କଲେଜର ଜଣେ ଭଲଛାତ୍ର, ଛାତ୍ରନେତା, ସୁବକ୍ତା ସାର୍ଥକଭାଇଙ୍କୁ କିଏ ନଚିହ୍ନେ ? 

ନିଶିକି ଧନ୍ୟବାଦ ଜଣେଇ ସାର୍ଥକ କହିଲା, "ମୋ କଥା ହୁଏତ ତୁମକୁ ଭଲ ଲାଗି ନପାରେ, ମାତ୍ର ମୁଁ କହିବାକୁ ବାଧ୍ୟ ହେଉଛି କି, ମୁଁ ତୁମକୁ ବହୁତ ଭଲପାଏ ନିଶି । କାଳେ ତୁମ ପାଠ ପଢ଼ାରେ ଆଞ୍ଚ୍ ଆସିବ ବା ତୁମ ଉପରେ କୌଣସି ନାକାରାତ୍ମକ ପ୍ରଭାବ ପକେଇବ, ଏଇଥିପାଇଁ କହିବାକୁ ଏତେଦିନ ନେଲି ।"

ମୁହଁରେ କେବଳ ସ୍ମିତହାସ୍ୟ ଖେଳେଇ ଦେଇ, ସାର୍ଥକଙ୍କୁ  ଛୋଟିଆ ଧନ୍ୟବାଦଟିଏ ଦେଇ ଚାଲିଗଲା ନିଶି । ଯିବାବେଳେ ନିଜଲେଖା କିଛି କବିତା ସାର୍ଥକ ଦେଇଥିଲା ନିଶିଗନ୍ଧାକୁ । ସେତକ ଲାଜମିଶା ହସରେ ଗ୍ରହଣ କରିଥିଲା ସାର୍ଥକଙ୍କ ଠାରୁ । ମନରେ ଅଫୂରନ୍ତ ଖୁସିର ଜୁଆର ଉଠୁଥିଲା ସାର୍ଥକର ।

ପାଠପଢ଼ାରେ ମନୋନିବେଶ କଲା ସାର୍ଥକ । ତାକୁ ଯେମିତି ହେଲେ ଭଲ ରେଜଲ୍ଟ କରିବାକୁ ପଡିବ । ପରୀକ୍ଷା ପାଇଁ ଜୋରସୋର୍ ପାଠ ପଢା, ପରୀକ୍ଷା । ସବୁ ଭୁଲିଗଲା ସାର୍ଥକ ।  ପରଶ୍ରମର ଫଳ ମିଳିଲା ତାକୁ । ନିଜ ଅନର୍ସରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ ଦଶଜଣଙ୍କ ଭିତରେ ଆସିଲା ସିଏ । ପରେ ପରେ ବିଶ୍ୱବିଦ୍ୟାଳୟରେ ନାମ ଲେଖା । ଏକ ନୂଆ ପରିବେଶ, ନୂଆ ସାଙ୍ଗସାଥି, ହେଲେ ଭୁଲି ନଥିଲା ପୁରୁଣା କଲେଜ,ପୁରୁଣା ସାଙ୍ଗ ଓ ନିଶିକୁ । ସାର୍ଥକ ଚାହୁଁଥିଲା ପାଠପଢା ପରେ ସେଟେଲ୍ ହେଇ ନିଶିକୁ ଖୋଜିକି ଦେଖା କରିବ, ଆଉ........।

କୌଣସି କାରଣରୁ ଆଉ ଭେଟହେଇ ପାରିନଥିଲା ନିଶିଗନ୍ଧା ସହିତ ସାର୍ଥକର । ମାତ୍ର ତା'ର ହସ୍ତଗତ ହେଇଥିଲା ପୁରୁଣା କଲେଜର ଏକ ମାଗାଜିନ୍ । ପ୍ରକାଶ ପାଇଥିଲା ନିଶିଗନ୍ଧାର ଏକ କବିତା । ଯାହାର ଶୀର୍ଷକ ଥିଲା "ଶାନ୍ତ ସମୂଦ୍ର" । ସାର୍ଥକ ବୁଝି ପାରୁଥିଲା କବିତାଟି ଅର୍ଥ, ଯାହା ସମ୍ଭବତଃ ତାକୁହିଁ ଉପଲକ୍ଷ୍ୟ କରି ଲେଖାଯାଇଥିଲା । ମନ ହଉଥିଲା ସାର୍ଥକର, ସେଇ ମୁହୁର୍ତ୍ତରେ ଦୌଡ଼ି ଯା'ନ୍ତା ନିଶିଗନ୍ଧା ପାଖକୁ । ଆଉ କହନ୍ତା, "ଆସ ନିଶି । ଏଇ ମୁହୁର୍ତ୍ତରେ ଆମେ ଏ ଦୁନିଆଁ ଛାଡି ଚାଲିଯିବା ଜହ୍ନ ରାଇଜକୁ ଆଉ ସେଇଠି ଘରକରି ରହିବା ।" ମାତ୍ର ସାର୍ଥକକୁ ପଛରୁ ଭିଡି ଧରୁଥିଲା ତା'ର ଆର୍ଥିକ ଦୁରାବସ୍ଥା ଏବଂ ତା'ର ଦୁଃସ୍ଥିତି ।

ପାଠପଢା । ପରେ ପରେ ପେଟପାଟଣର ଚିନ୍ତା । ଚାକିରି ପାଇଁ ସଂଘର୍ଷ । ଏସବୁ ଭିତରେ ସାର୍ଥକ କେତେବେଳେ ଭୁଲିଯାଇଛି ନିଶିଗନ୍ଧାକୁ ନିଜେବି ଜାଣି ପାରିନାହିଁ । ସରକାରୀ ଚାକିରି କରିବାର ବୟସ ସରିବା ସରିବା ହଉଥିବା ସମୟରେ ଚାକିରି ପାଇଥିଲା ସାର୍ଥକ । ଅବଶ୍ୟ ସାଧାରଣ ଭାଷାରେ କହିବାକୁ ଗଲେ ଭଲ ଚାକିରିଟିଏ । ଦ୍ଵିତୀୟ ଶ୍ରେଣୀ ପାହିଆର ଚାକିରି । ସେତେବେଳେ ଖୋଜିଲା ବେଳକୁ ନା ଥିଲା ଖୁସି, ନାଥିଲା ନିଶି । ଗତାନୁଗତିକ ପାରିବାରିକ ଧାରାରେ ବୋହିଗଲା ସାର୍ଥକ ।

ସମୟକ୍ରମେ ନନ୍ଦାଦେବୀଙ୍କୁ ବିବାହ, ପିଲାଛୁଆଙ୍କ ସଂସାର ଓ ସାମାଜିକ ବାଧ୍ୟ ବାଧକତାର ଆବଶ୍ୟକତା ମାନଙ୍କ ପାଖରେ ଉପସ୍ଥାନ ପକଉ ପକଉ କେତେବେଳେ ଚାକିରିକାଳ ସରିଗଲା ଜାଣି ପାରିଲା ନାହିଁ ସାର୍ଥକ । ଅବଶ୍ୟ ନନ୍ଦାଦେବୀ ସାର୍ଥକଙ୍କୁ ଭଲପାଇବାରେ, ତା'ର ଯତ୍ନ ନେବାରେ ଓ ପରିବାରକୁ ସମ୍ଭାଳିବାରେ କେବେ କାର୍ପଣ୍ୟତା ପ୍ରକାଶ କରି ନାହାନ୍ତି । ତଥାପି କାହିଁକି କେଜାଣି ଅବସର ମୁହୁର୍ତ୍ତରେ ମନେ ପଡିଯାଉଛି ନିଶିଗନ୍ଧା କଥା ଆଉ ନିଶି ଲେଖିଥିବା କବିତାଟି । କବିତାଟିର କିଛି ଅଂଶକୁ ମନେ ମନେ ଆବୃତ୍ତି କରୁଥିଲେ ସାର୍ଥକ ।


"ହେ ଅଶାନ୍ତ ସମୁଦ୍ର ଆଜି ଶାନ୍ତ କାହିଁକି,

ବେଳାଭୂମିର ବାଲୁକା ଆଜି ଅପେକ୍ଷାରତ

ସାଗର ବକ୍ଷରେ ମିଳେଇ ଯିବା ପାଇଁକି ।"

ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲେ ସାର୍ଥକ । ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କଲେ, 

" ହେ ପ୍ରଭୁ ! ନିଶିଗନ୍ଧା ଯୋଉଠିବି ଥାଉ ଭଲରେ ଥାଉ । ତା'ର ମଙ୍ଗଳ କର ପ୍ରଭୁ । ମୋତେବି କ୍ଷମା କରିଦିଅ । 'ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ପିଲାକୁ ପ୍ରେମ କରିବା ମନା', ଏହା ଜାଣିନପାରି ନିଶିଗନ୍ଧାକୁ ଭଲପାଇ ଥିବାରୁ ମୋତେ କ୍ଷମା କରିଦିଅ ପ୍ରଭୁ ।".............

ପତ୍ନୀ ନନ୍ଦାଦେବୀ ଚା' କପେ ଆଣି ଥୋଇଦେଲେ ସାର୍ଥକଙ୍କ ସାମ୍ନାରେ, ଟିପୟ ଉପରେ । ଭାବନା ରାଜ୍ୟରୁ ଫେରିଆସିଲେ ସାର୍ଥକ ଦାସମହାପାତ୍ର । ତାଙ୍କୁ ଅନ୍ୟମନସ୍କ ରହୁଥିବାର ଦେଖି ନନ୍ଦାଦେବୀ ପଚାରିଲେ, "କ'ଣ ଅଫିସି କଥା ଭାବୁଛକି ?"

"ନାଇଁ ସେମିତି କିଛି ନାହିଁ । ମୋ'ର ପୁରୁଣା ଦିନଗୁଡାକ ମନେ ପଡିଯାଉଛି । ଭାରି କଷ୍ଟ ଲାଗୁଛି ।" କହିଲେ ସାର୍ଥକ ।

ସାର୍ଥକଙ୍କ ପାଖକୁ ଲାଗିଆସି, ସାର୍ଥକଙ୍କ ମୁଣ୍ଡକୁ ଆଉଁସି ନନ୍ଦାଦେବୀ କହିଲେ, "ପୁରୁଣା ଦିନଗୁଡାକ ଖୁସିଦିଏ । ବେଳେ ବେଳେ ଦୁଃଖବି ଦିଏ । ଏଇଟା ନିର୍ଭର କରେ, ଆମେ ଆମ ପୁରୁଣା ଦିନଗୁଡିକୁ କେମିତି ଦେଖୁଛୁ ।"

ଏଥରକ ସ୍ମିତହାସ୍ୟ ଖେଳେଇ ସାର୍ଥକ କହିଲେ, "ତୁମେ ବହୁତ ସୁନ୍ଦର ନନ୍ଦା । ଯହୁଁ ଯହୁଁ ବୟସ ଅତିକ୍ରାନ୍ତ ହେଉଛି, ତୁମେ ଅଧିକ ଅଧିକ ସୁନ୍ଦରୀ ଲାଗୁଛ ।"

ନନ୍ଦଦେବୀ ସାର୍ଥକଙ୍କ ସାମ୍ନାକୁ ଆସି, ମୁହଁରେ ଅଳ୍ପ ହସ ହସି କହିଲେ, 

"ଏହା ପଛର କାରଣ ତୁମେ । ତୁମେ ମୋତେ ଏତେ ଭଲ ପାଉଛଯେ, ମୁଁ ତୁମ ଆଖିକୁ ବହୁତ ସୁନ୍ଦର ଦେଖା ଯାଉଛି । ତୁମେ ଜଣକୁ ଯେତେ ଅଧିକ ଅଧିକ ଭଲ ପାଇବ, ସିଏ ତୁମ ଆଖିକୁ ସେତେ ଅଧିକ ଅଧିକ ସୁନ୍ଦର ଲାଗିବ । ବିୟୁଟି ଲାଇଜ୍ ଇନ୍ ଦି ଆଇଜ୍ ଅଫ୍ ଦି ଅବ୍ଜର୍ଭର ।"

ହସିଲେ ସାର୍ଥକ । କହିଲେ, " ଆଉ ଗୋଟେ କପ୍ ଚା' ମିଳି ପାରିବ ମାମ୍ ।"......



 

🌼🌻 ସମାପ୍ତ 🌻🌼

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.