ମନର ମିଳନ
🌹 ମନର ମିଳନ 🌹
❂┅┅┅┅┅┅┅┅┅┅┅┅┅┅┅┅┅┅❂
ସଂଗ୍ରହ: ଶ୍ରୀନାଥ
ସୌଜନ୍ୟ :- ଆନିମେସନ ଓଡ଼ିଶା
ରାଜଧାନୀ ବୁବନେଶ୍ୱରରୁ କଲିକତା।ବେଶି ଲମ୍ବା ଯାତ୍ରା ନହେଲେ ବି ଯାତ୍ରା ଯାହା ହେଲେବି ବୋରିଂ। ଅବଶ୍ୟ ବସ୍ ଯାତ୍ରା ଠାରୁ ଟ୍ରେନ୍ ରେ ଯାତ୍ରା ଏତେ ବୋରିଂ ନୁହେଁ। । କେହି ଜଣେ ଉତ୍ତମ ସହଯାତ୍ରୀ ମିଳିଗଲେ ଜମିଯିବ ଗପର ଆସର।କିଏ ସେ ବସିବ କେଜାଣି ଏଇ କମ୍ପାର୍ଟମେଣ୍ଟରେ ? ମନେମନେ ଟିକେ ଚିନ୍ତିତ ହେଲା ଅନୁରାଗ।କଲିକତାରେ ଗୋଟେ ଜାତୀୟବିତ୍ତିକ ବ୍ଯାଙ୍କରେ ସେ ଏଇ ବର୍ଷ ଜଏନ୍ କରିଛି।ଘର ଛାଡି ବେଶି ଦିନ ରହିପାରେନି ବୋଲି ମଝିରେ ମଝିରେ ଛୁଟିଦିନ ଦେଖି ଚାଲିଆସେ।ତେଣିକି ଯାତ୍ରା ଯେତେ କଷ୍ଟ କର ହେଉପଛେ।କେବେ କେବେ ଭଲ ସହଯାତ୍ରୀ ଟିଏ ମିଳିଗଲେ ସମୟ କୁଆଡେ ଚାଲିଯାଏ ଜଣା ପଡେନି।ଆଉ କେବେ କେବେ ଜଣେ ଜଣେ ଟିଙ୍ଗା ଟିଙ୍ଗି ପଡିଗଲେ ଯାତ୍ରା ଏକଦମ ବେକାର । ମୁହଁରେ ଅଠା ଲଗେଇ ବସିଲା ଭଳିଆ ଲାଗେ।ଭାରି ରାଗ ଲାଗେ ଅନୁରାଗ ଭଳିଆ ମେଳାପୀ ପିଲାଟିକୁ ଏଇ ସମୟ ଗୁଡାକ।ଏତିକିବେଳେ ଗୋଟିଏ ପରିବାରର ଚାରିଜଣ ଚଢିଲେ ସେଇ କମ୍ପାର୍ଟମେଣ୍ଟକୁ।ବୟସ୍କ ବାପା ମାଆ ତାଙ୍କ ସହ ପୁଅ ବୋହୁ। ସେମାନେ ସାଙ୍ଗେ ସାଙ୍ଗେ ସମସ୍ତେ ନିଜ ନିଜ ସିଟ୍ କୁ ଯାଇ ଶୋଇପଡିଲେ।କେବଳ ବାକିଥିଲା ଆଉ ଗୋଟେ ସିଟ୍।ଠିକ୍ ଅନୁରାଗର ଉପର ସିଟ୍ ଟି।ସେଥିପାଇଁ ଅନୁରାଗ ଆରାମରେ ବସିପାରିଲା। ଏତେ ଶୀଘ୍ର ଶୋଉଛି କିଏ? ଅନୁରାଗର ଆଶା ନିରାଶାରେ ବଦଳି ଆସୁଥିଲା। ଆଉ ଗୋଟେ ସିଟ୍ ବଳିଲା ।କିଏ ବସିବ କେଜାଣି । ଏମାନେ ତ ସବୁ ଆସୁଆସୁ ଶୋଇଗଲେ।କାହା ସାଙ୍ଗରେ ଆଉ ଗପ ଯୋଡିବ ସେ। ବାଧ୍ୟ ହେଇ ମାଗାଜିନ୍ ଟିଏ ବାହାର କରି ପଢିଲା ସିଏ।ଟ୍ରେନ୍ ବାଲେଶ୍ବର ରେ ପହଞ୍ଚିଲା ବେଳକୁ ସେଥିରେ ଝିଅଟିଏ ଉଠିଲା । ଅନୁରାଗର ବଦଳି ଆସୁଥିବା ଆଶା ଏବେ ସଂମ୍ପୂର୍ଣ୍ଣ ନିରାଶାରେ ପରିଣତ ହେଇଯାଇଥିଲା। ସେମିତିରେ ସେ ବେଶି କେଉଁ ଝିଅ ମାନଙ୍କ ସହ ଗପି ପାରେନି।ପୁଣି ଏବେକାର ଯେଉଁ ମଡର୍ଣ୍ଣ ଝିଅ।କଥା କେଉଁଠୁ ନେଇ କେଉଁଠି ଥୋଇବେ କିଏ ଜାଣେ।ସେଥିପାଇଁ ସେମାନଙ୍କ ଠାରୁ ସେ ଦୂରେଇ ରୁହେ।ଏଥର ପୁଣି ସେଇ ଝିଅଟିଏ ତା'ର ସହଯାତ୍ରୀ ଜାଣି ବାଧ୍ୟ ହେଇ ସେ ଝରକା ପଟକୁ ମୁହଁ କରି ବସିଲା।ଝିଅଟିର ମୁହଁକୁ ବି ସେ ଅନଉନଥାଏ।କାଳେ ଝିଅଟି କିଛି ଖରାପ ମନ୍ତବ୍ୟ ଦେଇଦେବ।ସେଇ ଜିନିଷଟି ତାକୁ ଭାରି ବାଧେ।ତେଣୁ ସେ ସେମିତି ବସିଥାଏ ସେପଟକୁ ମୁହଁ କରି।କିଛି ସମୟ ପରେ ଝିଅଟି ପ୍ରଥମ କରି ମୁହଁ ଖୋଲିଲା।
"ଏ ମାଗାଜିନ ଟି ଆପଣଙ୍କର"? ଝିଅଟିର ସ୍ୱରରେ ମହୁ ଝରିଲା ଭଳି ମିଠାପଣ ଥିଲା।
ତଥାପି "ହଁ", ସଂକ୍ଷିପ୍ତ ଉତ୍ତର ଟିଏ ଅନୁରାଗର।
ମୁଁ ଏକୁ ପଢିପାରିବି?
ପୁଣିଥରେ ସେଇ "ହଁ" ସେମିତି ବାହାରକୁ ଚାହିଁଚାହିଁ ଅନୁରାଗ ଙ୍କର।
ଏଥର ଝିଅଟି ପଢିବାରେ ମନ ଦେଲା।ଅନୁରାଗ ଟିକେ କଣେଇ ଚାହିଁଲେ ଝିଅଟିକୁ।ଆଶ୍ଚର୍ଯ୍ଯ , ଏଇ ପ୍ରବଳ ଗୁଳୁଗୁଳି ଗରମକୁ ଆସିଲାବେଳଠାରୁ ଝିଅଟି ଏବେଯାଏ ମାସ୍କ ପିନ୍ଧି ବସିଛି।ଗୋଟେ ସେକେଣ୍ଡ ପାଇଁ ବି ଖୋଲୁନି। ସେ ପୁଣି ସାଧାରଣ ସ୍ଲିପର ବଗିରେ ।କରୋନାର ନିୟମ ତିଆରି କରିଥିବା ବାବୁ ମାନେ ବି ଆଉ ମାସ୍କ ପିନ୍ଧୁ ନାହାଁନ୍ତି।ଅଥଚ ଏଇ ଝିଅଟି ସେଥିରୁ ବ୍ଯତିକ୍ରମ!! ମୁହଁ ସିନା ଦିଶୁନି।ଯେତିକି ଦିଶୁଛି ବହିର କଭର ପୃଷ୍ଠାରୁ ବହିର ଭିତର ପୃଷ୍ଠାକୁ ଅନୁମାନ କରିନେଲା ଭଳି ଲାଗୁଥିଲା।ବାଃ, କି ସୁନ୍ଦର କଥା କୁହା ଆଖିଦୁଇଟି ସତରେ।ଘନ କେଶ ରାଶିକୁ ଚମ୍ପା ଫୁଲ ପରି ଦେହର ରଙ୍ଗ।ସବୁଠୁ ଆକର୍ଷଣୀୟ ସେଇ ଆଖି ଦୁଇଟି।ହାତ ଗୋଡ ସବୁକିଛି ଯେମିତି ଶିଳ୍ପୀଟିଏ ନିଖୁଣ ଭାବେ ତିଆରି କରିଛି ,ସେମିତି ଦିଶୁଛି।
କିଛି ସମୟ ପରେ ଝିଅଟି ମାଗାଜିନ ଟିକୁ ଅନୁରାଗ ର ହାତକୁ ବଢେଇ ଦେଇ କହିଲା "ଏଇ ନିଅନ୍ତୁ ଆପଣଙ୍କ ମାଗାଜିନ୍"।ଯଦିଓ ବହିଟି ସେଇ ସିଟ୍ ଉପରେ ଥୋଇଦେଇଥିଲେ ବି ଚଳିଥାନ୍ତା।ଅନୁରାଗର ଇଚ୍ଛା ହେଉଥାଏ ଆଉଥରେ ସେଇ କୋକିଳକଣ୍ଠୀର ସ୍ବର ଶୁଣିବାକୁ।କିନ୍ତୁ ସାହସ କୁଳଉନଥାଏ।କିଛି ସମୟ ପରେ ଝିଅଟି ତା ନିଜ ଆଡୁ ପଚାରିଲା "ଆପଣ କ'ଣ କଲିକତା ଯାଉଛନ୍ତି"?
ହଁ , ଆପଣ? ଏଥର ଅନୁରାଗ ବି ପ୍ରଶ୍ନ ଟିଏ ରଖିଲା ଝିଅଟି ପାଇଁ କଥା ବଢେଇବା ଉଦ୍ଦେଶ୍ଯରେ।
"ହଁ ,ମୁଁ ବି ଯାଉଛି ସେଇଠିକି। ଆମ ଘର ବାଲେଶ୍ବର ।କିନ୍ତୁ ମୋର ଭାଇ ଭାଉଜ ସେଇଠି ଚାକିରି କରୁଛନ୍ତି। ତାଙ୍କରି ପାଖକୁ ଯାଉଛି"।ଏକାଥରକେ ଅନର୍ଗଳ ଗପିଦେଇ ଗଲା ଝିଅଟି।ଆଉ ଯେମିତି ବାରମ୍ବାର ପଚାରିବାକୁ ପଡିବନି ଅନୁରାଗକୁ କାହିଁକି,କେମିତି ,କୋଉଁଠି ଇତ୍ଯାଦି ।ସେ କେବଳ ସେଇ ଝିଅଟିର ବୀଣାଝଙ୍କୃତ ସ୍ବର ଭଳି ମିଠା ସ୍ବରକୁ ପିଇଯାଉଥାଏ। ତାପରେ ପୁଣି ସେ ଝିଅଟି ପଚାରିଲା "ଆପଣ କାହିଁକି କଲିକତା ଯାଉଛନ୍ତି? କିଛି କାମରେ ନା ଏମିତି ବୁଲି"?
ନାଁ , ମୁଁ ସେଇଠି ଗୋଟେ ବ୍ୟାଙ୍କରେ ଚାକିରି କରେ।ଘରକୁ ଆସିଥିଲି । ଆଜି ଫେରୁଛି।
ତା ପରେ ଧିରେ ଧିରେ ଗପ ପେଡି ଖୋଲୁଥିଲା।ଅନୁରାଗର ନିରାଶାର ମରୁବାଲିରେ ଗୋଟିଏ ପରେ ଗୋଟିଏ ଦ୍ରୁମ ଶାଖା ମେଲେଇ ବଢିବଢି ଯାଉଥିଲେ ମରୁବାଲିରେ ସବୁଜିମା ଭରିଦେଇ। ରାତି ଅନେକ ହେଇସାରିଥିଲା।ଦୁହିଁଙ୍କର ଗପ ସରିନଥିଲା।ଯୋଗକୁ ସେମାନଙ୍କ ସିଟ୍ ତଳ ଉପର ହେଇ ମିଳିଛି।ଅନ୍ଯ ମାନଙ୍କର କିଛି ସମସ୍ଯା ହେବାର ନାହିଁ।ତେଣୁ ଅନେକ ରାତି ଯାଏ ଦୁହେଁ ନଶୋଇ ଗପି ଚାଲିଥିଲେ।ଏତେ ସମୟ କଥାବାର୍ତ୍ତା ଭିତରେ ଦୁହେଁ ଦୁହିଁଙ୍କର ନାଁ ବି ପଚାରି ବୁଝିସାରିଥିଲେ।ଝିଅଟିର ନାଁ ଥିଲା ପଦ୍ମିନୀ।ତା ଜେଜେମା କୁଆଡେ ଏଇ ନାଁ ଦେଇଥିଲେ।ଘରେ ତାକୁ ସମସ୍ତେ ବହୁତ ଭଲ ପାଆନ୍ତି।ଗୋଟିଏ ବୋଲି ଝିଅ ସେ ବାପା ,ଦାଦା ଓ ବଡବାପା ତିନିଭାଇଙ୍କ ର।ସେଥିପାଇଁ ସମସ୍ତଙ୍କର ଗେହ୍ଲା ଝିଅ ସେ।ଆହୁରି ଅନେକ କଥା ପଦ୍ମିନୀ କହିଚାଲିଥାଏ ଅନୁରାଗ ପଚାରୁ କିମ୍ବା ନପଚାରୁ। କିନ୍ତୁ କହିନଥିଲା ସେ କାହିଁକି ଆସିଲା ପରଠାରୁ ମାସ୍କ ପିନ୍ଧି ବସିଛି ଏବେ ଯାଏ।ଅନୁରାଗ ବି ପଚାରିନଥିଲା।ହୁଏତ ଅଧିକ ସ୍ବାସ୍ଥ୍ଯ ସଚେତନ ହେଇଥିବ ଭାବିକି।ରାତି ଅଧିକ ବଢୁଥିଲା।ପଦ୍ମିନୀ ଆଖିରେ ନିଦ ଢେଉ ଭାଙ୍ଗୁଥିଲା ଏଥର ସେ ଶୋଇବାକୁ ପ୍ରସ୍ତୁତ ହେଲା।ଅନୁରାଗ ଉଠି ସିଟ୍ ଟେକିଦେଲେ।ଆରାମରେ ଶୋଇଗଲା ପଦ୍ମିନୀ।କିନ୍ତୁ ଆଖିରୁ ସବୁ ନିଦ ଚୋରେଇ ନେଇଗଲା ଅନୁରାଗଙ୍କର।ରାତି ସାରା ପଦ୍ମିନୀର ମଧୁର ସ୍ବର ତାଙ୍କ କାନରେ ଝଙ୍କାର ତୋଳୁଥାଏ।ଆହୁରି ସେଇ ମିଠା ସ୍ବର ଶୁଣନ୍ତେ କି।କିନ୍ତୁ ନାଁ।ସମ୍ଭବ ନୁହେଁ।ପଦ୍ମିନୀ ଶୋଇଗଲାଣି ଗାଢ ନିଦରେ।ସକାଳ ଭଲରେ ହେଇନଥିବ ଟ୍ରେନ ଯାଇ ଷ୍ଟେସନରେ ଲାଗିଯିବ। ଆଉ କ'ଣ ସେଇ ମଧୁର ସ୍ବର ଶୁଣିବାର ସୁଯୋଗ ମିଳିବ?କେତେ ଖୋଲା ସରଳ ହୃଦୟର ଝିଅଟି କେଜାଣି।ହୁଏତ ସେଇଭଳି ଝିଅ ସହିତ ସେ ଆଗରୁ କେବେବି ଭେଟିନି।"କିନ୍ତୁ ତୁ ଟିକେ ଚେଷ୍ଟା କଲେ ଏଇ ଝିଅ ର ସ୍ବର ଆଉ ଥରେ ନୁହେଁ ବାରମ୍ବାର ଶୁଣିପାରିବୁ ଅନୁରାଗ।କି ଦିନ ,କି ରାତି।କହିବାକୁ ଗଲେ ଅହର୍ନିଶି"।ଚମକି ପଡିଲା ଅନୁରାଗ ।ତା ଭିତରୁ କେହିଜଣେ ଏହିକଥା କହୁଥିବାର ସେ ଜାଣିବାକୁ ପାଇଲା।ସେ ନିଜକୁ ପଚାରିଲା "କେମିତି"?
ସବୁଦିନ ପାଇଁ ସେ ଝିଅକୁ ନିଜର କରି ନେଇଯା ତୋ ଘର ଅଗଣାକୁ, ତା ମଥାରେ ନାଲି ଓଢଣୀ ପକେଇ, ବଉଳ ପାଟ ପିନ୍ଧେଇ, ହାତରେ ନାଲି ଶଂଖା ଆଉ ମଥାରେ ନାଲି ସିନ୍ଦୂର ପିନ୍ଧେଇ।ତା ମିଠା ସ୍ବରରେ ତୁ କବିଟିଏ ହେବୁ।ତା ଚୁଡିର ରୁଣୁଝୁଣୁ ସ୍ବରରେ ତୁ ଭାବୁକ ଟିଏ ହେବୁ।ତା ପାଉଁଜିର ଛମ୍ ଛମ୍ ବାଦ୍ଯରେ ତୁ ତାଳ ଯୋଡିବୁ।ନାଁ କ'ଣ କହୁଛୁ?
ହଁ ହଁ , ସତକଥା ସେଇଆ କରିବି ।ମନେମନେ ନିଷ୍ପତ୍ତି ନେଇଗଲା ଅନୁରାଗ ସେଇ ଟ୍ରେନ୍ ଭିତରେ ଶୋଇଶୋଇ।ରାତି ପାହି ଆସୁଥାଏ।ଟ୍ରେନ ଲାଗିବ ଷ୍ଟେସନରେ।ଆଉ ଅଳ୍ପ ସମୟ ଅଛି।ରାତି ସାରା ଉଜାଗର ଅନୁରାଗ ପଦ୍ମିନୀକୁ ନିଦରୁ ଉଠେଇଲା।ପଦ୍ମିନୀ ଉଠିପଡି ତଳକୁ ଓହ୍ଲେଇଲା।ତା ଲଗେଜ ସଜାଡୁ ସଜାଡୁ ଅନୁରାଗ ତାକୁ କହିଲା " ଆମ ହାତରେ ଆଉ ଖୁବ୍ କମ ସମୟ ଅଛି।ଗୋଟେ କଥା କହିବି ବୋଲି ଭାବୁଛି।ଆଉ ପୂର୍ବ ପର ସଂହତି ନରଖି ସିଧା କହୁଛି,ମୁଁ ତୁମକୁ ଏତିକି ମିଳାମିଶାରେ ମନ ଦେଇ ସାରିଛି।ତୁମକୁ ବିବାହ କରିବାକୁ ଚାହୁଁଛି।ତମେ ମୋ ପ୍ରସ୍ତାବରେ ରାଜି"?
ହଠାତ୍ ଝିଅଟିର କଥାକୁହା ଆଖି ଦୁଇଟି ଛଳଛଳ ହେଇ ଆସିଲା।କିଛି ଉତ୍ତର ନଦେଇ ସେ ଚୁପ୍ ରହିଲା।ଅନୁରାଗ ପୁଣିଥରେ ତାଙ୍କ ପ୍ରଶ୍ନ ଦୋହରାଇଲା। ଟ୍ରେନ୍ ଷ୍ଟେସନରେ ଲାଗିସାରିଥିଲା।ସମସ୍ତ ଯାତ୍ରି ମାନେ ଓହ୍ଲେଇବାକୁ ତରବର ହେଉଥିବା ବେଳେ ଝିଅଟି ତା ବ୍ଯାଗ ରୁ ଗୋଟେ ଲେଟର ପ୍ଯାଡ ବାହାର କରି ସେଥିରେ ତରବର ହେଇ କିଛି ଲେଖିଲା।ତାପରେ ଅନୁରାଗ ହାତକୁ ବଢେଇ ଦେଇ ତରବର ହେଇ ଟ୍ରେନ୍ ରୁ ଓହ୍ଲେଇଗଲା।ତା ଯିବା ବାଟକୁ ଚାହିଁ ରହିଥିଲା ଅନୁରାଗ।ଯିବା ପର୍ଯ୍ଯନ୍ତ ବି ସେ ପଦ୍ମିନୀର ପଦ୍ମ ପାଖୁଡା ଭଳି ମୁହଁକୁ ଥରେ ଦେଖିପାରିଲାନି ବୋଲି ହତାସବୋଧରେ ଭାଙ୍ଗି ପଡିଲା।
ଅନୁରାଗ ମଧ୍ଯ ପଦ୍ମିନୀ ପଛେପଛେ ଓହ୍ଲେଇ ଆସିଲେ।କିନ୍ତୁ ସେଇ ଭିଡ ଭିତରେ ପଦିନୀକୁ ଆଉ କେଉଁଠି ଖୋଜି ପାଇଲେନି।ହାତ ମୁଠାରେ ଜୋରକରି ଧରିଥାନ୍ତି ପଦ୍ମିନୀ ଲେଖିଦେଇଥିବା କାଗଜଟିକୁ।ରୁମ ରେ ପହଞ୍ଚି ଫ୍ରେସ୍ ହେଇସାରି ଖଟ ଉପରେ ଗଡିପଡି ସେ କାଗଜଟିର ଭାଙ୍ଗ ଖୋଲି ପଢିବାକୁ ଲାଗିଲା।
ସେଥିରେ ପଦ୍ମିନୀର ଘର ଠିକଣା ସହ ତା ବାପାଙ୍କର ଫୋନ ନମ୍ବର ଲେଖାଥିଲା।ଆହୁରି ଲେଖାଥିଲା "ଯଦି ଆପଣ ପ୍ରକୃତରେ ଆଗ୍ରହୀ ତାହେଲେ ଝିଅଦେଖା ପ୍ରୋଗ୍ରାମ କରି ଆପଣଙ୍କ ବାପା ମାଆଙ୍କୁ ଥରେ ଆମ ଘରକୁ ପଠାନ୍ତୁ। ସେମାନେ ରାଜିହେଲେ ଆମ ଘର ତରଫରୁ ଅରାଜି ହେବାଭଳି କିଛି କାରଣ ନାହିଁ।କାଗଜଟିକୁ ପଢିସାରି ହା ହା ହେଇ ହସିଲା ଅନୁରାଗ।ଏତିକି କଥା ମୁହଁ ଖୋଲି ନକହି କାଗଜରେ ଲେଖିଦେବା କ'ଣ ଦରକାର ଥିଲା? ଖାଲିଖାଲିରେ ସେ କେତେ ଟେନସନ ନେଲାଣି। ତୁମ ଘର ତରଫରୁ ଅରାଜି ହେବାଭଳି ଯଦି କିଛି କାରଣ ନାହିଁ ଆମ ଘର ତରଫରୁ କେଉଁ ଅଛି ଯେ।ମୋ ବାପା ମାଆଙ୍କୁ ତମେ ଜାଣିନ।
ସେଦିନ ବ୍ଯାଙ୍କରୁ ଫେରି ଘରକୁ ଫୋନ୍ କରି ସବୁ କଥା କହିଲା ଅନୁରାଗ।ପଦ୍ମିନୀର ବାପାଙ୍କ ଫୋନ୍ ନମ୍ବର ମଧ୍ଯ ଦେଲା।ଫୋନ୍ ରେ ଅନୁରାଗର ବାପା ପଦ୍ମିନୀର ବାପାଙ୍କ ସହ କଥା ହେଇସାରି ତାଙ୍କ ଘରକୁ ଯିବାପାଇଁ ଦିନ ଧାର୍ଯ୍ଯ କଲେ।ପଦ୍ମିନୀ ବି ସେଇ ଦିନ ଆଗରୁ କଲିକତାରୁ ଫେରି ଆସିଥିଲା।ନିର୍ଦ୍ଦିଷ୍ଟ ଦିନରେ ଅନୁରାଗର ବାପା ଓ ମାଆ ଯାଇ ପଦ୍ମିନୀର ଘରେ ପହଞ୍ଚିଲେ।ସେଦିନ ପଦ୍ମିନୀ ଗୋଟେ ହାଲକା ନୀଳ ରଙ୍ଗର ଶାଢୀ ପିନ୍ଧି ନୀଳ ପରୀଟିଏ ଭଳି ଦିଶୁଥାଏ ।ଖୋଲା ଚୁଟିରେ ସମୁଦ୍ର ଲହରୀ ଢେଉ ଖେଳିଲା ଭଳି ଲାଗୁଥାଏ।ଆଜି କିନ୍ତୁ ଅନୁରାଗ କହିଲା ଭଳି ତା ଆଖି କଥା ନକହି ଚୁପ୍ ରହିଥାଏ।ହାତରେ ଜଳଖିଆ ଟ୍ରେ ଧରି ସେ ଆସି ଅନୁରାଗର ବାପା ମାଆଙ୍କ ପାଖରେ ଟ୍ରେ ଥୋଇଦେଇ ପ୍ରଣାମ କଲା।ସେମାନେ ତାକୁ ପାଖରେ ବସିବାକୁ କହିଲେ। ପଦ୍ମିନୀ ସେମାନଙ୍କ ପାଖରେ ବସିଲା ପରେ ସେମାନେ ପଦ୍ମିନୀକୁ ମୁହଁରୁ ମାସ୍କ ଖୋଲିବାକୁ କହିଲେ।ଏଥର ଥରିଲା ଥରିଲା ହାତରେ ପଦ୍ମିନୀ ମୁହଁରୁ ମାସ୍କ ବାହାର କଲା।ଏ କ'ଣ?ଚମକି ପଡିଲେ ଉଭୟ ଅନୁରାଗର ବାପା ଆଉ ମାଆ। ପଦ୍ମିନୀ ତାହେଲେ ଏସିଡ୍ ପୀଡିତା !!!କପାଳ ଆଉ ଆଖି ପାଖର ସବୁ ଜାଗା ଭଲ ଥିଲେ ବି ଓଠ ପାଖରୁ ସବୁ କିଛି ଜଳି ଯାଇଥିଲା।ପଦ୍ମିନୀର ବାପା ମାଆ ବଡ କାକୁସ୍ଥ ଅବସ୍ଥାରେ ଛିଡା ହେଇଥିଲେ ହାତରେ ପଦ୍ମିନୀର ପୁରୁଣା ଫଟୋ ଗୋଟେ ଧରିକି।ବଖାଣୁଥିଲେ ସେଦିନ ର ଭୟଙ୍କର ଘଟଣା।ଏକ ପାଖିଆ ପ୍ରେମରେ ଅନ୍ଧ ହେଇ ଜଣେ ସୈତାନର ବର୍ବର କାଣ୍ଡ।ଆଖିରେ ଲୁହ ଆସିଗଲା ଅନୁରାଗ ର ବାବା ମାଆ ଙ୍କର ସେଦିନ ର ଘଟଣା ଶୁଣିସାରି।ତଥାପି ସେମାନେ ପୁଅଠାରୁ ମତାମତ ନେଇ ଜଣେଇବେ ବୋଲି କହି ସେଠୁ ଚାଲିଆସିଲେ।ସେମାନେ ଆସିଲା ପରେ ପଦ୍ମିନୀ ହସିଲା ଗୋଟେ ମନଖୋଲା ହସ।ସେମାନେ ଆଉ ଆସିବେନି ମାଆ, ଆଉ ଆଶା କରନା।
ଅନୁରାଗଙ୍କ ଘରେ ସରଗରମ ଆଲୋଚନା ପଦ୍ମିନୀକୁ ନେଇ।ଅନୁରାଗର ଶୁଖିଲା ମୁହଁକୁ ଦେଖୁ ପାରୁନଥିଲେ ତା'ର ବାବା ମାଆ।ପୁଅର ମନ ରଖିବାକୁ ଯାଇ ସେମାନେ ସେଇଠି ବିବାହ କରିବାକୁ ସମ୍ମତି ପ୍ରକାଶ କଲେ ,ମାତ୍ର ବାହାଘର ପୂର୍ବରୁ ପଦ୍ମିନୀର ପ୍ଳାଷ୍ଟିକ ସର୍ଜରୀ କରିବାକୁ ଚାହିଁଲେ।ଯେତେ ଟଙ୍କା ଖର୍ଚ୍ଚ ହେବ କରିବାକୁ ସେମାନେ ପ୍ରସ୍ତୁତ।ଦରକାର ପଡିଲେ ବିଦେଶ ଯିବାକୁ ବି ପ୍ରସ୍ତୁତ ଅଛନ୍ତି ବୋଲି ଜଣେଇଲେ ମଧ୍ଯ।କିନ୍ତୁ ରାଜି ନଥିଲେ ଅନୁରାଗ।ସେ ଯେଉଁ କଥା କୁହା ଆଖିକୁ ପ୍ରେମ କରିଛନ୍ତି ସେଇଆକୁ ହିଁ ବିବାହ କରିବେ।ପଦ୍ମାନୀର ମୁହଁ ସେ ଦେଖିକି ପ୍ରେମ କରିନଥିଲେ। ପଦ୍ମିନୀର ଚେହେରା ସାଙ୍ଗରେ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସିଧା ସିଧା ଜଣେଇଦେଲେ ଓ ସେଇକଥା ପଦ୍ମିନୀର ଘରେ ମଧ୍ଯ ଜଣେଇବାକୁ କହିଲେ। ପୁଅର କଥା ଶୁଣି ଅନୁରାଗର ବାବା ଉଠିକି ଗଲେ ଫୋନ୍ ପାଖକୁ। ସେପଟେ ଫୋନ୍ ରେ ପଦ୍ମିନୀର ବାପା।ସମୁଦୀ ବାହାଘର ପାଇଁ ଦିନ ଧାର୍ଯ୍ଯ କର। ଆଗରୁ ଜଣେଇଲେ ପୁଅ ବ୍ଯାଙ୍କରୁ ଛୁଟି ଆଣିବ।ଆଶ୍ଚର୍ଯ୍ଯ ହେଉଥିଲେ ପଦ୍ମିନୀର ସାରା ପରିବାର । ସତରେ କ'ଣ ଇଏ ସମ୍ଭବ?ହଁ , କାହିଁକି ସମ୍ଭବ ନୁହେଁ?ଇଏ ପରା "ମନର ମିଳନ" ହସିହସି କହୁଥିଲେ ଅନୁରାଗର ବାବା ଆଉ ମାଆ।ଅନୁରାଗର ଓଠରେ ଥିଲା ତୃପ୍ତିର ଝଲକ।
ତ୍ରୁଟି ମାର୍ଜନା କାମନା...
🌼🌻 ସମାପ୍ତ 🌻🌼
Leave a Comment