ୱାଇ - ଫାଇ
ୱାଇ - ଫାଇ
ସଂଗ୍ରହ: ଜିତୁ
ସୌଜନ୍ୟ :- ଆନିମେସନ ଓଡ଼ିଶା
ଯେଉଁଦିନ ଶାଶୁ ଘର ଲୋକ ଶ୍ରୀୟା କୁ ଦେଖିବାକୁ ଆସିଥିଲେ ସେଦିନ ତ ଶାଶୁ ବଡ଼ ବୋହୁ ସ୍ୱପ୍ନା ର ପ୍ରଶଂସା ରେ ହିଁ ଶତ ମୁଖ ଥିଲେ l ଜିତେନ୍ ଙ୍କ ବଡ଼ ଭାଇଙ୍କ ମୁହଁରେ ଲକ୍ଷେ ଟଙ୍କାର ହସ ସାଙ୍ଗକୁ ସ୍ୱାମୀ ଜିତେନ୍ ବି ମା ଙ୍କ ର ହଁ ରେ ହଁ ମିଳାଇ ଚାଲିଥାନ୍ତି l ଏସବୁ ଭିତରେ ଶ୍ରୀୟା ର ଚୟନ ବି ସରି ଯାଇଥିଲା ଓ ଶ୍ରୀୟା କୁ ବୋହୁର ଆସନ ଟି ମିଳି ଯାଇଥିଲା l
ଜିତେନଙ୍କ ବଡ଼ ଭାଇଙ୍କ ସ୍ତ୍ରୀ ଶ୍ରୀୟା ର ବଡ଼ ଯା ବହୁତ ଟ୍ୟାଲେଣ୍ଟେଡ l ଜଣେ ବିଶିଷ୍ଟ ନର୍ତ୍ତକୀ ହେବା ସାଙ୍ଗକୁ ଗୀତ ଗାଇଲେ କୋଇଲି ବି ପୁଣି ହାରିଯିବ ବୋଲି ଶୁଣିଛି ଶ୍ରୀୟା l ସାନ ବୋହୂକୁ ଦେଖିଲେ ବଡ଼ ବୋହୁ କୁ ସମସ୍ତେ ମନେ ପକାଇବେ ଓ ତୁଳନା ହେବ ହିଁ ହେବ l ଏଭଳି ପରିବାର ରେ କେମିତି ଚଳିବ ଭାବୁଥିଲା ଶ୍ରୀୟା l ଜିତେନଙ୍କ ବଡ଼ ଭାଇ ଜଣେ ଅଫିସର ଓ ସହର ରେ ରହନ୍ତି l ଶ୍ରୀୟା ଶାଶୁଙ୍କ ସହିତ ଗାଁ ରେ ହିଁ ରହିବ l ଜିତେନ୍ ଗାଁ ରୁ ଯିବା ଆସିବା କରନ୍ତି ତା ସହିତ ପୈତୃକ ସମ୍ପତ୍ତି ର ଦେଖାଶୁଣା ଦାୟିତ୍ତ୍ୱ ତାଙ୍କ ଉପରେ ନ୍ୟସ୍ତ l ବଡ଼ ଯା ଙ୍କ ସାଙ୍ଗେ ଏକାଠି ରହିବାକୁ ହେବନାହିଁ ଏତିକି ଯାହା ଆଶ୍ୱାସନା ର ବିଷୟ ଥିଲା l
ବାପା ଏମିତି ଘର କେମିତି ବାଛିଲେ ତା ପାଇଁ ଯୋଉଠି ପ୍ରତ୍ୟେକ କଥାରେ ଦି ଯା ଙ୍କୁ ତଉଲୁ ଥିବେ l କେଡେ କେଡେ ଲୋକଙ୍କ ସାଙ୍ଗରେ ଶ୍ରୀୟା ପୁଣି ତିଷ୍ଠି ପାରିବ ତ ? ଏମିତି ଘର କାହିଁକି ମିଳିଲା ତାକୁ l ମନ ମରି ଯାଉଥିଲା ଅନାଗତ ଭବିଷ୍ୟତ ର ଆଶଙ୍କା ରେ l ହଁ ଗରୀବ ଝିଅ ର ମନ ଗୋଟେ କଣ ଯେ l ଯୋଉଠି ଯୋଗ ଫିଟିଲା ସେଇଠି ଡୋର ବନ୍ଧା ହେବ l
--ଆଛା ତୁମ ଘର ଲୋକ ତୁମ ପାଇଁ ଗୋଟେ ହାଇ ଫାଇ ଝିଅ କୁ ବାଛିଲେନି ଯେ କି ଗୀତ ବି ଜାଣିଥିବ ନାଚି ବି ପାରୁଥିବ l ସର୍ବ ଗୁଣ ସମ୍ପର୍ଣ୍ଣା l ମୋତେ କାହିଁକି ଆଣିଲେ l ବାହାଘର ର ଛ ମାସ ପରେ ଶ୍ରୀୟା ଜିତେନକୁ ଦିନେ ପ୍ରଶ୍ନ କରିଥିଲା l
--ମୋ ପରି କିରାଣୀ କୁ ସେମିତି କୋଉଠୁ ମିଳିବ ? ବେଳେ ବେଳେ ଜିତେନ୍ ର ରୋକ ଠୋକ କଥା ଶ୍ରୀୟା ର ମୁହଁ ରେ ତାଲା ପକାଇ ଦିଏ l ଟିକେ ହସି ପୁଣି କହିଲା
--ଭଗବାନ କାହା ପାଇଁ କାହାକୁ ଖଞ୍ଜିଥାନ୍ତି l କିଏ କାହା ସହିତ ଘର ବସାଇବ ତାହା ସେଇ ଭଗବାନଙ୍କୁ ହିଁ ଜଣା l
--ହେଲା ଯେ ମା ସବୁବେଳେ ଯାଉଣୁ ଆସୁଣୁ ଖାଲି ନାନୀ ଙ୍କ କଥା ହିଁ ଘୋଷି ହେଉଛନ୍ତି l ମୋତେ ଲାଗୁଛି ଯେମିତି ମୁଁ ଗୋଟେ ଚିଡିଆଖାନା ର ଅଜଣା ଜୀବଟିଏ ବାଟ ବଣା ହୋଇ ପଶି ଆସଛି ତୁମ ଘର ଭିତରକୁ l
--ଭାଉଜ କିନ୍ତୁ ବହୁତ ଟ୍ୟାଲେଣ୍ଟେଡ l ତାଙ୍କ ଘୁଙ୍ଗୁରୁ ର ତାଳେ ତାଳେ ଦର୍ଶକଙ୍କ ମାନେ ମତୁଆଲା ହୋଇଯାଆନ୍ତି ଆଉ ବେଳେ ବେଳେ ପୋଲିସ ବି ଡାକିବାକୁ ପଡେ ଦର୍ଶକଙ୍କୁ ନିୟନ୍ତ୍ରଣ କରିବା ପାଇଁ l ଆଉ ଗୀତ କଥା କଣ କହିବି ଶ୍ରୀୟା l ସାକ୍ଷାତ କୋକିଳ କଣ୍ଠ l
--ଭାଇ ମୋର ବହୁତ ସ୍ନେହୀ ବହୁତ ଭଲ l ତାଙ୍କୁ ବହୁତ ଆଡ଼ଜଷ୍ଟ କରିବାକୁ ପଡେ l ଭାଉଜ ନଥିଲେ ବେଳେ ବେଳେ ରୋଷେଇ ମଧ୍ୟ ନିଜ ହାତରେ କରିବାକୁ ପଡେ ତାଙ୍କୁ l କୌଣସି ଚାକର ବାକର ହାତରୁ ଖାଇବା ତାଙ୍କର ପସନ୍ଦ ନାହିଁ l ଗୋଟିଏ ବୋଲି ଝିଅ ତ ବୋର୍ଡିଙ୍ଗ ସ୍କୁଲ ରେ ପଢୁଛି l ଆଉ ଦାୟିତ୍ତ୍ୱ କଣ ଅଛି ତାଙ୍କର ? ସମଗ୍ର ଓଡ଼ିଶାରେ ଭାଉଜ ଙ୍କୁ ନଜାଣିଛି ବା କିଏ l
-ମାମାଲି କୁ ଆଠ ବର୍ଷ ହେଲା l ଏବେଠୁ ବୋର୍ଡିଙ୍ଗ ସ୍କୁଲ ? ସେ ତ ମା ବାପା ବୋଲି କିଛି ଜାଣିଲା ନାହିଁ l
--ଆଉ କଣ କରିଥାନ୍ତେ ? ଭାଉଜଙ୍କୁ ତୁମେ ରାତି ନ ଟା ପରେ ହିଁ ଘରେ ଦେଖିବାକୁ ପାଇବ l ଭାଇ ତ ଏତେବଡ ଅଫିସର ଦୁନିଆ ଟୁର ମିଟିଙ୍ଗ ରେ ବ୍ୟସ୍ତ l ପିଲା ର ଯତ୍ନ କିଏ ନେଇଥାନ୍ତା ?
--ହଉ ହଉ ରଖିଥାଅ ତୁମର ସେ ଭାଉଜ ଭାଉଜ ଘୋଷା ବୁଝିଲ l ସ୍ୱାମୀ ଜାଣି ପାରିଲାନି ସ୍ତ୍ରୀ କିଏ ଝିଅ ଜାଣି ପାରିଲାନି ମା କିଏ l ସେ ଗୀତ ନାଚକୁ କଣ ବାଟି କି ପିଇବ ? ପରିବାରଟିଏ ଭାଗ୍ୟରେ ଥିଲେ ମିଳେ ବୁଝିଲ l ପରିବାର ଘର ସଂସାର ସ୍ୱାମୀ ସନ୍ତାନ କୁ ପଛକୁ ଠେଲି ଏକୁଟିଆ ରାସ୍ତାରେ ଚାଲି ସେ ତୁଚ୍ଛ ପ୍ରଶଂସା ରୁ କଣ ମିଳିବ କହିଲ ?
ଶ୍ରୀୟା ମନେ ମନେ ଚିଡୁ ଥାଏ କିନ୍ତୁ ବଡ଼ ଯା ଙ୍କ କଁଅଳ କଥା ଚୁପି ଚୁପି ହସ ସାଙ୍ଗକୁ ହରିଣ ଚାହାଣି ଦେଖି ଭାବେ ଗୋଟେ ପୁରୁଷ କୁ ମତୁଆଲା କରିଦେବା ପାଇଁ ଆଉ କଣ ଦରକାର l ଏତିକି ମାତ୍ର ଯଥେଷ୍ଟ l ଶ୍ରୀୟା ପାଖରେ କଣ ଅଛି l ବି ଏ ପାସ କରି ରୋଷେଇବାସ ଶିଖି ବାହା ହୁଅ ଶାଶୁ ଘର କୁ ଯାଅ ପିଲା
ଖେଳାଅ l ବାସ l ସେଇଠି ସରିଲା ତୁମର ସବୁ ଟ୍ୟାଲେଣ୍ଟ l
ସେ ଯାହା ବି ହେଉ ବଡ଼ ଯା ଙ୍କୁ ତାଙ୍କ ସ୍ୱାମୀ ଏତେ ଭଲ ପାଆନ୍ତି ତାର ଜ୍ୱଳନ୍ତ ଉଦାହରଣ ସେଦିନ ପରା ସାମାନ୍ୟ ଥଣ୍ଡା ଜର ଟିକେ ହେଇଥିଲା ଯେ ଭାଇନାଙ୍କର ତ ଦେବଦାସ ଅବତାର l ଜିତେନ୍ ନିଜେ ଦେଖି ଆସି କହୁଥିଲେ l ଆଉ ଇଏ ତ ଆମର ସ୍ତ୍ରୀ ମରିଯାଉ ପଛେ ୟାଙ୍କୁ ଛୁଟି ନାହିଁ କଣ ନା କିରାଣୀ ଚାକିରୀ ପୁଣି ତାଙ୍କ ବଡ ବାବୁଙ୍କୁ ପ୍ରାଣ ଭୟ l କିରାଣୀ ବୋଲି କଣ ସ୍ତ୍ରୀ ପ୍ରତି କର୍ତ୍ତବ୍ୟ ନାହିଁ କି ? କାଲି ପରିବାର ରେ ଦୁଇ ରୁ ତିନି ସଦସ୍ୟ ହେଲେ କଣ କରିବେ କେଜାଣି l
--ଆଲୋ ତୋ ବଡ଼ ଯା ତ ଘରେ ଦେଖିବାକୁ ମିଳେ ନାହିଁ l ଆଉ ତା ସ୍ୱାମୀର ଏତେ ସରାଗ କଣ ଦେଖି ଫୁଟି ଉଠୁଛି ବା ? ସେଦିନ ମନୁ ଖୁଡି ଏଡ଼େ ପାଟିରେ ପଚାରୁଥିଲେ l
--ଧୀରେ କୁହ ଖୁଡି l ମା ଶୁଣିଲେ ଖରାପ ଭାବିବେ l ତାଙ୍କର ଫେଭରାଇଟ ବୋହୁ ପରା l ହଁ ସେ ଘର ସଂସାର ର ଦାୟିତ୍ତ୍ୱ ତାଙ୍କ ସ୍ୱାମୀଙ୍କୁ ଦେଇ ସଭା ସମିତି ରେ ଯାଆନ୍ତି ସତ ହେଲେ କଳ ବଳ କୌଶଳ ଯୋଗୁଁ ତାଙ୍କ ସ୍ୱାମୀ ଆଜି ତାଙ୍କ ହାତରେ l
--ଆଲୋ ଛଳ କହ ଛଳ l ନୋହିଲେ କି… lଖୁଡି ସତ କଥା କହିଲେ l କିନ୍ତୁ ନିଜ ଲୋକ ଆଗରେ କଣ ଛଳନା କରାଯାଏ ? ଜନ୍ମ ଜନ୍ମାନ୍ତର ର ସାଥି ଯିଏ ତାର ସ୍ନେହ ସରାଗ ପାଇବା ପାଇଁ ଅଭିନୟ କରିବାକୁ ହୁଏ ? କେଜାଣି ସେଇ ଟ୍ୟାଲେଣ୍ଟେଡ ନାରୀ ମାନେ ଜାଣିଥିବେ ପରା l
ପାଞ୍ଚ ଘଣ୍ଟା ଭିତରେ ପାଞ୍ଚୋଟି ଯୁଗ ବିତି ଗଲାଣି l ଦୁନିଆ ଯାକର ଆଜେ ବାଜେ ଚିନ୍ତା ଧସେଇ ପଶୁଛି ମୁଣ୍ଡ ଭିତରେ l କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି ତ ତାକୁ ତା ସ୍ୱାମୀ ଦୋଳିରେ ବସି ଝୁଲାଉଛି l ଆଉ ଏ ଲୋକ ଯାହାର ହାତ ଧରିଲା ତାର ଖାଲି କାମ ଆଉ କାମ l ଘଣ୍ଟା ଦେଖି ଖାଇବ ଘଣ୍ଟା ଦେଖି ଶୋଇବ ନିଶ୍ୱାସ ପ୍ରଶ୍ୱାସ ବି ଘଣ୍ଟା ଦେଖି ହିଁ ନେବାକୁ ହେବ l
ଗୁଲଗୁଲିଆ ବେବି ଗୋଟେ କୋଳକୁ ଆସି ଯାଆନ୍ତା କି !! ଦିନ ଯାଇ ରାତି କେମିତି କଟି ଯାଆନ୍ତା ଜଣା ପଡନ୍ତା ନାହିଁ l ତାର କପାଳରୁ ଆରମ୍ଭ କରି ସାରା ଦେହ କୁ ନିତି ଅଜସ୍ର ଚୁମାରେ ଭରି
ଦେଉଥାନ୍ତା l
ଛି ଛି ! କୋଉଠି ବସି କଣ ଭାବୁଛି ସେ l ବୁଦ୍ଧି ବୃତ୍ତି ସବୁ ପୋଡି ଖାଇଲାଣି ନା କଣ l କାହାର ପାଟି ଶୁଣି ବୁଲି ଦେଖିଲା ଶ୍ରୀୟା l ଡକ୍ଟର ଆସି ପଛରେ ଠିଆ ହେଇଛନ୍ତି l
--ମାଡାମ ଆପଣଙ୍କ ଶାଶୁମାଙ୍କର ହୋସ ଆସିଗଲା l ଆଉ ମାତ୍ର ଦଶ ମିନିଟ ପରେ ଆପଣ ତାଙ୍କୁ ଦେଖା କରି ପାରିବେ l ସେଇ ହସ୍ପିଟାଲ କାନ୍ଥ ରେ ମୁଣ୍ଡିଆଟେ ମାରିଲା ଶ୍ରୀୟା l
ଆଜି ସକାଳୁ ଶାଶୁ ବେଡ଼ ରୁ ଉଠୁ ଉଠୁ ପଡିଗଲେ ଯେ ତା ପରଠୁ ଆଉ ଚେତା ନାହିଁ l ଘରେ ଜିତେନ୍ ନାହାନ୍ତି ଅଫିସ କାମରେ କୁଆଡେ ନା ଦୁଇଦିନ ହେଲା ଯାଇଛନ୍ତି l ଶ୍ରୀୟା ଗାଁ ର ପୁତୁରା ଲେଖା ହେବେ ତାଙ୍କ ସାହାଯ୍ୟ ରେ ଶାଶୁଙ୍କୁ ନେଇ ଆସିଥିଲା l ବଡ଼ ପୁଅକୁ ଖବର ଦେଲାବେଳକୁ ସେ ବି ଟୁର ରେ l
ତୁମ ଭାଇ ନାହାନ୍ତି ମୁଁ ଗୋଟେ ସ୍ତ୍ରୀ ଲୋକ ଏକୁଟିଆ ହସ୍ପିଟାଲ କାମ ସମ୍ଭାଳି ପାରିବିନାହିଁ କହି ଆମ୍ବୁଲାନ୍ସ କୁ ଗେଟ ବାହାରୁ ହିଁ ଫେରାଇଦେଲେ ବଡ଼ ଯା l ଚାହିଁଥିଲେ ଶାଶୁଙ୍କୁ ଘରେ ଶୁଆଇ ଶହେଟା ଡାକ୍ତର ଙ୍କୁ ଡାକି ଆଣି ଶାଶୁଙ୍କ ଚିକିତ୍ସା କରାଇ ପାରି
ଥାନ୍ତେ l ଭାରତ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ସାଙ୍ଗକୁ ନୃତ୍ୟାଙ୍ଗନା ପୁଣି ତା ସାଙ୍ଗକୁ ଅମୁକ ସମୁକ କେତେ ପ୍ରକାର କ୍ଲବ ର ପ୍ରେସିଡେଣ୍ଟ ଅଟନ୍ତି l ଏଇଟା ତାଙ୍କ ପାଇଁ କିବା ବଡ଼ କଥା l
ହସ୍ପିଟାଲ ରେ ବହୁତ ସମୟ ଅପେକ୍ଷା କରାହେଲା l ଯୋଗକୁ ସେଇ ପୁତୁରା ଜଣକ ଥିଲେ ବୋଲି ଶାଶୁଙ୍କ ଆଡ଼ମିସନ ହୋଇ ପାରିଥିଲା ସିନା ନହେଲେ କଣ ନା କଣ ଅଘଟଣ ଘଟି ଯାଇଥାନ୍ତା l ଶ୍ରୀୟା ଭାବୁଥିଲା ଯିଏ ଏଡ଼େ ବଡ଼ ସଭା ସମିତି କୁ ଏକୁଟିଆ ସମ୍ଭାଳି ଦେଉଛନ୍ତି l ପୁଣି ଏକାକୀ କାର ଡ୍ରାଇଭ କରି ଦୂର ଦୁରାନ୍ତର ରେ ପ୍ରୋଗ୍ରାମ କରି ସାରି ବିଳମ୍ବିତ ରାତ୍ରି ରେ ଘରକୁ ନିରାପଦ ଫେରି ଆସି ପାରୁଛନ୍ତି ସେ ହସ୍ପିଟାଲ ରେ ଶ୍ରୀୟା ସହିତ ମିଶି ଶାଶୁଙ୍କ ଦେଖାଶୁଣା କରି ପାରିବେନାହିଁ ? କଣ ନା ଭାଇ ନାହାନ୍ତି ?
ଚିନି ବୋଳା ମଧୁର କଥା, ଛଳ ଛଳ ହସ ପଛରେ ଥିବା କଠୋର କଂସେଇ ପରି ସ୍ୱପ୍ନା ର କ୍ରୁର ହୃଦୟଟିକୁ ଶ୍ରୀୟା ଘୃଣା କରିବା ଆରମ୍ଭ କରିଥିଲା l ସୁତରାଂ ଆଉ ଅପେକ୍ଷା ନକରି ସେଇ ପୁତୁରାଙ୍କ ସହିତ ମିଶି ଶାଶୁଙ୍କୁ ନେଇ ନର୍ସିଙ୍ଗ ହୋମ କୁ ଚାଲି ଆସିଥିଲା l ପାଞ୍ଚ ଘଣ୍ଟା ପରେ ତାଙ୍କର ହୋସ ଆସିଲା ଏବେ l
--ମାଆ ଙ୍କ ର ବି ପି ଟିକିଏ କମ ଅଛି l ଦୁର୍ବଳତା ରହିବ l ଆଗକୁ ସତର୍କ ହେବେ l ମେଡ଼ିସିନ ସରିବା ଯାଏଁ ତାଙ୍କୁ ଏକୁଟିଆ ଛାଡ଼ିବେ ନାହିଁ l ଆଉ ଘଣ୍ଟାଏ ଆମେ ଅବଜର୍ଭେସନ ରେ ରଖିବୁ ତା ପରେ ଆପଣ ତାଙ୍କୁ ସାଙ୍ଗରେ ନେଇ ଯାଇ ପାରିବେ l ଡକ୍ଟର ଚାଲି
ଗଲେ l
--ମା ! ଦେଖ ମୁଁ ଶ୍ରୀୟା ଆସିଛି l କେମିତି ଲାଗୁଛି ଏବେ ? ଆଉ ମୁଣ୍ଡ ବୁଲାଉଛି କି ମା ? ଘଣ୍ଟାଏ ପରେ ଆମେ ଫେରିଯିବା l ନାନୀଙ୍କୁ ଖବର ଦେଇ ଦେଇଛି ଆସୁଥିବେ ବୋଧେ l
--ମୋର ସେ ୱାଇ ଫାଇ ବଡ଼ ବୋହୁ ପାଖେ କି କାମ କିଲୋ ? ତୁ ପରା ମୋ ପାଖରେ ଅଛୁ ? ଏତେ ଟେନସନ ରେ ବି ଶାଶୁଙ୍କ କଥାରେ ଶ୍ରୀୟା ହସି ପକାଇଥିଲା l
--ୱାଇ ଫାଇ ନୁହେଁ ମା ହାଇ ଫାଇ ବୋଲି କୁହାଯାଏ l
--ସବୁ ଏକା କଥା l ୱାଇ ଫାଇ କିମ୍ବା ହାଇ ଫାଇ ଯାହା ହେଉ ତାର ଦର୍ଶନ ମିଳିବ କି ? ତୁ କହି ପାରିବୁ ୱାଇ ଫାଇ ର ଆକାର ଦେଖିବାକୁ କିପରି ? ଦେଖିଛୁ କେବେ ୱାଇ ଫାଇ କୁ ? ସେମିତି ମଣିଷ କେତେଟା ମଧ୍ୟ ୱାଇ ଫାଇ ଭଳିଆ l ଆମେ ଶୁଣୁଥିବା ଅନୁଭବ କରୁଥିବା କିନ୍ତୁ ସେମାନଙ୍କୁ ଦେଖିବାକୁ ପାଇବା ନାହିଁ l ଶାଶୁଙ୍କ ଲଜିକ ବୁଝିବାକୁ ଚେଷ୍ଟା କରୁଥିଲା ଶ୍ରୀୟା l ପୁଣି କହିଲେ
--ତୁ ମୋର ଅଲ ରାଉଣ୍ଡର ବୋହୁ ପରା l ଆଜିର ୱାଇ ଫାଇ ଦୁନିଆରେ ବହୁତ ହାଇ ଫାଇ ମିଳିବେ କିନ୍ତୁ ମଣିଷପଣିଆ କୋଉଠି ବି ମିଳିବ ନାହିଁ l ଭଗବାନଙ୍କ ପାଖେ ତୋର ଦୀର୍ଘ ଜୀବନ କାମନା କରୁଛି ଲୋ ବୋହୁ l ତୁ ଏମିତି ସବୁବେଳେ ହସୁଥା l
ଶାଶୁଙ୍କ ପାଦ ଛୁଁଇ ପ୍ରଣାମ କରୁଥିଲା ଶ୍ରୀୟା l
🌼🌻 ସମାପ୍ତ 🌻🌼
Leave a Comment