ଡାଏରୀ, ସେଇ ଝିଅଟିର
ଡାଏରୀ, ସେଇ ଝିଅଟିର
ସଂଗ୍ରହ: ଜିତୁ
ସୌଜନ୍ୟ :- ଆନିମେସନ ଓଡ଼ିଶା
ଫୁଲଗଛରେ ପାଣି ଦେଲାବେଳେ ଦେଖିଲି, କାଲିର କଢ଼ଟି ଆଜିକୁ ପୂରା ଫୁଟି ସାରିଛି। ଫୁଲଟିକୁ ଦେଖି ମୀରାର ଚେହେରା ମୋ ଆଖି ଆଗରେ ନାଚି ଉଠିଲା। ତା ସହିତ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥାଏ। ଝିଅଟି କଣ ସତରେ ଅନ୍ଧୁଣୀ ! ସେ କଣ ମୋତେ ଜାଣେ ! ସେ ତା ଜ୍ଞାତସାରରେ ବୋଧହୁଏ ଡାଏରୀଟି ଛାଡ଼ିଯାଇଛି ! ତା ପାଇଁ ଦରଦରେ ମନ ଭାରି ହୋଇଗଲା। କଣ ହୋଇପାରେ ଅନ୍ଧୁଣୀ ଝିଅଟିଏର ଅନୁଭବ ! ଆଉ ଗୋଟିଏ କଥା ବି ମନକୁ ଆସୁଥାଏ। ସେ ଲେଖିଛି ତାର ଝିଅଟିଏ ଅଛି। ତାମାନେ ସେ ବିବାହିତା। ସେ ଯାହା ବି ହେଉ, ଝିଅଟି ଆଧୁନିକା ଓ ଖୁବ୍ ସୁନ୍ଦରୀ ।
ମନର ଉତ୍କଣ୍ଠାକୁ ଲଗାମ ଦେଇ ମୁଁ ଘରର ଅନ୍ୟାନ୍ୟ କାମ ସାରିଲି। ଡିନର୍ ପରେ ପୁଣି ଡାଏରୀଟି ଖୋଲିଲି।
ତାରିଖ :୨-୧୨-୨୦
ଆଖି ନଥିବା ଛୁଆଟିକୁ ନେଇ କିଏ ଦେଖିପାରେ ସ୍ୱପ୍ନ ! ତେଣୁ ମୋ ବାପା, ଦାଦା ନିହାତି ବେପରୁଆ ଥିଲେ ମୋ ପାଇଁ। ଜେଜେମା ଖୁବ୍ ଆଶାବାଦୀ ଥିଲା। ଆଉ ମୋ ବୋଉ....ଚଉଦ ବର୍ଷର ସ୍ତ୍ରୀଲୋକଟି ଛାତିର ଅମୃତ ଢାଳି ଦେଲାବେଳେ ମୋତେ ନିଜର ଅଂଶ, ନଅମାସ ନଅଦିନର ଅପେକ୍ଷାର ଫଳ ବୋଲି ବାତ୍ସଲ୍ୟ ପ୍ରେମରେ ଜଡ଼ାଇ ଧରୁଥିଲା। ସେ ସମୟର ଗାଉଁଲି ଝିଅଟି ବୋଲି, ବୋହୂ ହୋଇ କଅଁଳ ବୟସରେ ଘରର ଦାୟିତ୍ୱ ମୁଣ୍ଡେଇଥିଲା। ଆଜିକାଲିକା ଝିଅମାନେ ସେଇ ବୟସରେ ସ୍ୱପ୍ନ ଦେଖିବା ଆରମ୍ଭ କରୁଛନ୍ତି।
ମୁଁ ଯେବେ ପନ୍ଦର ଦିନର କଅଁଳା ଛୁଆଟିଏ, ତେଲ ମାଲିସ୍ କରୁକରୁ ସମସ୍ତଙ୍କ ଅଜାଣତରେ ମୋ ଜେଜେମା ମୋ ଆଖିର ଗାରକୁ ଦୁଇ ଆଙ୍ଗୁଳିରେ ଧୀରେ ଧୀରେ ଚିରିଲା। ଆଖି ପତାକୁ ଖୋଲିବାକୁ ଚେଷ୍ଟା କଲା। ମୁଁ କାନ୍ଦି ଉଠିଲି ଖୁବ୍ ଜୋରରେ। ଆଉ ମୋ ଆଖିରୁ ଝିପ୍ ଝିପ୍ ହୋଇ ରକ୍ତ ବାହାରିଲା। ଜେଜେମା ଚୁପ୍ ଚାପ୍ ପୋଛିଦେଲା ଆଖିର ରକ୍ତ। କିନ୍ତୁ, ସେ ଓହରି ଗଲାନି। ପ୍ରତିଦିନ ଚେଷ୍ଟା ଜାରି ରଖିଲା। ସତ୍ୟନାରାୟଣଙ୍କ ପାଖରେ ମାନସିକ କଲା। ବର୍ଷେ ଭିତରେ ଯଦି ଝିଅର ଆଖି ଖୋଲିଯାଏ, ସତ୍ୟନାରାୟଣ ପାଲା ବସେଇବି। ବର୍ଷେ ପର୍ଯ୍ୟନ୍ତ କେବଳ ଭଗବାନଙ୍କ ଭରସାରେ ଛାଡ଼ି ନଦେଇ ସେ ମୋ ଆଖି ଖୋଲିବାର ପ୍ରଚେଷ୍ଟାରେ ଲାଗି ରହିଲା। ସତକୁସତ ମୋ ଆଖି ଖୋଲିଗଲା। ବର୍ଷ ଶେଷକୁ ଆମ ଘରେ ସତ୍ୟନାରାୟଣ ପାଲା ବସିଲା।
ମୋ ବୋଉ ଆଉ ଜେଜେମା ଭାବିଲେ ଝିଅ ଏଥର ସବୁ ଦେଖିପାରିବ। ଏତେ ସୁନ୍ଦର ଇଷତ୍ ନୀଳ ରଙ୍ଗର ଆଖି ମୋର କେଉଁ କାମକୁ ! ଆଖି ଖୋଲିଯିବା ପରେ ବି ମୁଁ ଦେଖି ପାରିଲିନି। ବିଧାତା ମୋତେ ଦୃଷ୍ଟିଶକ୍ତି ଦେଇନି, ଏକଥା ମାନିବାକୁ ପ୍ରସ୍ତୁତ ନଥିଲେ ମୋ ବୋଉ ଆଉ ଜେଜେମା। କିନ୍ତୁ, ସମୟ ସହିତ ସବୁ ଦେହସୁହା ହୋଇଗଲା। ଧୀରେ ଧୀରେ ସେମାନେ ବି ଗ୍ରହଣ କରିନେଲେ ମୁଁ ଅନ୍ଧୁଣୀଟିଏ। ଆଉ ମୋତେ ସେଇ ଅଭାବ ସହିତ ଜୀଇଁବାକୁ ହେବ।
ଗୁଆଘିଅ ଦୀପଜାଳି କଜ୍ଜଳ ତିଆରି କରୁଥିଲା ଜେଜେମାଆ। ମୋ ଆଖିରେ ପ୍ରତିଦିନ କଜ୍ଜଳ ଲଗାଇ ଦେଇ ଘଡ଼ିଏ ଚାହିଁ ରହୁଥିଲା। ମୋତେ ଜାବୁଡ଼ିଧରି କହୁଥିଲା, ମୋ ବାୟାଣୀର ଆଖି କେତେ ସୁନ୍ଦର ! କେଡ଼େ ସ୍ନେହମୟୀ ମୋ ଜେଜେମା। ଶ୍ରଦ୍ଧା ଆଉ ଯତ୍ନରେ କେବେ ଊଣା କରିନି। ମୋ ଭିତରେ ଗୋଟିଏ ବଡ଼ ଅଭାବ ଥିଲା ସତ, ଅନ୍ୟଦୃଷ୍ଟିରୁ ମୁଁ ଅନ୍ୟମାନଙ୍କ ଠାରୁ ଦୁଇପାଦ ଆଗରେ ଥିଲି। ମୋର ଘ୍ରାଣଶକ୍ତି ଓ ଶ୍ରବଣଶକ୍ତି ଭାରି ପ୍ରଖର। ଗାଁ ଦାଣ୍ଡରେ ପିଲାମାନେ ଖେଳିଲାବେଳେ ମୁଁ ବି ଖେଳୁଥିଲି ସେମାନଙ୍କ ସହିତ। ବିନା ଆଖିରେ ବି ମୁଁ ସ୍ୱାଭାବିକ ଜୀବନ ଜୀଉଁଥିଲି। ତା ପଛରେ ମୁଖ୍ୟ କାରଣ ହେଲା, ନିଜକୁ ସେଇ ଛାଞ୍ଚରେ ପକେଇଦେବା। ଜୀବନ ଯେମିତି ସୁଯୋଗ ଦେଇଛି ସେମିତି ବଞ୍ଚିବା। ଆଉ ମୋ ବୋଉ ଓ ଜେଜେମା ମୋତେ ପୂର୍ଣ୍ଣ ସହଯୋଗ କରୁଥିଲେ।
କୁନି ଛୁଆଟିଏ କଣ ବା ଜାଣେ ଜୀବନ ବିଷୟରେ ! ସୁଖ କଣ, ଦୁଃଖ କଣ...ସେସବୁର ଜ୍ଞାନ ବୟସ ସହିତ ତିଆରି ହୁଏ। ମୁଁ ଖେଳସାଥିଙ୍କ ହସକାନ୍ଦ ସହିତ ଜଡ଼ିତ ଥିଲି। ଗାଁ ଦାଣ୍ଡଧୂଳି ସହିତ ପରିଚିତ ଥିଲି। ଖୁବ୍ ଖେଳୁଥିଲି। ଥକିଯାଇ ରାତିରେ ଶୀଘ୍ର ଶୋଇ ଯାଉଥିଲି। ଦେଖି ପାରୁନଥିଲି ସତ, ସନ୍ଧ୍ୟାବେଳେ ବୋଉ ସଞ୍ଜବତୀ ଜାଳିବାକୁ ବାହାରିଲେ ତା ଲୁଗା ପାଲଟିବା ବେଳେ ପାଣିକାଚର ରୁଣୁଝୁଣୁ ଶବ୍ଦରୁ ଠଉରାଇ ପାରୁଥିଲି...ଏବେ ବୋଉ ସଞ୍ଜବତୀ ଜାଳିବ। ଘିଅଦୀପର ବାସ୍ନାରୁ ଜାଣୁଥିଲି ବୋଉର ଆଣ୍ଠୁମାଡ଼ି ମୁଣ୍ଡିଆ ମାରିବାର କଥା। ଜାଣୁଥିଲି, ସେ ବୃନ୍ଦାବତୀଙ୍କ ପାଖରେ ଘରର ସମସ୍ତଙ୍କ କଥା ସହିତ ମୋ ପାଇଁ ଟିକେ ଅଧିକ ପ୍ରାର୍ଥନା କରୁଛି।
ମୋତେ ସାତବର୍ଷ ଚାଲିଲା ବେଳକୁ ମୋର ଦୁଇଟି ଭଉଣୀ ଜନ୍ମ ହୋଇ ସାରିଥିଲେ। ସେମାନଙ୍କ ଜନ୍ମ ପରେ ବି ବୋଉ କେବେ ମୋତେ ଅବହେଳା କରିନି। ଜେଜେମା ମୋତେ ଗଣ୍ଠିଧନ କରି ରଖିଥିଲା। ଦିନେ ସନ୍ଧ୍ୟାବେଳେ ସମସ୍ତେ ଏକାଠି ବସି ଚାଆ ପିଉଥିଲାବେଳେ ମୁଁ ବୋଉକୁ ପଚାରିଲି, ମୁଁ କେବେ ସ୍କୁଲ୍ ଯିବି ବୋଉ ? ମୋର ସବୁ ସାଙ୍ଗ ସ୍କୁଲ୍ ଯାଉଛନ୍ତି। ବହୁତ ପାଠ ଶିଖିଲେଣି ସେମାନେ।
- ତୁ ଘରେ ପଢ଼ିବୁ। ବାପା ପଢ଼େଇଦେବେ ତୋତେ ।
- କାହିଁକି ? ମୁଁ ଅନ୍ୟମାନଙ୍କ ପରି ସ୍କୁଲକୁ କାହିଁକି ଯିବିନି !
ଚୁପ୍ ରହିଥିଲେ ସମସ୍ତେ। ମୁଁ ପଚାରି ଚାଲିଥିଲି। ଜେଜେମା ଶେଷରେ କହିଲା, ବ୍ୟସ୍ତ ହୁଅନା। ମୁଁ ମାଷ୍ଟରଙ୍କ ସହିତ କଥା ହେବି। ତୁ ଯିବୁ ସ୍କୁଲ୍।
ମୁଁ ଜେଜେମା ଆଉ ବୋଉକୁ ଖୁବ୍ ଭରସା କରୁଥିଲି। ତେଣୁ ଅପେକ୍ଷା କଲି। ସ୍କୁଲ୍ ଯିବାକଥା ଭାବି ଖୁସି ହେଉଥିଲି। ଥରେ ଆମ ଗାଁକୁ ଜଣେ ଭିନ୍ନକ୍ଷମ ଶିକ୍ଷକ ଆସିଥିଲେ। ସେ ଆମ ଘରକୁ ଆସି ମୋର ପଢ଼ାପଢ଼ିର ସୁବିଧା ହୋଇ ପାରିବ ବୋଲି କହିଲେ। ବୋଉ ଭାରି ଦୃଢ଼ମନା। ସେ ମୋତେ ପାଠ ପଢ଼େଇବା ପାଇଁ ଭୁବନେଶ୍ବରରେ ଥିବା ଭୀମଭୋଈ ସରକାରୀ ଦୃଷ୍ଟିହୀନ ବିଦ୍ୟାଳୟରେ ନାମ ଲେଖାଇଲା। ପାଠ ପଢ଼ିବି ବୋଲି ମୋର ଖୁସିର ସୀମା ନଥିଲା। ହେଲେ ଘରଛାଡ଼ି, ବୋଉକୁ..ଜେଜେମାକୁ ଛାଡ଼ିଯିବାର ଦୁଃଖରେ ମୁଁ ବହୁତ କାନ୍ଦିଲି। ସାତବର୍ଷର ଅନ୍ଧୁଣୀ ଝିଅଟିଏ ଘର ପରିବାରକୁ ଛାଡ଼ି କେମିତି ରହିବ ବୋଲି ବାପା ପ୍ରଶ୍ନ କରିଥିଲେ। ସାହିପଡ଼ିଶା ଓଲଟା ବୁଝିଲେ। ଭାବିଲେ ବୋଉ କେଉଁଠି ବିକି ଦେଉଛି ମୋତେ। ମୁହଁ ଖୋଲି କହିଲେ ମଧ୍ୟ। ଯଦି ଖାଇବାକୁ ଦେଇପାରୁନ, ତଣ୍ଟିଚିପି ମାରି ଦେଉନ ! ପର ପାଖରେ ବିକି ଦେଉଛ ? ଦେଖିବ, ସେ ଟ୍ରେନରେ ଗୀତ ଗାଇ ଭିକ ମାଗିବ।
ବୋଉ କଡ଼ା ଜବାବ ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଲା। କହିଲା, ପାଠ ଦୁଇଅକ୍ଷର ପଢ଼ି ଯଦି ମୋ ପିଲା ମଣିଷ ହୋଇ ପାରିବ, ସେଥି ପାଇଁ ଯାହା କରିବାକୁ ପଡ଼ିବ ମୁଁ କରିବି। କେତେ କଷ୍ଟରେ ମୁଁ ମୋ ଛାତିର କଲିଜାକୁ ନିଜଠାରୁ ଅଲଗା କରୁଛି, ତୁମେ କାହୁଁ ବୁଝିବ ?ଚୁପ୍ ହୋଇଗଲେ ସମସ୍ତେ।
ମୋର ଠିକ୍ ମନେ ଅଛି, ଦିନେ ବଡ଼ିଭୋରରୁ ଭୁବନେଶ୍ବର ବସ୍ ଧରି ମୁଁ ବାପାବୋଉଙ୍କ ସହିତ ଗାଁରୁ ବାହାରିଲି। ପଛରେ ଛାଡ଼ିଗଲି, ଜେଜେମାର କୋଳ...ଆଉ ତା ଶିରାଳ ହାତର ସ୍ନେହ ପରଶ। ଛାଡ଼ିଗଲି ଛୋଟ ଦୁଇ ଭଉଣୀଙ୍କ ଅଳିଅଝଟ। ଗାଁ ଦାଣ୍ଡର ଖେଳସାଥି। ଗାଁ ମାଟିର ବାସ୍ନା। ଆଉ ସନ୍ଧ୍ୟାରେ ଦେହମୁହଁରେ ନେସି ହୋଇ ଯାଉଥିବା ଗାଁ ଦାଣ୍ଡର ଧୂଳିପଟଳ....। ବସ୍ ଯେତେଯେତେ ଆଗକୁ ଚାଲୁଥିଲା, ମୋ ମନରେ ଗାଁ ପ୍ରତି ମୋହ ସେତିକି ବଢୁଥିଲା। ଆଖିରୁ ଅମାନିଆ ଲୁହ ଝରି ଯାଉଥିଲା।
ତିନିଘଣ୍ଟାର ବସ୍ ଯାତ୍ରା ପରେ ଆମେ ପହଞ୍ଚିଲୁ ଭୁବନେଶ୍ବରରେ। ଭୀମଭୋଈ ଦୃଷ୍ଟିହୀନ ଆବାସିକ ବିଦ୍ୟାଳୟରେ ଭର୍ତ୍ତି ହେଲି ମୁଁ। ମୋ ଜିନିଷପତ୍ର ସଜାଡ଼ି ଦେଇ ବାହାରିଲା ବେଳେ ବୋଉ ଖୁବ୍ କାନ୍ଦିଲା। ମୁଁ ବି କାନ୍ଦୁଥିଲି। ପାଠ ପଢ଼ିବାର ନିଶା ଉତୁରିଯାଇ ବୋଉ କୋଳର ନିଶା ଘାରିଥିଲା ମୋତେ। ବୋଉ ବୁଝାଇଲା ମୋତେ, ସବୁ ସାଙ୍ଗସାଥି ତୋର ପାଠ ପଢୁଛନ୍ତି। ତୁ କଣ ସବୁଦିନେ ଘରେ ବସିଥିବୁ ! ଭଲ ସ୍କୁଲରେ ପାଠ ପଢ଼ିବାର ସୁଯୋଗ ମିଳିଛି ତୋତେ, ଭଲ ପଢ଼। ଆଗକୁ ଭଲ ଚାକିରୀ କରିବୁ। କେହି ତୋତେ ହୀନଦୃଷ୍ଟିରେ ଦେଖିବେନି ଆଉ। ବ୍ୟସ୍ତ ହୁଅନା ସୁନାଝିଅ...ମୁଁ ପୁଣି ଆସିବି ତୋ ପାଖକୁ।
ବୋଉ ମୋତେ ଛାତିରେ ଜଡ଼ାଇ ଧରିଲା। ମୋ ଆଖିର ଲୁହ ପୋଛିଦେଲା। ମଥାରେ ଚୁମାଟିଏ ଦେଇ ତା'ଠୁଁ ମୋତେ ଅଲଗା କରିନେଲା। ଧୀରେ ଧୀରେ ମୋ ହାତରୁ ବୋଉର ଶାଢ଼ୀକାନି ହୁଗୁଳା ହୋଇଗଲା। ବୋଉ ଚାଲିଗଲା ମୋତେ ଗୋଟିଏ ମଞ୍ଚ ଉପରେ ଛିଡ଼ାକରି। ଛାଡ଼ିଗଲା ବଞ୍ଚିବାର ରାସ୍ତା ତିଆରିବାକୁ ମୋ ଛାତିରେ ସାହସର ମଞ୍ଜି ବୁଣିଦେଇ। ସାତବର୍ଷର ଅନ୍ଧୁଣୀ ଝିଅଟିଏର ପରିଚିତ ରଙ୍ଗ କହିଲେ ଅନ୍ଧାରର ରଙ୍ଗ ଥିଲା। ସେଦିନ ଅନ୍ଧାରର ରଙ୍ଗ ମୋ ପାଇଁ ଗାଢ଼ରୁ ଗାଢ଼ତର ହେଲା। ମୁଁ ପ୍ରଥମଥର ପାଇଁ ଅନ୍ଧାର ଭିତରେ ଆଲୋକ ଆଡ଼କୁ ଏକାଏକା ପାଦ ବଢ଼େଇଲି।
ଡାଏରୀର ପରପୃଷ୍ଠା ଓଲଟାଇବାକୁ ମୋ ଭିତରେ ଆଉ ଶକ୍ତି ନଥିଲା। ଆହା ! କୁନିଝିଅଟି କେତେ ଦୁଃଖ ଭୋଗିଛି ! ମୋତେ ମନେ ପଡ଼ିଲା ହଷ୍ଟେଲରେ ରହୁଥିବା ସତରବର୍ଷର ମୋ ଗେହ୍ଲାଝିଅ କଥା। ଆଖିରୁ ଦୁଇଧାର ଲୁହ ଖସିଗଲା। ଡାଏରୀଟି ସେତିକିରେ ବନ୍ଦ କରି ରାତିର ତୃତୀୟ ପ୍ରହରରେ ଶୋଇବାକୁ ଚେଷ୍ଟା କଲି। ଆଲୁଅ ଲିଭେଇ ଦେଲା ପରେ ମୋତେ ବି ଲାଗିଲା, ଅନ୍ଧାରର ରଙ୍ଗ ଭାରି ଭୟଙ୍କର।
🌼🌻 ସମାପ୍ତ 🌻🌼
Leave a Comment