ଅଭିଶପ୍ତ ଦ୍ୱାରପାଳ
ଅଭିଶପ୍ତ ଦ୍ୱାରପାଳ
ହସ୍ତିନା ରାଜସଭାରେ ଥାଇ ଧର୍ମରାଜ ବ୍ୟାସଦେବଙ୍କୁ ସ୍ମରଣ କଲେ Ι ଧୃତରାଷ୍ଟ୍ର ,ଭୀଷ୍ମ ଦ୍ରୋଣ,କର୍ଣ୍ଣ,କୃପ,ଅଶ୍ଵତ୍ଥାମାଙ୍କ ସହ କୌରବ ଶତ ଭ୍ରାତା ଉପସ୍ଥିତ ଥାନ୍ତି Ι ବ୍ୟାସଙ୍କୁ ଦେଖି ସମସ୍ତେ ଯଥାମାନ୍ୟ ପ୍ରଦର୍ଶନ କଲେ Ι ଯୁଧିଷ୍ଠିର ସଭା ମଧ୍ୟରେ ଉଠି ଛିଡା ହେଲେ Ι କରଯୋଡ଼ି କହିଲେ, "ପିତା ପଣ୍ଡୁଙ୍କୁ ବ୍ରହ୍ମ ଦୋଷ ଲାଗିଛି ବୋଲି ଆପଣମାନେ ଜାଣିଛନ୍ତି Ι ତାଙ୍କୁ ସେ ଦୋଷରୁ ମୁକ୍ତି ଦେବାପାଇଁ ଦ୍ୱାରକାଧୀଶଙ୍କ ଉପଦେଶ କ୍ରମେ ମୋତେ ରାଜସୂୟ ଯଜ୍ଞ କରିବାକୁ ପଡିବ Ι କିନ୍ତୁ ମୋ ଭଳି ସାମାନ୍ୟ ମାନବ ପାଇଁ ଏହା ସମ୍ଭବ ଲାଗୁନାହିଁ Ι ଆପଣମାନଙ୍କ ଆନ୍ତରିକ ଏବଂ ସକ୍ରିୟ ସାହାଯ୍ୟ ବିନା ଏହା ଅସମ୍ଭବ Ι ପିତା ପିତାମହ ଏବଂ ଗୁରୁ ଗୁରୁଜନମାନେ ଏ ଦିଗରେ ମୋତେ ଦିଗ୍ଦର୍ଶନ ଦେବାକୁ ମୁଁ ଅନୁରୋଧ କରୁଛି Ι" ଶୁଭେଚ୍ଛୁ ସଭାସଦମାନେ ସାଧୁ ସାଧୁ ବୋଲି ପ୍ରଶଂସା କଲେ Ι
“ବ୍ୟାସ ବୋଇଲେ,"ଯାହାକୁ ସାହା ଚକ୍ରଧର,ରାଜସୂୟ ଯଜ୍ଞ ସଭା କିଞ୍ଚିତ ମାତର Ι ବାବୁ ଯେତେବେଳେ ଭୀମ ବଧ କଲା ଜରା,ଲକ୍ଷେ ରାଜା ହୋଇଲେଣି ତୁମ୍ଭ ଭୃତ୍ୟ ପରା Ι ସୁମରିବୁ ଯେତେବେଳେ ଦେବତାମାନଙ୍କୁ, ସେହିକ୍ଷଣି ଆସିବେ ସେ ତୁମ୍ଭରି ପାଶକୁ Ι ଆବର ସାହା ଅଛନ୍ତି ଦେବ ନାରାୟଣ, ରାଜୁସି ଯଜ୍ଞକୁ ବେଗେ କର ଆରୋପଣ Ι"
ଦୁର୍ଯ୍ୟୋଧନ ଦୁଃଶାସନ ଏବଂ ଶକୁନିଙ୍କ ମୁଖରେ ତାତ୍ସଲ୍ୟ, ଅନାଦର ଏବଂ ପରିହାସର ଏକ ମିଶ୍ରିତ ଭାବ ଫୁଟି ଉଠୁଥିଲା Ι କିନ୍ତୁ ମହାମୁନି ବ୍ୟାସଙ୍କ ସମ୍ମୁଖରେ କେହି ନାସ୍ତି ସୂଚକ ପ୍ରତିକ୍ରିୟା ଦେବାକୁ ସାହସ କରିପାରିଲେ ନାହିଁ Ιଅଗତ୍ୟା ସର୍ବସମ୍ମତିକ୍ରମେ ରାଜସୂୟ ଯଜ୍ଞ କରାଯିବା ସ୍ଥିରୀକୃତ ହେଲା Ι
ବ୍ୟାସଦେବ ଅନ୍ୟ କେତେକ ଋଷି ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ନେଇ ଯଜ୍ଞସ୍ଥଳ ନିରୂପଣ କଲେ Ι ସେଠାରେ ତ୍ରିଶୂଳ ଦ୍ୱାରା ଭୂମି ଚିରି ତିଳ ବୁଣାଇଲେ Ι ଯଜ୍ଞ ଶାଳ ଏବଂ ଯଜ୍ଞ କୁଣ୍ଡର ମାପ ଦେଇ ସେ ତାଙ୍କର କିଛି ଶିଷ୍ୟଙ୍କୁ ନିର୍ମାଣ କାର୍ଯ୍ୟର ତତ୍ତ୍ଵାବଧାନ ପାଇଁ ଛାଡିଦେଇଗଲେ Ι ଆବାସ ନିର୍ମାଣ ଏବଂ ଆବଶ୍ୟକ ଦ୍ରବ୍ୟ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଗଲା Ι ଏବେ ଦ୍ଵିତୀୟ ମୂଖ୍ୟ କାର୍ଯ୍ୟ ଥିଲା ରାଜାମାନଙ୍କୁ ନିମନ୍ତ୍ରଣ Ι ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ,"ଆପଣ ଚାରିଭାଇଙ୍କୁ ଚାରି ଦିଗକୁ ଯିବାପାଇଁ ନିର୍ଦ୍ଦେଶ ଦିଅନ୍ତୁ Ι ସେମାନେ ନିଜ ସହ ପର୍ଯ୍ୟାପ୍ତ ସୈନ୍ୟ ସାମନ୍ତ ଏବଂ ନିମନ୍ତ୍ରଣ ସାମଗ୍ରୀ ନେଇ ଯାତ୍ରାରମ୍ଭ କରନ୍ତୁ Ι ନକୁଳ ସହଦେଵଙ୍କ ସାମର୍ଥ୍ୟ ଉପରେ ଯୁଧିଷ୍ଠିରଙ୍କର ଭରସା ନ ଥିଲା Ι ସେ କହିଲେ,"ବାସୁଦେବ, ଏ ଦୁଇଜଣ ନ ଯାନ୍ତୁ Ι ତାଙ୍କର କିଛି କ୍ଷତି ହୋଇଗଲେ ମୁଁ ମାତା ମାଦ୍ରୀଙ୍କର ଆତ୍ମାକୁ ଉତ୍ତର ଦେଇପାରିବି ନାହିଁ Ι" ଶ୍ରୀହରି କହିଲେ,
"ପଶ୍ଚିମ ଦିଗେ ଅଛନ୍ତି ଦୁଷ୍ଟରାଜାଗଣ, ତାହାଙ୍କୁ ସାଧ୍ୟ କରିବ ବୀର ଭୀମସେନ Ι
ଉତ୍ତରେ ବସନ୍ତି ମହା ପ୍ରତାପୀ ରାଜନ, ଅର୍ଜୁନକୁ ବୋଲନ୍ତୁ ସେ କରୁ ନିମନ୍ତ୍ରଣ Ι
ପୂର୍ବ ଦିଗରେ ଧାର୍ମିକ ଓ ଵିଵେକୀ ନୃପତିମାନେ ଅଛନ୍ତି Ι ସେମାନେ ଶତ୍ରୁତା ଆଚରଣ କରିବେ ନାହିଁ ବୋଲି ମୋର ବିଶ୍ୱାସ Ι ସେ ଦିଗରେ ସହଦେବ ଯାଉ Ι ଦକ୍ଷିଣ ଦିଗରେ ମଧ୍ୟ ଯେଉଁ ରାଜାମାନେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେବତା ବ୍ରାହ୍ମଣଙ୍କୁ ଭକ୍ତି କରନ୍ତି Ι ସେମାନେ ଆଗ୍ରହର ସହ ଯଜ୍ଞରେ ଯୋଗ ଦେବେ Ι ସେମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନକୁଳ ଯାଉ Ι ସମସ୍ତଙ୍କୁ ନିର୍ଦ୍ଦେଶ ଦିଅନ୍ତୁ, ସେମାନେ ନବେ ଦିନ ମଧ୍ୟରେ ଯେପରି ହେଉ ସଭା ସ୍ଥଳରେ ପହଞ୍ଚିବେ Ι
ଜ୍ୟୋତିଷଙ୍କୁ ଡକାଇ ଶୁଭ ଅନୁକୂଳ ପାଇଁ ସମୟ ସ୍ଥିର ହେଲା Ι ଜଣ ଜଣ କରି ଚାରି ଭ୍ରାତା ଚାରି ଦିଗକୁ ରଥ ଅଶ୍ୱ ଗଜ ଓ ପଦାତିକ ବାହିନୀଙ୍କୁ ସାଙ୍ଗରେ ଘେନି ଯାତ୍ରା ଆରମ୍ଭ କଲେ Ι ଭୀମସେନ ବାହାରିବା ସମୟରେ ତାଙ୍କୁ ଶ୍ରୀକୃଷ୍ଣ କିଛି ଆବଶ୍ୟକୀୟ ସତର୍କ ବାଣୀ ଶୁଣାଇଲେ Ι ସେ କହିଲେ,"ବୀର ବୃକୋଦର, ଅନ୍ୟମାନଙ୍କୁ କହିଛି, ତୁମକୁ ମଧ୍ୟ ବିଶେଷ ଭାବରେ କହୁଛି, ରାଜାମାନଙ୍କୁ ରାଜସୂୟ ଯଜ୍ଞକୁ ନିମନ୍ତ୍ରଣ କରିବାକୁ ଯାଉଛ ବୋଲି ଯେମିତି ତୁମର ମନେ ରହେ Ι ସେମାନେ ଜୀବନ୍ତ ଅବସ୍ଥାରେ ଯଜ୍ଞକୁ ଆସିବା ଆବଶ୍ୟକ Ι ଅନେକ ଦୁଷ୍ଟ ରାଜା ତୁମ ସହ ଦୁର୍ବ୍ୟବହାର କରିବେ Ι ତୁମକୁ ସେ ସବୁ ସହିବାକୁ ପଡିବ Ι ଆବଶ୍ୟକ ହେଲେ ଯୁଦ୍ଧ କରି ତୁମେ ସେମାନଙ୍କୁ ପରାସ୍ତ କରିବ Ι ପରାକ୍ରମର ଅହଙ୍କାରରେ କିମ୍ବା କ୍ରୋଧରେ ଉନ୍ମତ୍ତ ହୋଇ କୌଣସି ନରପତିଙ୍କ ପ୍ରାଣ ହରଣ କରିବ ନାହିଁ Ι ଏମିତିରେ ଆମର ଚାରିଜଣ ରାଜା କମ ଅଛନ୍ତି Ι ଜଣେ ରାଜା ଓ ତାଙ୍କ ସୈନ୍ୟ,ସାମନ୍ତ,ହାତୀ, ଘୋଡା ଆଦି ସୁବର୍ଣ୍ଣରେ ନିର୍ମାଣ କରିବା କେବଳ ବ୍ୟୟ ସାପେକ୍ଷ ନୁହେଁ, ସମୟ ସାପେକ୍ଷ ମଧ୍ୟ Ι ମନେ ରଖ ମାରୁତି, ଏହା କେବଳ ମୋ ଆଜ୍ଞା ନୁହେଁ, ଧର୍ମରାଜଙ୍କର ଆଦେଶ ମଧ୍ୟ Ι ଏହି ଆଜ୍ଞାକୁ ଅବଜ୍ଞା କଲେ,ଜରାସନ୍ଧକୁ ବଧ କରି ତୁମେ ଯେଉଁ ମହାନ କାର୍ଯ୍ୟ କରିଛ, ମୁଁ ସେ କଥା ଭୁଲିଯିବି Ι ସାଧାରଣ ପ୍ରଜାଟିଏ ପରି ରାଜାଦେଶ ଉଲ୍ଲଙ୍ଘନ ଅପରାଧ ରେ ତୁମର ବିଚାର କରାଯିବ Ι"ବୃକୋଦରଙ୍କର ପ୍ରକୃତି ଜାଣିଥିଲେ ଜନାର୍ଦ୍ଦନ Ι ତେଣୁ ତାଙ୍କୁ ଏପରି କଠୋର ଶବ୍ଦଯୁକ୍ତ ଚେତାବନୀ ଦେବାକୁ ପଡିଲା Ι
ଦୁର୍ଯ୍ୟୋଧନ ଶକୁନିଙ୍କୁ ପ୍ରଶ୍ନ କଲେ," ଆପଣ କଣ ଭାବୁଛନ୍ତି ? ଆମେ ଏ ଯଜ୍ଞରେ ଯୋଗ ଦେବା ଉଚିତ ହେବ ?"ଶକୁନି କହିଲେ,"ପ୍ରଥମେ ରାଜାମାନେ ଆସନ୍ତୁ ଏକଲକ୍ଷ ରାଜାଙ୍କୁ ଏମାନେ ଆଣି ଏଠାରେ ଏକତ୍ରିତ କରି ଚର୍ଚ୍ଚା କରିବେ, ମୋର ତ ବିଶ୍ୱାସ ହେଉନାହିଁ Ι ଯଦି ତାହା ସମ୍ଭବ ହୁଏ, ତେବେ ଆମ୍ଭେମାନଙ୍କୁ ମଧ୍ୟ ଯୋଗ ଦେବାକୁ ପଡିବ Ι ସାରା ଆର୍ଯ୍ୟାବର୍ତ୍ତର ରାଜନ୍ୟମଣ୍ଡଳୀ ସହ ପରିଚିତ ହେବା ଏକ ଦୁର୍ଲଭ ସୁଯୋଗ Ι ହାତଛଡା କରିବାର ନୁହେଁ Ι"
କ୍ରମଶଃ...............
କ୍ରମଶଃ...............
Leave a Comment