ପୁଅ ଘର କଥା

 🦚 "ପୁଅ ଘର କଥା" 🦚


ରଚନା : ଅନିତା ମିଶ୍ରଦାଶ

ସଂଗ୍ରହ: ଆକାଶ ❣️

ସୌଜନ୍ୟ : ଆନିମେସନ ଓଡ଼ିଶା

:::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::


ପଡୋଶୀ ଘର ମାଉସୀ ଦିନେ ଆସି ବଗିଚାରେ ବସିଲେ। ଦୁଃଖ, ସୁଖ ଗାଉ ଗାଉ ମନର କଥା କହିପକାଇଲେ। 

--ସେ ପଛ ସାହି ପଣ୍ଡା ଘର ପୁଅଟା ପିଅନ ଚାକିରୀ କରୁଛି। ଦେଖିବାକୁ କିଟ୍ କିଟ୍ କଳା ହେଇଛି ସିନା ମଦ ପାଣି କିଛି ପିଏନି। ଦୁଷ୍ଟ କି ନଷ୍ଟ ନାହିଁ । ଭାବୁଛି, ପୁଅର ଝିଅ ଟି ପାଇଁ ଯାଇ କଥା ପକେଇବି। 

ମାଉସୀ ଙ୍କର ନାତୁଣୀ ପାଠ ପଢାରେ ଖୁବ୍ ଭଲ। ଦେଖିବାକୁ ବି ସୁନ୍ଦର । ମାଉସୀ କେବଳ ପିଲାଟି ଉପରେ ଆକର୍ଷିତ ହେଇ ନାତୁଣୀ କୁ ବାହା କରାଇବାକୁ ଚାହୁଁଛନ୍ତି । ମୁଁ  କାହିଁକି କ'ଣ କହିବି..? ପୁଣି ଏ ବାହା ଘର ଭାରି ଭୟଙ୍କର କଥା। 

ଭଲ ପାଠ ପଢୁଥିବା ନାତୁଣୀର ପ୍ରସ୍ତାବ ଆସିବା ଦେଖି, ପୁଅଘର ଚଟ୍ ମଙ୍ଗନି ପଟ ବାହା, କରିପକାଇଲେ। ମାଉସୀ ଙ୍କର ନାତୁଣୀ ବାହାଘର ଭୋଜି ଖାଇବା ପାଇଁ ଯାଇଥିଲି। 

ବିବାହର କିଛି ଦିନ ପରେ, ପୁଅ ଘର ସବୁଆଡେ ଗାଇ ବୁଲିଲେ, ଯେ ମାଉସୀ ଘରେ ବନ୍ଧୁ କରି ସେମାନେ ଘାଟାରେ ପଡିଗଲେ। ତାଙ୍କୁ ମାଉସୀ ଯାଇ ପଟେଇ ବାହାଘର କରିଦେଲେ। ମାଉସୀ ଆସି ଆଉ ଦିନେ କହିଲେ..

--ସେ ନାତୁଣୀର ଘର ଲୋକ, ସବୁ ଆଡେ ଗାଇ ବୁଲୁଛନ୍ତି, ଆମେ ତାଙ୍କୁ ଠକି ଦେଲୁ। ଆମର ନାତୁଣୀ, ବି ଏ ପଢିଛି। କ'ଣ ନାହିଁ ଆମେ ସରକାରୀ ଚାକିରୀ କରୁଛି ବୋଲି ତାଙ୍କର କାଳିଆ ପିଅନ ପୁଅ ଟାକୁ କଲୁ, ଏମାନେ କହିଲେଣି ଆମେ ତାଙ୍କୁ ଠକି ଦେଲୁ। ପିଲାଟାର ସ୍ବଭାବ କୁ ଦେଖି କ'ଣ ଦେଲୁ, ଏବେ ଏ କଥା ଶୁଣିଲୁ। 

ଏ ଅଭିଜ୍ଞତା ତ ମୋ'ର ଭଲ ଭାବରେ ଅଛି। ଆମ ଘର ଲୋକ ବି ଆମ ଶ୍ବଶୁର ଘର ଲୋକଙ୍କୁ ଠକିଛନ୍ତି, ବୋଲି ବିଚରା ମଧ୍ୟସ୍ଥି ଟା କେତେ ଗାଳି ଖାଇଥିଲା। ଆମ ବନ୍ଧୁ ବାନ୍ଧବ  ବି ଶ୍ବଶୁର ଙ୍କର କଥାର ମଜ୍ଜା ଉଠୋଉ ଥିଲେ। ଝିଅ ଟିଏ କାହା ଘରେ ପଶିଗଲେ, ସରିଗଲା କଥା। ଚଉଦ ପୁରୁଷର ଦୋଷ ଦୂର୍ଗୁଣ  ଖୋଜି ବନ୍ଧୁ ବାନ୍ଧବରେ ଗାଇବୁଲନ୍ତି। ବେସରମ୍ ପରି ସହିବାକୁ ପଡିଥାଏ, ବିବାହ ବୈତରଣୀ ଯେ ପାର କରିବାକୁ ହୁଏ । ମାଉସୀ ଙ୍କୁ  ବୁଝାଇ କହିଲି...

--ଏମିତି କିଛି ହୀନ ପରିବାର ଲୋକେ ଗାଇବେ, ଗାଉଥାଆନ୍ତୁ। ତୁମେ ତ ପୁଅ ଟିର ସ୍ବଭାବ ଦେଖି ଜ୍ବାଇଁ କରିଛ, କାନ ବନ୍ଦ କରି କେବଳ ଦେଖୁଥାଅ। 

ଏମିତି କହିବାର କାରଣ, ତାଙ୍କ ନାତୁଣୀ କୁ ମୁଁ ଭଲ ଭାବରେ ଜାଣି ଥିଲି। ଆଜି କାଲିର ପିଲାଙ୍କ ପରି ପାର୍କ ଛକ ରେ ସମ୍ପର୍କ ରଖିବୁଲିବା ପରିବର୍ତ୍ତେ ସେ କିଛି କରିବା ସ୍ୱପ୍ନ ଦେଖୁଥିଲା। ସତକୁ ସତ ଆଉ ଅଳ୍ପ ଦିନ ପରେ ମାଉସୀ ପୁଣି ଆସି କହିଲେ...

-ସେ ନାତୁଣୀ କୁ ଜ୍ବାଇଁ ଚାକିରୀ ପାଇଁ ବହୁତ୍ ଆଡେ ପରୀକ୍ଷା ସବୁ ଦେବାକୁ ନେଉଥିଲେ। ସରକାରୀ କିରାଣୀ ଚାକିରୀ ଟିଏ ଏଇ ସହରରେ ପାଇଗଲା। 

ମୁଁ ତ ଆଗରୁ ତାଙ୍କ  ପରିବାର ଲୋକେ, ଠକି ଦେବା କହୁଥିବା କଥା ଶୁଣିଥିଲି। ନାତୁଣୀ ଟା ଚାକିରୀ ପାଇବା ଶୁଣି ମାଉସୀ ଙ୍କୁ କହିଲି...

--ଏବେ ତାଙ୍କ  ପରିବାର ଲୋକଙ୍କୁ ଯାଇ ପଚାର, ଏବେ  କିଏ କାହାକୁ ଠକିଦେଲା...?

ମାଉସୀ ହସିଦେଇ କହିଲେ...

--ଏ କଥା ତାଙ୍କର ପଡୋଶୀ ମାନେ ପଚାରି ସାରିଲେଣି। ଉତ୍ତର ବି ଆମ ଘରକୁ ଆସି ସାରିଲାଣି। ସେମାନେ (ତାଙ୍କର ପୁଅ) କଷ୍ଟ ପଡି, ବାର ଆଡେ ପରୀକ୍ଷା ଦେବାକୁ ନେଲାରୁ ସିନା କିରାଣୀ ଚାକିରୀ ଟା ହେଲା.?

--ବୋହୂ ପାଇଁ ତ ପୁଅ କିରାଣୀ ଚାକିରୀ କରେଇ ପାରିଲା, ନିଜ ପାଇଁ କଲା ବେଳକୁ କଲାନି.? ପିଅନ ଚାକିରୀ କାହିଁକି କଲା.? ସେମାନେ ତ  ନାତୁଣୀ କୁ ଜନ୍ମ କଲା ବେଳକୁ ବି କିଛି କରିଥିବେ,ଚଲା ଶିଖେଇଥିବେ, ଖଡି ଧରିଲା ବେଲେ ବି ହାତ ଧରିଥିବେ। ସ୍କୁଲ ଛାଡି ଯାଇଥିବେ। ସବୁ ସେମାନେ କଲେ। ଖାଲି ଠକିବା କାମଟା ତମେ ତାଙ୍କର ଘରେ ପଶି କରିଦେଲ।

ନାତୁଣୀ ଟା ଚାକିରୀ ପାଇଛି ବୋଲି ମାଉସୀ ଙ୍କର ମନଟା ଉଡୁଥିଲା। ସେ କହିଲେ...

--ଝିଅ ଦେଇଛୁ ପରା, କିଛି ଉତ୍ତର ଦେଲେ ହବନି।ଯାହା କହିଲେ ସବୁ ଶୁଣି ସହି ଯିବାକଥା। ଆମ ଝିଅଟା କିରାଣୀ ଚାକିରୀ କଲେବି ତାଙ୍କର ପୁଅଟା ବଡ ଚାକିରୀ କରୁଛି କହିଲେ ବି ଆମେ ହଁ ଭରିବୁ। ପୁଅ ଘର କଥା ପରା..?

ମାଉସୀ ଙ୍କର ଏ ସହିବା କଥା ଶୁଣିଲା ବେଳେକୁ ମୋ'ର ବି ମନେ ପଡି ଯାଉଥିଲା ଆଉ ଗୋଟିଏ ପୁଅ ଘର କଥା...!


---ସମାପ୍ତ ---

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.