ଦର୍ପଣ ରୁ ଶିକ୍ଷା

ଦର୍ପଣ ରୁ ଶିକ୍ଷା 

ଜଣେ ଶିଷ୍ୟ ଗୁରୁକୁଳ ଆଶ୍ରମରେ ରହି ପାଠ ପଢୁଥିଲା। ଗୁରୁ ଶିଷ୍ୟର ସେବା - ଭାବନାରେ ବହୁତ ଖୁସି ହୋଇ ବିଦ୍ୟା ଶେଷ ହେବାପରେ ତାକୁ ଆଶୀର୍ବାଦ ରୂପରେ ଏପରି ଏକ ଅପୂର୍ବ ଦର୍ପଣ ଉପହାର ଦେଲେ ଯାହା ପାଖରେ ବ୍ୟକ୍ତିର ମନୋଭାବକୁ ଦେଖାଇଦେବାର  କ୍ଷମତା ଥିଲା। ଶିଷ୍ୟଟି ସେହି ଦିବ୍ୟ ଦର୍ପଣ କୁ ପାଇ ଅତ୍ୟନ୍ତ ଖୁସି ହୋଇଗଲା ଏବଂ ପରୀକ୍ଷା ସ୍ଵରୂପ ସର୍ବପ୍ରଥମେ ଦର୍ପଣଟିକୁ ନିଜ ଗୁରୁଙ୍କ ଆଡକୁ କରିଦେଲା। ଗୁରୁଙ୍କ ହୃଦୟରେ ମୋହ,ଆହଙ୍କର,କ୍ରୋଧ ଇତ୍ୟାଦି ଦୁର୍ଗୁଣ ଗୁଡିକ ପରିଲକ୍ଷିତ ହେବାର ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲା, ଏବଂ ତାକୁ ବହୁତ ଦୁଖ ଲାଗିଲା। କାରଣ ସେ ଭାବିଥିଲା ତା' ଗୁରୁ ସମସ୍ତ ଦୁର୍ଗୁଣରୁ ରହିତ ଜଣେ ସତ୍ ପୁରୁଷ ଅଟନ୍ତି। ତା ପରେ ଦର୍ପଣଟିକୁ ଧରି ସେ ଘରକୁ ଆସିଲା, ପରୀକ୍ଷା ସ୍ୱରୂପ ସେ ତାର କେତେକ ମିତ୍ର ଏବଂ କିଛି ପରିଚିତ ଲୋକଙ୍କ ଆଗରେ ଦର୍ପଣଟିକୁ ରଖି ପରୀକ୍ଷା କଲା, ଏବଂ ସମସ୍ତଙ୍କ ହୃଦୟରେ କିଛି ନା କିଛି ଦୁର୍ଗୁଣ ଥିବାର ଦେଖିଲା। ଏପରିକି ସେ ତା ବାପା ଓ ମା ଙ୍କୁ ଦର୍ପଣ ଦ୍ଵାରା ପରୀକ୍ଷା କରିବାକୁ ପଛେଇଲା ନହିଁ। ବାପା ଓ ମାଙ୍କ ହୃଦୟ ରେ କିଛି କିଛି ଦୁର୍ଗୁଣ ଥିବାର ଦେଖି ସେ କ'ଣ କରିବ ଭାବିପାରିଲା ନାହିଁ। ଶେଷରେ ଦିନେ ସେ ଦର୍ପଣଟିକୁ ନେଇ ଗୁରୁକୁଳରେ ପହଞ୍ଚିଲା; ଏବଂ ବିନମ୍ରତା ପୂର୍ବକ ଗୁରୁଙ୍କୁ କହିଲା- ଗୁରୁଦେବ ଆପଣ ଦେଇଥିବା ଦର୍ପଣ ସାହାଯ୍ୟରେ ସମସ୍ତଙ୍କ ହୃଦୟରେ ନାନା ପ୍ରକାର ଦୋଷ ଥିବାର ଦେଖିଲି। ସେତେବେଳେ ଗୁରୁଜୀ ଦର୍ପଣର ମୁଖ ସେହି ଶିଷ୍ୟ ଆଡ଼କୁ ରଖିଦେଲେ - ଶିଷ୍ୟଟି ନିଜ ମନର ପ୍ରତ୍ୟେକ କୋଣରେ ରାଗ,ଦ୍ଵେଷ,ଅହଂକାର,କ୍ରୋଧ ଭଳି ଦୁର୍ଗୁଣ ରହିଥିବାର ଦେଖି ବ୍ୟସ୍ତ ହୋଇପଡିଲା। ଗୁରୁଜୀ କହିଲେ- ହେ ଶିଷ୍ୟ, ଏହି ଦର୍ପଣ ଦ୍ଵାରା ତୁ ତୋର ସ୍ୱରୂପକୁ ଦେଖି ଜୀବନ ରେ ପରିବର୍ତ୍ତନ ଆଣିବାକୁ ଦେଇଥିଲି; ଅନ୍ୟ ର ଦୁର୍ଗୁଣ ଦେଖିବାକୁ ନୁହେଁ- ଅନ୍ୟର ଦୁର୍ଗୁଣ ଦେଖିବାରେ ତୁ ଯେତିକି ସମୟ ନଷ୍ଟ କଲୁ, ସେତିକି ସମୟ ମଧ୍ୟରେ ତୁ ତୋ ଦୁର୍ଗୁଣକୁ ସୁଧାରିବା ପାଇଁ ଚେଷ୍ଟା କରିଥା'ନ୍ତୁ ତେବେ ଏତେବେଳକୁ ତୋର ସ୍ଵଭାବ ବଦଳି ସାରନ୍ତାଣି। ମନୁଷ୍ୟର ସବୁଠାରୁ ବେଶୀ ଦୁର୍ବଳତା ଏଇଆ ଯେ ସେ ଅନ୍ୟ ମାନଙ୍କର ଦୁର୍ଗୁଣ ବିଷୟରେ ଜାଣିବାରେ ବେଶୀ ଆଗ୍ରହ ରଖେ; ନିଜକୁ ବଦଳେଇବା ପାଇଁ ଚିନ୍ତା କରେନି, ତେଣୁ ତୁ ଦର୍ପଣ ଠାରୁ ଏ କଥା ଶିଖିପାରିଲୁନି।

ଅନ୍ୟର ଦୋଷ ଦେଖିବା ପୂର୍ବରୁ ପ୍ରଥମେ ନିଜର କ'ଣ ଦୋଷ ଅଛି ତାହା ଜାଣି ନିଜକୁ ବଦଳାଇବା ଉଚିତ୍।।  

Presented By Mr. Bijaya Ku. Mohapatra (animationodisha Creative Team)

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.