ଅଦୃଶ୍ୟ ସଞ୍ଚୟ
ଅଦୃଶ୍ୟ ସଂଚୟ
ସଂଗ୍ରହ: ଜିତୁ
ସୌଜନ୍ୟ :- ଆନିମେସନ ଓଡ଼ିଶା
ଶ୍ରୀପୁର ସହରରେ ଜଣେ ବିଶିଷ୍ଟ ଅଳଙ୍କାର ବ୍ୟବସାୟୀ ଥିଲେ। ତାଙ୍କ ନାମ ଧନଗୁପ୍ତ। ଶ୍ରୀଧର ତାଙ୍କ ପାଖରେ କାମ କରୁଥିଲା। ତା' ଭଳି ସଚ୍ଚୋଟ ସହକାରୀ ପାଇବା ଏତେ ସହଜ ନୁହେଁ। ସେ ଯେପରି ନିଷ୍ଠାବାନ୍, ଠିକ ସେହିପରି ସତ୍ ମଧ୍ୟ। ତା' ଉପରେ ଧନଗୁପ୍ତ ପୂରାପୂରି ନିର୍ଭର କରି ପାରୁଥିଲେ। ଦୋକାନର ସମ୍ପୂର୍ଣ୍ଣ ଦାୟିତ୍ୱ ତା' ଉପରେ ଛାଡ଼ିଦେଇ ସେ ଥରେ ଥରେ ବଡ଼ ସହରକୁ ସୁନା ଖରିଦ କରିବାକୁ ଚାଲିଯାଉଥିଲେ।
କିନ୍ତୁ ଶ୍ରୀଧରକୁ ସେ ଯେତିକି ଦରମା ଦେଉଥିଲେ, ତାହା ଯଥେଷ୍ଟ ନୁହେଁ। ଶ୍ରୀଧରର ପରିବାର ସେଥିରେ କଷ୍ଟେମଷ୍ଟେ ଚଳି ଯାଉଥିଲେ ସତ, କିନ୍ତୁ ତା' ସ୍ତ୍ରୀ ପିଲାପିଲିଙ୍କ ସଉକ ସେ ଆଦୌ ମେଣ୍ଟାଇ ପାରୁ ନଥିଲା। ପ୍ରତିବର୍ଷ ଶ୍ରୀଧର ଆଶା କରୁଥାଏ, ମାଲିକ ତା' ଦରମା ବଢ଼ାଇ ଦେବେ। କିନ୍ତୁ ତା'ର ସେ ଆଶା ନିରାଶାରେ ପରିଣତ ହେଉଥାଏ।
ଶ୍ରୀଧର ଏହିପରି ପନ୍ଦର ବର୍ଷ କାମ କରିବା ପରେ ଭାବିଲା, ସେ ଧନଗୁପ୍ତଙ୍କ ଚାକିରି ଛାଡ଼ିଦେଇ ଅନ୍ୟ କେଉଁଠି ଚାକିରି କରିବ। ଏଣୁ ଗୋଟିଏ ରବିବାର ସେ ଯାଇ ଦୂରବର୍ତ୍ତୀ ବଜାରରେ ଥିବା ଶ୍ୟାମଳ ଶେଠ୍ ନାମକ ଜଣେ ଅଳଙ୍କାର ଦୋକାନୀ ସହ ଦେଖାକଲା ଓ ଚାକିରିପାଇଁ ଅନୁରୋଧ କଲା। ଶ୍ୟାମଳ ଶେଠ୍ ତା'ସହ କଥାବାର୍ତ୍ତା କରି ବୁଝିଲେ ଯେ ସେ ବାସ୍ତବିକ ବହୁତ ଅଭିଜ୍ଞ ଲୋକ। ପରଦିନ ସେ ଆସି ଧନଗୁପ୍ତଙ୍କୁ ଦେଖା କରି ଶ୍ରୀଧର ସମ୍ପର୍କରେ ପଚାରିଲେ। ଧନଗୁପ୍ତ କହିଲେ, "ଶ୍ରୀଧର ଖାଲି ଅଭିଜ୍ଞ ନୁହେଁ, ଅତ୍ୟନ୍ତ ନିରଳସ ଓ ଜଣେ ବିଶ୍ୱାସଯୋଗ୍ୟ କର୍ମୀ ମଧ୍ୟ।"
ଶ୍ୟାମଳ ଶେଠ୍ ଖୁସି ହୋଇ ଚାଲିଗଲେ। ଆଉଥରେ ଶ୍ରୀଧର ତାଙ୍କୁ ଦେଖା କରିବା ମାତ୍ରେ ସେ ତାକୁ ଚାକିରି ଦେବାକୁ ରାଜି ଅଛନ୍ତି ବୋଲି କହିଲେ। କିନ୍ତୁ ସେ ଯେତେ ଦରମା ଦେବେ ବୋଲି କହିଲେ, ତାହା ଧନଗୁପ୍ତ ଦେଉଥିବା ଦରମାଠାରୁ ଜମା ଅଧିକ ନୁହେଁ। ଅତଏବ ଶ୍ରୀଧର ତାଙ୍କ ପାଖରେ ଚାକିରି କରିବ ନାହିଁ ବୋଲି ସଫା ସଫା କରି କହିଦେଲା।
ସେ ଯାଇ ଅନ୍ୟ ଜଣେ ବ୍ୟବସାୟୀଙ୍କୁ କହିଲା। ସେ ବ୍ୟବସାୟୀ ମଧ୍ୟ ଶ୍ରୀଧରର ବ୍ୟବହାର ଓ ଅଭିଜ୍ଞତା ଦେଖି ଭାରି ଖୁସି ହେଲେ ଓ ଚାରିଦିନ ପରେ ଶ୍ରୀପୁର ଆସିବା ଅବସରରେ ଧନଗୁପ୍ତଙ୍କୁ ସେ ଶ୍ରୀଧର ବିଷୟରେ ପ୍ରଶ୍ନ କଲେ। ଧନଗୁପ୍ତ ଶ୍ୟାମଳ ଶେଠଙ୍କୁ ଯାହା କହିଥିଲେ, ତାଙ୍କୁ ମଧ୍ୟ ଠିକ ସେଇଆ କହିଲେ। ଶ୍ରୀଧର ସେ ବ୍ୟବସାୟୀଙ୍କୁ ପୁଣି ଦେଖା କରିବାରୁ ସେ ବି ତାକୁ ଚାକିରି ଦେବାକୁ ପ୍ରସ୍ତୁତ ବୋଲି କହିଲେ। କିନ୍ତୁ ସେ ଯେତିକି ଦରମା ଦେବେ ବୋଲି କହିଲେ, ତାହା ଧନଗୁପ୍ତ ଦେଉଥିବା ଦରମାଠାରୁ ସାମାନ୍ୟ ମାତ୍ର ଅଧିକା। ଶ୍ରୀଧର ଦେଖିଲା, ଶ୍ରୀପୁର ଗାଁରେ ନିଜ ପରିବାର ଛାଡ଼ି ସେତେ ଦୂରରେ ରହିବା ଫଳରେ ତା'ର ଯେତିକି ଅଧିକା ଖର୍ଚ୍ଚ ଓ ଅସୁବିଧା ହେବ, ସେତିକି ମାତ୍ର ଅଧିକା ଟଙ୍କାଦ୍ୱାରା ସେ ଅସୁବିଧା ଦୂର ହେବ ନାହିଁ। ତେଣୁ ସେ ସେଠାରେ ମଧ୍ୟ ମନା କରିଦେଲା।
ଏହା ମଧ୍ୟରେ ଜଣେ ନୂଆ ଅଳଙ୍କାର ବ୍ୟବସାୟୀ ଶ୍ରୀପୁର ସହରରେ ଆସି ଦୋକାନ ଖୋଲିଥା'ନ୍ତି। ଶ୍ରୀଧର ଯାଇ ତାଙ୍କ ପାଖରେ ଚାକିରି ଖୋଜିଲା। ସେ ବି ଆସି ଧନଗୁପ୍ତଙ୍କୁ ଶ୍ରୀଧର ବିଷୟରେ ପଚାରିଲେ।
ଧନଗୁପ୍ତ କହିଲେ, "ନା, ନା, ତୁମେ ଶ୍ରୀଧରକୁ ନେଇ ଚଳାଇ ପାରିବ ନାହିଁ।"
ନୂଆ ବ୍ୟବସାୟୀ କହିଲେ, "ଯାହାହେଉ, ଆପଣଙ୍କୁ ପଚାରି ମୁଁ ବହୁତ ଭଲ କଲି। ନହେଲେ ଏଭଳି ଅଯୋଗ୍ୟ ଲୋକକୁ ନେଇ ମୁଁ ଅନେକ ହଇରାଣ ହରକତ ହୋଇଥା'ନ୍ତି। ମୁଁ ତ ତାକୁ ଆପଣ ଦେଉଥିବା ଦରମାଠାରୁ ଢେର ବେଶି ଦରମା ଦେବାକୁ ପ୍ରସ୍ତୁତ ହେଉଥିଲି!"
ସେ ନୂଆ ବେପାରୀ ଓ ଧନଗୁପ୍ତଙ୍କ ଭିତରେ ଯେଉଁସବୁ କଥାବାର୍ତ୍ତା ହେଉଥିଲା; ତାହା ଶ୍ରୀଧର ଶୁଣିଦେଲା। ସେ ବାହାରି ଆସି କ୍ଷୁବ୍ଧ କଣ୍ଠରେ ଧନଗୁପ୍ତଙ୍କୁ ପଚାରିଲେ, "ମାଲିକ! ଆପଣ କାହିଁକି ମୋତେ ଅଯୋଗ୍ୟ ବୋଲି କହି ଗୋଟିଏ ଭଲ ଚାକିରିରୁ ବଞ୍ଚିତ କଲେ?"
ଧନଗୁପ୍ତ କହିଲେ, "ମୁଁ ତ ତୁମକୁ ଅଯୋଗ୍ୟ ବୋଲି କହିନାହିଁ। ସେ ନିଜେ ସେ ମନ୍ତବ୍ୟ ଦେଲେ। ତେବେ ତୁମେ ପଚାରିପାର, ପୂର୍ବ ଦୁଇଜଣ ଲୋକଙ୍କ ଆଗରେ ମୁଁ ତୁମର ପ୍ରଶଂସା କରିଥିବାବେଳେ ଏହାଙ୍କ ଆଗରେ କାହିଁକି ଏଭଳି ଚତୁରତା ପୂର୍ଣ୍ଣ କଥା କହିଲି? ପୂର୍ବ ଦୁଇଜଣ ଦୂରାନ୍ତରର ଲୋକ। ମାତ୍ର ଏ ଲୋକଟି ଏହି ସହରରେ ମୋର ପ୍ରତିଦ୍ୱନ୍ଦ୍ଵୀ। ତେଣୁ ମୋ କଥା କହିବାରେ ତଫାତ ନିଶ୍ଚୟ ହେବ।"
ଶ୍ରୀଧର କହିଲା, "କିନ୍ତୁ ମୁଁ ଟିକିଏ ଅଧିକା ଦରମା ପାଇଥା'ନ୍ତି!"
ଧନଗୁପ୍ତ ହସି ହସି କହିଲେ, "ଶ୍ରୀଧର! ମୁଁ ତୁମ ଦରମା ପ୍ରତିବର୍ଷ ବଢ଼ାଇ ଚାଲିଛି। ଏ ନୂଆ ଲୋକ ଯାହା ଦେଇଥା'ନ୍ତା, ତୁମେ ବର୍ତ୍ତମାନ ମୋଠୁଁ ତା'ର ଦୁଇଗୁଣ ପାଉଛ!"
ଶ୍ରୀଧର କିଛି ନବୁଝି ତାଙ୍କୁ ଚାହିଁ ରହିଲା। ଧନଗୁପ୍ତ ବୁଝାଇ କହିଲେ, "ପ୍ରତିବର୍ଷ ତୁମର ଦରମା ଯାହାବି ବଢୁଛି, ତାହା ଗୋଟାଏ ଖାତାରେ ଲେଖା ହୋଇ ହିସାବ ରହୁଛି। ସେଥିରେ ସୁଧ ମଧ୍ୟ ଯୋଗ ହେଉଛି। ମୁଁ ଜାଣେ; ତୁମ ପିଲାମାନେ ବଡ଼ ହେଲେଣି। ଝିଅଟିର ବାହାଘର ହେବ। ତୁମେ ଖଣ୍ଡିଏ ନୂଆ ଘର ବି ତୋଳିବା ଦରକାର। ମୁଁ ଯଦି ବଢ଼ନ୍ତା ଦରମା ତୁମକୁ ଦେଇ ଚାଲିଥା'ନ୍ତି, ତୁମେ ସେସବୁ ଖର୍ଚ୍ଚ କରି ସାରିଥା'ନ୍ତ। ପ୍ରୟୋଜନ ଅପ୍ରୟୋଜନ ଭିତରେ ସୀମା ଟାଣିବା ସହଜ ନୁହେଁ।" ଏହା କହି ସେ ହିସାବ ଖାତା ଆଣି ଦେଖାଇ ଦେଲେ। ତାକୁ ଦେଖି ଶ୍ରୀଧର ଆଖିରେ ଅଚାନକ ଲୁହ ଜକେଇ ଆସିଲା। ତା'ପରେ ସେ ଧନଗୁପ୍ତଙ୍କୁ କୃତଜ୍ଞତାରେ ଜୁହାର ହେଲା ।
Leave a Comment