ଅବୁଝା ସମ୍ପର୍କ

ଅବୁଝା ସମ୍ପର୍କ
ସଂଗ୍ରହ: ଜିତୁ
ସୌଜନ୍ୟ :- ଅନିମେସନ ଓଡ଼ିଶା



             ସକାଳୁ ବୁଢାଟା ହାଉ ହାଉ କାହିଁକି ହେଉଛି କି?କହି ସାବିତ୍ରୀ ଘର ପିଣ୍ଡା ରୁ ମୁହଁ ଲମ୍ବାଈ ରାସ୍ତା ର ଶେଷ ମୁଣ୍ଡରେ ଥିବା ସେଇ ଜୀର୍ଣ୍ଣ ଶୀର୍ଣ୍ଣ ଚାଳିଆ କୁ ଚାହିଁଲା | କିଲୋ କଣ ହେଲା କି ବିଦିଆ ପଚାରିଲା ତାକୁ ଦେଖି | ନାଇଁ ମ ସକାଳୁ ସେଇଆଡ଼ୁ କାହାର ପାଟି ଶୁଣିଲି ତ ଦେଖୁଥିଲି | କହିଲା ସାବିତ୍ରୀ | ଆଲୋ ବୁଢ଼ୀ ଗଲା କି?? ବା ର ପାଟି ପରି ଲାଗୁଛି? ସେଇଆ ବୋଲି ତ ଲାଗୁଛି... ଚାଲ ଚାଲ ଭିତରକୁ ଆମକୁ ଦେଖି ସାହାଯ୍ୟ ମାଗିଲେ ଫେରେ ଅସୁବିଧା ହେବ | କହି ଦୁହେଁ ଡକା ଡ଼ାକି ହେଇ ଘରେ ପଶି କବାଟ ଲଗାଇଦେଲେ | ବୁଢାର ରଡି ସେମିତି ଶୁଭୁଥାଏ |  ଆହେ କୁଆଡେ ଯାଉଛ? ଦୁଲେଇ ପଚାରିଲା ନିତିଆ କୁ? ବା ର ରଡି ପରି ଲାଗୁଛି କିଛି ଅସୁବିଧା ହେଲାକି? ଟିକିଏ ଦେଖି ଆସେ | ଚାଲ ଚାଲ ଚୁପ କରି ଘରେ ବସ... ଏଇଲେ ସାଇ ଲୋକ ଜାଣିଲେ କେତେକଥା ହେବ | ଦୁଲେଇ ଟାଣି ଟାଣି ନେଇଗଲା ନିତିଆ କୁ ଘର ଭିତରକୁ | ନାଁ .. ଲୋ ମନ ଟା ମାନୁନି ଯେତେହେଲେ ଜନମ କଲା ବା ଟା କଣ ହେଇଥିବ ଟିକିଏ ଦେଖି ଆସିଥାନ୍ତି!! ହେଃ... ତୁନିପଡି ବସ.. ଜନମ କଲା ବା ଟା... ହୁଃ.. ଯେତେବେଳେ ଏତେ କାଣ୍ଡ କଲା ଜନମ ଛୁଆଗୁଡ଼ାକ କଥା ସେଇ ବା ର ମନରେ ଥିଲା?? ଧନ ତ ନଥିଲା... ମାନ ଯୋଉ ପାଞ୍ଚ ପଇସା ର ଥିଲା ତା ଵି ଗଲା | ଏବେ ଜାତିପତି କଥା କିଏ ବୁଝିବ? କାଇଁ ବଡ଼ ଘର ଯାଉଛନ୍ତି କି ଦେଖିବାକୁ ଯେ ତୁମେ ଛନ ଛନ  ହେଉଛ? ଦୁଲେଇ କଥା ରେ କାନ ମୁଣ୍ଡ ଆଉଁଷି ସନିଆ ରହିଲା ସିନା ହେଲେ ତା ହାଡ଼ ପଞ୍ଜରା ଭିତରକୁ ଗଳି ଯାଉଥାଏ ବାପ ର ସେଇ ରଡି |ହଁ.. ତା ର ଵି ଝିଅ ଟିଏ ଅଛି କାଲିକି ଯଦି ଜାତି ହାତ ଛାଡିଦେଲା ଝିଅ କୁ ଉଠାଇବ କେମିତି? ବା.. ଲୋ ବା.. ତୁ କାହିଁକି ଏଡ଼େ କାଣ୍ଡ ଟେ କଲୁ?? ଆଜି ପୁଅ ହେଇ ଵି ମୁଁ ଯାଇପାରୁନି ତୋ ଦୁଃଖରେ... କହି ମୁଣ୍ଡ ବାଡେଇଲା ସେ | ଦୁଲେଇ ଗୋଡ଼େ ଗୋଡ଼େ ଜଗିଛି ସନିଆ କୁ.. ସେ ହୁଣ୍ଡା ଟା ଏତେ ଲଣ୍ଡ ଫଣ୍ଡ ରେ ନଥାଏ.. ବା.. ବୋଲି କେତେବେଳେ ଭୁସ କରି ପଳେଇବ ଠିକଣା ନାଇଁ | ହଁ.. ତାକୁ ହେଲେ କଣ ଖରାପ ଲାଗୁନି? ଯାହାହେଲେ ଵି ଶଶୁର ବୁଢା ଟା ବାପ ସାମାନ.. ହେଲେ କଣ କରିବ ଏ ମିତି କାଣ୍ଡ ସିଏ କଲା ଯେ ମୁହଁ ରେ କଳା ବୋଳିଦେଲା ଏବେ ଯିଏ ସେ କଳା ଧୋଇବାକୁ ଯିବ ଜାତି ର ମୁହଁ ରେ ପଡିବ!!...

        ରାସ୍ତା ର ଶେଷମୁଣ୍ଡ ରେ ଯେଉଁଠି ବୁଢା ବରଗଛ ତା କାୟା ମେଲିଛି ଠିକ ତାକୁ ଲାଗି ବିଶୁ ବୁଢ଼ା ର ଘର | ଘର କଣ? କାଠ ବାଉଁଶ ଢିରା ଦେଇ ନଡ଼ା ଟିକିଏ ବିଛାଇଛି.. ଗଲା ବାତ୍ୟା କୁ ବଡ଼ ଜରି ପାଲ ଟିଏ ପାଇଥିଲା ସରକାର ଠୁ ଯେ ତାକୁ ତା ଉପରେ ଘୋଡେଇ ଦେଇ ଖରା ବର୍ଷା  ରୁ ବଞ୍ଚୁଛି | ଟିକିଏ ପବନ ହେଲେ ସବୁ ଉଡିଯାଇ ଗୋଟେଇ ହେଇଯାଏ.. ବୁଢା ଦଉଡି ଯାଇ ସ୍କୁଲ ବାରଣ୍ଡା କୁ ଆଶ୍ରା କରେ ଫେରେ ପବନ ଛାଡିଲେ ସବୁ ଗୋଟେଇ ଆଣି ଘର ସଜାଡ଼େ | ସେତିକି ତା ର ଆଶ୍ରୟ... ତା ର କାହିଁକି ସାବି ବୁଢ଼ୀ ର ଵି ସେତିକି ହିଁ ଆଶ୍ରା | ବୁଢା ବୁଢ଼ୀ ଦୁଇଟା ବଗ ବାଗୁଲି ପରି ଦୁଆରେ ବସିଥାନ୍ତି... ସକାଳେ ବୁଢା ବାର ଆଡେ ବୁଲି କୋଉଠୁ ମାଗି କୋଉଠି ହାତ ଲଗାଇ ଦୁଇପଇସା ଘର କୁ ଆଣିଲେ ବୁଢ଼ୀ ଦୁଇଟା ଫୁଟାଇଦିଏ | ସେଈତିକ କୁ ଏ ଓଳି ସେ ଓଳି କରି ଖାଇ ଦୁହେଁ ଖୁସିରେ ଥିଲେ!|ଖୁସିରେ କଣ ହେଲେ ବଞ୍ଚିଥିଲେ | ବୁଢ଼ୀ ବେଳେ ବେଳେ ନାକ ସୁଁ ସୁଁ କରେ କି ତା ଲାଗି ବୁଢା ଏତେ ସରି ହେଲା  ବୋଲି ଯେ ବୁଢା କହେ ଆଲୋ ଯା କରମ ତା ର... କିଏ କା କରମ ନେଇଯିବ ନାଁ ଅଧିକ କରି ଦେଇଯିବ? ମୋ କରମରେ ଯାହାଥିଲା ସେଇଆ ପାଇଲି ଏଥିରେ ତୋର କଣ ଦୋଷ? ହେଲେବି ଦୁଇ ଦୁଇ ଟା ଭେଣ୍ଡିଆ ପୁଅ ବୋହୂ ସବୁ ଥାଇ ମାଗିଯାଚି ଖାଉଛୁ.. ଅଣଜାତିଆ ହେଇ ପଡିଛୁ କାହା ପାଇଁ?? କି ପୁଅ ଲୋ... ଦେଖିନୁ ତୁ ମୋ  ହୀନସ୍ଥା?? ବାପା କାନ୍ଧ କୁ ଯେ ଆଶ୍ରା ହୁଏ ସେ ସିନା ପୁଅ... ଯିଏ ଚୋଟେ ପକାଇ ବାପ ର ଅଣ୍ଟା ଭାଙ୍ଗିଦିଏ ସିଏ କି ପୁଅ? ନାଁ ଶଶୁର କୁ ମୁଠାଏ ଖାଇବାକୁ ଦେଲେ ଯାହା ର ହାତ ଦରଜ ହେଇଯାଏ ସେ କି ବୋହୂ??

        ହଁ ଦୁଇ ଦୁଇଟା ଭେଣ୍ଡିଆ ପୁଅ ଆଉ ତାଙ୍କ ପରିବାର ସବୁ ଥିଲା ବୁଢା ର | ହେଲେ ସେଇ ପୁଅ ମାନେ କେବେ ପଚାରିଲେ ବାପ କୁ?? ସାନ ଟା ହେଲେ କେତେବେଳେ କଣ କହିବ ବଡ଼ ତ ମୁହଁ ବୁଲାଇ ପଳାଇବ.. ପୁଅ ଯଉଠି ଏମିତି ଆଉ ବୋହୂ କୁ କଣ କହିବ? ସେ ତ ପର ଝିଅ!! ଫିଙ୍ଗା ଫୋପଡ଼ା ଖାଇ ବୁଢା ପଡିଥିଲା | ସାରିଆ ତା ସ୍ତ୍ରୀ କେଉଁକାଳୁ ବାଧିକି ରେ ପଡି ଯାଇଥିଲା ଯେ ବୁଢା ନିଜେ ଚୁଲି ଚାଳ କରି ପୁଅଙ୍କୁ ମଣିଷ କଲା ବାହାଥୋର କଲା.. ହେଲେ କିଏ ତା କଥା ବୁଝିଲା | କିଏ କୋଉଦିନ ଭାତ ମୁଠାଏ ଫିଙ୍ଗିଲା ପରି ଦେଇଦିଏ ବୁଢା ତାକୁ ଖାଇ ପଡିଥାଏ | ସବୁଦିନ ସକାଳୁ ପାଖ ଗାଁ ର ରାଧାକୃଷ୍ଣ ମନ୍ଦିର କୁ ଯାଏ ସେଠି ଘଡ଼ିଏ ବସି ଘରକୁ ଆସେ | କୋଉଦିନ କା ର ପଙ୍ଗତ ଥିଲେ ଭଲ କରି ମୁଠିଏ ଖାଇକି ଵି ଆସେ | ଶ୍ରାଦ୍ଧ ମଉଳା ରେ ଖାଇବା ସହିତ କିଏ ଲୁଗା ଦିଏ ନହେଲେ ପଇସେ ଦୁଇପଇସା ଆଣି ଘରକୁ ଆସିଲେ କେତେବେଳେ କେମିତି ପାଟି ସୁଖ ଟିକିଏ କରେ | ଏମିତି ସବୁଦିନେ ଦେଖେ ତା ରି ପାଖରେ ବୁଢ଼ୀ ଟିଏ ଵି ବସେ | ଏମିତି ଦୁଃଖ ସୁଖ ହେଉ ହେଉ ସେ ଜାଣିଲା ବୁଢ଼ୀ ର କେଇ ନାଇଁ | ଗୋଟିଏ ପୁଅ ଥିଲା ଯେ ସେ ଗାଁ ର ଘରଦ୍ୱାର ବିକି ପଇସା ନେଇ ପଳାଇଲା... ମା କୁ କେହି ପଇସା ଦେଇ କିଣିଲେନି ସେଥିପାଇଁ ପକାଇଦେଇ ପଳାଇଲା | ବୁଢ଼ୀ ସେଦିନ ବହୁତ କାନ୍ଦିଲା | ବୁଢା ପଚାରିଲା ଘର ତ ନାଇଁ ରହିବୁ କୋଉଠି? ବୁଢ଼ୀ କହିଲା କା ଦାଣ୍ଡରେ କି କୋଉ ରାସ୍ତାରେ ରହିବି | ବୁଢା କୁ ଭାରୀ ଦୟା ହେଲା ବୁଢ଼ୀ ଉପରେ ଆହାଃ...ନୀରୀମାଖି ଟା କେହିନାଇଁ କୋଉଠି ରହିବ? ତେଣୁ ତାକୁ କହିଲା ଚାଲ ଆମ ଘର କୁ ସେଇଠି ରହିବୁ |   ବୁଢ଼ୀ ଆଗ ପଛ ହେଇ କହିଲା ହେଲେ ତୁମ ଘର ଲୋକେ କିସ କହିବେ... ମୋତେ ଘରେ ରଖିବେ? ବୁଢା ଛାତି ପିଟି କହିଲା ଆରେ ସେମାନେ କଣ ରଖିବେ? ଘର ମୋର ସେମାନେ ସେଠି ଅଛନ୍ତି.. ଇଚ୍ଛା ପାଇଲେ ରହିବେ ନ ହେଲେ ପଳାଇବେ...|  କିନ୍ତୁ ଗାଁ କୁ ଆସି ତା ର ସେଇ ଦମ୍ଭ ରହିଲାନି | ପୁଅ ବୋହୂ ରଡି କରିବାରୁ ବୁଢା ତା ଜୋର ଦେଖାଇ କହିଲା ଏଟା ମୋ ଘର ମୋ ଖୁସି ମୁଁ କାହାକୁ ରଖିବି.... ଏତିକି ଶୁଣି ବଡ଼ ବୋହୂ ଯେ ଟିକିଏ ଅଧିକ ବୁଦ୍ଧିଆ ଏଡ଼େ ପାଟି ଟେ କରିକହିଲା କି ନାଇଁ କି ଜାତିର ଲୋକ କୁ ଆଣି ଘରେ ପୁରାଇଲେ ଜାତି ଲୋକ କଣ କହିବେ?? ତା ପାଟି ରେ ଜାତିବାଲା ଙ୍କୁ ଖିଅ ମିଳିଗଲା ସେମାନେ ଵି ଡେଇଁଲେ | ବୁଢ଼ୀ କହିଲା ମୋତେ ଛାଡିଦିଅ.. ତୁମେ ତୁମ ଘର ଦେଖ... ବୁଢା ର ଇଜ୍ଜତ କୁ ବାଧିଲା.. ସେ କହିଲା ନା...ଯାହା ଵି ହେଇଯାଉ ମୁଁ ତୋତେ ରଖିବି ମାନେ ରଖିବି | ବୋହୂ କୁ ସୁବିଧା ମିଳିଗଲା ସେ କହିଲା ଏମିତି ଜାତିଅଜାତି କୁ ଘରେ ପୁରାଇହେବନି.. ଜାତି କହିଲା ଘରେ କଣ ଗାଁ ରେ ରଖିହେବନି... ଭଦ୍ରଲୋକ କହିଲେ ବୁଢାକାଳେ ଏମିତି କାଣ୍ଡ କଲେ ଛୋଟ କଣ ଶିଖିବେ?? ଏମିତି ଅନେକ ରଞ୍ଜ ଘଷ ହେଇ ଶେଷକୁ କଥା ଛିଡ଼ିଲା ବୁଢା ଗାଁ ଭିତରେ ରହିପାରିବନି | କିନ୍ତୁ ଗାଁ ର ଲୋକ ଗାଁ ଛାଡିଲେ ଯିବ କୁଆଡେ? ସେଥିପାଇଁ ଗାଁ ର ଶେଷ ମୁଣ୍ଡରେ ସେଇ ଯୋଉ ବରଗଛ ଅଛି ମଶାଣି ପଦା କୁ ଲାଗି ସେଇଠି ଜାଗା ଖଣ୍ଡିଏ ଦେଲେ ରହିବାକୁ | ସାନ ଟା ହୁଣ୍ଡା ଟା ସିନା ମନ  ଟା ତାର ସଫା.. ସେ ଆହୁରି କାଠ ବାଉଁଶ ପୁଞ୍ଜିଏ କାଟି ଆଣି ରହିବାକୁ ଜାଗା ଟିକିଏ କରିଦେଲା | ସେଇଦିନୁ ବୁଢା ବୁଢ଼ୀ ସେଇଠି... ଜଣେ ଜଣଙ୍କ ମୁହଁ ଚାହିଁ ପଡ଼ିଥାନ୍ତି । 

        ସବୁ ଠିକ ଥିଲା ହେଲେ ଦୁଇଦିନ ବୁଢୀକୁ ଜ୍ୱର ଟିକିଏ ଦେଲା.. ଆଜି କାଲି କରୁ କରୁ ଜ୍ୱର ବଢିଲା ଦେଖି ବୁଢା କୋଉଠୁ ଦୁଇ ପଇସା ଆଣି ଦୋକାନ ରୁ ଓଷ ପାନେ ଆଣିଥିଲା | ହେଲେ ସେ ଓଷ ଖାଇବା ଆଗରୁ ହିଁ ବୁଢ଼ୀ ଟା ଗୋଟିଏ ହିକ୍କା ମାରି ଆଖି ଉପରକୁ ଟେକିଦେଲା | ବୁଢା ସେତେବେଳୁ ରଡି କରି କରି ତଣ୍ଟି ପାଟି ଶୁଖିଲାଣି କେହି ଆସିଲେନି କି ଦେଖିଲେନି | ବୁଢ଼ୀ କୁ ଦାହ କରିବ କେମିତି?  ଯାହାକୁ ଡାକିଲେ ସେ କହିଲା ତୋ କନିଆ ତୁ ବୁଝେ .... ସେ କଣ ତା ର କନିଆ ଥିଲା?? ସେ ସାରିଆ ର ଜାଗା କଣ କାହାକୁ ଦେଇପାରିଥାନ୍ତା? ହେଲେ ସାବି ବୁଢ଼ୀ ତା ର କଣ ଥିଲା? କାଇଁ କିଛି ତ ନଥିଲା.. ହେଲେ ଜଣେ ଜଣଙ୍କ ର ଦୁଃଖ ର ସୁଖ ର ସାଥୀ ଥିଲେ.. ଗାଁ ଲୋକ କଣ ବୁଝିଲେ?  ହେଲେ ଯୋଉ ବୁଢ଼ୀ ପାଈଁ ଏତେ କଲା ମଲା ପରେ ତା ମୁହଁରେ ନିଆଁ ଟିକେ  ନ ଦେଲେ ତା ଦାୟିତ୍ୱ ସରିବ? ହେଲେ ମଶାଣି କୁ ନେବ କେମିତି? ତା ଘର ପାଖ ମଶାଣି ହେଲେ ଵି ତା ଅଣ୍ଟା ରେ ବଳ ଅଛି ଯେ ବୁଢ଼ୀ ର ଅସାଡ଼ ଦେହ ଟା କୁ ବୋହି ନେଇପାରିବ? କାଠ କୋଉଠୁ ଆଣିବ? କେହି ତ ମୁହଁ କୁ ଚାହୁଁ ନାହାଁନ୍ତି? ପୁଅ ବୋହୂ ହେଲେ ଆସିଲେନି...| ବୁଢ଼ୀ ଦେହ କଣ ଏମିତି ପଡି ପଡି ସଢ଼ିବ?? ନା.. କେହି ନ ଆସନ୍ତୁ ମୁଁ ଏକା ସବୁ ପାରିବି କହି ବୁଢା ଘରେ ପଶିଗଲା !

        ବୁଢା କଣ କରୁଛି ଦେଖିବା କହି ଗାଁ ଲୋକ ମଜା ଦେଖିବାକୁ ଚାହିଁଥିଲେ | ହଠାତ ଦେଖିଲେ ବୁଢା ର କୁଡ଼ିଆ ଚଡ ଚଡ ଫଡ ଫଡ ଶବ୍ଦ କରି ଜଳିବାକୁ ଲାଗିଲା | ନିଆଁ ଛାତେ ଉପରକୁ ଉଠିଲା.. ଆରେ ଆରେ ବୁଢା ଟା ପାଗଳ ହେଇଗଲାନା କଣ? ନିଜେ ଭିତରେ ଥାଇ ନିଆଁ ଲଗାଉଛି ଯେ?? କହି ସବୁ ରଡି ଡକା ଛାଡିଲେ | ନିଆଁ ବେଳକୁ ବେଳ ଜୋର ଧରିଲା... ଖରାଦିନ ଚାଳ ସବୁ ଶୁଖିକି ରହିଛି ଟିକିଏ ଝୁଲ ପଡିଗଲେ ଲଙ୍କା ଦହନ ହେଇଯିବ... ସମସ୍ତଙ୍କ ଚେତା ପଶିଲା | ଆରେ ପାଣି ଢାଳ ରେ .. ବାଲି ପକାଅ.. ନିଆଁ ଲିଭାଅ.. କହୁ କହୁ  ଗୋଟିଏ ଘର ରୁ ଆଉଗୋଟିଏ ଘର କୁ ଡେଇଁ ଡେଇଁ ନିଆଁ ବଢିଚାଲିଲା.. ଚାରିଆଡେ ଖାଲି ରଡି ଆଉ ଧୂଆଁ...

        ତା ପରଦିନ ଖବର ଚାରିଆଡେ ଖେଳିଗଲା ସୁଜନପୁର ଗାଁ ଗୋଟାକ ଜଳିପୋଡି ଛାରଖାର ହେଇଯାଇଛି | ଟିଭି ସମ୍ବାଦ ପତ୍ର ଵାଲା ଦୌଡିଲେ ଖବର ଆଣିବାକୁ | ନିଆଁ କୋଉଠୁ ଲାଗିଲା ଆଉ କେମିତି? ପ୍ରଶ୍ନ ର ଉତ୍ତର ରେ ସରପଞ୍ଚ କହିଲେ ଗାଁ ରାସ୍ତା ର ଶେଷମୁଣ୍ଡରେ ପାଗଳ ବୁଢା ଟିଏ ରହୁଥିଲା ସେ ତା ଘରେ ନିଆଁ ଲଗାଇଦେବାରୁ ନିଆଁ ସବୁଆଡେ ହେଇଗଲା | ଖାଲି ବୁଢା ତ ରହୁଥିଲା ଦୁଇଟା ଖପୁରି କୁଆଡୁ ଆସିଲା? ପ୍ରଶ୍ନ ସରପଞ୍ଚ ତଥା ପ୍ରଶାସନ କୁ ଅସୁବିଧାରେ ପକାଇବ ଭାବି ସରପଞ୍ଚ କହିଲା ପାଖରେ ମଶାଣି ପଦା ତ କୁକୁର ଆଣି ପକାଇଥିବ....ପଞ୍ଚନାମା ସବୁ ସରିଲା ପରେ  ସନିଆ ଚୁପ ସେ ଯାଇ ଖପୁରି ଦୁଇଟିକୁ ଗାଁ ପାଖ ନଈରେ ପକାଇଦେଇ ଆକାଶ କୁ ଚାହିଁ ହାତ ଯୋଡ଼ିଲା..



     
🌼🌻 ସମାପ୍ତ 🌻🌼

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.