ରାଜାଙ୍କ ଦାନ
ରାଜାଙ୍କ ଦାନ
ସଂଗ୍ରହ: ଜିତୁ
ସୌଜନ୍ୟ :- ଆନିମେସନ ଓଡ଼ିଶା
════════════════════════════════════════════════════════
ଜଣେ ରାଜା ଥିଲେ, ସେ ଖୁବ୍ ଉଦାର ଓ ଦୟାଳୁ। ସବୁ ପ୍ରଜାଏ କିପରି ସୁଖରେ, ମଙ୍ଗଳରେ ରହିବେ, କାହାରି କିଛି ଅସୁବିଧା, ଅଭିଯୋଗ ରହିବ ନାହିଁ, ଏହା ହିଁ ତାଙ୍କର ଚିନ୍ତା ଥିଲା। ଲୋକଙ୍କ ଅବସ୍ଥା ନିଜେ ଦେଖିବାପାଇଁ ସେ ଛଦ୍ମବେଶରେ ରାଜ୍ୟ ଭିତରେ ବୁଲନ୍ତି।
ସେ ଦିନେ ଛଦ୍ମବେଶରେ ବୁଲୁଥିବାବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଆଖିରେ ପଡିଲା। ଚଷାଟିଏ ତା' ବିଲରେ ହଳ କରୁଥିଲା। କିନ୍ତୁ ବଳଦ ପରିବର୍ତ୍ତେ ଜଣେ ସ୍ତ୍ରୀଲୋକ ସେ ହଳ ଟାଣୁଥିଲା। ଏସବୁ ଦେଖି ରାଜାଙ୍କ ରକ୍ତ ତାତିଗଲା। ସେ ନିଜକୁ ଆଉ ସମ୍ଭାଳି ନ ପାରି ଲୋକଟି ଆଡ଼କୁ କ୍ରୋଧରେ ଚାହିଁ ପାଟିକଲେ।
"ତୁମେ ଏ କ'ଣ କରୁଛ? ତୁମର କ'ଣ ବଳଦ ନାହାନ୍ତି? ତୁମେ କ'ଣ ଜଣେ ସ୍ତ୍ରୀଲୋକଙ୍କୁ ହଳ ଟଣାଉଛ?"
ଲୋକଟି ଶାନ୍ତ ଭାବରେ ଉତ୍ତର ଦେଲା "ସେ ମୋ ସ୍ତ୍ରୀ।"
ରାଜା ଆହୁରି ରାଗିଯାଇ କହିଲେ, "ତୁମେ ତୁମ ସ୍ତ୍ରୀଙ୍କୁ କ'ଣ ବୋଲି ପାଇଛ? ସେ କ'ଣ ଗୋଟିଏ ଭାରବାହୀ ପଶୁ?"
ଲୋକଟି କହିଲା, "ତୁମେ ବଡ଼ଲୋକମାନେ ସେଭଳି କହିବା ଖୁବ୍ ସହଜ। ତୁମମାନଙ୍କର ଗାଡ଼ି ଘୋଡ଼ା ରହିଛି। ଅଭାବ ମଣିଷକୁ କ'ଣ କରେ ତାହା ତୁମେମାନେ ଜାଣନା। ମୁଁ ଅତି ଗରିବ। ଦାନା ମୁଠିଏପାଇଁ ମୋତେ ମୋ ବଳଦ ହଳକୁ ବିକ୍ରୀ କରିଦେବାକୁ ପଡ଼ିଛି। ତେଣୁ ମୋ ସ୍ତ୍ରୀ ବଳଦ କାମ ତୁଲାଉଛି। କାହିଁ ସେ ତ କୌଣସି ଅଭିଯୋଗ କରୁ ନାହିଁ।"
ଲୋକଟିର ଏ ପ୍ରକାର ଉତ୍ତର ରାଜାଙ୍କୁ ଆଦୌ ସନ୍ତୁଷ୍ଟ କରି ପାରିଲା ନାହିଁ। ସେ ଦୃଢ଼ କଣ୍ଠରେ କହିଲେ, "ନା, ଏ କଥା ମୁଁ କେବେବି ସହି ପାରିବି ନାହିଁ। ତୁମେ ଯେତେ ଯୁକ୍ତି ବାଢ଼ନା କାହିଁକି, ଜଣେ ସ୍ତ୍ରୀଲୋକଙ୍କୁ ନେଇ ହଳ ଟଣାଇବା ଏକ ଅମାନୁଷିକ କାମ। ବଳଦଟାଏ କିଣିହେଲା ଭଳି ଯଥେଷ୍ଟ ଟଙ୍କା ମୁଁ ତୁମକୁ ଦେବି। କିନ୍ତୁ ତୁମେ ସଙ୍ଗେ ସଙ୍ଗେ ତୁମ ସ୍ତ୍ରୀଙ୍କୁ ଏ ହଳ ଟଣାରୁ ଖଲାସ୍ କର।
ଏଥର ସେ ଲୋକଟି ଆହୁରି ରାଗିଯାଇ କହିଲା, "ମୋତେ ଏମିତି ହୁକୁମ୍ ଦେବାକୁ ତୁମେ କିଏ ହୋ? ମୁଁ କିଆଁ ତୁମ ଟଙ୍କା ନେବି? ମୁଁ ଭିକାରି ନୁହେଁ।
ରାଜା ଏଥର ନିଜ କଣ୍ଠ ନରମ କରି କହିଲେ, "ତୁମେ ଆଗେ ମୋ ଭଉଣୀକୁ ହଳରୁ ମୁକୁଳାଅ।"
ଏହା ଶୁଣି ସେ ଲୋକଟି ଥଟ୍ଟାଳିଆ ଭାବରେ କହିଲା, "ଓ! ଇଏ ତୁମ ଭଉଣୀ ପରା! ତେବେ ତୁମ ଭଉଣୀ ଜାଗାରେ ତୁମେ କାହିଁକି ହଳ ଟାଣୁନା?"
ରାଜା ସଙ୍ଗେ ସଙ୍ଗେ ତା' ପ୍ରସ୍ତାବରେ ରାଜି ହୋଇଗଲେ। ଲୋକଟି ନିରୁପାୟ ହୋଇ ତା' ସ୍ତ୍ରୀକୁ ହଳରୁ ମୁକୁଳାଇ ରାଜାଙ୍କୁ ତା'ଜାଗାରେ ଲଗାଇଲା। କିନ୍ତୁ ରାଜା ତ ତାଙ୍କ ଜୀବନରେ ଏଭଳି କାମ କେବେବି କରି ନ ଥିଲେ। ତେଣୁ ତାଙ୍କ ଅପାରଗତା ଯୋଗୁଁ ଅଧାଅଧି ବିଲରେ ହଳ ଭଲଭାବରେ ବୁଲି ପାରିଲା ନାହିଁ। ଯେତେବେଳେ ଫସଲ ହେଲା, ସେତେବେଳେ ଅଧେ ବିଲରେ ଭଲ ଫସଲ ହେଲା ନାହିଁ।
ଚଷାଟି ତା ସ୍ତ୍ରୀକୁ କହିଲା, "ଦେଖିଲୁ, ତ ତୋ ଭାଇର କାମ? ସେ ତା' ବଳ ଖଟାଇ ହଳ କଲାନାହିଁ। ଫଳରେ ଚାଷ ଭଲ ହେଲା ନାହିଁ।"
କିନ୍ତୁ ଯେତେବେଳେ ଅମଳ ହେଲା, ଦେଖାଗଲା ଯେଉଁ ଜମି ଅଧକରେ ରାଜା ହଳ ଟାଣିଥିଲେ, ସେଥିରେ ଶସ୍ୟଦାନା ବଦଳରେ ମୁକ୍ତାଦାନା ଫଳିଛି।
ଏହା ଦେଖି ସେ ଚଷାର ସ୍ତ୍ରୀ କହିଲା, "ଦେଖିଲ? ମୋ ଭାଇ କେମିତି ମୁକ୍ତା ଫଳାଇଛି!" ସେତେବେଳେ ତା'ର ଆନନ୍ଦର କୌଣସି ସୀମା ନଥିଲା।
କିନ୍ତୁ ଚଷା ବଡ଼ ଗମ୍ଭୀର ହୋଇ କହିଲା, "ତୋ ଭାଇ ଯାଦୁବିଦ୍ୟା ଜାଣେ। ଏ ମୁକ୍ତାଦାନା ଉପରେ ଆମର କେଉଁ ଅଧିକାର? ଯିଏ ଏସବୁ ଉପୁଜାଇଛି, ଏସବୁ କେବଳ ତାହାର। ଏସବୁ ନେଇ ତା' ପାଖରେ ପହଞ୍ଚାଇ ଦେବାକୁ ପଡ଼ିବ।"
ସ୍ତ୍ରୀ କହିଲା, "କେମିତି? ତୁମେ ତ ସେ ଲୋକଙ୍କର ନାମ ମଧ୍ୟ ଜାଣିନାହଁ।"
ଚଷାଟି କହିଲା, "ଯାହା ହେଲେ ବି ଆମେ ଏସବୁ ରଖିପାରିବା ନାହିଁ। କାହିଁକିନା ଏସବୁ ତ ଆଉ ଆମର ନୁହେଁ। ମୁଁ ଏସବୁ ରାଜାଙ୍କ ପାଖକୁ ନେଇଯିବି।"
ଏହିପରି ବିଚାର କରି ସେ ଚଷା ଓ ତା' ସ୍ତ୍ରୀ ମୁକ୍ତାତକ ବନ୍ଧାବନ୍ଧି କରି ରାଜନଅରରେ ଯାଇ ପହଞ୍ଚିଗଲେ। ରାଜା ସେତେବେଳେ ତାଙ୍କ ମନ୍ତ୍ରୀ ଓ ଅମାତ୍ୟମାନଙ୍କ ଗହଣରେ ଦରବାରରେ ବସିଥିଲେ। ଚଷା ଓ ତା' ସ୍ତ୍ରୀ ସିଧା ରାଜାଙ୍କ ଆଗକୁ ଯାଇ ତାଙ୍କୁ ଜୁହାର କଲେ। ତା'ପରେ ରାଜାଙ୍କ ମୁହଁକୁ ଅନାଇ ସେମାନେ "ଛାମୁ" ବୋଲି ସମ୍ବୋଧନ କରି ତା'ପରେ ଆଉ କିଛି ବି କହି ପାରିଲେ ନାହିଁ। କାରଣ ସେମାନେ ଠିକ ଚିହ୍ନି ପାରିଲେ ଯେ ଛାମୁ ହେଲେ ସ୍ୱୟଂ ସେଇ ହଳ ଟାଣିଥିବା ଲୋକ।
ଚଷାଟିର ପାଟି ସେହିକ୍ଷଣି ଖନି ବାଜିଗଲା। ତଥାପି ସେ କୌଣସି ପ୍ରକାରେ କହିଲା, "ଏ ମୁଁ କ'ଣ କଲି? ମୁଁ ରାଜାଙ୍କୁ ବଳଦ ବନାଇ ତାଙ୍କଦ୍ୱାରା ହଳ ଟଣାଇଲି! ମୋତେ କ'ଣ ରାଜା କେବେବି କ୍ଷମା କରିବେ?"
ସେ ଆଣ୍ଠୁ ମାଡ଼ି ବସି କହିଲା, "ମଣିମା, ମୋତେ କ୍ଷମା କରନ୍ତୁ। ମୁଁ ବିରାଟ ଅପରାଧ କରିଛି।"
ସେତେବେଳକୁ ରାଜା ମଧ୍ୟ ସେମାନଙ୍କୁ ଚିହ୍ନି ପକାଇଥିଲେ। ତେଣୁ ସେ ମୃଦୁ ମୃଦୁ ହସି କହିଲେ, "ତୁମର କ୍ଷମା ମାଗିବାର କ'ଣ ଅଛି? ମୋ ଗରିବ ପ୍ରଜାଙ୍କର ସମସ୍ୟା ଅନୁଭବ କରିବା ସକାଶେ ତୁମେ ମୋତେ ସୁଯୋଗ ଦେଇଛ। ମୁଁ ତୁମକୁ ସାହାଯ୍ୟ କରିପାରି ବେଶ୍ ଆନନ୍ଦିତ ।"
ଏହାପରେ ସେ ଲୋକଟି ମୁକ୍ତାତକ ରାଜାଙ୍କ ପାଦ ପାଖରେ ଥୋଇ କହିଲା, ମଣିମା, ଜମିର ଯେଉଁ ଅଂଶରେ ଆପଣ ହଳ ଟାଣିଥିଲେ, ସେଇ ଅଂଶରେ ଏ ମୁକ୍ତା ଫଳିଛି। ଏଣୁ ଏସବୁ କେବେବି ଆମର ହୋଇ ପାରେନା। ଆପଣଙ୍କ ଶ୍ରମଦାନର ଫଳ ଏବେ ଆପଣ ହିଁ ଗ୍ରହଣ କରନ୍ତୁ।"
ମାତ୍ର ରାଜା ସେସବୁ ଗ୍ରହଣ ନ କରି କହିଲେ, "ତୁମ ବିଲରେ ତୁମ କଠିନ ପରିଶ୍ରମର ପୁରସ୍କାର ସ୍ୱରୂପ ଆଜି ଏହି ମୁକ୍ତା ଫଳିଛି। ଅତଏବ ସେସବୁ ତୁମର।"
ସେ ଲୋକଟି ତଥାପି ମୁକ୍ତାତକ ଫେରାଇ ନେବାକୁ ରାଜି ହେଲା ନାହିଁ। ସେ କହିଲା, "ଯେଉଁ ନିଷ୍ଠୁର ପ୍ରଣାଳୀରେ ମୁଁ ମୋ ଜମି ଚାଷ କରୁଥିଲି, ସେଥିରେ ଏହା ଆଦୌ ଫଳି ନଥା'ନ୍ତା। ଏସବୁ କେବଳ ଆପଣଙ୍କ ମହାନୁଭବ ମମତା ଓ ଦରଦ ଯୋଗୁଁ ହିଁ ସମ୍ଭବ ହୋଇଛି।
ରାଜା ମୁକ୍ତା ଥଳିଟି ଉଠାଇନେଇ ସେ ଲୋକଟିର ସ୍ତ୍ରୀ ପାଖକୁ ଯାଇ ତାକୁ କହିଲେ, "ମୁଁ ତୁମକୁ ମୋ ଭଉଣୀ ବୋଲି କହିଥିଲି। ଏ ଉପହାରକୁ ଗୋଟିଏ ଭଉଣୀ ପ୍ରତି ତା' ଭାଇର ଉପହାର ଭାବି ଗ୍ରହଣ କର।
ଏଥର ଲୋକଟି ଓ ତା'ର ସ୍ତ୍ରୀ ମୁକ୍ତାଥଳି ନେବାକୁ ଆଉ କୌଣସି ଆପତ୍ତି କରି ପାରିଲେ ନାହିଁ।
Leave a Comment