କିଏ ଚୋର ?
କିଏ ଚୋର ?
ସଂଗ୍ରହ: ଜିତୁ
ସୌଜନ୍ୟ :- ଆନିମେସନ ଓଡ଼ିଶା
┄┅═══════❉❂ ❂❉═══════┅┄
ରଘୁସିଂହ ଲଳିତପୁର ଗାଁରେ ରହୁଥିଲେ। ତାଙ୍କର ଗୋଟିଏ ବୋଲି ଝିଅ। ତା'ର ନାମ ସୁପ୍ରିୟା। ସେ ଝିଅଟି ଅତି ସାନ ହୋଇଥିଲାବେଳେ ରଘୁସିଂହଙ୍କର ସ୍ତ୍ରୀ ପରଲୋକ ଗମନ କଲେ। ସେହିଦିନଠୁଁ ରଘୁସିଂହ ତାଙ୍କ ଝିଅ ସୁପ୍ରିୟାକୁ ଅତି ଯତ୍ନରେ ବଢ଼ାଇଥିଲେ।
ସୁପ୍ରିୟାର ସ୍ୱଭାବ ଏପରି ଯେ ସେ ମାଛିକୁ ମ ସୁଦ୍ଧା କହିବ ନାହିଁ। ତେଣେ କିଛି ଅନ୍ୟାୟ କରିବ ନାହିଁ କି ସହିବ ନାହିଁ। ସେ ଯେତିକି ସତ୍, ସେତିକି ସାହସୀ ମଧ୍ୟ। ଜଣେ ସମ୍ପର୍କୀୟ ମାଉଷୀ ତାଙ୍କ ଘର ପାଖରେ ଥା'ନ୍ତି। ତାଙ୍କଠାରୁ ସୁପ୍ରିୟା ଭଲ କରି ରୋଷେଇବାସ କରିବା ଶିଖି ନେଇଥାଏ। ତା' ରାନ୍ଧଣା ଖାଇ ରଘୁସିଂହଙ୍କର ପେଟ ପୂରିବା ସାଙ୍ଗକୁ ମନ ବି ପୂରି ଯାଉଥାଏ।
ସୁପ୍ରିୟାର ବାହାଘର ବୟସ ହୋଇଗଲା। ବରଟିର ସ୍ୱଭାବ ଭଲ ହୋଇଥିବ, ରଘୁସିଂହଙ୍କର ଏତିକି ମାତ୍ର ଅଭିଳାଷ ଥିଲା। ସେଥିପାଇଁ ସେ ମନଦେଇ ଆଖପାଖ ଅଞ୍ଚଳରେ ବର ଖୋଜାଖୋଜି ଆରମ୍ଭ କଲେ।
ଦିନେ ହୁବୁଲି ଗାଁର ଜଣେ ବରପିତା କନ୍ୟା ଦେଖିବାକୁ ଆସିବେ ବୋଲି ଜଣେ ପଡ଼ୋଶୀ ଖବର ଦେଲେ। ବରପିତା ଆସି କନ୍ୟା ଦେଖି ବହୁତ ଖୁସି ହେଲେ ବୋଲି ମନେ ହେଲା। କିନ୍ତୁ ସଙ୍ଗେ ସଙ୍ଗେ ସେ କୌଣସି ଜବାବ୍ ନ ଦେଇ ଦିନକ ପରେ ଖବର ଦେବେ ବୋଲି କହିଗଲେ।
ସେମାନେ ଚାଲିଯିବା ପରେ ରଘୁସିଂହ ହସି ହସି ସୁପ୍ରିୟାକୁ କହିଲେ, "ଝିଅ, ଯାହା ମନେହୁଏ ସେମାନେ ହଁ କରିବେ। ତୁ ମୋ ଘର ଛାଡ଼ି ଚାଲିଯିବା ଆଗରୁ ମୋତେ ଟିକିଏ ରୋଷେଇବାସ ଶିଖାଇ ଦେ। ନହେଲେ ମୁଁ କିପରି ରାନ୍ଧି ଖାଇବି?"
ରଘୁସିଂହ ସିନା ଥଟ୍ଟାରେ ଏକଥା କହନ୍ତି, ସୁପ୍ରିୟା କିନ୍ତୁ ସେଥିରେ ଦୁଃଖ ପାଏ।
ସେତିକିବେଳେ ରଘୁସିଂହଙ୍କର ଆଉ ଜଣେ ବିଶିଷ୍ଟ ବନ୍ଧୁ ଆସି କହିଲେ, "ରଘୁ, ସୁପ୍ରିୟାପାଇଁ ଗୋଟିଏ ଭଲ ବର ମୋ ମନରେ ଅଛି। ତା' ନାମ ପ୍ରଭାକର। ସେ ଆଜି ଆମ ଘରକୁ ଆସିଛି। ମହୁଝର ଗାଁରେ ତା' ଘର। ଯଦି କହିବୁ, ମୁଁ ତାକୁ ଏଠାକୁ ନେଇ ଆସିବି।"
ରଘୁସିଂହ କହିଲେ, "ହୁବୁଲିରୁ ଜଣେ ବିଶିଷ୍ଟ ବ୍ୟକ୍ତି ଆସି କନ୍ୟା ଦେଖି ଯାଇଛନ୍ତି। ହେଲେ ସେ କିଛି ବି କହି ନାହାନ୍ତି। ତାଙ୍କ କହିବାକୁ ମୁଁ ଅପେକ୍ଷା କରୁଥିଲି।"
ରଘୁର ସବୁକଥା ଶୁଣି ବନ୍ଧୁ କହିଲେ, "ସେ ତ ହଁ ଭରି ନାହାନ୍ତି! ଅତଏବ ଆମେ ଅନ୍ୟତ୍ର ଦେଖାଚାହାଁ କରିବାରେ କାହାର କ'ଣ ଆପତ୍ତି ଥାଇପାରେ?" ସେଇଠୁ ରଘୁସିଂହ ପ୍ରଭାକରକୁ ନେଇ ଆସିବାକୁ ତାଙ୍କ ବନ୍ଧୁଙ୍କୁ କହିଲେ।
ପ୍ରଭାକର ଆସିଲା। ପିଲାଟି ବହୁତ ଭଲ ବୋଲି ଜଣାଗଲା। ସଂସାରରେ ତା'ର ଆଉ କେହି ବି ନଥିଲେ। ବାପା ମା' ଘରଟିଏ, କିଛି ଜମିଜମା ଓ କେତୋଟି ମଇଁଷି ଛାଡ଼ି ଯାଇଥିଲେ। ଏହିପରି ଭାବରେ ସେ ସ୍ୱଚ୍ଛନ୍ଦରେ ଚଳୁଥିଲା।
ପ୍ରଭାକର ବିଦାୟ ନେବା ପରେ ରଘୁସିଂହଙ୍କ ବନ୍ଧୁ ତାଙ୍କୁ ପଚାରିଲେ, "କ'ଣ ଭାବୁଛ? ପାତ୍ର ପସନ୍ଦ? କଥା ପକା କରିଦେବା?"
ରଘୁସିଂହ ଝିଅଆଡ଼େ ଚାହିଁଲେ ଓ ବୁଝିଲେ ଯେ ଝିଅ ବି ପ୍ରଭାକରକୁ ପସନ୍ଦ କରିଛି। ତେବେ ସେ କହିଲେ, "ମୋତେ ଦିନଟିଏ ସମୟ ଦେବନାହିଁ?"
ବନ୍ଧୁ କହିଲେ, "ହଁ, ହଁ, ତୁମେ ଆଗାମୀ କାଲି ସକାଳେ କହିଲେ ମଧ୍ୟ ଚଳିବ। ପ୍ରଭାକର ଆଜି ମହୁଝର ଚାଲିଯିବ। ତେବେ, ଆମେ ଯାଇ ତାକୁ ପରେ ଖବର ଦେବା।"
ରଘୁସିଂହ କିଛି ସମୟ ପରେ ଝିଅକୁ କହିଲେ, "ଝିଅ, ମୁଁ ଟିକିଏ ହୁବୁଲି ଯାଇ ଖବର ନେଇ ଆସେ। ଦୁଇଜଣଯାକ ବର ଜଣକପାଇଁ ଆଉଜଣେ ହାତଛଡ଼ା ହୋଇଯିବା ଠିକ ହେବ ନାହିଁ।"
ରଘୁସିଂହ ସେଠାରୁ ବାହାରି ଯିବାର ଅଳ୍ପ ସମୟ ଉତ୍ତାରେ ଜଣେ ଅପରିଚିତ ଲୋକ ଆସି ଉଙ୍କି ମାରିଲା। ସୁପ୍ରିୟା କହିଲା, "ବୋଧହୁଏ ଆପଣ ମୋ ବାପାଙ୍କୁ ଖୋଜୁଛନ୍ତି। ହେଲେ ସେ ତ ଏବେ ଘରେ ନାହାନ୍ତି।"
ଲୋକଟି କହିଲା, "ଯଦି ନାହାନ୍ତି, ତେବେ ମୋର ଯେଉଁ ଖବର ଦେବା କଥା ଦେଇଯାଏଁ। ଶୁଣିଲି ତୁମ ବାହାଘର ପ୍ରସ୍ତାବ ମହୁଝର ଗାଁରେ ପ୍ରଭାକର ସହ ପଡ଼ିଛି। ପ୍ରଭାକର ଦୁଇବର୍ଷ କାଳ ଚୋରି କରିବା ଅଭିଯୋଗରେ କାରାଗାରରେ ଥିଲା। ଶୁଭେଚ୍ଛୁ ଭାବରେ ମୁଁ ତୁମକୁ ଏତକ ଜଣାଇ ଦେଲି।"
ଏମିତିକା ଖବର ହଠାତ ପାଇ ସୁପ୍ରିୟା କ'ଣ କହିବ କିଛି ଭାବିପାରିଲା ନାହିଁ। ସେ ଲୋକଟିର ପରିଚୟ ପଚାରିବ ବୋଲି ଦ୍ୱାର ପାଖକୁ ଉଠିଗଲା। ମାତ୍ର ସେତେବେଳକୁ ସେ ଲୋକଟି ସେଠାରୁ ଚାଲିଯିବାକୁ ଉଦ୍ୟତ ହେଲା। ସୁପ୍ରିୟା ଉପରେ ଆଖି ପଡ଼ିଯିବାରୁ ସେ ଖାଲି ଥରେ ହସିଦେଲା ଓ କହିଲା, "ମୋର ଆଉ କିଛି କହିବାର ନାହିଁ।"
ଲୋକଟି ଏହା କହି ସେଠାରୁ ଚାଲିଗଲା। ଏଣେ ସୁପ୍ରିୟାର ମୁଣ୍ଡ ବୁଲାଇଦେଲା। ସେ ବେଶ୍ ତେଜୀ ଝିଅ ଥିଲା। ପ୍ରଭାକର ବିଷୟରେ ଏହା ସତ ନା ମିଛ? ସେ ଏକଥା ନିଜେ ନିରୂପଣ କରିବାକୁ ଠିକ କଲା। ମହୁଝର ତ ସେଠାରୁ ବେଶି ଦୂର ନୁହେଁ। ସେ ଘରେ ତାଲା ଦେଇ ବାହାରିଗଲା।
ଗାଁ ବାହାରେ ନିଛାଟିଆ ସ୍ଥାନରେ ପ୍ରଭାକରର ଘର। ସେ ଯାଇ ଅକ୍ଳେଶରେ ସେଠାରେ ପହଞ୍ଚିଗଲା। ପ୍ରଭାକର ତାକୁ ଦେଖି ହସି ଘର ଭିତରକୁ ପାଛୋଟି ନେଲା।
ସୁପ୍ରିୟା ବିନା ଭୂମିକାରେ ପ୍ରଶ୍ନ କଲା, "ଆପଣ ଚୋରି ଅପରାଧରେ କାରାଗାର ଯାଇଥିଲେ?"
"ଚୋରି ଅଭିଯୋଗରେ ଯାଇଥିଲି, ଚୋରି ଅପରାଧରେ ନୁହେଁ। ବସ କହୁଛି।" ଏତିକି କହି ପ୍ରଭାକର ଚୌକି ଦେଖାଇ ଦେଲା ଓ ସୁପ୍ରିୟା ଗମ୍ଭୀର ହୋଇ ବସି ପଡ଼ିବା ମାତ୍ରେ ପ୍ରଭାକର ସବୁ ଗପିଗଲା :
ସେ ତା' ପିଲାବେଳଠାରୁ ବାପା ମା'ଙ୍କୁ ହରାଇଥିଲା। ଜେଜେମା' ତାକୁ ପାଳିପୋଷି ବଡ଼ କରିଥିଲେ। ଦିନେ ଗୋଟିଏ ଗାଡ଼ି ଭଡ଼ା କରି ସେ କୌଣସି ଏକ କାମରେ ସହରକୁ ଯାଉଥିଲା। ଅଧା ବାଟରେ ବୁଢ଼ୀଟିଏ ଗାଡ଼ି ଅଟକାଇ କହିଲା, "ପୁଅ, ମୋ ନାତି ସହରରେ ଥାଏ। ତା'ପାଇଁ କିଛି ମିଠେଇ ତିଆରି କରିଥିଲି। ତା' ଜେଜେବାପା ମିଠେଇତକ ଧରି ଆଜି ସହରକୁ ଯିବାର ଥିଲା। କିନ୍ତୁ ସେ ବେମାର ପଡ଼ି ଯାଇଛନ୍ତି। ଏ ଗାଡ଼ି ଯେମିତି ସହରରେ ପଶିବ, ସେମିତି ଗୋଟିଏ ମନ୍ଦିର ପଡ଼ିବ। ସେଇଠି ହଳଦିଆ କାମିଜ ପିନ୍ଧି ପିଲାଟାଏ ଠିଆ ହୋଇଥିବ। ତୁ ତାକୁ ଏ ଡବାଟା ଦେଇଦେବୁ। ତୋର ମଙ୍ଗଳ ହେବ।"
ପ୍ରଭାକର ସେଥିରେ ବା କାହିଁକି ଆପତ୍ତି କରନ୍ତା? ସେ ଯାଇ ମନ୍ଦିର ପାଖରେ ଗାଡ଼ି ଅଟକାଇ ଓହ୍ଲାଇଲା। ସେ ଦେଖିଲା, କାହିଁକି କେଜାଣି, ହଳଦିଆ କାମିଜ ପିନ୍ଧିଥିବା ପିଲାଟିଏ ଦୌଡ଼ି ପଳାଉଛି! ଏଣେ ଦୁଇଜଣ ସିପାହୀ ଆସି ତାକୁ ଧରି ପକାଇ ପଚାରିଲେ, "କାହାକୁ ଖୋଜୁଛ ?"
ପ୍ରଭାକର କହିଲା, "ଗୋଟାଏ ପିଲାପାଇଁ ମିଠେଇ ଆଣିଥିଲି। ତାକୁ ହିଁ ଖୋଜୁଛି।"
"ଦେଖିବା କିପରି ମିଠେଇ!" ଏହା କହି ସିପାହୀମାନେ ଡବା ଖୋଲିଲେ। ଭିତରେ ଅବଶ୍ୟ ମିଠେଇ ଥିଲା। କିନ୍ତୁ ମିଠେଇ ତଳେ କେତୋଟି ସୁନା ଅଳଙ୍କାର ଥିଲା।
"ବେଶ୍! ଆମେ ଆଗରୁ ସନ୍ଧାନ ପାଇ ଏହି ଚିଜ ଅପେକ୍ଷାରେ ରହିଥିଲୁ।" ସିପାହୀମାନେ ଏହା କହିଲେ ଓ ତାକୁ ସେମାନଙ୍କ ହାକିମ ପାଖକୁ ନେଇଗଲେ। କ'ଣ ବିଚାର ହେଲା, କାହା ଘରୁ ଚୋରି ହୋଇଥିଲା, ସେସବୁ ପ୍ରଭାକର କିଛିବି ବୁଝିପାରିଲା ନାହିଁ। କିନ୍ତୁ ତାକୁ ଦୁଇବର୍ଷ କାରାଦଣ୍ଡ ଭୋଗିବାକୁ ହେଲା। ତେବେ କାରାବାସ ଭିତରେ ସେ ଜଣେ ଅଭିଜ୍ଞ ଲୋକଠାରୁ ନାନା ପ୍ରକାର ଚାଷ ପ୍ରଣାଳୀ ଶିଖିଲା। ଦଣ୍ଡିତ ବ୍ୟକ୍ତିମାନଙ୍କୁ କାମ କରିବାକୁ ପଡୁଥାଏ। ଏଣୁ ତାକୁ ବି କ୍ଷେତରେ କାମ କରିବାକୁ ହେଲା। ସେ ତା'ର ସେହି ଶୁଭେଚ୍ଛୁ ବ୍ୟକ୍ତିଠାରୁ ପ୍ରତ୍ୟକ୍ଷ ଜ୍ଞାନ ଲାଭ କଲା।
ପ୍ରଭାକର ତା' କାହାଣୀ ଏତିକିରେ ଶେଷ କଲା ଓ ହସିଲା।
ସୁପ୍ରିୟା ପଚାରିଲା, "ଆପଣ ଆପଣଙ୍କ କାରାବାସ କଥା ଆମ ଘରେ କାହିଁକି କହିଲେ ନାହିଁ?"
ପ୍ରଭାକର ବୁଝାଇ କହିଲା, "କହିବି କହିବି ବୋଲି ସଙ୍କୋଚରେ ଆଉ କହି ପାରିଲି ନାହିଁ। ସେଇଥିପାଇଁ ତ ମୁଁ ସେ ଲୋକଟିକୁ ତୁମ ଘରକୁ ପଠାଇ ତା'ଦ୍ୱାରା କଥାଟି କୁହାଇଦେଲି। ପରେ ଯେପରି ଏଥିପାଇଁ ତୁମକୁ ବା ତୁମ ବାପାଙ୍କୁ ଅନୁତାପ କରିବାକୁ ନ ହୁଏ!"
"ଓଃ, ତେବେ ସେ ଲୋକଟିକୁ ଆପଣ ପଠାଇଥିଲେ?" ଏହାପରେ ସୁପ୍ରିୟା ମଧ୍ୟ ଏଥର ହସିଲା।
ସୁପ୍ରିୟା ସେଠାରୁ ବିଦାୟ ନେଇ ଆସି ଘରେ ପହଞ୍ଚିବାର ଅଳ୍ପ ସମୟ ପରେ ରଘୁସିଂହ ଆସି କହିଲେ, "ଆରେ ଝିଅ, ସେ ହୁବୁଲି ବର ବିଷୟରେ କଥା ଆଜି ପକା ହୋଇ ଯାଇଥା'ନ୍ତା। କିନ୍ତୁ ସେମାନେ କିଛି ଯୌତୁକ ଚାହାନ୍ତି। ମୁଁ କହିଛି ଆଗାମୀ କାଲି କହିବି। ଭାବୁଛି ଏ ଘର ବିକିଦେବା। ତୁ ଚାଲିଯିବା ପରେ ମୋର ଆଉ ଏ ଘର କ'ଣ ବା ଦରକାର? କେଉଁଠି ହେଲେ ମୁଁ ଚଳିଯିବି।"
ସୁପ୍ରିୟା ଦୃଢ଼ କଣ୍ଠରେ କହିଲା, "ବାପା! ସେକଥା ଅସମ୍ଭବ। ତୁମେ ପ୍ରଭାକର ସହ କଥା ପକ୍କା କର।"
ରଘୁସିଂହ ଟିକିଏ ସଙ୍କୋଚ କରି କହିଲେ, "ଝିଅ, ପ୍ରଭାକର ଭଲ ପିଲା। ହେଲେ, ଶୁଣିଲି ସେ ତ ଥରେ କାରାଗାର ଯାଇଥିଲା…।"
"ବାପା, ମୁଁ ତ ସେକଥା ଜାଣେ।" ଏହା କହି ସୁପ୍ରିୟା ସବୁ ଗପିଲା।
ରଘୁସିଂହ ଖୁସି ହୋଇ କହିଲେ, "ବେଶ୍ କଥା, ତୋ ମତରେ ମୁଁ ଏକମତ!"
ସୁପ୍ରିୟା ପଚାରିଲା, "ବାପା, ପ୍ରଭାକର ଚୋର ନା ଯିଏ ଯୌତୁକ ମାଗୁଛି ସିଏ ଚୋର ?"
ରଘୁସିଂହ ହସି କହିଲେ, "ବାସ୍ତବିକ, ଏହାଭାବିବାର କଥା।"
Leave a Comment