ମାଗଣା ଟଙ୍କା

ମାଗଣା ଟଙ୍କା

     ସଂଗ୍ରହ: ଜିତୁ

    ସୌଜନ୍ୟ :-  ଆନିମେସନ ଓଡ଼ିଶା

  



            ସୁଖପାଳ ଗାଁରେ ରହୁଥିବା ପ୍ରଭାକରର ନିଜର ବୋଲି କେହି ବି ନଥା'ନ୍ତି। ଘର ଖଣ୍ଡିକ ଛଡ଼ା ତା'ର ଆଉ କୌଣସି ସମ୍ପତ୍ତି ମଧ୍ୟ ନଥିଲା। ତେବେ ଲୋକେ ତାକୁ ଖୁବ ଭଲ ପାଉଥା'ନ୍ତି। କାରଣ, ସେ ସାଧୁ ଓ ପରୋପକାରୀ।


ପ୍ରଭାକର ପ୍ରାୟ ମୂଲ ଲାଗି ଚଳେ ବୋଲି କହିବାକୁ ହେବ। ସେ ଚାହାଳିରେ ଦୁଇ ଅକ୍ଷର ପାଠ ପଢ଼ିଥିଲା। ତା'ପରେ ନିଜେ ଅଭ୍ୟାସ କରି ଲେଖିପଢ଼ି ଶିଖିଥିଲା। ତେଣୁ ମଧ୍ୟେ ମଧ୍ୟେ ସେ ଗାଁର କେହି କେହି ଲୋକଙ୍କର ଚିଠିପତ୍ର ପଢ଼ିଦେଇ, ଲେଖିଦେଇ, ଦୁଇ ପଇସା ପାଏ। ଅନ୍ୟବେଳେ ଗାଁ ଦୋକାନୀପାଇଁ ସେ ସହରକୁ ଯାଇ ଜିନିଷପତ୍ର ଖରିଦ କରି ଆଣେ। ଏକୁଟିଆ ଲୋକ ବୋଲି ସେ ଚଳିଯାଏ। ତାକୁ ଭଲ ବଂଶୀ ବଜାଇ ଆସୁଥାଏ। ପାଖ ଗାଁ ଯାତ୍ରାଦଳ କୁଆଡ଼େ ଅଭିନୟ କରିବାକୁ ଗଲେ ସେମାନେ ତାକୁ ସେମାନଙ୍କ ସାଙ୍ଗରେ ନେଇଯା'ନ୍ତି। ସେ ବଂଶୀ ବଜାଇ ଦଳଠୁଁ କିଛି ପଇସା ପାଏ।


ଗାଁର ନାରଣ ଦାସଙ୍କ ଝିଅ ଗୀତାକୁ ବାହାହେବା ନିମନ୍ତେ ପ୍ରଭାକର ଇଚ୍ଛା କରୁଥାଏ। କିନ୍ତୁ ଯାହାର କିଛି ନାହିଁ, ତାକୁ ଝିଅ ଦେବାକୁ କିଏ ବା ମନ ବଳାଇବ? ତେଣୁ ପ୍ରଭାକର ପ୍ରସ୍ତାବ ପକାଉ ନଥାଏ।

ସେତିକିବେଳେ ଗୋଟିଏ ସୁସମ୍ବାଦ ପହଞ୍ଚିଲା। ସୁଖପାଳ ଗାଁରୁ ଦଶକ୍ରୋଶ ଦୂରବର୍ତ୍ତୀ ଶ୍ରୀରାମପୁର ଗାଁରେ ପ୍ରଭାକରର ଜଣେ ଦୂର ସମ୍ପର୍କୀୟ ମାମୁ ଥିଲେ। ଥରେ ସେ ବେମାର ପଡ଼ିଥିଲାବେଳେ ପ୍ରଭାକର ତାଙ୍କ ପାଖରେ ରହି ତାଙ୍କର ସେବା ଶୁଶ୍ରୂଷା କରି ତାଙ୍କୁ ବଞ୍ଚାଇଥିଲା କହିଲେ ଚଳେ। ତେଣୁ ତା' ମାମୁ ମରିବା ଆଗରୁ ଶ୍ରୀରାମପୁରର ଜମିଦାରଙ୍କ ପାଖରେ ପ୍ରଭାକର ନିମନ୍ତେ ପଚିଶ ହଜାର ଟଙ୍କା ରଖିଯାଇଥା'ନ୍ତି।


ଏହି ଖବର ଶୁଣି ଗାଁ ଲୋକେ ପ୍ରଭାକରକୁ ଅନେକ ଅଭିନନ୍ଦନ ଜଣାଇଲେ। ପ୍ରଭାକର ଟଙ୍କା ଆଣିବାପାଇଁ ଶ୍ରୀରାମପୁର ଗଲା। ତାକୁ ତା' ଟଙ୍କା ଦେଇ ଜମିଦାର କହିଲେ, "ପ୍ରଭାକର, ତୁମ ଗାଁର ମାଗୁଣି ମହାନ୍ତିଙ୍କୁ କହିଦେବ, ତାଙ୍କ ଝିଅ ଆମ ମନକୁ ପାଇଛି। ସେ ଜ୍ୟୋତିଷ ସହ ପରାମର୍ଶ କରି ବାହାଘର ତାରିଖ ଠିକ କରି ଆମକୁ ଖବର ଦେବେ।"


"ହଉ ଆଜ୍ଞା," ଏହା କହି ପ୍ରଭାକର ଟଙ୍କା ଧରି ସିଧା ସହରକୁ ଗଲା। ସେଠାରୁ ଦିନକ ପରେ ଗାଁକୁ ଲେଉଟି ଆସି ମାଗୁଣି ମହାନ୍ତିଙ୍କୁ ସେ ଭେଟିଲା। ମାଗୁଣି ମହାନ୍ତି ପଚାରିଲେ, "କିହୋ, ମୁହଁ କାହିଁକି ଶୁଖାଇଛ?"


ପ୍ରଭାକର କହିଲା, "ବାବୁ, ସେକଥା ଆଉ ପଚାରନ୍ତୁ ନାହିଁ। ତେବେ ଆପଣଙ୍କ ନିମନ୍ତେ ସୁଖବର ଆଣିଛି। ଆପଣଙ୍କ ଝିଅ ଶ୍ରୀରାମପୁର ଜମିଦାରଙ୍କର ଭାରି ପସନ୍ଦ ହୋଇଛି। ସେ ବାହାଘର ତାରିଖ ଠିକ କରିବାକୁ କହିଛନ୍ତି।"


ମାଗୁଣି ମହାନ୍ତି ପଚାରିଲେ, "ବାଃ, ତୁମେ ତ ସତରେ ସୁଖବର ଆଣିଛ। କିନ୍ତୁ ତୁମେ କାହିଁକି ମନ ଖରାପ କଲ? ତୁମେ ହଠାତ ଟଙ୍କା ପାଇଛ। ତୁମେ ତ ବହୁତ ଖୁସି ଦେଖାଯିବା କଥା।"

ପ୍ରଭାକର କହିଲା, "ଟଙ୍କା ପାଇଥିଲି। କିନ୍ତୁ ଗୋଟାଏ ବି ହାତରେ ନାହିଁ। କ'ଣ ହେଲା, ସେକଥା ଦୟାକରି ପଚାରନ୍ତୁ ନାହିଁ।"

ମାଗୁଣି ମହାନ୍ତି ପଚାରିଲେ, "ହାୟ, ହାୟ! ଟଙ୍କାତକ ହରାଇ ଦେଲ? ମୁଁ କିଛି ସାହାଯ୍ୟ କରିପାରେ?"

"ଯଦି ସାହାଯ୍ୟ କରିବେ, ତେବେ କିଛି ଟଙ୍କା କରଜ ଦିଅନ୍ତୁ। ମୁଁ ଖଣ୍ଡିଏ ଜମି କିଣି ଚାଷ କରିବି। ବର୍ଷକ ପରେ ଆପଣଙ୍କ ଟଙ୍କା ମୁଁ ପରିଶୋଧ କରିଦେବି।"

ମାଗୁଣି ମହାନ୍ତି ପ୍ରଶ୍ନକଲେ, "ଫସଲ ଭଲ ହେଲେ ସିନା ମୋ ଟଙ୍କା ପରିଶୋଧ କରିବ। ଆଉ ଯଦି ଫସଲ ନ ହୁଏ?"

ପ୍ରଭାକର ଉତ୍ତର ଦେଲା, "ଆପଣ ତ ଜାଣନ୍ତି, ମୋର ଖଣ୍ଡିଏ ଘର ଅଛି। ଯଦି ଫସଲରୁ ମୁଁ ଯଥେଷ୍ଟ ଆୟ ନ କରି ପାରିବି, ତେବେ ମୁଁ ମୋ ଘର ଖଣ୍ଡିକ ବିକି ଦେଇ ଋଣ ପରିଶୋଧ କରିବି।"

"ବାପା ପ୍ରଭାକର! ମୋ ମୁଣ୍ଡ ଉପରେ ଝିଅ ବାହାଘର। ମୁଁ ତ ଆଉ ତୁମକୁ ବେଶି ଟଙ୍କା ଦେଇପାରିବି ନାହିଁ। ତୁମେ କିପରି ଜମି କିଣିବ?"


ପ୍ରଭାକର କହିଲା, "ଆପଣ ଯେତିକି ପାରିବେ ଦିଅନ୍ତୁ। ବାକି ମୁଁ ଆହୁରି ଅନ୍ୟ କେଉଁ ଲୋକଙ୍କଠାରୁ ନେବି।"


ମାଗୁଣି ମହାନ୍ତି ତାକୁ ଦୁଇଶହ ଟଙ୍କା ଦେଲେ। ସେ ଅନ୍ୟ କେତେଜଣ ଗ୍ରାମବାସୀଙ୍କଠାରୁ ମଧ୍ୟ ଦୁଇ ଦୁଇ ଶହ କରି ଉଧାର ଆଣିଲା। ସେତେବେଳେ ଜମିର ଦାମ ତ ଆଜିକାଲି ଭଳି ଆଉ ଏତେ ମହଙ୍ଗା ନଥିଲା। ଏଣୁ ସେ ହଜାରେ ଟଙ୍କାରେ ତିନି ଏକର ଜମି କିଣିଲା ଓ ମନଦେଇ ସେଠାରେ ଚାଷ କଲା। ସେ ଋଣଦାତାମାନଙ୍କର ଅଧା ଲେଖାଏଁ ଟଙ୍କା ପରିଶୋଧ କରିଦେଲା। ତା' ଉପରେ ସମସ୍ତଙ୍କ ବିଶ୍ୱାସ ଥିବା ଯୋଗୁଁ କେହିବି ତାକୁ ପୂରା ଟଙ୍କା ମାଗିଲେ ନାହିଁ। ପୁଣି ସେ ହଠାତ ପାଇଥିବା ଟଙ୍କା କୌଣସି କାରଣରୁ ହରାଇ ବସିଛି ବୋଲି ପ୍ରଚାର ହୋଇଯାଇଥିବା ଦୃଷ୍ଟିରୁ ତା' ପ୍ରତି ସମସ୍ତଙ୍କର ଯଥେଷ୍ଟ ସହାନୁଭୂତି ଥାଏ।


ପରବର୍ଷ ଫସଲ ପୁଣି ଭଲ ହେଲା। ସେ ଏଥର ସମସ୍ତଙ୍କ ଟଙ୍କା ପୂରାପୂରି ପରିଶୋଧ କରିଦେଲା।

ପ୍ରଭାକର ତା' ନିଜ ଘର ମଧ୍ୟ ମରାମତି କଲା। ଅନେକ ଦିନରୁ ସଫା ହୋଇ ନଥିବା ପୋଖରୀରୁ ଦଳ ଓ ପଙ୍କ କାଢ଼ି ତାକୁ ସେ ନିର୍ମଳ କରିଦେଲା। ଗାଁ ଲୋକେ ତ ତାକୁ ଭଲ ପାଆନ୍ତି, ତେଣୁ ତା' ଘର ସଜାଡ଼ିବାରେ ସେମାନେ ତାକୁ ବହୁତ ସାହାଯ୍ୟ କଲେ। କିନ୍ତୁ ନାରଣ ଦାସ ସବୁଠାରୁ ଅଧିକ ସାହାଯ୍ୟ କଲେ। ଠିକ ମୁରବୀ ଭଳି।


ଏଥର ନାରଣ ଦାସଙ୍କ ଘରୁ ଗୀତା ସହ ପ୍ରଭାକରର ବାହାଘର ପ୍ରସ୍ତାବ ଆସିଲା। ପ୍ରଭାକର ବି ଆନନ୍ଦରେ ସେହି ପ୍ରସ୍ତାବକୁ ଗ୍ରହଣ କଲା। ଗାଁ ଲୋକଙ୍କ ସହଯୋଗରେ ସେ ଦୁହିଁଙ୍କ ବାହାଘର ଭଲ ଭାବରେ ହୋଇଗଲା।


ଗୀତା ଦିନେ ପଚାରିଲା, "ଆଚ୍ଛା, ଏ ଘର ଖଣ୍ଡିକ ତ ତୁମ ପାଖରେ ବରାବର ଥିଲା। ଦରକାର ପଡ଼ିଲେ ଏହାକୁ ବିକି ଲୋକଙ୍କ ଟଙ୍କା ପରିଶୋଧ କରିବ, ଏକଥା ତ ବହୁ ବର୍ଷ ଆଗରୁ ବି କହି ପାରିଥା'ନ୍ତ ଓ ଲୋକଙ୍କଠାରୁ ଟଙ୍କା ଆଣି ପାରିଥା'ନ୍ତ। ହେଲେ ତୁମେ ତାହା କାହିଁକି ନ କଲ?"


ପ୍ରଭାକର କହିଲା, "ଘର ଖଣ୍ଡିକ ବିକିଦେଲେ ମୋର ଆଉ ପୁଣି କ'ଣ ବା ରହନ୍ତା? ଏବେ ପଚିଶ ହଜାର ଟଙ୍କାର ଯୋର ଅଛି ବୋଲି ସିନା ଘର ବିକିବା କଥା କହିପାରିଲି। ଫସଲ ନ ହୋଇଥିଲେ ସତରେ କ'ଣ ଘର ବିକି ଦିଅନ୍ତି? ମୁଁ ପାଇଥିବା ପଚିଶ ହଜାର ଟଙ୍କାରୁ ହିଁ ଦିଅନ୍ତି।"


ଗୀତା ଆଶ୍ଚର୍ଯ୍ୟ ହୋଇ ପଚାରିଲା, "ତୁମର ସେ ଟଙ୍କା ପରା ହଜିଗଲା ବା ଡାକୁ ନେଇଗଲେ?"

ଏକଥା ଶୁଣି ପ୍ରଭାକର ହସି ହସି କହିଲା, "ତାହା ଲୋକଙ୍କ କଳ୍ପନା। ମୁଁ ଖାଲି ଏତିକି କହିଥିଲି କି ଟଙ୍କା ପାଇଲି, କିନ୍ତୁ ତାହା ଆଉ ମୋର ହାତରେ ରହିଲା ନାହିଁ।"


"ତାହାର ଅର୍ଥ?"


ପ୍ରଭାକର ବୁଝାଇ କହିଲା, "ତାହାର ଅର୍ଥ, ଟଙ୍କା ପାଇ ମୁଁ ସିଧା ସହରକୁ ଯାଇ ରାଜ-ତହବିଲରେ ସେତକ ଜମା ଦେଲି। ଅର୍ଥାତ ତାହା ନିରାପଦ ରହିଛି। କଥା ହେଲା, ମାଗଣା ମିଳିଥିବା ଟଙ୍କା ଉପରେ ସମସ୍ତଙ୍କ ଆଖି ପଡ଼େ। ମାଗୁଣି ମହାନ୍ତି ହିଁ ମୋତେ ପ୍ରଥମେ ଋଣ ମାଗିଥା'ନ୍ତେ। କାହିଁକିନା ତାଙ୍କର ଝିଅ ବାହାଘର। ଆଉ ମାଗଣା ମିଳିଥିବା ଟଙ୍କା ଯିଏ କରଜ ରୂପେ ନେବ, ସିଏ ଆଉ ତାହା ଏତେ ସହଜରେ ଫେରାଇବ ନାହିଁ। ମୁଁ ମାଗିଲେ ସିଏ କହନ୍ତା - ଆରେ ବାବୁ, ସେ ଟଙ୍କା ତ ତୁମେ ଆଉ ପରିଶ୍ରମ କରି ଆୟ କରିନାହଁ, ହଠାତ ପାଇଯାଇଛ। ତା'ପାଇଁ ଏତେ ବ୍ୟସ୍ତ କାହିଁକି? କେବଳ ସେଇଥିପାଇଁ ମୁଁ ମୋ ହାତରେ ଟଙ୍କା ରଖିଲି ନାହିଁ। ତା' ଛଡ଼ା ପରିଶ୍ରମ ପ୍ରତି ମୋର ଆଗ୍ରହ ଅଛି। ତେଣୁ ପରିଶ୍ରମ କରି ଯାହା ପାଇଲି, ତାହା ହିଁ ଆୟ କଲି।"


No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.