ନର୍ତ୍ତକ ଛାଗଳ

ନର୍ତ୍ତକ ଛାଗଳ

ସୌଜନ୍ୟ :-  ଆନିମେସନ ଓଡ଼ିଶା
✶⊶⊷⊶⊷❍ ❀ ❍⊶⊷⊶⊷✶
 

            ସେ ଅନେକ ଦିନ ତଳର କଥା । ରୋହିତପୁର ସହର ନହେଲେ ବି ସେଠାରେ ସହର-ପ୍ରାୟ ଜନପଦ । ସେଠି ଦେବ ମନ୍ଦିର, ବିଦ୍ୟାଳୟ ଏବଂ ବଡ ହାଟ ବି ଥିଲା ।

ସର୍ବୋପରି ସେ ରୋହିତପୁରରେ ମହାଜନ ମାକୁନ୍ଦ ମୁଦୁଲି ରହିଥିଲେ । ରହିଥିଲେ ବୋଲି କହିଲିଟି? ହଁ; କାରଣ ଏ କଥା ଲେଖିବା ବେଳକୁ ସେ ଆଉ ସେଠି ନଥିଲେ । ସେତେବେଳକୁ ସେ ସହରକୁ ଉଠି ଯାଇଥିଲେ ।

ଉଠି ଯିବାର କାରଣ ରୋହିତପୁରରୁ ତାଙ୍କର ବିଶେଷ ଲାଭ ଉଠାଇବାର ଆଶା ନଥିଲା । ମାଲିମକଦ୍ଦମାରେ ପକାଇ ସେ ସେଠାକାର ସବୁ ଲୋକଙ୍କୁ ପ୍ରାୟ ସର୍ବସ୍ୱାନ୍ତ କରି ସାରିଥିଲେ । ଏସବୁଥିରେ ତାଙ୍କର ପ୍ରଧାନ ଉଦ୍ଧେଶ୍ୟ ଥିଲା ଯେଉଁ ବିପୂଳ ଧନ ସେ ଠୁଳ କରିଥିଲେ, ସହରରେ ଗୋଟାଏ ବିରାଟ ବେପାର ସେ ଆରମ୍ଭ କରିବେ ।

ସେ ରୋହିତପୁର ଛାଡି ଚାଲିଗଲେ ବୋଲି ଯେଉଁଦିନ ଜଣା ପଡିଗଲା, ସେଦିନ ସେ ଗ୍ରାମର ସବୁଠାରୁ ନିର୍ଦ୍ଧନ ବ୍ୟକ୍ତି ମଧ୍ୟ ତା’ଘରେ କ୍ଷିରୀ ଚକୁଳି ତିଆରି ହେଉ ବୋଲି ବରାଦ କରିଥିଲା । ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ଲମ୍ବୋଦର ମିଶ୍ର ଗବେଷଣା କରି କହିଥିଲେ କି ତ୍ରେତା ଯୁଗରେ ଶ୍ରୀରାମଙ୍କ ବାନର ବାହିନୀ ରୋହିତପୁର ଭିତର ଦେଇ ଗଲାବେଳେ ସେମାନଙ୍କ ଭିତରୁ କାହା କାହାକୁ ଶୋଷ ଲାଗିଥିଲା ଏବଂ ରୋହିତପୁରର ତତ୍କାଳୀନ ବାସିନ୍ଦାମାନେ ସେମାନଙ୍କୁ ପାଣି ଯୋଗାଇବାରେ ତୃଟି କରିଥିଲେ । ସେହି ଅତୃପ୍ତ ବାନରମାନଙ୍କ ଅସନ୍ତୋଷ କଳିଯୁଗରେ ମାକୁନ୍ଦ ମୁଦୁଲି ରୂପରେ ସମ୍ଭବ ହୋଇ ସେ ଦିନର ସେ ଅବିବେକୀ ଗ୍ରାମବାସୀମାନଙ୍କ ବଂଶଧରମାନଙ୍କୁ ଆକଣ୍ଠ ଶୋଷଣ କରୁଥିଲା ।

ତେବେ ରୋହିତପୁରରୁ ତାଙ୍କର ବହୁତ ପ୍ରାପ୍ୟ ରହିଥିଲା । ଗୁଡିଏ ଖାତକଙ୍କର ଘର ଦ୍ୱାର ନିଲାମ ହେବା କଥା ଓ ସେଥିରୁ ତାଙ୍କୁ ଅନେକ ଟଙ୍କା ମିଳିବା କଥା । ନିଲାମ ପାଇଁ ଯେଉଁ ଦିନଟି ଧାର୍ଯ୍ୟ ହେଲା, ସେଦିନ କୌଣସି ଏକ କାରଣରୁ ମାକୁନ୍ଦ ମୁଦୁଲି ରୋହିତପୁର ଯାଇ ପାରିଲେ ନାହିଁ । ତେଣୁ ସେ ତାଙ୍କ ପୁତ୍ର ବୀରେନ୍ଦ୍ରକୁ ଯିବାକୁ କହିଲେ ।

ବୀରେନ୍ଦ୍ର ପୃଥିବୀର ସବୁଠାରୁ ବିଚକ୍ଷଣ ବୁଦ୍ଧିମାନ ବ୍ୟକ୍ତିମାନଙ୍କ ଭିତରେ ନିଜକୁ ଗଣ୍ୟ କରୁଥାଏ । “ମୋ ଭଳି ପୁଅ ପାଇ ଯେ କୌଣସି ବାପା ଗର୍ବରେ ଫାଟି ପଡିବା ଉଚିତ୍!” ସେ ତା’ ବୋଉ ଓ ଜେଜେମା’ଙ୍କ ଆଗରେ ବାରମ୍ବାର ଏକଥା କହୁଥାଏ । କିନ୍ତୁ ସେମାନେ ଏକଥା କହୁ ନଥାନ୍ତି କି ମହାଜନ ମାକୁନ୍ଦ ମୁଦୁଲି ଫାଟିବାର କୌଣସି ଲକ୍ଷଣ ଦେଖାଯାଉ ନଥାଏ । ବୀରେନ୍ଦ୍ର ସେଥିରେ ବଡ ବିସ୍ମୟ ଅନୁଭବ କରୁଥାଏ ।

ବୀରେନ୍ଦ୍ର ଟଙ୍କା ଅସୁଲ କରିବା ସକାଶେ ରୋହିତପୁର ଆସିଲା । ଯଥା ସମୟରେ କର୍ତୃପକ୍ଷ ନିଲାମ ଡାକିଲେ ଏବଂ ଅସହାୟ ଖାତକମାନଙ୍କଠାରୁ ଆଦାୟ ହେବା ଅର୍ଥରୁ ମାକୁନ୍ଦ ମୁଦୁଲିଙ୍କ ପ୍ରାପ୍ୟ ଦଶହଜାର ତିନିଶହ ପଚାଶ ଟଙ୍କା ବୀରେନ୍ଦ୍ରକୁ ଦେଇଦେଲେ ।

ବୀରେନ୍ଦ୍ର ଏଗାର ଥର ସେ ଟଙ୍କା ଗଣି କରି ବୋକଚାରେ ରଖିଲେ । ଏସବୁ ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ପ୍ରଚୁର ଟଙ୍କାକଉଡି ଧରି ମଧ୍ୟ ଲୋକେ ନିରାପଦରେ ହାଟବାଟରେ ଯିବାଆସିବା କରିପାରୁଥିଲେ ।

ବୀରେନ୍ଦ୍ର ସହରକୁ ଫେରିବ, ଠିକ୍ ଏତିକିବେଳେ ସହରରୁ ସଦ୍ୟ ଆସିଥିବା ରୋହିତପୁରର ଜଣେ ବାସିନ୍ଦାଠାରୁ ସେ ଖଣ୍ଡିଏ ଚିଠି ପାଇଲା । ସେହି ଚିଠିଟି ମାକୁନ୍ଦ ମୁଦୁଲି ଲେଖିଥିଲେ । ରୋହିତପୁର ଅଂଚଳରେ ଭଲ ଛେଳି ଶସ୍ତାରେ ମିଳେ । ପୁଅ ଯେମିତି ସବୁଠାରୁ ଉତ୍କୃଷ୍ଟ ଛେଳି କିଣି ନେଇ ଆସିବ – ଦାମ୍ ଚଢା ହେଲେ ବି ସେଥିରେ କିଛି ଯାଏ ଆସେ ନାହିଁ – ଏଇଆ ଥିଲା ସେ ଚିଠିରେ  ନିର୍ଦ୍ଧେଶ ।

ତା’ପରେ ବୀରେନ୍ଦ୍ର ହାଟକୁ ଗଲା । ସବୁଠୁଁ ବଡ ଛେଳି ବେପାରୀ ପାଖରେ ତା’ର ସମୁଦାୟ ଛେଳି ଦେଖିଲା । କିନ୍ତୁ ଯେହେତୁ ସେ ବୁଦ୍ଧିମାନ, ତେଣୁ ନାପସନ୍ଦ ଭାବ ଦେଖାଇ କହିଲା, “ଓଃ, ଏଗୁଡା ଛେଳି ନା… ପାଣିକଖାରୁ ମ!”

ପ୍ରଥମେ ନିଜ କାନକୁ ବିଶ୍ୱାସ କରୁ ନଥିବା ବେପାରୀ ପଚାରିଲା “ଆଜ୍ଞା, କ’ଣ କହିଲେ? ଛେଳି ନା କ’ଣ?”

ତାଙ୍କ କଥା ଶୁଣି ବୀରେନ୍ଦ୍ର ଏଥର ତା’ କଣ୍ଠସ୍ୱର ବଳିଷ୍ଠ କରି କହିଲା “କହିଲି କି ଏଗୁଡା ଛେଳି ନା ପାଣିକଖାରୁ! ”

ଏପ୍ରକାର ଅପୂର୍ବ ତୁଳନାରେ ଚମତ୍କୁତ ହୋଇ ସେ ବେପାରୀ ଜଣକ କହିଲା, “ବାବୁ, ତମେ ତେବେ ସେ ଭୀଲ ଯାଦୁକର ପାଖକୁ ଯାଅ । ଆମ ଛେଳିଗୁଡା ଏମିତି ପାଣିକଖାରୁ ।”

ଭୀଲ୍ ଯାଦୁକର ପ୍ରସଙ୍ଗରେ କୌତୁହଳୀ ହୋଇ ବୀରେନ୍ଦ୍ର ପଚାରି ବୁଝିଲା କି ସେ ଲୋକ ଦୁଇଦିନ ହେଲା ସରୋବର କୂଳରେ ତମ୍ବୁ ପକାଇ ରହିଛି ଓ କେତୋଟି ଅଦ୍ଭୁତ ଛେଳି ସାହାଯ୍ୟରେ ନାନା ହବୁ ବିଦ୍ୟା ଦେଖାଉଛି ।

ବୀରେନ୍ଦ୍ର ଯାଇ ଯାଦୁକରକୁ ପଚାରିଲା, “ତମ ପାଖରେ କୁଆଡେ ଅଦ୍ଭୁତ ଛେଳି ଅଛନ୍ତି!”

ତହୁଁ ସେ ଯାଦୁକର କହିଲା “ଅଛନ୍ତି । କସରତ୍ ଦେଖାଇବ । ମାତ୍ର ତାହା ଦେଖିବାକୁ ହେଲେ ପଚାଶ ଟଙ୍କା ଦେବାକୁ ହେବ ।”

ଏପରି କଥା ଶୁଣି ବୀରେନ୍ଦ୍ରର କୌତୁହଳ ଆହୁରି ବଢିଗଲା । ସୁତରାଂ ସେ ପଚାଶ ଟଙ୍କା ଦେବାକୁ ବି ରାଜି ହେଲା । ଭୀଲ୍ ବାପୁଡା ତମ୍ବୁ ଭିତରୁ ଗୋଟାଏ ଛେଳି ବାହାର କରି ଆଣି ଯେମିତି ତାଳି ବଜାଇଛି, ସେମିତି ସେ ଛେଳିଟି ଦୁଇ ଗଛ ଭିତରେ ବନ୍ଧା ହୋଇଥିବା ଖଣ୍ଡିଏ ଦଉଡି ଉପରକୁ କୁଦିପଡି ତା’ ଉପରେ ଚାଲିଲା । ପୁଣି ଗୋଡ ଛନ୍ଦି ତଳକୁ ଓହଳି ପଡି ଏପଟରୁ ସେପଟକୁ ଚାଲିଗଲା । ତା’ପରେ ଦଉଡି ଉପରେ ମୁଣ୍ଡ ତଳକୁ କରି ଗୋଡ ଉପରକୁ କରି ସେ ମଧ୍ୟ ଠିଆହେଲା!

ଏଣେ ବୀରେନ୍ଦ୍ର ବିସ୍ମୟ-ବିମୂଢ ଭାବରେ ସେ ଦୃଶ୍ୟ ସବୁ ଦେଖୁଥାଏ । ବାପା ଉତ୍କୃଷ୍ଟ ଛେଳି ନେଇଯିବାକୁ  ନିର୍ଦ୍ଧେଶ ଦେଲାବେଳେ ଦୁନିଆରେ ଏଭଳି ଛେଳି ସମ୍ଭବ ବୋଲି କଦାପି କଳ୍ପନା ମଧ୍ୟ କରି ନଥିବେ । ସେ ଯଦି ଏହାକୁ ନେଇଯାଇ ତା’ ବାପା ତଥା ସହରରେ ସଦ୍ୟ-ପରିଚିତ ବ୍ୟକ୍ତିମାନଙ୍କ ଆଗରେ ଏହାର କସ୍ରତ୍ ଦେଖାଇପାରେ, ତେବେ ସେ ରାଜନଅରକୁ ନିମନ୍ତ୍ରିତ ହେବା କିଛିବି ଅସମ୍ଭବ ନୁହେଁ । ଆଉ, ସେ ପୁଣି ଶୁଣିଥିଲା, ରାଜକୁମାରୀ ହବୁ ବିଦ୍ୟା ଦେଖିବାକୁ ବଡ ଭଲ ପାଆନ୍ତି । ବୀରେନ୍ଦ୍ର ପାନିଆ ବାହାର କରି ମୁଣ୍ଡ କୁଣ୍ଡାଇ ପକାଇଲା ଓ ମୁହଁ ପୋଛି ପକାଇଲା ।

ତେଣେ ଯାଦୁକରର ହୁକୁମ୍ ମାନି ସେ ଛେଳି ମଧ୍ୟ ଦଉଡି ଉପରେ ଡେଇଁଲା ।

ବୀରେନ୍ଦ୍ର ଏସବୁ ଦେଖି କହିଲା “ଇଏ ତ ଆଶ୍ଚର୍ଯ୍ୟ କଥା ।”

ତା’ କଥା ଶୁଣି ଯାଦୁକର କହିଲା “ଜରୁର୍! ତେବେ ତମେ ଯଦି ମୋର ଗାୟକ ଛାଗଳକୁ ଦେଖିବ, ତେବେ କେଡେ ଆଶ୍ଚର୍ଯ୍ୟ ନ ହେବ! ଶହେ ଟଙ୍କା ଦର୍ଶନୀ ।”

ବୀରେନ୍ଦ୍ର ଆଚମ୍ବିତ ହୋଇ ପଚାରିଲା “ଗାୟକ ଛାଗଳ!”

ତହୁଁ ସେ ଭୀଲ୍ ବାପୁଡା ଆଉ କିଛି ବି ନକହି ତମ୍ବୁ ଭିତରୁ ଅନ୍ୟ ଏକ ଛେଳି ବାହାର କରି ଆଣିଲା । ତା’ପରେ ସେ କହିଲା “ଗା’ରେ ପିଲା, ଗା’ । ଗୋଟାଏ ଭଲ ରାଗ ଗାଇ ପକା ତ ।”

ସଙ୍ଗେ ସଙ୍ଗେ ଛେଳିଟି ବସିପଡି ଛାମୁ ଗୋଡ ଦୁଇଟାରୁ ଗୋଟାଏ କାନ ପାଖକୁ ନେଇ ଅନ୍ୟଟି ବିସ୍ତାର କରି ଗୀତ ବୋଲିଲା!

ବୀରେନ୍ଦ୍ର ହଠାତ୍ କିଛି ସମୟ ଯାଏଁ କଥା କହିପାରିଲା ନାହିଁ । ଏସବୁ ଦେଖି ସେ ଭୀଲ୍ ବାପୁଡା କହିଲା “କ’ଣ ବାବୁ! ଏତିକିରେ ହତବମ୍ବ? ଯଦି ମୋର ନର୍ତକ ଛାଗଳକୁ ଦେଖିବ, ତେବେ? ଆଉ ଦୁଇଶହ ଟଙ୍କା ଦର୍ଶନୀ ।”

ବୀରେନ୍ଦ୍ର ପୁଣି ଆଚମ୍ବିତ ହୋଇ ପଚାରିଲା “ନର୍ତକ ଛାଗଳ!!”

“ଆଉ କ’ଣ!” ଭୀଲ୍ ଯାଦୁକର ତୃତୀୟ ଥର ପାଇଁ ଛେଳିଟିଏ ବାହାର କରି ଆଣିଲା । ଆଉ ସେ କହିଲା “ଦେଖା ବାବୁଙ୍କୁ ଗୋଟାଏ ନାଚ!”

ଛେଳି ଯେ ଖାଲି ନାଚିଲା, ସେତିକି ନୁହେଁ, ମଧୁର କଣ୍ଠରେ ମଧ୍ୟ ଅଧଘଂଟାଏ ପର୍ଯ୍ୟନ୍ତ ଗାଇଲା ।

ସେ ଅଧଘଂଟାକ କାଳ ବୀରେନ୍ଦ୍ର ମୁହଁରେ କଥା ପଲଟିଲା ନାହିଁ । ତା’ପରେ ସେ ପଚାରିଲା, “ଭୀଲ୍ ସର୍ଦ୍ଦାର! ଏହାର ମୂଲ୍ୟ କେତେ?”

ତହୁଁ ଭୀଲ୍ ସର୍ଦ୍ଦାର କହିଲା “ଦଶ ହଜାର ଟଙ୍କା । ସେଥିରୁ ଗୋଟାଏ ପଇସା ବି କମ୍ ନୁହେଁ ।”

ଏହା ଶୁଣି ବୀରେନ୍ଦ୍ର କହିଲା “ମୋ ପାଖରେ ଦର୍ଶନୀ ଟଙ୍କା ପରେ ଜମାରୁ ସେତିକି ହିଁ ଅଛି ।”

ଭୀଲ୍ କହିଲା “ତାହେଲେ ଦେଇଦିଅ । ତମେ ଯଦି ବୁଦ୍ଧିମାନ ହୋଇଥିବ, ବର୍ଷକ ଭିତରେ ଏ ଛେଳିର କଳା କସ୍ରତ୍ ଦେଖାଇ ଲକ୍ଷେ ଟଙ୍କା ଉପାର୍ଜନ କରିପାରିବ । ରାଜା ଯଦି ଏହାର ଗୁଣ ଜାଣିବେ, ତେବେ ଦଶଲକ୍ଷ ଦେଇ ଏହାକୁ ତୁମଠାରୁ ନିଶ୍ଚୟ କିଣି  ନେବେ ।”

ବୀରେନ୍ଦ୍ର ଯେ ବୁଦ୍ଧିମାନ ଏଥିରେ ତା’ର ନିଜର ତ କୌଣସି ସନ୍ଦେହ ନ ଥିଲା! ତେଣୁ ସେ ଆଉ କାଳ ବିଳମ୍ବ ନକରି ପକେଟ ଝାଡି ଦଶହଜାର ତିନିଶହ ପଚାଶ ଟଙ୍କା ଗଣିଦେଲା ।

ରୋହିତପୁରରେ ବିନା ପଇସାରେ ତାକୁ କେହି କିଛି ଖାଇବାକୁ ଦେବେ, ସେ ସମ୍ଭାବନା ନଥିଲା । ଘୋଡାଗାଡିଟିଏ ଭଡା କରି ସେ ସହରକୁ ଫେରିବ ବୋଲି ସ୍ଥିର କଲା । କିନ୍ତୁ ଗାଡିବାଲା କହିଲା, “ବାବୁ, ମୋ ଗାଡିରେ ଛେଳି କେବେ ବି ସବାର ହୋଇ ନାହାଁନ୍ତି । ତେଣୁ ଆପଣଙ୍କୁ ତିନିଗୁଣ ଭଡା ଦେବାକୁ ହେବ- ସେଥିରୁ ଅଧା ଆଗତୁରା ।”

ଆଗତୁରା ଦେଲା ଭଳି ପଇସା ତ ବୀରେନ୍ଦ୍ର ପାଖରେ ନଥିଲା । ଏହି କାରଣରୁ ଛେଳିକୁ ଟାଣି ଟାଣି ସେ ଯାଇ ସହରରେ ପହଁଚିଲା । ସେତେବେଳକୁ ସନ୍ଧ୍ୟା । ତାଙ୍କ ଘରେ ରାଜାଙ୍କ ଦେୱାନ୍ ଓ ସହରର ମୁଖ୍ୟ ଶାସକ ଅତିଥି ହୋଇଥିବାର ସେ ଦେଖିଲା । ନର୍ତକ ଛାଗଳର ବେଶଭୂଷା ଦେଖି ସେମାନେ ହସିଲେ । ବୀରେନ୍ଦ୍ର ମନେ ମନେ କହିଲା, “ହସୁଛ ପରା! ଥରେ ଯଦି ଏହାର ଗୁଣ ଜାଣିବ, ତେବେ ଠିକ୍ ବୁଝିବ ।”

ବୀରେନ୍ଦ୍ର ତା’ବାପାଙ୍କୁ କହିଲା, “ଏ ଛେଳି ଭଳି ଛେଳି ପୃଥିବୀରେ ନଥିଲେ, ନାହାଁନ୍ତି କି ହେବେ ନାହିଁ!”

ସବୁଶୁଣି ମାକୁନ୍ଦ ମୁଦୁଲି ଗମ୍ଭୀର ହୋଇ କହିଲେ “ହଉ, ସେକଥା ପରେ ବୁଝା ପଡିବ ।”

କ୍ଳାନ୍ତ ବୀରେନ୍ଦ୍ର ଗାଧୁଆ ପାଧୁଆ କରି ଖାଇ ପକାଇ ଟିକିଏ ବିଶ୍ରାମ ପାଇଁ ନିଜ କୋଠରୀ ଭିତରେ ଯାଇ ଶୋଇ ପଡିଲା । ତାଜା ହୋଇ ତା’ପରେ ଛେଳିର ଗୁଣ ଦେଖାଇବ ବୋଲି ସ୍ଥିର କଲା ।

ତାକୁ ଯେତେବେଳେ ତା’ ବୋଉ ନିଦରୁ ଉଠାଇଲେ, ସେତେବେଳକୁ ପ୍ରାୟ ଅଧ ରାତି । ବୋଉ କହିଲେ “ଆ, ଖାଇବୁ ଆ । ଅତିଥିମାନେ ଚାଲି ଗଲେଣି ପରା ।”

ଏଥର ବୀରେନ୍ଦ୍ର ଖାଇବାକୁ ବସିଲା । ମାଂଶ ତରକାରୀ ଖାଇଲା ବେଳେ ବାପା କହିଲେ, “ତୁ ମତେ ଯେତେ ଭଲ ହୋଇଥିବ ବୋଲି ଧାରଣା ଦେଇଥିଲୁ, ଏ ମାଂଶ ସେତେ ଭଲ ପଡିଲା ନାହିଁ । ଅତିଥିମାନେ କାଇଁ ସେମିତି ବିଶେଷ କିଛି ପ୍ରଶଂସା କଲେ ନାହିଁ ତ!”

ଏସବୁ କଥା ଶୁଣି ସେ ବୀରେନ୍ଦ୍ର ତା’ ଆଖି ବଡ ବଡ କରି ପଚାରିଲା, “ମାନେ? ତମେ କ’ଣ ମୋ ଛେଳିକୁ ମାରି ପକାଇ ରାନ୍ଧି ସାରିଲଣି?

ପୁଅ କଥାରେ ମାକୁନ୍ଦ ମୁଦୁଲି କହିଲେ “ଆଉ ତେବେ କ’ଣ ପାଇଁ ଏତେ ଜରୁରୀ ଖବର ପଠାଇଥିଲି? ଏ ଦୁଇ ବିଷିଷ୍ଟ ଅତିଥି ଖାଇବେ ବୋଲି ତ!”

ବାପାଙ୍କ କଥା ଶୁଣି ବୀରେନ୍ଦ୍ର ରଡି ଛାଡି କାନ୍ଦି ଉଠିଲା । ଯେତେବେଳେ ମାକୁନ୍ଦ ମୁଦୁଲି ବୁଝିଲେ ଯେ ତାଙ୍କ ଟୋକା ଦଶହଜାର ଟଙ୍କା ବ୍ୟୟ କରି ଗୋଟିଏ ଛେଳି କିଣିଛି, ସେତେବେଳେ ସେ ମଧ୍ୟ ପାଗଳ ପ୍ରାୟ ହୋଇଗଲେ ।


🌼🌻 ସମାପ୍ତ 🌻🌼

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.