ଏଥର ନିସ୍ତାର ନାହିଁ
ଏଥର ନିସ୍ତାର ନାହିଁ
ସଂଗ୍ରହ: ଜିତୁ
ସୌଜନ୍ୟ :- ଆନିମେସନ ଓଡ଼ଶା
ରମେଶ ଗୋଟିଏ ଝିଅର ରୂପଲାବଣ୍ୟରେ ମୁଗ୍ଧ ହୋଇ ତାକୁ ବାହା ହୋଇପଡ଼ିଲା। କିନ୍ତୁ ଦେଖିଲାବେଳକୁ ସେ ଏଡ଼େ ମୁଖରା ଯେ ସେ ସେଥିରେ ଅତିଷ୍ଠ ହୋଇ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା। ତା' ଦୁଃଖ ବୁଝୁଥିବା ଜଣେ ଅନ୍ତରଙ୍ଗ ବନ୍ଧୁ ତାକୁ ପରାମର୍ଶ ଦେଲେ - "ଗାଁକୁ ଜଣେ ସାଧୁ ଆସିଛନ୍ତି। ତାଙ୍କୁ ପଚାର। ସେ ତୋ ସମସ୍ୟାର କିଛି ନୂଆ ସମାଧାନ ପନ୍ଥା ବତେଇ ଦେଇପାରନ୍ତି।"
ରମେଶ ତାହା ହିଁ କଲା। ସାଧୁ ସବୁ ଶୁଣି ତାକୁ ଚୁପି ଚୁପି କହିଲେ; "ଆରେ ଭାଇ, ମୁଁ ତ ମୋ ମୁଖରା ସ୍ତ୍ରୀ ଜ୍ୱାଳାରେ ସାଧୁ ହୋଇଛି। ତୋତେ କି ପରାମର୍ଶ ଦେବି?"
ରମେଶ ଆଉ ଗୋଟିଏ ଗାଁକୁ ଯାଇ ଜଣେ ଯୋଗୀଙ୍କୁ ଭେଟି ନିଜର ସମସ୍ୟା କଥା ଜଣାଇଲା। ଯୋଗୀ କହିଲେ; "ମୁଁ ବ୍ରହ୍ମଚାରୀ, ସଂସାରର ଗୃହସ୍ଥ ଜୀବନ କ'ଣ ସେଥିରେ ମୋର ଅଭିଜ୍ଞତା ନାହିଁ। ତେଣୁ ତୁମ ସମସ୍ୟାର ପ୍ରତିକାର କଲାଭଳି ଯୋଗ୍ୟତା ମୋର ନାହିଁ।"
ରମେଶ ମୁଣ୍ଡପୋତି ଘରକୁ ଫେରୁଛି, ଅନୁଭବ କଲା ଅନ୍ଧାରରେ ପଛରୁ କିଏ ଜଣେ ସ୍ପର୍ଶକରି ପଚାରିଲେ -
"କିହୋ, କ'ଣ ଏତେ ଦୁଃଖ?"
ସହାନୁଭୂତିର ସ୍ୱର ଶୁଣି ରମେଶ ତା' ଦୁଃଖର କଥା ବଖାଣିଲା ଏବଂ ପରାମର୍ଶ ଲୋଡ଼ିଲା।
ଭଦ୍ରଲୋକ କାନ୍ଦୁରା କଣ୍ଠରେ କହିଲେ; "ପରାମର୍ଶ? ମତେ ପରାମର୍ଶ ଦେବ କିଏ? ମୁଁ ମୋ ମୁଖରା ସ୍ତ୍ରୀଠାରୁ ରକ୍ଷା ପାଇବାପାଇଁ ଆତ୍ମହତ୍ୟା କଲି। ପ୍ରେତ ହୋଇ କେଇଦିନ ଶାନ୍ତିରେ ଥିଲି। କିନ୍ତୁ ସ୍ତ୍ରୀ ତେଣେ ରୋଗରେ ପଡ଼ି ଆଜି କାଲି ଭିତରେ ମରିବ। ମରି ପ୍ରେତ ହୋଇ ମୋତେ ଜବତ କରିବ। ଏଥର ମୋତେ ନିସ୍ତାର ଦେବ କିଏ?"
ଏହା କହି ସେ ଅଦୃଶ୍ୟ ହୋଇଗଲେ। ରମେଶ ବୁଝିଲା ଯେ ମୃତ୍ୟୁ ମଧ୍ୟ ସମାଧନର ପନ୍ଥା ନୁହେଁ।
Leave a Comment