ବଡ଼ ଦିନ

ବଡ଼ ଦିନ
· · • • • • • • • ✤ • • • • • • • · ·

ରଚନା : ଅର୍ଜୁନୀ ଚରଣ ବେହେରା
ସଂଗ୍ରହ : କୃଷ୍ଣ ଚନ୍ଦ୍ର ସାହୁ
ସୌଜନ୍ୟ : ଆନିମେସନ ଓଡ଼ିଶା


            ଈଶ୍ୱର ଯେତେବେଳେ ସୃଷ୍ଟି ସର୍ଜନାକଲେ ସେତେ ବେଳେ ସମଗ୍ର ବିଶ୍ୱଟି ଗୋଟିଏ ମାତ୍ର ସତ୍ତା ଥିଲା l ସେଥିରେ ଭୂଖଣ୍ଡମାନଙ୍କ ମଧ୍ୟରେ କୌଣସି ଭେଦ ନଥିଲା l ମାନବଜାତିକୁ ଜ୍ଞାନର ଆଲୋକ ପ୍ରଦାନ କରିବା ନିମନ୍ତେ ଈଶ୍ୱରଙ୍କ ଅଂଶ ନେଇ ଦିବ୍ୟାତ୍ମା ପୁରୁଷ ମାନେ ବିଶ୍ୱର ବିଭିନ୍ନ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ l ଏହି ଦିବ୍ୟାତ୍ମାମାନଙ୍କ ଜନ୍ମ କାହାଣୀ ଅନେକ ଅଲୌକିକତା ଭରା, ଯାହା ପ୍ରମାଣ କରେ କେହିଜଣେ ଅସାଧାରଣ ପୁରୁଷ ଏ ଧରା ବକ୍ଷରେ ଅବତରଣ କରୁଛନ୍ତି । ଏହି ମାନବ ଜାତିକୁ ନୂତନ ସନ୍ଦେଶ ଦେବା ପାଇଁ, ନୂତନ ଦିଗଦର୍ଶନ ଦେବା ପାଇଁ, ଠିକ ସେତିକିବେଳେ ଶୂନ୍ୟବାଣୀ ହୁଏ ଈଶ୍ୱରଙ୍କ ସତ୍ତା ଏହି ସଂସାରକୁ ଆସୁଛନ୍ତି ବୋଲି l ସେତେବେଳେ ପ୍ରକୃତି ଈଶ୍ୱରଙ୍କ ସତ୍ତା ଅବତରଣ ନିମନ୍ତେ ଆପଣା ଛାଏଁ ପ୍ରସ୍ତୁତ ହୋଇଯାଏ l ଏହି ପରି ଭଗବାନ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ଦିନ କଂସର କାରାଗୃହ ଆଲୋକିତ ହୋଇ ଯାଇଥିଲା l ଘନଵର୍ଷା ରାତ୍ରିରେ ଭଗବାନ କୃଷ୍ଣଙ୍କ ନିଶାର୍ଦ୍ଧରେ ଜନ୍ମ ସମୟରେ ନିର୍ମଳ ଅଷ୍ଟମୀଚନ୍ଦ୍ର ବିରାଜମାନ କରୁଥିଲା ତଦ୍ରୁପ ଯୀଶୁଙ୍କ ଆବିର୍ଭାବ ସମୟରେ ବେଥେଲହାମର ସେଇଗୁହାଳ ଘର ଆଲୋକିତ ହୋଇ ଯାଇଥିଲା l ଆକାଶରେ ଏକ ଶୁଭ ତାରା ଦେଖା ଦେଇଥିଲା :-

       ଆକାଶେ ଉଦେ ନିଶାକର l

       ଗୋବିନ୍ଦ ଉଦରୁ ବାହାର ll

ସଭ୍ୟତାର ଅଗ୍ରଗତିର ଘଡ଼ି ସନ୍ଧି ମୁହୂର୍ତ୍ତରେ ଏହି ପରି ଅଲୌକିକ ଘଟଣା ମାନ ଘଟିଥାଏ l ମାନବ ଯେତେବେଳେ ଦିଗ ହରା ହୋଇ ତାର କର୍ମପନ୍ଥା ସ୍ଥିର କରିପାରୁ ନଥାଏ ସେତେ ବେଳେ ଅବତାର ମାନେ "ସମ୍ଭବାମି ଯୁଗେ ଯୁଗେ " ରୀତିରେ ଧରା ଅବତରଣ କରି ମାନବର ହାତଧରି ଆଗକୁ ବାଟ କଢ଼ାଇ ନିଅନ୍ତି l

ଏହିଭଳି ଗୋଟିଏ ଘଟଣା ଘଟି ଥିଲା ପ୍ରାୟ ଦୁଇ ହଜାର ବର୍ଷ ତଳେ l ଜୁଡ଼ିଆଦେଶର ନାଜାରେଥ ସହରରେ ମେରୀ ନାମକ ଏକ ଗରିବ ଝିଅ ବାସ କରୁଥିଲେ l ଦାଉଦଙ୍କ ପୁଅ ଜୋସେଫଙ୍କ ସହିତ ତାଙ୍କର ବିବାହ ସମ୍ପନ୍ନ ହେଲା l ଦିନେ ରାତିରେ ଦେବଦୂତ ମାନେ ଆସିଲେ l ମେରୀଙ୍କୁ ସ୍ୱପ୍ନରେ କହିଲେ,'ତୁମେ ଅତି ଭାଗ୍ୟବତୀ, ପରମେଶ୍ୱରଙ୍କ ଜନନୀ ହେବାକୁ ଯାଉଛ ତୁମେ l ପାପୀ ମାନଙ୍କୁ ଉଦ୍ଧାର କରିବେ ସେ l ତେଣୁ ତାଙ୍କର ନାମ ଯୀଶୁ ରଖିବ l" ସେତେବେଳେ ଜୋସେଫ ଓ ମେରୀଙ୍କ ପରିବାର ବେଥେଲହାମରେ ବସତି କରୁ ଥିଲେ l ଥରେ ଶୀତ ଦିନେ ଜୋସେଫ ଓ ମେରୀ ଦୁଇଟି ଗଧ ଆରୋହଣକରି ଯାତ୍ରା କରୁଥାନ୍ତି l ରାସ୍ତାରେ ମେରୀଙ୍କ ପ୍ରସବବେଦନା ଆରମ୍ଭ ହେଲା l ନିକଟ ଏକ ଘୋଡ଼ା ଶାଳରେ ସେମାନେ ଆଶ୍ରୟ ଗ୍ରହଣ କଲେ l ସେଦିନ ଅର୍ଦ୍ଧ ରାତ୍ରିରେ ମେରୀଙ୍କ ଗର୍ଭରୁ ଭଗବାନ ଯୀଶୁ ଭୂମିଷ୍ଠ ହେଲେ l ଜନ୍ମ ସମୟରେ ସେଠାରେ ବାସ କରୁଥିବା ମେଷ ପାଳକ ମାନେ ଅନ୍ତରୀକ୍ଷରେ ଏକ ଅଭିନଵ ଉଜ୍ଜ୍ୱଳ ଜ୍ୟୋତିଷ୍କକୁ ଦେଖିଥିଲେ l ସଭିଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା l ସେତେବେଳେ ଇହୁଦୀମାନଙ୍କ ପ୍ରଥା ଅନୁଯାୟୀ ଚାଳିଶ ଦିନ ପରେ ଜୋସେଫ ଓ ମା' ମେରୀ ଶିଶୁ ପୁତ୍ରକୁ ନେଇ ଜେରୁଜେଲମ ଗଲେ l ଭଗବାନଙ୍କ ପାଦ ତଳେ ପୁତ୍ରକୁ ସମର୍ପି ଦେଲେ l ଭଗବାନଙ୍କ ଉପଚାରଭାବେ ଗୋଟିଏ କପୋତକୁ ବଳି ଦେଲେ l ଜୁଡିଆର ଶାସକ ହେରୋଡ଼ ଶିଶୁ ଯୀଶୁଙ୍କ ଜନ୍ମ କଥା ଜାଣି ପାରି ଆଦେଶ ଦେଲେ ଦୁଇ ବର୍ଷ ମଧ୍ୟରେ ଜନ୍ମ ହୋଇଥିବା ସବୁ ଶିଶୁଙ୍କୁ ହତ୍ୟା କର l ହଠାତ୍ ଜୋସେଫଙ୍କୁ ସ୍ୱପ୍ନାଦେଶ ହେଲା ମିଶର ପଳାଇ ଯିବା ପାଇଁ l

ଏଠାରେ ଉଲ୍ଲେଖ ଯୋଗ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ମଧ୍ୟ ଠିକ ଏହି ରକମର ଘଟଣା ଘଟିଥିଲା l କୃଷ୍ଣ କଂସ କାରାଗୃହରେ ଜନ୍ମହୋଇ ଗୋକୁଳକୁ ଚାଲି ଯାଇଥିଲେ l କଂସ ଗୋକୁଳର ସମସ୍ତ ଶିଶୁମାନଙ୍କୁ ହତ୍ୟା କରିବାପାଇଁ ଆଦେଶ ଦେଇଥିଲା l ବହୁ କଷ୍ଟ ଏବଂ ଯନ୍ତ୍ରଣା ସହ୍ୟ କରି ଜୋସେଫ, ମେରି ଯାଇ ମିଶରରେ ପହଞ୍ଚିଲେ l ରାଜା ହେରୋଡ଼ଙ୍କ ମୃତ୍ୟୁ ପରେ ସ୍ୱପ୍ନାଦେଶ ପାଇ ସେମାନେ ପୁଣି ଇସ୍ରାଏଲ ଚାଲି ଗଲେ l ସେଇଠି ନାଜାରେଥ ସହରରେ ଶିଶୁ ଯୀଶୁଙ୍କ ବାଲ୍ୟଶିକ୍ଷା ସମାପ୍ତ ହେଲା l ପୁଣି ସେଠାରୁ ତାଙ୍କର ପରିବାର ଜେରୁଜେଲମ ଚାଲିଗଲେ l ସେହିଠାରେ ଯୀଶୁଙ୍କ ପିତାଙ୍କ ମୃତ୍ୟୁ ହେଲା l ବାଳକ ଯୀଶୁଙ୍କ ଉପରେ ମାଆ ଏବଂ ଚାରି ଭାଇ ଭଉଣୀଙ୍କ ପ୍ରତିପୋଷଣ ଜଞ୍ଜାଳ ପଡ଼ିଲା l କିନ୍ତୁ ସେ ସାଂସାରିକ ଜଞ୍ଜାଳରୁ ଦୁରେଇ ଯାଇ ଧର୍ମ ପ୍ରଚାର ଆରମ୍ଭ କଲେ l ତାଙ୍କ ଧର୍ମ ପ୍ରଚାର ଏବଂ ଧର୍ମ ବାଣୀରେ ପ୍ରଭାବିତ ତଥା ଆକୃଷ୍ଠ ହୋଇ ବହୁତ ଲୋକ ତାଙ୍କର ଅନୁଗାମୀ ହୋଇ ଗଲେ l ମାନବ ସମାଜକୁ ବାଣୀ ଶୁଣାଇ ସେ କହିଲେ,"ସ୍ଵର୍ଗ ରାଜ୍ୟ ପାଖେଇ ଆସିଲାଣି l ଭଗବାନଙ୍କ ଆଡ଼େ ମନ ଫେରାଅ l"

ଭଗବାନ ଯୀଶୁଙ୍କ ମହିମା ଚାରି ଆଡ଼େ ପ୍ରଚାରିତ ହୋଇ ଗଲା l ଇର୍ଷାନ୍ଵିତ ଧର୍ମ ଯାଜକ କାୟାଫା ତାଙ୍କୁ ବାଟରୁ ସଫା କରି ଦେବା ପାଇଁ ଷଡଯନ୍ତ୍ର ଚଳାଇଲେ l ଏକାର୍ଯ୍ୟରେ କାୟାଫାଙ୍କୁ ସହାୟତା କଲେ ଯୀଶୁଙ୍କର ଜଣେ ବିଶ୍ୱାସ ଘାତକ ଶିଷ୍ୟ l ଧର୍ମଯାଜକଙ୍କ ସୈନ୍ୟମାନେ ଯୀଶୁଙ୍କୁ ଦିନେ ବାନ୍ଧି ନେଲେ l ତାଙ୍କୁ ନେଇ ନାନା ଯାତନା ଦିଆଗଲା l ଅକଥନୀୟ ଅତ୍ୟାଚାର ସହିତ ସେମାନେ ତାଙ୍କ ଉପରକୁ ଛେପ ଖଙ୍କାର ମଧ୍ୟ ପକାଇଲେ l ସେହି ବଦମାସ ଲୋକମାନେ ତାଙ୍କୁ କ୍ରୁସବିଦ୍ଧ କରି ମାରି ଦେବାକୁ ଉଦ୍ୟମ କଲେ l

ସେଦିନ ଥିଲା ଶୁକ୍ରବାର l ଯୀଶୁଙ୍କୁ କ୍ରୁଶ ଖୁଣ୍ଟରେ ଝୁଲାଇ କଣ୍ଟା ଫୋଡି ଦିଆ ଗଲା l ମାତ୍ର ଘାତକ ମାନେ ଯୀଶୁଙ୍କୁ କ୍ରୁଶ ବିଦ୍ଧ କରି ଫେରିଲା ବେଳେ ଯୀଶୁ ପ୍ରାର୍ଥନା କରୁଥିଲେ," ହେ ଭଗବାନ ! ଏହି ମାନଙ୍କୁ କ୍ଷମା କରନ୍ତୁ l କ'ଣ କରୁଛନ୍ତି ସେମାନେ ଜାଣି ନାହାଁନ୍ତି l"

ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ତ୍ୟାଗ ଏଵଂ ଆତ୍ମବଳିର କାହାଣୀ l ଏ ମାନବ ଜାତିର କଲ୍ୟାଣ ପାଇଁ ସେ ଧରାବତରଣ କରିଥିଲେ l ଧରାରେ ପାପ, ଅଧର୍ମ ବଢ଼ିଲେ ଭଗବାନ ଧର୍ମ ସଂସ୍ଥାପନ ଅର୍ଥେ ଯୁଗେ ଯୁଗେ ଅବତାର ଗ୍ରହଣ କରି ଥାନ୍ତି l ରାମ ଚରିତ ମାନସ ଭାଷାରେ :-

   ଜବ ଜବ ହୋଇ ଧରମ କି ହାନି l

   ବଢ଼ଇ ଅସୁର ଅଧମ ଅଭିମାନୀ ll

   ତଵତଵ ପ୍ରଭୁଧରି ବିବିଧ ଶରୀରା l

   ହର ହିଁ କୃପାନିଧି ସଜ୍ଜନ ପିରା ll

ସମଗ୍ର ମାନବସମାଜ ଯେତେବେଳେ କ୍ଷୁଧା, ତୃଷ୍ଣା ଦୈନ୍ୟ,ଦୁର୍ଗତି ଓ ନିରାଶ୍ରୟତା କବଳରେ ଆଉଟୁ ପାଉଟୁ ହେଉଥିଲା,ତାହାର ନିରାକରଣ ନିମନ୍ତେ ସେତେବେଳେ ପ୍ରେମ, କ୍ଷମା, କରୁଣାର ମୂର୍ତ୍ତିମନ୍ତ ଅବତାର ଭାବେ ଧରାବତରଣ କରି ଥିଲେ ମହା ମାନଵ ଯୀଶୁ,ଈଶ୍ୱରଙ୍କ ପୁତ୍ରଭାବେ l ତାଙ୍କ ଦୃଷ୍ଟି, ବିଚାର ଓ ବ୍ୟବହାରରେ ପ୍ରତିଫଳିତ ହେଉଥିଲା ଦୟା, ପ୍ରେମ ଏବଂ କ୍ଷମା l ତାଙ୍କ ଦେହରେ କଣ୍ଟା ଵାଢ଼ାଉଥିବା ଅଜ୍ଞାନ ମଣିଷକୁ ଯିଏ ପ୍ରେମ ଭରେ କ୍ଷମା କରି ପାରେ,ତା' ଠୁଁ ବଳି ଦୟା ଓ କରୁଣାର ଆଉ କି ବଡ଼ ଉଦାହରଣ ଥାଇପାରେ l କ୍ରୁସବିଦ୍ଧ ଅବସ୍ଥାରେ ଈଶ୍ୱରଙ୍କୁ ପ୍ରାର୍ଥନା କରି ଯୀଶୁ ଆମକୁ ଜଣାଇ ଦେଇ ଯାଇଛନ୍ତି ଏହି ପରମ ସନ୍ଦେଶ ଓ ଆତ୍ମାର ପରମ ଉପଲବ୍ଧିକୁ l ମାନବ ପ୍ରତି ପ୍ରେମ ଓ କରୁଣାରେ ଅନ୍ତର ଆପ୍ଳୁତ ହୋଇ ଗଲେ ମନ ଅନ୍ୟର ସକଳ ଅପରାଧ କ୍ଷମା କରିଦେବା ପାଇଁ ଆପେ ଆପେ ପ୍ରସ୍ତୁତ ହୋଇଯାଏ l ଏହା ଆମକୁ ଶିକ୍ଷା ଦେଇଥାଏ, ଯୀଶୁଙ୍କ ଜୀବନୀ l

ଏହି ଦିବ୍ୟ ମହାପୁରୁଷ ଯୀଶୁଙ୍କ ଜନ୍ମଦିନ ସମଗ୍ର ବିଶ୍ୱରେ ବଡ଼ଦିନ ଭାବେ ପାଳିତ ହେଉଛି l ଏହା ବାସ୍ତବରେ ଏକ ମହାନ ଦିବସ l ଯୀଶୁଙ୍କ ସେବା, ପ୍ରେମ,ମୈତ୍ରୀ ଓ କରୁଣାର ବାଣୀ ସମଗ୍ର ମନୁଷ୍ୟ ଜାତିକୁ ଶ୍ରଦ୍ଧା ସୂତ୍ରରେ ବାନ୍ଧିଛି l ସେ ପରମାତ୍ମା, ପରମ ପୁରୁଷ l ସବୁ ଧର୍ମର ସାର ହେଲା ମାନବ ପ୍ରେମ,ଏହି ବାଣି ହିଁ ପ୍ରଚାର କରିଛନ୍ତି ପରମାତ୍ମା l ସେ ଯୀଶୁ, ଆଲ୍ଲା, ରାମ, କୃଷ୍ଣ ଯେ କେହି ହୁଅନ୍ତୁ ନା କାହିଁକି l ତାଙ୍କୁ ପାଇବାପାଇଁ ବହୁ ପଥ ଅଛି l ମତ ଭିନ୍ନ ହେଲେ ମଧ୍ୟ ସବୁ ମତର ପଥ ତାଙ୍କରି ଆଡ଼କୁ,ସବୁ ମତ,ପଥ ସେହି ଗୋଟିଏ ଯାଗାରେ ସମାହିତ ହୁଏ l ଏଣୁ କୁହାଯାଇଛି :-

       ଦେଖ ସଂସାରେ ଯେତେ ନଦୀ l

           ସମସ୍ତେ ମିଳନ୍ତି ଜଳଧି ll

ସେଥିପାଇଁ ତ ମହାନ ଗୁରୁ ରାମକୃଷ୍ଣ ପରମହଂସ କହିଥିଲେ :-

          "ଜତୋ ମତ,ତତୋ ପଥ l"

ମହାନ ଆତ୍ମା ଯୀଶୁ ଦେହଧାରୀ ମନୁଷ୍ୟ ଭାବେ ଜନ୍ମ ହୋଇ ଥିଲେ l ମୃତ୍ୟୁ ତ ସୁନିଶ୍ଚିତ l " ମର୍ତ୍ତ୍ୟ ମଣ୍ଡଳେ ଦେହବହି, ଦେବତା ହୋଇଲେ ମରଇ" l

କିନ୍ତୁ ତାଙ୍କୁ ମାରି ଦିଆ ଗଲା l ଉଦ୍ଦେଶ୍ୟ ତାଙ୍କର ଆଦର୍ଶ ଓ ମତକୁ ସମାଧି ଦେବା l ହେଲେ ତାହା କ'ଣ ସମ୍ଭବ ହେଲା l ମନୁଷ୍ୟ ଅଜ୍ଞାନତାରୁ ଏହି ଭଳି କିଛି କାମ କରିଥାଏ l ମାତ୍ର ଯାହା ଉତ୍ତମ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ତାହାର କେବେ ମୃତ୍ୟୁ ହୋଇ ପାରେନା l

ଆସନ୍ତୁ ଭଗବାନ ଯୀଶୁଖ୍ରୀଷ୍ଟଙ୍କର ଆଜିର ପବିତ୍ର ଆବିର୍ଭାବଦିବସରେ କାମନାକରିବା ତାଙ୍କ ମହାନ ଜୀବନ, ବାଣୀ, ଦର୍ଶନ ଏବଂ ତାଙ୍କ ପ୍ରଦର୍ଶିତ ମାର୍ଗ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରୁ, ଆମେ ସମସ୍ତେ ଏକ ଭାବରେ ଭାବିତହେଉ, ପୁରା ବିଶ୍ୱ ସମୁଦାୟ ସମସ୍ତ ବାଦ ବିସମ୍ବାଦ ଓ ଜଞ୍ଜାଳରୁ ମୁକ୍ତ ହେଉ l ମାନବାତ୍ମା ସ୍ନେହ କରୁଣାରେ ଆପ୍ଳୁତ ହୋଇ ଏହି ସଂସାରରୁ ଦୁଃଖ ଦୂର କରିବା ଦିଗରେ ଆପଣାକୁ ନିୟୋଜିତ କରୁ l ତାଙ୍କୁ ପ୍ରାର୍ଥନା କରିବା :-

           ଢାଳିଦିଅ ସାରା ଧରଣୀରେ

           ଆଜି ତୁମରି ଆଶିଷ ଧାରା l

           ଅନ୍ଧାର ମନେ କଣ୍ଟକ ବନେ

           ଦିଅ ଆଲୋକର ଇସାରା ll

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.