ବାଣୀର ପ୍ରୟୋଗ

ବାଣୀର ପ୍ରୟୋଗ

ସୌଜନ୍ୟ :-  ଆନିମେସନ ଓଡ଼ିଶା 

ବୁଝି ବିଚାରି ବାଣୀର ପ୍ରୟୋଗ କରନ୍ତୁ....


ବାଣୀ ଈଶ୍ୱର ପ୍ରଦତ୍ତ ଏକ ଦୈବୀ ଉପହାର, ଯାହାକୁ ଭାରତୀୟ ଶାସ୍ତ୍ର ଗୁଡ଼ିକରେ ସରସ୍ବତୀଙ୍କ ନିବାସ ସ୍ଥାନ ମନେ କରାଯାଇଛି । ବାକଶକ୍ତି ରୂପେ ତାହାର ବର୍ଣ୍ଣନ କରାଯାଇଛି । ଏଠାରେ ବାଣୀ ମାଧ୍ୟମରେ ପ୍ରକଟ ଧ୍ଵନିକୁ  ଶବ୍ଦବ୍ରହ୍ମର ଉପମା ଦିଆଯାଇଛି । ମନ୍ତ୍ରଶକ୍ତି ରୂପେ ଏହାର ହିଁ ସୂକ୍ଷ୍ମ ସ୍ଵରୂପ ପ୍ରକଟ ହୋଇଥାଏ । ଏହାର ସାମର୍ଥ୍ୟରେ ବରଦାନରୁ ନେଇ ଶାପ ଘଟିତ ହେବାର ପ୍ରସଙ୍ଗ ଶାସ୍ତ୍ରଗୁଡ଼ିକରେ ଭରି ରହିଛି ।

ଲୋକ ବ୍ୟବହାରରେ ବାଣୀର ମହତ୍ତ୍ୱ ରହିଛି, ଯାହା ସାମାଜିକ ଜୀବନରେ ସଫଳତାରୁ ନେଇ ଆନ୍ତରିକ ଶାନ୍ତି ସନ୍ତୋଷର ଆଧାର ହୋଇଥାଏ । ବାଣୀର ସ୍ଥୂଳ ସ୍ଵରୂପ ବୈଖରୀ ମାଧ୍ୟମରେ ମୁଖ ଦ୍ଵାରା ଉଚ୍ଚାରଣ କରାଯାଏ, ତ ପରା, ପଶ୍ୟନ୍ତୀ ଓ ମଧ୍ୟମା ମାଧ୍ୟମରେ ଅନ୍ତଃକରଣର ବାଣୀ ପ୍ରସ୍ଫୁଟିତ ହୋଇଥାଏ । ଏହାର ଆଗକୁ ଶାସ୍ତ୍ରଗୁଡ଼ିକରେ ଶବ୍ଦକୁ ବ୍ରହ୍ମର ଉପମା ଦିଆଯାଇଛି । ଶବ୍ଦର ବଡ଼ ସାମର୍ଥ୍ୟ ଥିବା କୁହାଯାଇଛି ।

ଯେତେବେଳେ ଆମେ କୌଣସି ଶବ୍ଦର ଉଚ୍ଚାରଣ କରୁ, ତ ତାହାର ପ୍ରଭାବ କେବଳ ବ୍ୟକ୍ତିର ଗୁପ୍ତ ମନ ଉପରେ ପଡ଼େ ନାହିଁ, ବରଂ ସାରା ସଂସାର ମଧ୍ୟ ଏହା ଦ୍ଵାରା ପ୍ରଭାବିତ ହୋଇଥାଏ; କାରଣ ଶବ୍ଦର କେବେ ଲୋପ ହୁଏ ନାହିଁ । ପ୍ରତ୍ୟେକ ଶବ୍ଦ ବାୟୁମଣ୍ଡଳରେ ଗୁଞ୍ଜରିତ ହେଉଥାଏ ଏବଂ ତାହା ସମାନ ଧର୍ମୀ ବ୍ୟକ୍ତିର ଗୁପ୍ତ ମନରେ ଧକ୍କା ଖାଇ ତା’ଠାରେ ତଦନୁକୂଳ ପ୍ରତିକ୍ରିୟା ଉତ୍ପନ୍ନ କରିଥାଏ ।

ଏହା ଅନୁଭବ ସିଦ୍ଧ କଥା ଯେ ଯାହା ପ୍ରତି ଆମେ ଶବ୍ଦ ଦ୍ବାରା ଉତ୍ତମ ଭାବନା ପ୍ରକଟ କରୁ, ସେହି ବ୍ୟକ୍ତି ଅଜାଣତରେ ଆମର ପ୍ରେମୀ ଓ ଶୁଭଚିନ୍ତକ ହୋଇଯାଏ । । ଏହାର ବିପରୀତ ଯାହା ବିଷୟରେ ଆମର ବିଚାର ବା ଶବ୍ଦ କଳୁଷିତ ହୋଇଥାଏ, ସେ ଅନାୟାସ ଆମର ଅହିତ ଚିନ୍ତକ ଶତ୍ରୁ ପାଲଟି ଯାଏ ଅର୍ଥାତ୍ ଶୁଭ ଓ ମଙ୍ଗଳ ବାଣୀ ଦ୍ଵାରା ଆପ୍ତଜନ ଏବଂ ସର୍ବ ସାଧାରଣ ସମାଜରେ ସଦ୍‌ଭାବନାର ପ୍ରଚାର କରିଥାନ୍ତି, ଯଦ୍ଦ୍ବାରା ସମାଜର ବାତାବରଣ ଆନନ୍ଦ ଓ ଉଲ୍ଲାସପୂର୍ଣ୍ଣ ହୋଇଥାଏ । ପ୍ରତ୍ୟେକ ଶବ୍ଦ ଆମ ଅନ୍ତଃକରଣରେ ଏକ ଅଲିଭା ଗୁପ୍ତ ଛାପ ଛାଡ଼ିଯାଏ, ଯାହା ଆମର ସ୍ଵଭାବ ଓ ଚରିତ୍ର ନିର୍ମାଣରେ ଯୋଗଦାନ ଦେଇଥାଏ ।

ଶବ୍ଦର ଏହି ଅତୁଳନୀୟ ସାମର୍ଥ୍ୟକୁ ଦେଖି ଆମର ମନୀଷୀମାନେ ଓ ଶାସ୍ତ୍ରଗୁଡ଼ିକ ଆମକୁ ପ୍ରତ୍ୟେକ ଶବ୍ଦ ପ୍ରତି ଅତ୍ୟନ୍ତ ସାବଧାନ ରହିବାର ସଂକେତ ଦେଇଥିଲେ ତଥା ବାଣୀକୁ ସର୍ବଦା ମଧୁର, ପବିତ୍ର ଓ ହିତକାରୀ କରିବାର ନିର୍ଦେଶ ଦେଇଥିଲେ । ଗୋସ୍ଵାମୀ ତୁଳସୀଦାସଙ୍କ ଶବ୍ଦରେ *‘ତୁଳସୀ ମୀଠେ ବଚନ ତେ, ସୁଖ ଉପଜତ ଚହୁଁ ଔର । ବଶୀକରଣ ଏକ ମନ୍ତ୍ର ହୈ, ତଜ ଦେ ବଚନ କଠୋର ।।’’* ଏହି ପରି *‘କାଗା କାକୋ ଧନ ହରେ, କୋୟଲ କାକୋ ଦେୟ । ମୀଠୀବାଣୀ ବୋଲକର, ଜଗ ବସ ମେଂ କର ଲେୟ ।।* ଅର୍ଥାତ୍ ମଧୁର କଥା କହି ସାରା ଜଗତକୁ ନିଜ ବଶରେ କରାଯାଇପାରେ । ଅନ୍ୟମାନଙ୍କୁ ନିଜର କରାଯାଇପାରେ । ଲୋକଙ୍କ ହୃଦୟରେ ନିଜର ସ୍ଥାନ ପ୍ରାପ୍ତ କରାଯାଇପାରେ । ଏହା ସହିତ ଶାସ୍ତ୍ରଗୁଡ଼ିକରେ ବାଣୀର ସତ୍ୟ ଓ କଲ୍ୟାଣକାରୀ ସ୍ଵରୂପ ଉପରେ ବି ଜୋର ଦିଆଯାଇଛି ।

ମହର୍ଷି ବ୍ୟାସ ଯୋଗଦର୍ଶନର ଭାଷାରେ କହିଛନ୍ତି ଯେ ସତ୍ୟର ପ୍ରୟୋଗ ଜୀବମାନଙ୍କ ହିତ ନିମନ୍ତେ କରିବା ଉଚିତ, ଅହିତ ପାଇଁ ନୁହେଁ । ଯାହା କହିଲେ ପ୍ରାଣୀମାନଙ୍କର କ୍ଷତି ହେଉଥାଏ ତାହାକୁ ସତ୍ୟ ହେଲେ ମଧ୍ୟ ଅସତ୍ୟ ଓ ପାପ ମନେ କରାଯିବ । ଏପରି ଅବିବେକ ପୂର୍ଣ୍ଣ ସତ୍ୟ କହିବା ଦ୍ଵାରା ଅନ୍ୟ ନିର୍ଦୋଷମାନଙ୍କୁ କଷ୍ଟ ସହିବାକୁ ପଡ଼େ ଓ ବକ୍ତାକୁ ପାପ ଲାଗେ । ତେଣୁ ପରିସ୍ଥିତିକୁ ଭଲ ଭାବରେ ବିଚାର କରି ବିବେକ ସାହାଯ୍ୟରେ ସମସ୍ତଙ୍କ ସକାଶେ କଲ୍ୟାଣକାରୀ ହେବା ପରି ବାଣୀ ହିଁ କହିବା ଉଚିତ ।

ଏହିପରି ବାଣୀ ଅମୃତ ଓ ବିଷ, ଉଭୟର କାମ କରିଥାଏ । ଯେଉଁ ବାଣୀ ସତ୍ୟ, ଉତ୍ସାହ ଓ ଉଲ୍ଲାସ ବୃଦ୍ଧିକାରୀ, ନିଷ୍କପଟ, ମଧୁର ତଥା ହିତକର ହେବ, ତାହାକୁ ଅମୃତତୁଲ୍ୟ କୁହାଯିବ । ଏହାର ବିପରୀତ ଯେଉଁ ବାଣୀରେ କଠୋରତା, ଅହଂକାର, ଉପହାସ, କଟୁତା, ଦ୍ବେଷଭାବ, ନିକୃଷ୍ଟତା ଆଦି ରହିବ– ତାହା ନିଜ ପାଇଁ ଓ ଅନ୍ୟମାନଙ୍କ ପାଇଁ ମଧ୍ୟ ବିଷମୟ ଏବଂ କ୍ଷତିକାରକ ହେବ ।

ବାଣୀ ଦ୍ବାରା ଲୋକକଲ୍ୟାଣ ସହିତ ଆତ୍ମନିର୍ମାଣର ପ୍ରୟୋଜନ ମଧ୍ୟ ସିଦ୍ଧ ହୋଇଥାଏ । ନିଜର ମନକୁ ସର୍ବଦା ସଂକଳ୍ପପୂର୍ଣ୍ଣ ବାଣୀ ଦ୍ବାରା ସମ୍ବୋଧନ କରି ତାକୁ ସନ୍ମାର୍ଗରେ ଚାଲିବାର ପ୍ରେରଣା ଦିଆଯାଇପାରେ ମନକୁ ଏକାଗ୍ର ଓ ଶାନ୍ତ କରି ଏଭଳି ଶବ୍ଦର ଉଚ୍ଚାରଣ କରାଯାଇପାରେ, ଯଦ୍ଦ୍ବାରା ତାହାକୁ ନୂତନ ଚେତନା ଓ ନୂତନ ପ୍ରେରଣା ମିଳିବ ଏହିପରି ଆତ୍ମନିର୍ଦେଶପୂର୍ଣ୍ଣ ଶବ୍ଦ ଦ୍ବାରା ବ୍ୟକ୍ତି ନିଜର ମାନସିକ ଶକ୍ତି ଓ ଆତ୍ମବଳକୁ ପର୍ଯ୍ୟାପ୍ତ ମାତ୍ରାରେ ବଢ଼ାଇ ଜୀବନକୁ ପବିତ୍ର, ସୁଖୀ ଓ ସଂପନ୍ନ କରିପାରେ । ବାଣୀକୁ ସଶକ୍ତ ଓ ପ୍ରଭାବଶାଳୀ କରିବା ପାଇଁ ମୌନର ଅଭ୍ୟାସ କରାଯାଇପାରେ ।

ମହାତ୍ମା ଗାନ୍ଧି କହୁଥିଲେ ଯେ ମୌନ ସର୍ବୋତ୍ତମ ଭାଷଣ । କହିବାର ଥିଲେ ଅତି କମ୍ କହନ୍ତୁ । ଗୋଟିଏ ଶବ୍ଦରେ କାମ ଚଳିଗଲେ ଦ୍ଵିତୀୟ ଶବ୍ଦ କହନ୍ତୁ ନାହିଁ । ଫ୍ରାଙ୍କଲିନଙ୍କ ଶବ୍ଦରେ– ପିମ୍ପୁଡ଼ି ଠାରୁ ଉତ୍ତମ ଉପଦେଶ କେହି ଦେଇ ନ ଥାନ୍ତି ଏବଂ ସେ ମୌନ ରହିଥାଏ ।କାର୍ଲାଇଲ କହିଛନ୍ତି- ମୌନରେ ଶବ୍ଦ ଅପେକ୍ଷା ଅଧିକ ବାକଶକ୍ତି ଥାଏ । ଏହାର ବିପରୀତ ବାଣୀର ସଦୁପଯୋଗ ଦ୍ଵାରା ଆମ ଶକ୍ତିର ଏକ ବଡ଼ ଅଂଶ ନଷ୍ଟ ହୋଇଯାଏ । ସେଥିପାଇଁ ଇନ୍ଦ୍ରିୟ ସଂଯମ ପାଇଁ ଯେପରି ବ୍ରହ୍ମଚର୍ଯ୍ୟର ମହତ୍ତ୍ୱ ଅଛି, ସେହିପରି ବାଣୀର ସଂଯମ ପାଇଁ ମୌନର ମହିମା କୁହାଯାଇଛି । ଏହାର ବିପରୀତ ବାଚାଳତା, ବ୍ୟର୍ଥ ପ୍ରଳାପ ହାନିକାରକ ସିଦ୍ଧ ହୋଇଥାଏ ।

ଏକରେ ତ ଏହା ଦ୍ଵାରା ଅନାବଶ୍ୟକ ଶକ୍ତି କ୍ଷୟ ହୋଇଥାଏ, ଦ୍ଵିତୀୟରେ ଏହା ଦ୍ବାରା ବ୍ୟକ୍ତିତ୍ବର ଲଘୁତା ପ୍ରକଟ ହୋଇଥାଏ । ପୁଣି କଥା ପ୍ରବାହରେ ଜିଭ କେତେବେଳେ ଖସିଯାଏ ଓ ଅର୍ଥର ଅନର୍ଥ ବାହାରିଥାଏ, ଜଣା ପଡ଼େ ନାହିଁ, ଯାହା ପରେ ନିଜ ପାଇଁ ଗମ୍ଭୀର ପଶ୍ଚାତ୍ତାପର କାରଣ ହୋଇଯାଏ । ନିଃସନ୍ଦେହ ମୌନରେ ବଡ଼ ଶକ୍ତି ଅଛି । ବାଣୀ ସଂଯମ ବା ଯଥାସମ୍ଭବ ମୌନ ଦ୍ଵାରା ବାଣୀକୁ ବଳ ମିଳିବ ।

ସପ୍ତାହ ବା ମାସରେ ଗୋଟିଏ ଦିନ ମୌନ ରହି ସେଦିନ କେବଳ ଆତ୍ମଚିନ୍ତନ-ମନନ ଓ ସଚ୍ଚିନ୍ତନର ଅଭ୍ୟାସ କରାଯାଇପାରେ । ଯେତିକି ଆବଶ୍ୟକ କେବଳ ସେତିକି କହନ୍ତୁ । ସାର ରୂପେ ବାଣୀର ସନ୍ତୁଳିତ ପ୍ରୟୋଗ ହିଁ ଠିକ୍ ହୋଇଥାଏ । ବୁଦ୍ଧିମାନ୍ ଲୋକେ ବାଣୀର ପ୍ରୟୋଗ ବଛା ବଛା ଶବ୍ଦରେ କରନ୍ତି । ଚାଲୁଣିରେ ଛାଣି ଖୁସିକୁ ଯେପରି ଅଲଗା କରି ଦିଆଯାଏ, ସେହିପରି ମନ ଦ୍ଵାରା ଶବ୍ଦଗୁଡ଼ିକୁ ଛାଣି ଯାହା କହିବା ଦରକାର, ତାହା ସେତିକି ହିଁ କହନ୍ତୁ । ବାଣୀର ସଦୁପଯୋଗ ଏକ ପ୍ରକାର ସାଧନା, ଯାହାର ଅଭ୍ୟାସ ସମସ୍ତେ କରିବା ଆବଶ୍ୟକ ।

(ଅଖଣ୍ଡଜ୍ୟୋତି ଅଗଷ୍ଟ ୨୦୨୧ ରୁ ସଂଗୃହୀତ)

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.